ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବୌଦ୍ଧ ଜିଲ୍ଲାରେ ବିଜେଡିକୁ ଝଟକା
Advertisement
Article Detail0/zeeodisha/odisha1123376

ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବୌଦ୍ଧ ଜିଲ୍ଲାରେ ବିଜେଡିକୁ ଝଟକା

 ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ନିର୍ବାଚନରେ ଯାହା ଫଳାଫଳ ଯାହା ଆସିଛି ତାହା କେବଳ ବରିଷ୍ଠ ବିଜେଡି ନେତା ନୁହେଁ ବରଂ ଦଳୀୟ କର୍ମାକର୍ତ୍ତଙ୍କୁ ମଧ୍ୟ ହତୋତ୍ସାହିତ କରିଛି। 

ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବୌଦ୍ଧ ଜିଲ୍ଲାରେ ବିଜେଡିକୁ ଝଟକା

ବୌଦ୍ଧ: ଜିଲ୍ଲାର ୩ ବ୍ଲକ କଣ୍ଟାମାଳ, ହରଭଙ୍ଗା ଏବଂ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି । ଫଳାଫଳ ଯାହା ଆସିଛି ତାହା କେବଳ ବରିଷ୍ଠ ବିଜେଡି ନେତା ନୁହେଁ ବରଂ ଦଳୀୟ କର୍ମାକର୍ତ୍ତଙ୍କୁ ମଧ୍ୟ ହତୋତ୍ସାହିତ କରିଛି। 

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୯ ଜିଲା ପରିଷଦ ଆସନରୁ ବିଜେଡି ଗତ ନିର୍ବାଚନ ଅପେକ୍ଷା ୭ ଆସନରେ ଭଲ ପ୍ରଦର୍ଶନ କରି ସଫଳତା ପାଇଥିବାବେଳେ ୨ ଜିଲା ପରିଷଦ ଆସନ ବିଜେପି ଖାତାକୁ ଯାଇଥିବାବେଳେ ସମସ୍ତଙ୍କ ନଜର ଥିଲା ବ୍ଲକ ଅଧ୍ୟକ୍ଷ ପଦବୀ କାହା ଖାତାକୁ ଯାଉଛି। ବିଜେଡି ଗଡ଼  ଭାବେ ହରଭଙ୍ଗା ବ୍ଲକରେ ଏଥର ଫୁଟିଛି ପଦ୍ମ। ଅଧ୍ୟକ୍ଷ ପଦ ନିର୍ବାଚନରେ ବରିଷ୍ଠ ବିଜେପି ନେତା ସରୋଜ ପ୍ରଧାନଙ୍କ ଧର୍ମପତ୍ନୀ ସ୍ନେହଲତା ପ୍ରଧାନ ଅଧ୍ୟକ୍ଷ ପଦବୀରେ ୧୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। 

ହରଭଙ୍ଗା ବ୍ଲକର ସମୁଦାୟ ୨୨ ଗୋଟି ପଞ୍ଚାୟତ ରହିଥିବାବେଳେ ଅଧ୍ୟକ୍ଷ ପଦବୀ ପାଇଁ ମ୍ୟାଜିକ ସଂଖ୍ୟା ୧୨ ଥିବାବେଳେ ପୂର୍ବରୁ ୧୨ ଜଣ ସମିତିସଭ୍ୟଙ୍କ ସମର୍ଥନ ରହିଥିବା ନେଇ ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିବା ନେଇ  ଜଣାଇଥିଲା ବିଜେପି। ଶନିବାର ହୋଇଥିବା ନିର୍ବାଚନରେ ବିଜେଡି ମାତ୍ର ୧୦ ଜଣ ସମିତିସଭ୍ୟଙ୍କ ସମର୍ଥନ ଯୋଗାଡ କରିବାରେ ସକ୍ଷମ ହୋଇଥିଲା। ବିଜେଡ଼ି ଗଡ଼ରେ ପଦ୍ମ ଫୁଟିବା ଘଟଣାକୁ ସହଜରେ ହଜମ କରି ପାରୁନଥିବା ବିଜେଡି କର୍ମୀ ଏବେ ଦଳର ମୁଖିଆଙ୍କ ରଣନୀତି, ଆଉ ଦଳରେ ଥିବା ଗୋଷ୍ଠି କନ୍ଦଳକୁ ଦାୟୀ କରିଛନ୍ତି। 

ସେହିପରି ବୌଦ୍ଧ ବ୍ଲକର ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେପି ହାତକୁ ଯାଇଛି। ବିଜେଡିକୁ ପଛରେ ପକାଇ ବିଜେପି ସମର୍ଥିତ ପ୍ରାର୍ଥୀ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ବୌଦ୍ଧ ଅଧ୍ୟକ୍ଷ ପଦବୀ ହାସଲ କରିଛନ୍ତି। ଏପଟେ କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରମୁଖ ଦାୟିତ୍ଵ ନେଇଥିବା କଣ୍ଟାମାଳ ବିଧାୟକ ମହିଧର ରଣା ଦୁଇଟି ଜିଲା ପରିଷଦ ଆସନ ହରାଇଥିବାବେଳେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ପଦବୀ ହାସଲ କରିବାରେ ସଫଳ ହୋଇଛନ୍ତି। ବିଜେଡ ସମର୍ଥିତ ସସ୍ମିତା ସେନାପତି ନିର୍ଦ୍ଵନ୍ଦରେ କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାସଲ କରିଛନ୍ତି। ଏଥିରେ କଣ୍ଟାମାଳ ବିଧାୟକଙ୍କ ରଣନୀତି ଯୋଗୁଁ ବିଜେଡି ଅଧ୍ୟକ୍ଷ ପଦବୀ ହାସଲ କରିଥିବା ଚର୍ଚ୍ଚା ହେଉଥିବାବେଳେ ବୌଦ୍ଧ ଏବଂ ହରଭଙ୍ଗା ବ୍ଲକର ଅଧ୍ୟକ୍ଷ ପଦବୀ ହାତରୁ ହରାଇଥିବାରୁ ବୌଦ୍ଧ ବିଧାୟକ ପ୍ରଦୀପ ଅମାତଙ୍କୁ ରଣନୀତି ଫେଲ ମାରିଥିବା ନେଇ ନିର୍ବାଚନୀ ସମୀକ୍ଷକ ମତ ରଖିଛନ୍ତି।