ରାଷ୍ଟ୍ରପତି ନିର୍ବାଚନ ୨୦୨୨: ବିରୋଧୀଙ୍କୁ ମିଳୁନାହାଁନ୍ତି ପ୍ରାର୍ଥୀ,ଜାଣନ୍ତୁ କଣ ରହିଛି ବିରୋଧୀଙ୍କ ଇତିହାସ
Advertisement

ରାଷ୍ଟ୍ରପତି ନିର୍ବାଚନ ୨୦୨୨: ବିରୋଧୀଙ୍କୁ ମିଳୁନାହାଁନ୍ତି ପ୍ରାର୍ଥୀ,ଜାଣନ୍ତୁ କଣ ରହିଛି ବିରୋଧୀଙ୍କ ଇତିହାସ


ଜୁଲାଇ ୧୮ ତାରିଖରେ  ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ପ୍ରାର୍ଥୀ ଚୟନକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ଚଳାଇଛନ୍ତି ଜୋରଦାର ପ୍ରଚେଷ୍ଟା। ତୁହାକୁ ତୁହା ବୈଠକ ବସୁଥିବାବେଳେ କେହି ଠିକ୍ କରପାରୁନାହାନ୍ତି କାହାକୁ କରିବେ ପ୍ରାର୍ଥୀ। ବିରୋଧୀ ଦଳର ପ୍ରାର୍ଥୀତ୍ୱକୁ ଜଣେ ପରେ ଜଣେ ଅଗ୍ରାହ୍ୟ କରୁଥିବାବେଳେ ଚିନ୍ତାରେ ଏବେ ବିରୋଧୀ ।

ରାଷ୍ଟ୍ରପତି ନିର୍ବାଚନ ୨୦୨୨: ବିରୋଧୀଙ୍କୁ ମିଳୁନାହାଁନ୍ତି ପ୍ରାର୍ଥୀ,ଜାଣନ୍ତୁ କଣ ରହିଛି ବିରୋଧୀଙ୍କ ଇତିହାସ

ନୂଆଦିଲ୍ଲୀ: ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ତତ୍ପର ହୋଇ ଉଠିଛନ୍ତି ଉଭୟ ଶାସକ ଓ ବିରୋଧୀ । ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପାଖରେ ସମଦାୟ ୪୮.୯ ପ୍ରତିଶତ ଭୋଟ ରହିଥିବା ବେଳେ ବିରୋଧୀଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ । ନିର୍ବାଚନରେ ଜିତିବା ପାଇଁ ଏନଡିଏକୁ ଆଉ ମାତ୍ର ୧.୨ ପ୍ରତିଶତ ଭୋଟର ଆବଶ୍ୟକତା ଥିବା ବେଳେ ଦଳ ଏଥିପାଇଁ ବିଜେଡି(BJD), ୱାଇଏସଆର କଂଗ୍ରେସ(YSR Congress )ଦଳ ଭଳି ଆଞ୍ଚଳିକ ଦଳ ସହ ବୁଝାମଣା କରିବାକୁ ପ୍ରୟାସ କରୁଛି । ବିରୋଧୀ ମଧ୍ୟ ଏନଡିଏକୁ ଚେକମେଟ୍ ଦେବାପାଇଁ ଚଳାଇଛନ୍ତି ଜୋରଦାର ପ୍ରୟାସ ।

ତେବେ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିରୋଧୀ । ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାପରେ ବିରୋଧୀ ଏନଡିଏ ବିରୁଦ୍ଧରେ ପ୍ରାର୍ଥୀ ଦେବାପାଇଁ ଅଣ୍ଟା ଭିଡ଼ିଥିଲେ । ସମସ୍ତ ବିରୋଧୀଙ୍କୁ ଏକାଠି କରି ଶାସକ ଏନଡିଏ କୁ ମାତ୍ ଦେବାପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ବିରୋଧୀ ମେଣ୍ଟକୁ ଏକଜୁଟ କରିବାକୁ ଆଗକୁ ଆସିଥିଲେ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ(TMC supremo Mamata Banerjee) । ଏହାପରେ ୨୨ଟି ବିରୋଧୀ ଦଳଙ୍କୁ ଚିଠି ଲେଖିଥିଲେ ମମତା ଏବଂ ଚଳିତମାସ ୧୫ ତାରିଖରେ ଦିଲ୍ଲୀରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପ୍ରକୃତରେ ଯିଏ ସମ୍ବିଧାନର ରକ୍ଷକ ଭାବରେ କାର୍ଯ୍ୟ କରିପାରିବ ଏବଂ ଆମ ଗଣତନ୍ତ୍ର ଉପରେ ମୋଦୀ ସରକାର ଯେଭଳି ଅଧିକ କ୍ଷତି ପହଞ୍ଚାଇ ପାରିବେ ନାହିଁ, ସେ କ୍ଷେତ୍ରରେ କାର୍ଯ୍ୟ କରିବେ ସେଭଳି ପ୍ରାର୍ଥୀ ଚୟନ କରିବାକୁ । ମାତ୍ର ବିରୋଧୀଙ୍କ ଏହି ବୈଠକରେ କିଛିବି ନିସ୍କର୍ଷ ବାହାରିପାରିନଥିଲା । ଏହି ବୈଠକରେ ଟିଏମସି, କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନେସନାଲ କନ୍ଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି, ଆଇୟୁଏମଏଲ ଏବଂ ଜେଏମଏମ ପ୍ରମୁଖ ଦଳ ଯୋଗ ଦେଇଥିଲେ । ବୈଠକରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ଭାଗ ନେଇ ନଥିବାବେଳେ ବୈଠକରୁ ଟିଆରଏସ ଏବଂ ବିଜେଡି ଦୂରେଇ ରହିଥିଲେ । ବୈଠକ ପୂର୍ବରୁ କୁହାଯାଉଥିଲା କି ବିରୋଧୀ ମେଣ୍ଟ ଏନସିପି ମୁଖ୍ୟ ଶରଦ ପାୱାର(Sharad Pawar)ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ । ହେଲେ ବୈଠକରେ ଏହାକୁ ଖଣ୍ଡନ କରିଥିଲେ ଶରଦ ପାୱାର । ସେ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହେବାକୁ ସିଧା ସଳଖ ମନା କରିଦେଇଥିଲେ । ଏହା ପରେ ଜମ୍ମୁ- କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା(Farooq Abdullah)ଙ୍କୁ ବିରୋଧୀମେଣ୍ଟ ପ୍ରସ୍ତାବ ଦେଇଥିଲା । ହେଲେ ସେ ବି ବିରୋଧୀଙ୍କ ଅଫରକୁ ଅଗ୍ରାହ୍ୟ କରିଦେଇଥିଲେ । ଏହି ଦୁଇ ବରିଷ୍ଠ ନେତା ବିରୋଧୀଙ୍କୁ ଝଟକା ଦେବା ପରେ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ବିରୋଧୀ ପ୍ରାର୍ଥୀ କରିବାପାଇଁ ମନବଳାଇଥିଲେ । ତେବେ ଗୋପାଳକୃଷ୍ଣ ମହାତ୍ମା ଗାନ୍ଧୀଙ୍କ ନାତି ଓ ଜଣେ ପୂର୍ବତନ ଆଇଏଏସ ଅଧିକାରୀ । ଏହାସହିତ ଗୋପାଳକୃଷ୍ଣ ଗାନ୍ଧୀ ୨୦୧୯ ଉପରାଷ୍ଟ୍ରପତି ନିର୍ବାଚନରେ ଭେଙ୍କେୟା ନାଇଡୁଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ତେବେ ଶେଷରେ ତାଙ୍କଠାରୁ ମଧ୍ୟ  ଶୁଣିବାକୁ ମିଳିଛି ନାସ୍ତିବାଣୀ । ଗୋପାଳକୃଷ୍ଣ ଗାନ୍ଧୀ ଏକ ବିବୃତ୍ତିରେ କହିଛନ୍ତି ଯେ ବିରୋଧୀ ଦଳର ଅନେକ ସମ୍ମାନିତ ନେତା ରାଷ୍ଟ୍ରପତି ପଦ ପାଇଁ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ରୂପେ ତାଙ୍କ ବିଷୟରେ ଚିନ୍ତା କରିବା ତାଙ୍କୁ ସମ୍ମାନିତ ଓ ଗୌରବାନ୍ଵିତ କରିଛି। ‘ମୁଁ ସେମାନଙ୍କ ପ୍ରତି କୃତଜ୍ଞ । କିନ୍ତୁ ଏହି ପ୍ରସଙ୍ଗକୁ ଗଭୀର ଭାବରେ ବିଚାର କରି ମୁଁ ଦେଖୁଛି ଯେ ବିରୋଧୀ ଦଳର ପ୍ରାର୍ଥୀ ଜଣେ ହେବା ଉଚିତ ଯିଏ ବିରୋଧୀ ଏକତା ବ୍ୟତୀତ ଏକ ଜାତୀୟ ସହମତି ଏବଂ ଜାତୀୟ ବାତାବରଣ ସୃଷ୍ଟି କରିବେ। ମୁଁ ଅନୁଭବ କରୁଛି ଯେ ଅନ୍ୟମାନେ ମଧ୍ୟ ରହିବେ ଯେଉଁମାନେ ମୋ ଅପେକ୍ଷା ଏହା ବହୁତ ଭଲ କରିବେ’ ବୋଲି ସେ କହିଛନ୍ତି । ତେଣୁ ମୁଁ ନେତାମାନଙ୍କୁ ଅନୁରୋଧ କରିଛି ଯେ ଏପରି ବ୍ୟକ୍ତିଙ୍କୁ ସୁଯୋଗ ଦିଅନ୍ତୁ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ(Dr. Rajendra Prasad ) ଆମର ପ୍ରଥମ ରାଷ୍ଟ୍ରପତି ଭାବରେ ଉଦଘାଟନ କରିଥିବା କାର୍ଯ୍ୟାଳୟ ପାଇଁ ଜଣେ ଯୋଗ୍ୟ ରାଷ୍ଟ୍ରପତି ମିଳିପାରିବେ ବୋଲି ଗାନ୍ଧୀ କହିଛନ୍ତି ।  ଶେଷରେ ଏନଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା ଏବଂ କେରଳରୁ ସାଂସଦ ଥିବା ଏନକେ ପ୍ରେମଚନ୍ଦ୍ରନଙ୍କୁ ଭରଷା କରପାରେ ବରୋଧୀ ।

ତେବେ ଯଦି ବିଗତ କିଛି ରାଷ୍ଟ୍ରପତି ନିର୍ବାଚନ ଉପରେ ନଜର ପକାଇବା  ବିରୋଧୀ ଦଳ ସବୁବେଳେ ବିଫଳ ହୋଇଥିବା ଦେଖାଯାଇଛି । ବିଗତ ୪ ଥରର ନିର୍ବାଚନରେ ବିରୋଧୀ ପ୍ରାର୍ଥୀମାନେ ପରାସ୍ତ ହୋଇଥିଲେ । ଆମେ ଯଦି ଇତିହାସକୁ ପର୍ଯ୍ୟାଲୋଚନା କରିବା ତେବେ କୌଣସି ଥର ବିରୋଧୀ ଦଳମାନେ ଏକଜୁଟ୍ ହେବାରେ ସକ୍ଷମ ହୋଇପାରି ନଥିବାରୁ ପରାସ୍ତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି । ଗତ ୨୦୦୨ ରାଷ୍ଟ୍ରପତି ନିର୍ବାଚନ ସମୟରେ ଏନଡିଏ ସରକାରର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ । ଏନଡିଏ ଡ. ଏ.ପି.ଜେ ଅବଦୁଲ କଲାମ(Dr. APJ Abdul Kalam)ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ପ୍ରାର୍ଥୀ କ୍ୟାପ୍ଟେନ ଲକ୍ଷ୍ମୀ ସହଗଲ ମାତ୍ର ୫୫ ହଜାର ଭୋଟ ପାଇ ପରାସ୍ତ ହୋଇଥିଲେ । ୨୦୦୭ ରେ ସଂଯୁକ୍ତ ବିକାଶଶୀଳ ମେଣ୍ଟ (ୟୁପିଏ) ପ୍ରତିଭା ସିଂହ ପାଟିଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ବିଜେପିର ଯାଦୁ କାମ କରିନଥିଲା । ୨୦୧୨ରେ ୟୁପିଏ ପକ୍ଷରୁ ପ୍ରଣବ ମୁଖାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ପ୍ରାର୍ଥୀ ପିଏ ସାଙ୍ଗମା ପରାସ୍ତ ହୋଇଥିଲେ । ୨୦୧୭ରେ ଏନଡିଏ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ପ୍ରାର୍ଥୀ ମୀରା କୁମାର ପରାସ୍ତ ହୋଇଥିଲେ । ଗତ ୪ଟି ରାଷ୍ଟ୍ରପତି ନିର୍ବାଚନ ସମୟରେ ବିପକ୍ଷ ଦଳ ଏକଜୁଟ୍ ହେବାରେ ବିଫଳ ହୋଇଥିବା କାରଣରୁ ପରାସ୍ତ ହୋଇଥିବା ପ୍ରମାଣିତ ହୋଇଛି । ତେବେ ଆଗକୁ ବିରୋଧୀଙ୍କ ମହାମେଣ୍ଟ କେଉଁଭଳି ଶାସକ ଦଳର ପ୍ରାର୍ଥୀଙ୍କୁ ମାତ୍ ଦେବ ଏବଂ କିଏ ବିରୋଧୀ ଦଳର ପ୍ରାର୍ଥୀ ହେବେ ତାକୁ ନେଇ ବଢ଼ିଛି ବିରୋଧୀଙ୍କ ଚିନ୍ତା ।