Bihar Politics: ବିରୋଧି ଦଳ ନେତାଙ୍କ ଘରେ ଆରଜେଡ଼ି ବିଧାୟକ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2105294

Bihar Politics: ବିରୋଧି ଦଳ ନେତାଙ୍କ ଘରେ ଆରଜେଡ଼ି ବିଧାୟକ; ଜାଣନ୍ତୁ କାରଣ

Bihar Assembly Floor Test: ସୋମବାର ବିହାର ବିଧାନସଭାରେ ଅନୁଷ୍ଠିତ ହେବ ବହୁମତ ସାବ୍ୟସ୍ତ ପରୀକ୍ଷା। ଏହାକୁ ନଜରରେ ରଖି ଉଭୟ ଶାସକ-ବିରୋଧି ମେଣ୍ଟ ସେମାନଙ୍କ ବିଧାୟକ ଦଳକୁ ଏକାଠି ରଖିବାରେ ଲାଗି ପଡ଼ିଛନ୍ତି।

 Bihar Politics: ବିରୋଧି ଦଳ ନେତାଙ୍କ ଘରେ ଆରଜେଡ଼ି ବିଧାୟକ; ଜାଣନ୍ତୁ କାରଣ

Bihar Assembly Floor Test February 2024: ଫେବୃଆରୀ ୧୨ ତାରିଖ ସୋମବାର ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମର। ସୋମବାର ବିଧାନସଭାରେ ଅନୁଷ୍ଠିତ ହେଉଥିବା ବହୁମତ ସାବ୍ୟସ୍ତ ପରୀକ୍ଷାକୁ ନେଇ ସରଗରମ ହୋଇଉଠିଛି ବିହାର ବିଧାନସଭା। ହେଲେ ବହୁମତ ସାବ୍ୟସ୍ତ ପୂର୍ବରୁ ବିହାର ରାଜନୀତିରେ କୌଣସି ବଡ଼ ଧରଣର ଖେଳ ହେବାର ସମ୍ଭାବନା ରହିଛି। ଏଠାରେ ଖେଳ କହିଲେ ରାଜନୈତକ ଘୋଡ଼ାବେପାରକୁ ବୁଝାଏ।

ବହୁମତ ସାବ୍ୟସ୍ତ ମଧ୍ୟରେ ରାଜନୈତକ ଘୋଡ଼ାବେପାର ସମ୍ଭାବନା ରହିଥିବାରୁ ଆଗୁଆ ସତର୍କ ହୋଇଉଠିଛି ବିହାର ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ଆରଜେଡି଼। ବିଧାୟକ ଦଳରେ କୌଣସି ପ୍ରକାରର ଫାଟ ଯେପରି ସୃଷ୍ଟି ନହୁଏ ସେଥିପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି।  ଆରଜେଡ଼ି ବିଧାୟକ ଦଳ ନେତା ତେଜସ୍ୱୀ ଯାଦବ ସମସ୍ତ ଦଳୀୟ ବିଧାୟକଙ୍କୁ ବହୁମତ ସାବ୍ୟସ୍ତ ପର୍ଯ୍ୟନ୍ତ ତାଙ୍କ ବାସଭବନରେ ରହିବାକୁ କହିଛନ୍ତି। କେବଳ ସେତିକି ନୁହେଁ ଆରଜେଡ଼ି ବିଧାୟକଙ୍କୁ ସେମାନଙ୍କ ଜିନିଷପତ୍ର ତାଙ୍କ ବାସଭବନକୁ ଆଣିବାକୁ କୁହାଯାଇଛି। ବିଧାୟକ ଦଳ ବୈଠକ ପରେ ଆରଜେଡି ପକ୍ଷରୁ ଏପରି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ରବିବାର ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ଘରେ ଏକାଠି ହୋଇଛନ୍ତି ଜେଡିୟୁ ବିଧାୟକ ଦଳ।

ସମସ୍ତ ଆରଜେଡି ବିଧାୟକ ବର୍ତ୍ତମାନ ୫ ଦେଶ ରତ୍ନ ମାର୍ଗରେ ଅଛନ୍ତି। ଯେଉଁଠି ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କ ବାସଭବନ ରହିଛି। ବହୁମତ ପରୀକ୍ଷା ସମୟରେ ସମସ୍ତ ବିଧାୟକ ତାଙ୍କ ବାସଭବନର ଏକାଠି ହୋଇ ବିଧାନସଭାକୁ ଯିବେ। ଅନ୍ୟପକ୍ଷରେ ବିଜେପି ବିଧାୟକ ୧୧ ତାରିଖ ରବିବାର ରାତିରେ ରାଜଧାନୀ ପାଟନା ଠାରେ ଏକାଠି ହେବେ।  ସେମାନେ ଏକତ୍ର ହୋଇ ସୋମବାର ବିଧାନସଭାକୁ ଯିବେ। ବହୁମତ ପରୀକ୍ଷା ପାଇଁ ସମସ୍ତ ଦଳ ପକ୍ଷରୁ ଦଳୀୟ ବିଧାୟକଙ୍କ ଲାଗି ହ୍ୱିପ୍ ଜାରି ହୋଇସାରିଛି। କୁହାଯାଇଛି ଯେ ତେଜସ୍ୱୀ ଯାଦବଙ୍କ ଘରେ ମୋଟ ୭୯ ଆରଜେଡ଼ି ବିଧାୟକଙ୍କ ମଧ୍ୟରୁ ୭୮ ଜଣ ଉପସ୍ଥିତ ରହିଥିଲେ। କେବଳ ବାହୁବଳୀ ନେତା ଅନନ୍ତ ସିଂହଙ୍କ ପତ୍ନୀ ନୀଲମ ଦେବୀ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ। ବିଧାୟକଙ୍କୁ ସେମାନଙ୍କ ଘରୁ ଗରମ ପୋଷାକ ଏବଂ ଔଷଧ ଆଣିବାକୁ କୁହାଯାଇଥିଲା।

ବହୁମତ ପରୀକ୍ଷା ଉପରେ ସତର୍କ ନଜର ରଖିଛି ଆରଜେଡ଼ି
ସୋମବାର ବିହାର ବିଧାନସଭାରେ ଅନୁଷ୍ଠିତ ହେଉଥିବା ବହୁମତ ପରୀକ୍ଷାକୁ ରାଜ୍ୟର ମୁଖ୍ୟ ବିରୋଧି ଦଳ ଆରଜେଡି ହାଲୁକା ଭାବରେ ନେଉନାହିଁ। ଅନ୍ୟପଟେ ଶାସକ ଏନଡ଼ିଏ ମେଣ୍ଟରେ ସାମିଲ ହୋଇଥିବା ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଦଳର ସମସ୍ତ ୪ ଜଣ ବିଧାୟକ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ସପକ୍ଷରେ ଭୋଟ୍ ଦେବେ। ଏହି ଭୋଟିଂ ପାଇଁ କୌଣସି ହ୍ୱିପ୍ ଜାରି କରିବାର ଆବଶ୍ୟକତା ନଥିଲା। ମାତ୍ର ବହୁମତ ପରୀକ୍ଷାକୁ ନେଇ ବିଧାୟକ ଦଳରେ କୌଣସି ଦ୍ୱନ୍ଦ୍ୱ ଯେପରି ନହେଉ ତାହାକୁ ଦୂର କରିବା ପାଇଁ ହ୍ୱିପ୍ ଜାରି କରାଯାଇଛି। ଜିତନ ରାମ ମାଞ୍ଝି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟ ଏକଜୁଟ ହୋଇଯାଇଛି।

ସୋମବାର ଅନୁଷ୍ଠିତ ହେବ ବହୁମତ ପରୀକ୍ଷା 
ମୋଟ ୨୪୩ ବିହାର ବିଧାନସଭାରେ ଶାସକ ଏନଡିଏ ମେଣ୍ଟକୁ ୧୨୮ ବିଧାୟକଙ୍କ ସମର୍ଥନ ରହିଛି। ଯାହା ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ଠାରୁ ୬ ଅଧିକ ରହିଛି। ଶାସକ ଏନଡିଏ ମେଣ୍ଟକୁ ୭୮ ବିଜେପି, ୪୫ ଜେଡ଼ିୟୁ, ୪ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଏବଂ ଜଣେ ସ୍ୱାଧିନ ବିଧାୟକଙ୍କ ସମର୍ଥନ ରହିଛି। ବିରୋଧି ମହାମେଣ୍ଟକୁ ୧୧୪ ବିଧାୟକଙ୍କ ସମର୍ଥନ ରହିଛି। ମହାମେଣ୍ଟକୁ ୭୯ ଆରଜେଡି, ୧୯ କଂଗ୍ରେସ, ୧୨ ସିପିଆଇ (ଏମଏଲ), ୨ ସିପିଆଇ ଏବଂ ୨ ସିପିଏମ ବିଧାୟକଙ୍କ ସମର୍ଥନ ରହିଛି। ବିହାର ବିଧାନସଭାରେ ଫେବୃଆରୀ ୧୨ ତାରିଖ ସୋମବାର ବହୁମତ ସାବ୍ୟସ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଉଭୟ ଶାସକ-ବିରୋଧି ମେଣ୍ଟ ସେମାନଙ୍କ ବିଧାୟକ ଦଳକୁ ଏକାଠି ରଖିବାରେ ଲାଗି ପଡ଼ିଛନ୍ତି।