ନବୀନ@77: ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା
Advertisement

ନବୀନ@77: ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା

ନିଜର ନିର୍ମଳ ଭାବମୂର୍ତ୍ତୀ,ସେବା,ବିକାଶ ଓ ସୁଶାସନ ପାଇଁ ସାଢେ ଚାରିକୋଟି ଓଡିଆଙ୍କ ଅତିପ୍ରୀୟ ମୁଖ୍ୟମନ୍ତ୍ରୀ...ବନ୍ୟା ହେଉକି ବାତ୍ୟା...ସବୁଠି ଆଗରେ...ସେହି ମହାନ ବ୍ୟକ୍ତିତ୍ୱ...ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ...ଆଜି ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି...ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓ ଜ୍ଞାନ ଦେବୀଙ୍କ ସୁପୁତ୍ର ନବୀନ ୧୬ ଅକ୍ଟୋବର ୧୯୪୬ରେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ।

ନବୀନ@77: ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା

ହାତରେ କଲମ ଧରି ଲେଖନୀ ଚାଳନା କରୁଥିବା ବ୍ୟକ୍ତିତ୍ୱ...ରାଜନୀତିର କୌଣସି ଧାର ଧାରିନଥିବା ସରଳ ଅମାୟିକ ମଣିଷ... ସେ ରାଜନୀତି ହେଉ କିମ୍ୱା ନିଜର ସରଳ ଜୀବନଶୈଳୀ ତାଙ୍କର ବ୍ୟକ୍ତିତ୍ୱ ବିରଳ ଓ ଅଦ୍ୱିତୀୟ। ଲେଖକରୁ ରାଜନୀତିରେ ପ୍ରବେଶ କରି ଜଣେ ଅପ୍ରତିଦ୍ୱନ୍ଦୀ ଓ ପ୍ରିୟ ଶାସକ ପାଲଟିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପରେ ଓଡିଶା ରାଜନିତୀରେ ଘୋଟି ଆସିଥିଲା କଳା ବାଦଲ। ୧୯୯୭ରେ ଓଡିଶା ରାଜନିତୀରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଘଟିଲା। ୨୪ ବର୍ଷର ରାଜନୈତିକ ଇତିହାସ ଭିତରେ ପ୍ରଥମେ ନବୀନ ପଟ୍ଟନାୟକ ଆସିକା ଲୋକସଭାର ସାଂସଦ ନିର୍ବାଚିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଏବଂ ଗତ ୨୨ ବର୍ଷ ଧରି ନିରବଛିନ୍ନ ଭାବରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ସହ ୧ ନମ୍ବର ମୁଖ୍ୟମନ୍ତ୍ରୀର ସମ୍ମାନ ମଧ୍ୟ ହାସଲ କରିଛନ୍ତି।

୫୧ ବର୍ଷ ବୟସରେ ଆସିକା ଲୋକସଭା ଆସନରୁ ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନବୀନ। ପରବର୍ତ୍ତୀ ସମୟରେ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ ରାଜନୀତୀରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ନବୀନ। ୧୯୯୭ ଡିସେମ୍ୱର ୨୬ ତାରିଖରେ କିଛି ବିଜୁ ଲିଗାସିଙ୍କୁ ନେଇ ଗଠନ ହୋଇଥିଲା ବିଜୁ ଜନତା ଦଳ। ୧୯୯୮ ଏବଂ ୧୯୯୯ ମସିହାରେ ବିଜେଡିରୁ ଦୁଇ ଦୁଇଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲେ ନବୀନ। ୧୯୯୯ ମହାବାତ୍ୟା ପରବର୍ତ୍ତୀ ମୁକାବିଲାରେ ତତ୍କାଳୀନ କଂଗ୍ରେସ ସରକାରର ବିଫଳତା ଯୋଗୁଁ କଂଗ୍ରେସ ଉପରୁ ମୁହଁ ଫେରାଇ ନେଇଥିଲେ ଓଡିଶାବାସୀ ଆଉ ଭରଷା କରିଥିଲେ ବିଜୁ ବାବୁଙ୍କ ଉତ୍ତରାଧିକାରୀ ନବୀନଙ୍କ ଉପରେ। ୨୦୦୦ ମସିହାରେ ଶାସନ ସମ୍ଭାଳିବା ପରେ ଓଡିଶାକୁ ମିଳିଛି ଏକ ଦୁର୍ନିତୀମୁକ୍ତ,ସ୍ୱଚ୍ଛ ଓ ଲୋକାଭିମୁଖୀ ଶାସନର ନୂଆ ସଂଜ୍ଞା। ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ପ୍ରଶାସନିକ ସ୍ତରରେ ଅନେକ ସଂସ୍କାର ଆଣିଛି। ଏଥିରୁ ବାଦ୍ ପଡିନାହାନ୍ତି ନେତା ଓ ମନ୍ତ୍ରୀ। ୨୨ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀତ୍ୱ ଭିତରେ ବଳି ପଡିଛନ୍ତି ୪୦ରୁ ଅଧିକ ନେତା ମନ୍ତ୍ରୀଙ୍କ ସହ ୧୦୦ ଜଣରୁ ଅଧିକ ଅଧିକାରୀ ତଥା କର୍ମଚାରୀ। ତାଙ୍କର ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତୀ ଯୋଗୁଁ ନବୀନ ପଟ୍ଟନାୟକଙ୍କୁ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବରେ ଜିତାଇଛନ୍ତି ଓଡିଶାବାସୀ। ତାଙ୍କ ନେତୃତ୍ୱରେ ଓଡିଶା କେବଳ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରୁଥିବା ସରକାର ପାଇଛି।

୨୦୦୦ ଏବଂ ୨୦୦୪ ମେଣ୍ଟ ସରକାରରେ ବିଜେଡି ୮୪ ଆସନରେ ପ୍ରତିଦ୍ୱନ୍ଦିତା କରି ମାତ୍ର ୨୭-୩୦ ପ୍ରତିଶତ ଭୋଟ ପାଉଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିବାପରେ ସବୁ ଆକଳନ ଭୁଲ ପ୍ରମାଣିତ ହୋଇ ଦଳର ଭୋଟ ପ୍ରତିଶତ ୩୮ ପ୍ରତିଶତ ବଢିଯାଇଥିଲା। ଦଳ ଏକାକୀ ୧୦୩ ବିଧାନସଭା ଆସନ ଦଖଲ କରିଥିଲା। ନବୀନଙ୍କ ବିଚକ୍ଷଣ ଓ ଦୂରଦୃଷ୍ଟି ସମ୍ପର୍ଣ୍ଣ ରାଜନୀତି ଯୋଗୁଁ ବିରୋଧୀଙ୍କ ସବୁ ଚାଲ ଫେଲ ମାରିଛି। ଓଡିଶାର ବିକାଶ ଦିଗରେ ନବୀନ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଆତ୍ମନିର୍ଭର, ଶିଳ୍ପସମୃଦ୍ଧ, ଆର୍ଥିକ ସ୍ୱଚ୍ଛଳତା ଯାହା ଓଡିଶାବାସୀଙ୍କ ପାଇଁ ସ୍ୱପ୍ନଥିଲା ଆଜି ତାହା ନବୀନଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କେବଳ ଏତିକି ନୁହେଁ ଚାଷୀଙ୍କ ଆୟ ଦୁଇଗୁଣା ବୃଦ୍ଧି ହେଉ ଅବା ଶିଳ୍ପାୟନରେ ସ୍ଥାନୀୟ ଯୁବକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ। ରାସ୍ତାଘାଟ ଭିତ୍ତିଭୂମିର ବିକାଶ ଠାରୁ ଆରମ୍ଭ କରି କ୍ରୀଡା କ୍ଷେତ୍ରଯାଏଁ ସବୁଠି ବିଶ୍ୱସ୍ତରୀୟ ଭିତ୍ତିଭୂମିର ପ୍ରତିଷ୍ଠା ସମ୍ଭବପର ହୋଇପାରିଛି।

କୋରୋନା ମହାମାରୀର ସଫଳ ପରିଚାଳନା ହେଉ କିମ୍ବା 5T ଏବଂ ମୋ ସରକାର। ଓଡିଆ ଭାଷା ସାହିତ୍ୟ ଓ ଐତିହ୍ୟର ସୁରକ୍ଷା ହେଉ ଅବା ବାତ୍ୟା ସୁପରିଚାଳନା ଓ ମିଶନ ଜିରୋ କାଜୁଆଲିଟି। ମହିଳା ସଶକ୍ତିକରଣ ଏବଂ ‘ମିଶନ ଶକ୍ତି’ ହେଉ କିମ୍ବା ଉନ୍ନତ ସ୍ୱାସ୍ଥ୍ୟସେବା। କୃଷି ଓ କୃଷକଙ୍କ ବିକାଶ ପାଇଁ ‘କାଳିଆ’ଯୋଜନା ହେଉ କିମ୍ୱା ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା ମିଶନ’...ଗରିବଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ହେଉ ବା ସହରାଞ୍ଚଳ ଗରିବଙ୍କ ପାଇଁ ‘ଆହାର’ଯୋଜନା...ଛାତ୍ରୀଙ୍କ ପାଇଁ ଖୁସି ଯୋଜନା ହେଉ ଅଥବା କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ। ସବୁଠି ଦେଖିବାକୁ ମିଳିଛି ବିକାଶର ଝଲକ।

ରାଜନୀତିରେ ପାଦଦେବା ଦିନରୁ ହିଁ ଜଣେ ଫ୍ରଣ୍ଟଫୁଟର ଖେଳାଳୀ ଭାବେ ନିଜକୁ ପ୍ରମାଣିତ କରିବା ସହିତ ବିକାଶ ସାଙ୍ଗକୁ ରାଜନିତୀର ନୂଆ ଫଣ୍ଡା ଦେଇଛନ୍ତି ନବୀନ। ରାଷ୍ଟ୍ରପତି ନିର୍ବାଚନ ଠାରୁ ଆରମ୍ଭକରି ରାଜ୍ୟସଭା ନିର୍ବାଚନ ଯାଏଁ ସବୁଠି ନବୀନଙ୍କ ଅପ୍ରତ୍ୟାଶିତ ଗୋଟିଚାଳନା ବୁଝିବା କାଠିକର ପାଠ ହୋଇପଡ଼ିଛି। ଏହି କାରଣରୁ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଲୋକପ୍ରିୟତାର ଶୀର୍ଷ ପରିଚୟରେ ସମଗ୍ର ଦେଶରେ ସେ ଅଦ୍ୱିତୀୟ ନେତା ଭାବେ ପରିଗଣିତ ହୋଇଛନ୍ତି। ତାଙ୍କ ବ୍ୟକ୍ତିତ୍ୱ,ଲୋକପ୍ରିୟତା ଏବଂ ସଫଳତାର ରହସ୍ୟ ଏବେ ଗବେଷଣାର ବିଷୟ ପାଲଟିଛି।