Jharkhand Assembly Floor Test: ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ
Advertisement

Jharkhand Assembly Floor Test: ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

Champai Soren led Government Passed in Floor Test: ସୋମବାର ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ବହୁମତ ପରୀକ୍ଷାରେ ପାସ ହୋଇଛି ଜେଏମଏମ ନେତୃତ୍ୱାଧିନ ମହାମେଣ୍ଟ ସରକାର। ଏହି ପରୀକ୍ଷାରେ ଆବଶ୍ୟକୀୟ ବହୁମତ ଠାରୁ ମହାମେଣ୍ଟକୁ ଅଧିକ ୬ ଭୋଟ ମିଳିଥିଲା।

Jharkhand Assembly Floor Test: ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

Champai Soren led Government Wins Floor Test: ଫେବୃଆରୀ ୫ ତାରିଖ ସୋମବାର ଝାଡ଼ଖଣ୍ଡ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ନେତୃତ୍ୱାଧିନ ସରକାର।  ଜେଏମଏମ ନେତୃତ୍ୱାଧିନ ମହାମେଣ୍ଟ ସରକାରକୁ ୪୭ ବିଧାୟକଙ୍କ ସମର୍ଥନ ମିଳିଥିଲା। ମୋଟ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ଲାଗି ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଜେଏମଏମ ନେତୃତ୍ୱାଧିନ ମହାମେଣ୍ଟ ସରକାରକୁ ଆବଶ୍ୟକୀୟ ବହୁମତ ଠାରୁ ଅଧିକ ୬ ଭୋଟ ମିଳିଥିଲା। ଅନ୍ୟପଟେ ମହାମେଣ୍ଟ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ୨୯ ଭୋଟ ମିଳିଥିଲା। ମହାମେଣ୍ଟ ସରକାରକୁ ୨୯ ଜେଏମଏମ, ୧୬ କଂଗ୍ରେସ, ୧ ଆରଜେଡ଼ି, ୧ ସିପିଆଇଏମଏଲ ବିଧାୟକଙ୍କ ସମର୍ଥନ ମିଳିଥିଲା। ଅନ୍ୟପଟେ ବିଧାନସଭାରେ ମହାମେଣ୍ଟ ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ୨୬ ବିଜେପି ଏବଂ ୩ ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ବିଧାୟକ ସମର୍ଥନ କରିଥିଲେ।    

ଜାନୁଆରୀ ୩୧ ତାରିଖ ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ। ପରେ ଗତ ୨ ତାରିଖରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଚମ୍ପାଇ ସୋରେନ। ଏହା ପରେ ତାଙ୍କୁ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିବାକୁ ହୋଇଥିଲା। ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏବେ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି। ଫେବୃଆରୀ ୫ ତାରିଖ ସୋମବାର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ବହୁମତ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ହେମନ୍ତ ସୋରେନଙ୍କୁ ବିଧାନସଭ ଆଣିଥିଲା ଇଡ଼ି। ବହୁମତ ପରୀକ୍ଷା ପୂର୍ବରୁ ବିଧାନସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ତାଙ୍କ ଅଭିଭାଷଣରେ କହିଥିଲେ ଏକ ନିର୍ବାଚିତ ସରକାରକୁ ପରାସ୍ତ କରିବାକୁ ଷଡଯନ୍ତ୍ର ହୋଇଛି।

ସୋମବାର ଝାଡ଼ଖଣ୍ଡ ବିଧାନସଭାରେ ବହୁମତ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ମହାମେଣ୍ଟ ବିଧାୟକ ଗତକାଲି ହାଇଦ୍ରାବାଦ ଠାରୁ ଆସି ରାଜଧାନୀ ରାଞ୍ଚିରେ ପହଞ୍ଚିଥିଲେ। ସୋମବାର ସକାଳେ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ବିଧାନସଭାରେ ପହଞ୍ଚିଥିଲେ। ଜେଏମଏମ-ଆରଜେଡି-କଂଗ୍ରେସ ଆଦି ଦଳକୁ ନେଇ ଗଠିତ ମହାମେଣ୍ଟ ଏହାର ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିଥିଲା। କାରଣ ରାଜ୍ୟରେ ରାଜନୈତିକ ଘୋଡାବେପାର ହୋଇପାରେ ବୋଲି ମହାମେଣ୍ଟ ସନ୍ଦେହ କରୁଥିଲା। 

ବିଧାନସଭାରେ ଭାଷଣ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଥିଲେ ଗତ ଜାନୁଆରୀ ୩୧ ତାରିଖ ହେଉଛି ଝାଡ଼ଖଣ୍ଡ ପାଇଁ ଏକ କଳା ଦିବସ। ସେ କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ଜାନୁଆରୀ ୩୧ ତାରିଖରେ କ୍ଷମତାରେ ରହିଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ଏନେଇ ହୋଇଥିବା ଷଡ଼ଯନ୍ତ୍ରରେ ରାଜ ଭବନ ସମ୍ପୃକ୍ତ ରହିଥିଲା ବୋଲି ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଗିରଫଦାରୀର କାହାଣୀ ବହୁତ ଯୋଜନାବଦ୍ଧ ଢଙ୍ଗରେ ଲେଖାଯାଇଛି। ହେମନ୍ତ ସୋରେନ କହିଛନ୍ତି ଯେ ଯେଉଁ ଦିନ ତାଙ୍କ ବିରୋଧରେ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ରହିଥିବା ଦର୍ଶାଇ କୌଣସି ପ୍ରମାଣ ଉପସ୍ଥାପନ କରାଯିବ ସେହି ଦିନ ସେ ରାଜନୀତି ଛାଡିବେ। 

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଆଦିବାସୀଙ୍କ ବିରୋଧରେ ଏକ ଷଡଯନ୍ତ୍ର କରାଯାଇଥିଲା। ଏହା ନିଶ୍ଚିତ କରାଯାଇଥିଲା ଯେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ତାଙ୍କର ୫ ବର୍ଷର କାର୍ଯ୍ୟାଳୟ ପୂରଣ କରିପାରିବେ ନାହିଁ। ହେମନ୍ତ ସୋରେନ କହିଛନ୍ତି ଯେ ଯଦି କେହି ୮.୩ ଏକର ଜମିର ମାଲିକାନା ପ୍ରମାଣ ଉପସ୍ଥାପନ କରିପାରନ୍ତି ତାହେଲେ ସେ ତାଙ୍କର ରାଜନୈତିକ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ଆମେ ଜାଣୁ ଯେ ଗତ ୨୦୦୦ ମସିହାରୁ କାହା ଦ୍ୱାରା ଝାଡଖଣ୍ଡ ଶାସିତ ହୋଇଥିଲା। ପୂର୍ବରୁ ରାଜ୍ୟରେ କୌଣସି ଦୁର୍ନୀତି ହୋଇଛି ନାଁ ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

ଗତ ୨ ତାରିଖ ଶୁକ୍ରବାର ରାଜ୍ୟର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଚମ୍ପାଇ ସୋରେନ୍। ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ଫେବୃଆରୀ ୫ ତାରିଖ ସୋମବାର ପର୍ଯ୍ୟନ୍ତ ଝାଡଖଣ୍ଡ ବିଧାନସଭା ବହୁମତ ସାବ୍ୟସ୍ତ  କରିବାକୁ ଚମ୍ପାଇ ସୋରେନଙ୍କୁ ସମୟ ଦିଆଯାଇଥିଲା। ମୋଟ ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଶାସକ ମହାମେଣ୍ଟକୁ ୨୯ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ୧୭ କଂଗ୍ରେସ, ୧ ଆରଜେଡି ଏବଂ ୧ ସିପିଆଇଏମଏଲ ବିଦାୟକଙ୍କ ସମର୍ଥନ ରହିଛି। ଜେଏମଏମ ବିଧାୟକଙ୍କ ମଧ୍ୟରୁ ଜଣେ ଗତ ମାସରେ ଇସ୍ତଫା ଦେଇଥିଲେ। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଗତ ୨ ତାରିଖରେ ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଚମ୍ପାଇ ସୋରେନ୍। ମୁଖ୍ୟମନ୍ତ୍ରୀ ପଦ ଭାର ଚମ୍ପାଇ ସୋରେନ୍ ସେତେବେଳେ ଗ୍ରହଣ କରିଥିଲେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।