ଭକ୍ତି ସରିଲା, ଏବେ ଭାବାବେଗ ଖେଳ: ପୁରୀକୁ ଫେରାଇ ପାରିବ କି ବିଜେଡି
Advertisement

ଭକ୍ତି ସରିଲା, ଏବେ ଭାବାବେଗ ଖେଳ: ପୁରୀକୁ ଫେରାଇ ପାରିବ କି ବିଜେଡି

BJD vs BJP: ବିଜେଡିର ୨୦୦୮ ଧର୍ମ ନିରପେକ୍ଷ ଚିନ୍ତାଧାରାରେ ପରିବର୍ତ୍ତନ ଆସି ତହା ସନାତନ କୈନ୍ଦ୍ରିକ ହେଲା। ଖାଲି ଶ୍ରୀ ଜଗନ୍ନାଥ ମନ୍ଦିର ନୁହେଁ, ବିଭିନ୍ନ ପ୍ରାନ୍ତରେ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ହାତକୁ ନେଇ ଆସନ୍ତା ୫ବର୍ଷ ଲାଗି ଭିତ୍ତିଭୂମି ପ୍ରସ୍ତୁତ ହେଲା, ଯାହାର ଫଳାଫଳ ସ୍ୱରୂପ ଆଜି ପ୍ରତି ଜିଲ୍ଲାରେ ରୂପାନ୍ତରଣ ନାଁରେ ମନ୍ଦିର ପ୍ରକଳ୍ପସବୁ ସାମ୍ନାକୁ ଆସୁଛି। 

BJD vs BJP

ଭୁବନେଶ୍ୱର: ନିର୍ବାଚନ ମୁହାଁ ୨୦୨୪ ବର୍ଷଟି ଆରମ୍ଭରୁ ‘ଧର୍ମ ଓ ଆସ୍ଥା’କୁ ନେଇ ସରଗରମ ହୋଇଛି। ଦିଲ୍ଲୀରେ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠାକୁ ନେଇ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିବାବେଳେ ରାଜ୍ୟରେ ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଶ୍ରୀ ଜଗନ୍ନାଥଙ୍କ ସହ ଯୋଡ଼ା ଭାବାବେଗକୁ ନିଜ ଆଡ଼କୁ ଆଣିବାକୁ ଚାହିଁଛି। ୨୪ ବର୍ଷର ଶାସନରେ ଯାହା କେବେ ନିର୍ବାଚନର ପ୍ରସଙ୍ଗ ହୋଇ ନଥିଲା ତାହା ରାଜ୍ୟ ରାଜନୀତିକୁ ଆଚ୍ଛାଦିତ କରିଛି। ଏପରିକି ପୁରୀକୁ ନିଜ ମୁଣିକୁ ପୁଣିଥରେ ଫରାଇବା ଲାଗି ନବୀନ ଖୋଦ୍‍ ଏଠାରୁ ବିଧାନସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏ ଚର୍ଚ୍ଚା କେବଳ କପୋଳକଳ୍ପିତ ନୁହେଁ, ଏହାର ଆଧାର ବି ଯଥେଷ୍ଟ  ମଜଭୁତ ରହିଛି। କେବେଠୁ ଏହାର ମୂଳଦୁଆ ପଡ଼ିଛି ତାହାର ପୃଷ୍ଠା ଓଲଟାଇଲେ ସାମ୍ନାକୁ ଆସେ ୨୦୧୯ ନିର୍ବାଚନର ଫଳାଫଳ। ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅକଳ୍ପନୀୟ ଭାବେ ବିଜେଡି ହାତରୁ ଖସିଯିବା, ପୁରୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପୁରୀ ପାଇଁ ଅପରିଚିତ ଥିବା ବିଜେପିର ଜଣେ ରାଷ୍ଟ୍ର୍ରୀୟ ନେତା ଭୋଟରଙ୍କ ମନ ପ୍ରାଣକୁ ମାତ୍ର କିଛିଦିନ ଭିତରେ ଜିତିଯିବା ତଥା ଦୀର୍ଘ ଦିନ ଶାସନରେ ରହିବା ପରେ ମଧ୍ୟ ବ୍ରହ୍ମଗିରିର ଦୁର୍ବଳତାକୁ ନିଜର ନକରିପାରିବା ଭଳି ଆହ୍ୱାନ ପ୍ରଭୃତି ବିଜେଡିର ମଞ୍ଜ ଦୋହଲାଇଥିଲା। ବିଜେଡିର ୨୦୦୮ ଧର୍ମ ନିରପେକ୍ଷ ଚିନ୍ତାଧାରାରେ ପରିବର୍ତ୍ତନ ଆସି ତହା ସନାତନ କୈନ୍ଦ୍ରିକ ହେଲା।  ଖାଲି ଶ୍ରୀ ଜଗନ୍ନାଥ ମନ୍ଦିର ନୁହେଁ, ବିଭିନ୍ନ ପ୍ରାନ୍ତରେ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ହାତକୁ ନେଇ ଆସନ୍ତା ୫ବର୍ଷ ଲାଗି ଭିତ୍ତିଭୂମି ପ୍ରସ୍ତୁତ ହେଲା, ଯାହାର ଫଳାଫଳ ସ୍ୱରୂପ ଆଜି ପ୍ରତି ଜିଲ୍ଲାରେ ରୂପାନ୍ତରଣ ନାଁରେ ମନ୍ଦିର ପ୍ରକଳ୍ପସବୁ ସାମ୍ନାକୁ ଆସୁଛି। 

ପ୍ରଶ୍ନ ହେଉଛି ଏହା କ’ଣ ବିଜେଡିକୁ ପୁରୀ ଭୋଟରଙ୍କ ଜନମାନସରେ ନବଜୀବନ ଦେଇପାରିବ?  ଯଦିଓ ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପରେ ଏହା ସ୍ପଷ୍ଟ ହେବ କିନ୍ତୁ ଏ ନେଇ ଯେଉଁ ରାଜନୀତିକ ଅଙ୍କକଷା ଚାଲିଛି, ତାହା ସ୍ପଷ୍ଟ କରୁଛି ଯେ, ଏ ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀ ଯେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ଭାବାବେଗ ସହ ଯୋଡ଼ିବେ ତାହା ହେଉଛି ‘ଆସ୍ଥା’। 

ଏହି ‘ଆସ୍ଥା’ ଅଯୋଧ୍ୟାର ରାମ ମନ୍ଦିର ହୋଇପାରେ ବା ବ୍ରହ୍ମପୁରର ମା’ ତାରାତାରେଣୀ ଅଥବା ସମ୍ବଲପୁରର ମା’ ସମଲେଶ୍ୱରୀ ବା ପୁରୀର ଶ୍ରୀ ଜଗନ୍ନାଥ। ଏଥିରୁ କିଏ ଫାଇଦା ପାଇବ ତାହାକୁ ଭୋଟର ବିବେଚନା କରିବେ। 

କିନ୍ତୁ ବିଜେଡି ଯେ ଏଥିରେ ଭୟଭୀତ ହୋଇଛି ସେଥିରେ ସନ୍ଦେହ ନାହିଁ। କାରଣ ଉତ୍ତର ଆଡ଼ୁ ବୋହୁଥିବା ‘ଆସ୍ଥା’ର ପ୍ରବାହ ଏତେ ପ୍ରଖର ହୋଇଛି ଯେ ତାହା ଲୋକଙ୍କ ମନରୁ କଂଗ୍ରେସକୁ ବିଲୀନ କରିବାକୁ ଯାଉଛି। ପୁଣି ଯେଉଁଠି ବିଜେଡିରେ ଅସନ୍ତୋଷ ରହିଛି ତାହାକୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ହେଉଛି। ଅବଶ୍ୟ ଏହାଠିକ୍‍ ଯେ, ରାଜ୍ୟ ବିଜେପିରେ ଏହି ଭାବାବାଗ ଓ ପ୍ରବାହକୁ ପ୍ରଖର କରିବା ଲାଗି ଆବଶ୍ୟକ ନେତା ନାହାନ୍ତି ଅଥବା ନତୃତ୍ୱ ନାହିଁ। କିନ୍ତୁ ୨୦୧୯ ନିର୍ବାଚନ ଭଳି ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡ ଉପରେ ରଖି ବଳିଷ୍ଠ ଭାଷଣ ଦେଇ ଲୋକଙ୍କୁ ପ୍ରଭାବିତ କରିପାରୁଥିବା ସମ୍ବିତ ପାତ୍ରଙ୍କ ଭଳି ନୂଆ ମୁହଁ ଯଦି ବିଜେପିକୁ ମିଳିଗଲା ତେବେ ତାହା ବିଜେଡିର ନୀତିକୁ ଚିତ୍‍ପଟାଙ୍ଗ କରିଦେଇପାରେ। 

ଏହାର କାରଣ ପଛରେ ରହିଛି ପୁରୀର ଯୁବ ଭୋଟର। ଆଉ ବିଜେପି ଯେଉଁ ନୀତିରେ ଆଗକୁ ବଢ଼ୁଛି ସେଥିରେ ରହିଛି ଯୁବାବର୍ଗଙ୍କ ତତଲା ରକ୍ତକୁ ନିଜ ଆଡ଼କୁ ଢଳାଇବାର ଶକ୍ତି ରହିଛି। କାରଣ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସମୟରେ ସାହି ଗଳିକନ୍ଦି ଓ ଛକରେ ଯେଉଁ ପ୍ରକାର ରାଲି, ସମାବେଶସବୁ ଦେଖିବାକୁ ମିଳିଛି ତହା ସ୍ପଷ୍ଟ କରୁଛି ଯେ ଶୁପ୍ତ ଅବସ୍ଥାରେ ଏ ତତଲା ରକ୍ତ ଏକ ବଳିଷ୍ଠ ନେତୃତ୍ୱ ଖୋଜୁଛି। କାରଣ ୨୦୧୪ ନିର୍ବାଚନରେ ଯେଉଁ ବିଜେପିର ଭୋଟ ମାତ୍ର ୨୦ ପ୍ରତିଶତରେ ସୀମିତ ଥିଲା ତାହା ୪୬ ପ୍ରତିଶତ ପହଞ୍ଚିଥିଲା ୨୦୧୯ରେ। ମାତ୍ର ୧୧ ହଜାର ୭୦୦ ଭୋଟରେ ପିନାକୀ ମିଶ୍ର ଜିତିଥିଲେ। ଏଣୁ ଏଥର ପୁରୀରେ ସମ୍ବିତଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରାଇବା ସ୍ୱଭାବିକ। ତାଙ୍କୁ ଟକ୍କର ଦେବା ଭଳି ନେତା କିଏ ହେବ? ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କୁ ଠିଆ କରି ବିଜେଡି ସଙ୍କଟମୋଚନ କରିପାରିବ କି? ଆଜିର ପରିକ୍ରମା ପ୍ରକଳ୍ପ ଯାତ୍ରାରୁ ନବୀନଙ୍କ ଏହି ପ୍ରଚାର ପର୍ବ ଲୋକଙ୍କ ଭାବାବେଗକୁ ନିଜ ଆଡ଼କୁ ଢଳାଇବାରେ ସକ୍ଷମ ହୋଇପାରିବ କି?