ଗଜରିଲା କଂଗ୍ରେସ,ମଉଳିଲା ବିଜେପି ଓ ଭବିଷ୍ୟତରେ ବିଜେଡିକୁ କିଏ ଦେବ ଚାଲେଞ୍ଜ
Advertisement
Article Detail0/zeeodisha/odisha1207012

ଗଜରିଲା କଂଗ୍ରେସ,ମଉଳିଲା ବିଜେପି ଓ ଭବିଷ୍ୟତରେ ବିଜେଡିକୁ କିଏ ଦେବ ଚାଲେଞ୍ଜ

ଫର୍ମକୁ ଫେରୁଛି କଂଗ୍ରେସ। ଦୀର୍ଘ ଦିନ ଧରି ତୃତୀୟ ନମ୍ବର ସ୍ଥାନରେ ରହିବା ପରେ ଏବେ ବିଜେପିକୁ ପଛରେ ପକାଇ ଦୁଇ ନମ୍ବର ସ୍ଥାନକୁ ଉଠିଛି କଂଗ୍ରେସ। ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ପାଇଁ ଏଭଳି କିଛି ଶୁଭଫଳ ନେଇ ଆସିଛି। ୨୦୧୯ ରେ କଂଗ୍ରେସକୁ ପଛକୁ ଠେଲି ମୁଖ୍ୟ ବିରୋଧୀ ଆସନ ନେଇଥିଲା ବିଜେପି। ଏପରିକି ଏହା ପରେ ବିଜେପି ବିଭିନ୍ନ ସମୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସୁଥିଲା। ଏପରିକି କଂଗ୍ରେସର ପ୍ରଦର୍ଶନ ଲଗାତର ଭାବେ ଅତ୍ୟନ୍ତ ଦୟନୀୟ ହୋଇ ଆସୁଥିଲା। ଏଭଳି ସ୍ଥିତିରେ ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ପାଇଁ ସଂଜୀବନୀ ସଦୃଶ ହେବା ସହ ଦଳୀୟ ନେତା କର୍ମୀଙ୍କ ମନରେ ଉତ୍ସାହ ଖେଳାଇ ଦେଇଛି।

ଗଜରିଲା କଂଗ୍ରେସ,ମଉଳିଲା ବିଜେପି ଓ ଭବିଷ୍ୟତରେ ବିଜେଡିକୁ କିଏ ଦେବ ଚାଲେଞ୍ଜ

ଭୁବନେଶ୍ୱର: ନୂଆ ସଭାପତି ଦାଇତ୍ୱ ନେବା ପରେ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁ ବରିଷ୍ଠ ନେତା ଏକ ମନ ଏକ ପ୍ରାଣ ହୋଇ ବ୍ରଜରାଜନଗର ମଇଦାନକୁ ଓଲ୍ହାଇଥିଲେ। ତେଣୁ ଏବେ କଂଗ୍ରେସ ପାଇଁ ଏଭଳି ଶୁଭଫଳ ଦଳ ଭିତରେ ନୂଆ ଜୋଶ ଭରି ଦେଇଛି। ସେପଟେ ବ୍ରଜରାଜନଗର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବାଜିମାତ କରିଛି ବିଜେଡି।  ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ନବୀନ ଯେ ଅପ୍ରତିଦ୍ବନ୍ଦି ଅପରାଜୟ ଏ କଥା ପୁଣିଥରେ ପ୍ରମାଣିତ କରିଛନ୍ତି।   ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୯୩୯୫୩ ଭୋଟ ପାଇ ଜିତିଥିବା ବେଳେ କଂଗ୍ରେସ ପାର୍ଥି କିଶୋର ପଟେଲ ୨୭୮୩୧ ଭୋଟ ପାଇ ଦ୍ଵିତୀୟ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨୬୩୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୪ ପରେ କୌଣସି ଉପ ନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିଛି କଂଗ୍ରେସ। ମୁଖ୍ୟ ବିରୋଧୀ ବିଜେପି ଠୁ କଂଗ୍ରେସ ଭଲ କରିଛି ଓ ୨0୨୪ କୁ ଲଢେଇ ହେବ ବୋଲି କହିଛି କଂଗ୍ରେସ ନେତା କହିଛନ୍ତି। ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବା ସହ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇଥିଲା। ଏପରିକି ଏହା ପରେ ଲଗାତର ଭାବେ କଂଗ୍ରେସ ଆଉ ଭୋଟ ରାଜନୀତିରେ ଏକ ପ୍ରମୁଖ ଶକ୍ତି ଭାବେ ନିଜକୁ ଉଭା କରାଇପାରି ନ ଥିଲା। ବିଜେଡିର ବିକଳ୍ପ ଭାବେ ଲୋକେ ବିଜେପିକୁ ପସନ୍ଦ କରି ଭୋଟ ଦେଉଥିଲେ। କିନ୍ତୁ ସଦ୍ୟ ସମାପ୍ତ ପଂଚାୟତ ନିର୍ବାଚନରେ କଂଗ୍ରେସର ସ୍ଥାଣୁତା ସତ୍ତ୍ୱେ ଲୋକେ କଂଗ୍ରେସକୁ କିଛି ମାତ୍ରାରେ ଭୋଟ ଦେଇଥିଲେ। ସେହି ଭାବେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ। 

ଏବେ କିନ୍ତୁ ବିଜେପିକୁ ସିଧାସଳଖ ତୃତୀୟ ସ୍ଥାନରେ ରଖିଛନ୍ତି ଭୋଟର। କଂଗ୍ରେସକୁ ଦ୍ବିତୀୟ ସ୍ଥାନକୁ ନେଇଛନ୍ତି ବ୍ରଜରାଜନଗର ବାସୀ। ବ୍ରଜରାଜନଗରର କଂଗ୍ରେସ ପ୍ରାର୍ଥୀ ସେ ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା। ସେଥିପାଇଁ ବିଜେଡିର ବହୁ ଲୋକପ୍ରିୟତା ସତ୍ତ୍ୱେ ମଧ୍ୟ କଂଗ୍ରେସ ୨୪ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି କିଶୋର। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ପୂର୍ବରୁ ବ୍ରଜରାଜନଗରରେ ବିଧାୟକ ଥିଲେ ମଧ୍ୟ ଏଥର ଉପନିର୍ବାଚନରେ ତାଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ କଂଗ୍ରେସ ଦ୍ଵିତୀୟ ସ୍ଥାନକୁ ଉଠିବା ଦଳ ପାଇଁ ଏକ ଶୁଭ ସଂକେତ ବୋଲି ଦଳୀୟ ନେତା କର୍ମୀ କହିବା ଆରମ୍ଭ କରିଛନ୍ତି। ଏପରିକି ପୁଣିଥରେ କଂଗ୍ରେସ ମୁଖ୍ୟ ବିରୋଧୀ ଆସନକୁ ଫେରିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ନେତୃବୃନ୍ଦ। ଏପରିକି ଶରତ ପଟ୍ଟନାୟକ ଦାଇତ୍ୱ ନେବା ପରେ କଂଗ୍ରେସ ଚିନ୍ତନ ଶିବିରରେ ଆସନ୍ତା ୯ ତାରିଖରୁ ରାଜ୍ୟବ୍ୟାପୀ ପଦଯାତ୍ରା ନେଇ ଘୋଷଣା ହୋଇଛି। ଏପରିକି ଦଳ ମଣ୍ଡଳ, ବ୍ଲକ ଓ ଜିଲ୍ଲା ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ଘୋଷଣା କରିସାରିଛି। ଏଭଳି ସ୍ଥିତିରେ ଦଳର ମନୋବଳ ବହୁଗୁଣିତ ହୋଇଛି। କଂଗ୍ରେସ ସପକ୍ଷରେ ଜନମତ ପୁଣିଥରେ ଫେରୁଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ବିଜେପିର ଏଭଳି ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ଅନ୍ୟ ପ୍ରମୁଖ ଚେହେରା ପ୍ରଚାର ମଇଦାନକୁ ଓଲ୍ହାଇ ଜୋରଦାର ପ୍ରଚାର କରିଥିଲେ ମଧ୍ୟ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ଏବେ ଲୋକଙ୍କ ମୁଡ଼ ଚେଞ୍ଜ ହେଉଛି କି ବୋଲି ଚର୍ଚ୍ଚା ହେଉଛି। ତେଣୁ କଂଗ୍ରେସ ଶରତଙ୍କ ନେତୃତ୍ୱରେ ନିଜର ଏହି ଦ୍ଵିତୀୟ ସ୍ଥାନକୁ କେତେ ବାଟ ଆଗକୁ ନେଇପାରିବ ତା ଉପରେ ନଜର।