Padampur Fight: ନବୀନଙ୍କୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ,କାମଦେବନି ସୁପ୍ରିମୋଙ୍କ ଯାଦୁକରୀ
Advertisement

Padampur Fight: ନବୀନଙ୍କୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ,କାମଦେବନି ସୁପ୍ରିମୋଙ୍କ ଯାଦୁକରୀ

Padampur Election 2022: ପଦ୍ମପୁର ଉପନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ । ପ୍ରାର୍ଥୀ ଦେଲେଣି ରଣହୁଙ୍କାର । ବିଜେପି ପ୍ରାର୍ଥୀଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ଗୃହଶତ୍ରୁ ବିଭୀଷଣଙ୍କର ରହିଛି ସମର୍ଥନ । ଯାହାଫଳରେ କାମଦେବନି କୌଣସି ଯାଦୁକରୀ ।

Padampur Fight: ନବୀନଙ୍କୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ,କାମଦେବନି ସୁପ୍ରିମୋଙ୍କ ଯାଦୁକରୀ

Padampur Byelection 2022:  ପଦ୍ମପୁର ଉପନିର୍ବାଚନ ଯୁଦ୍ଧ ପାଇଁ  ପ୍ରସ୍ତୁତ ହେଲାଣି ପଦ୍ମପୁର ରଣକ୍ଷେତ୍ର । ଏହାଭିତରେ ତିନି ପ୍ରମୁଖଦଳ ଘୋଷଣା କରି ସାରିଛନ୍ତି ନିଜ ଦଳର ପ୍ରାର୍ଥୀ । ବିଜେପି ଏବଂ କଂଗ୍ରେସ ଅନୁଭବୀ ନେତାଙ୍କୁ ମୈଦାନକୁ ଓଲ୍ହାଇଥିବାବେଳେ ଯୁବ ତଥା ନବାଗତାଙ୍କ ଉପରେ ଭରଷା କରିଛି ବିଜେଡ଼ି । ଧାମନଗର ଉପନିର୍ବାଚନର ଯେପରି ପୁନରାବୃତ୍ତି ନ ଘଟେ ତାକୁ ନେଇ ଅନେକ ବିଚାରବିମର୍ଶ ପରେ ବିଜେପିର ବୋହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଶାସକ ଦଳ । ତେବେ ସମସ୍ତଙ୍କ ଅପେକ୍ଷା ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ସହ ବିରାଟ ପଟୁଆରରେ ଯାଇଥିଲେ ମଧ୍ୟ ଚାଷୀ ସମସ୍ୟା ସମାଧାନ ନ ହେଲେ ନାମାଙ୍କନ ପତ୍ର ଭରିବେ ନାହିଁ ବୋଲି ଅଡ଼ି ବସିବା ପରେ ପ୍ରଦୀପଙ୍କୁ ନେଇ ଏବେ ସବୁଠି ଆଲୋଚନା ।

ପ୍ରଦୀପଙ୍କ ଆହ୍ୱାନ :-ଜୀ ଓଡିଶା ଷ୍ଟୁଡ଼ିଓରେ ବସି ସିଧାସଳଖ ନବୀନଙ୍କୁ ଖୋଲା ଆହ୍ୱାନ କରିଛନ୍ତି ପ୍ରଦୀପ । ସେ କହିଛନ୍ତି ଯଦି ନବୀନ ବାବୁ ଭାବୁଛନ୍ତି ଯେ,ତାଙ୍କର ଭାବମୂର୍ତ୍ତୀ ସାରା ଓଡ଼ିଶାରେ ପ୍ରଖର ମାତ୍ରାରେ ଅଛି,ଏବଂ ତାଙ୍କ ଛବି ସାମ୍ନାରେ ସମସ୍ତେ ଗୌଣ,ତେବେ ନବୀନ ବାବୁ ଭର୍ଚ୍ଚୁଆଲ ଉଦବୋଧନ ନଦେଇ ପଦ୍ମପୁର ମୈଦାନ କୁ ଥରେ ଓଲ୍ହାନ୍ତୁ ଆଉ ପ୍ରଚାର କରନ୍ତୁ । ଏହାଫଳରେ ସେଠାରେ ପ୍ରମାଣିତ ହୋଇଯିବ ଯେ ନବୀନ ବାବୁଙ୍କ ଭାବମୂର୍ତ୍ତି ପଦ୍ମପୁରରେ ତଥା ସାରା ଓଡ଼ିଶାରେ କେତେ ଅଛି । ଆଉ ନବୀନ ବାବୁ ଯେତେ ଚାହିଁଲେବି ଲୋକଙ୍କ ମନୋଭାବକୁ ବଦଳାଇପାରିବେନି କି ତାଙ୍କ ଯାଦୁ ପଦ୍ମପୁରରେ କାମ ଦେବନି । ନବୀନ ବାବୁଙ୍କ ପ୍ରଚାର ସତ୍ତ୍ୱେ ସେଠାରେ ଶଙ୍ଖର ନାଦ ଶୁଭିବନି, ଫୁଲ ଫୁଟିବ ହିଁ ଫୁଟିବ ।

କାହିଁକି ପ୍ରଦୀପଙ୍କର ଏତେ ଆତ୍ମବିଶ୍ୱାସ :-ଜୀ ଓଡିଶାକୁ  ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦୀପ କହିଛନ୍ତି ଅସନ୍ତୁଷ୍ଟ  ବିଜେଡି ନେତାମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଜେଡିରେ ଥିବା ସ୍ୱାଭିମାନୀ ତଥା ଯେଉଁମାନେ ପଇସା ପତ୍ର ରେ ପ୍ରଲୋଭିତ ନାହାନ୍ତି କିମ୍ୱା ଠିକାଦାର ନୁହଁନ୍ତି ସେମାନେ  ଦଳକୁ ପାନେ ଚଖେଇବା ସହିତ ତାଙ୍କୁ ସମର୍ଥନ କରୁଛନ୍ତି । ଅନେକ କଂଗ୍ରେସ ନେତା ମଧ୍ୟ ତାଙ୍କୁ ସମର୍ଥନ କରୁଥିବାବେଳେ ତାଙ୍କ ବିଜୟ ସୁନିଶ୍ଚିତ କରିବା ଲାଗି ସେମାନେ ତତ୍ପର ବୋଲି କହିଛନ୍ତି ପ୍ରଦୀପ ।

ତେବେ ବିଗତ କିଛିବର୍ଷ ହେଲା ରାଜ୍ୟରେ ପ୍ରସଙ୍ଗ ଯେତିକି ନିର୍ବାଚନ ପାଇଁ ଗୁରୁତ୍ୱ ନେଇ ନାହିଁ, ତା’ଠୁ ଅଧିକ ଗୁରୁତ୍ୱ ବହନ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ବା ଭାବମୂର୍ତ୍ତି। ନବୀନଙ୍କ ନାଁ ହିଁ ପ୍ରାର୍ଥୀଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି। ତା’ ନହୋଇଥିଲେ,  ସେ ଲଗାତାର ଭାବେ ନିର୍ବାଚନଗୁଡ଼ିକରେ ଅଧିକରୁ ଅଧିକ ବିଧାୟକଙ୍କ ସମର୍ଥନ ପାଉ ନଥାନ୍ତେ ବା ତାଙ୍କରି ଆଶୀର୍ବାଦରେ ପ୍ରାର୍ଥୀ ହେଉଥିବା ଲୋକଙ୍କୁ ନିଜ ନେତା ଭାବେ ଲୋକେ ଭୋଟ ଦେଉ ନଥାନ୍ତେ। ରାଜ୍ୟରେ ରାଜନୀତିକ ପରିସ୍ଥିତିରେ ନବୀନଙ୍କ ଗୁରୁତ୍ୱ ତଥା ଲୋକଙ୍କ ଭଲପାଇବା ଏତେ ବଢ଼ିଛି ଯେ, ଏହି ବିଧାନସଭା ଅବଧି ଭିତରେ ଅର୍ଥାତ୍‌ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଆଜି ଯାଏଁ ଯେତିକି ଉପ-ନିର୍ବାଚନ ହୋଇଛି ସେଥିରେ ବିଜେଡି ଅହେତୁକ ସଫଳତା ହାସଲ କରିଛି। ଏପରିକି ବିଜେପି କବଳରେ ଥିବା ଆସନକୁ ମଧ୍ୟ ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ନିଜ ଦଳ ପକ୍ଷକୁ ଛଡ଼ାଇ ଆଣିବାରେ ଦଳ ସକ୍ଷମ ହୋଇଛି । ହେଲେ ଚିରାଚରିତ ଉପନିର୍ବାଚନରେ ଶାସକ ଦଳ ସପକ୍ଷରେ ବହୁଥିବା ବିଜୟ ହାଓ୍ୱାକୁ ଧାମନଗର ଉପନିର୍ବାଚନ ବଦଳାଇଦେଲା । କାମ ଦେଲାନି ନବୀନଙ୍କ ଯାଦୁକରୀ ବାଡ଼ିର କମାଲ । ଭାବମୂର୍ତ୍ତିଠାରୁ ଭାରିପଡ଼ିଲା ଭାବାବେଗ । ଦିନଥିଲା,ନବୀନ ହାତ ହଲାଇ ଦେଉଥିଲେ ଭୋଟରଙ୍କ ସମର୍ଥନ ଓଜାଡି ହୋଇ ପଡୁଥିଲା ବିଜେଡି ପ୍ରାର୍ଥୀଙ୍କ ଉପରେ । ମାତ୍ର ବିଜୟ ରେସ୍ ରେ ବ୍ରେକ୍ ଲାଗିଥିବା ପ୍ରତୀୟମାନ ହେଲା ଧାମନଗର ଉପନିର୍ବାଚନରେ । ଯାହାକୁ ନେଇ ଏବେ କିନ୍ତୁ ଦରଳ ନିର୍ବାଚନ ରଣନୀତିକାରମାନେ କିଛି ସଙ୍କୋଚ ଲକ୍ଷ୍ୟ କରିଛନ୍ତି । ଆଉ ତାହା ଜଳଜଳ ହୋଇ ରାଜ୍ୟର ଏକ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ପଦ୍ମପୁର ପାଇଁ ପ୍ରାଥୀ ଖୋଜିବାବେଳେ ସ୍ପଷ୍ଟ ହୋଇଛି।

କେତେ ରହିଛି ଆତ୍ମବିଶ୍ୱାସ :-
ଧାମନଗର ପରାଜୟପରେ ଯଦିଓ ଶାସକ ଦଳ ଏହାକୁ ହାଲୁକା ଭାବେ  ଉଡ଼ାଇବାକୁ ଚେଷ୍ଟା କରିଛି ଏବଂ ଏହାକୁ କ୍ଷତି ଭାବେ ଗ୍ରହଣ କରି ନାହିଁ, ହେଲେ ପଦ୍ମପୁର ଆସନ ଚାଲିଗଲେ ତାହା ବିଜେଡିକୁ  ବିଧାନସଭାରେ କ୍ଷତି ପହଞ୍ଚାଇବ। କାରଣ ଦଳର ସଂଖ୍ୟାରୁ ୧ କମିବ। ସେଥିଲାଗି ଦଳ ଭିତରେ ଟଣାଓଟରା ଚାଲିଥିବାବେଳେ ଏଥିଲାଗି କେହି ଅଣ୍ଟା ଭିଡ଼ିବା ଜଣାପଡ଼ୁନାହିଁ। ଜଣଙ୍କ ମୁଣ୍ଡରେ ଦୋଷ ଲଦିବା ଲାଗି ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କାରଣ ଏହାପୂର୍ବରୁ ଧାମନଗରରେ ଯେଉଁମାନେ ଅଣ୍ଟା ଭିଡ଼ିଥିଲେ ସେମାନଙ୍କ ଉପରେ କଳାଦାଗ ଲାଗି ସାରିଛି। ଏଣୁ ସଂଗଠନ ଦାୟିତ୍ୱର ମେରୁଦଣ୍ଡ ହୋଇଥିଲେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳୁନାହିଁ। ଯେଉଁ ଆଞ୍ଚଳିକବାଦ ଧାମନଗରରେ ସୃଷ୍ଟି ହୋଇଥିଲା କାଳେ ତାହା ପଦ୍ମପୁରରେ ହେବ ସେହି ଭୟ ଖାଇଛି ଦଳକୁ।  ଏଣୁ ଆତ୍ମବିଶ୍ୱାସ ପଛରେ ପଡ଼ିଛି ଆଉ ଆଗକୁ ଜଳଜଳ ଦିଶୁଛି ଭୟ।