PFI Conspiracy: ମୁସଲିମ ରାଷ୍ଟ୍ର ଗଠନ ସହ ଏହି ନେତାଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର
Advertisement
Article Detail0/zeeodisha/odisha1260432

PFI Conspiracy: ମୁସଲିମ ରାଷ୍ଟ୍ର ଗଠନ ସହ ଏହି ନେତାଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର

PFI Conspiracy: ଜେରା ବେଳେ ଏକଥା ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଥିବା କହିଛନ୍ତି ଗିରଫ ପିଏଆଇ ସଦସ୍ୟ। 

PFI Conspiracy: ମୁସଲିମ ରାଷ୍ଟ୍ର ଗଠନ ସହ ଏହି ନେତାଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର

PFI Conspiracy: ନିକଟରେ ରାଜ୍ୟର ପାଟନା ଜିଲ୍ଲାର ଫୁଲୱାଡି଼ ଶରିଫ ଅଞ୍ଚଳରୁ ଗିରଫ ହୋଇଥିବା ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ସଦସ୍ୟଙ୍କୁ ଜେରା ବେଳେ ଅନେକ ସମ୍ବେଦନଶୀଳ ତଥ୍ୟ ବାବଦରେ ଜାଣିବାକୁ ପାଇଛି ବିହାର ପୋଲିସ। ଦେଶ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ରହିବା ଅଭିଯୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇ ସାରିଛି। ଜେରା ବେଳେ ଏକଥା ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଥିବା କହିଛନ୍ତି ଗିରଫ ପିଏଆଇ ସଦସ୍ୟ। ବଡ଼ ଧରଣର କ୍ଷୟକ୍ଷତି ଘଟାଇବାକୁ ସେମାନେ ଷଡ଼ଯନ୍ତ୍ର କରୁଥିଲେ। 

ଦେଶର ସଂଖ୍ୟାବହୁଳ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଲାଗି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ଅଭିଯୋଗରେ ଝାଡ଼ଖଣ୍ଡ ପୋଲିସ ସବ ଇନସପେକ୍ଟର ମହମ୍ମଦ ଜଲାଲୁଦ୍ଦିନ ଏବଂ ଅତହର ପରଭେଜକୁ ରାଜ୍ୟର ପାଟନା ଜିଲ୍ଲାର ଫୁଲୱାଡି଼ ଶରିଫ ଅଞ୍ଚଳରୁ ଗିରଫ କରିଥିଲା ବିହାର ପୋଲିସ। ସେମାନଙ୍କୁ ଜେରା କରାଯିବା ପରେ ଏହି ଘଟଣାରେ ମାର୍ଗୁବ ଦାନିଶ, ଅରମାନ ମଲିକ, ଶବ୍ବୀର ନାମକ ଅନ୍ୟ ୩ ଜଣ ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଥିଲା। ମୁସଲିମ ଯୁବକଙ୍କ ବ୍ରେନ ୱାଶ କରି ସେମାନେ ଏକ ଆତଙ୍କବାଦ ମଡ୍ୟୁଲ (PFI Terror Module) ପରିଚାଳିତ କରୁଥିବା ପୋଲିସ କହିଛି।       
 
ଗିରଫ ହୋଇଥିବା ୫ ଜଣ ପିଏଫଆଇ ସଦସ୍ୟ ବିହାର ବିଧାନସଭାର ଶତବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏନେଇ ସେମାନେ ୬ ଏବଂ ୭ ଜୁଲାଇରେ ଏକ ଗୁପ୍ତ ବୈଠକ କରିଥିଲେ। ଗତ ଜୁଲାଇ ୧୨ ତାରିଖରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦି ବିହାର ଗସ୍ତରେ ଆସିଥିଲେ। ଏହା ପୂର୍ବରୁ ଜୁଲାଇ ୧୧ ତାରିଖରେ ପାଟନା ଜିଲ୍ଲାର ଫୁଲୱାଡି଼ ଶରିଫ ଅଞ୍ଚଳରୁ ମହମ୍ମଦ ଜଲାଲୁଦ୍ଦିନ ଏବଂ ଅତହର ପରଭେଜକୁ ଗିରଫ କରିଥିଲା ବିହାର ପୋଲିସ।

ଗିରଫ ପିଏଫଆଇ ସଦସ୍ୟ ଅତହର ପରଭେଜ ପୂର୍ବରୁ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (Students Islamic Movement of India) ସିମି (SIMI) ନାମକ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନ (Prohibited Terrorist Organizations) ସହ ଜଡ଼ିତ ରହିଥିଲା। ଯେତେବେଳେ ସିମି ଉପରେ ପ୍ରତିବନ୍ଧକ ଲଗାଗଲା ସେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ରେ ଯୋଗ ଦେଇଥିଲେ। ଆତଙ୍କବାଦୀ ମଞ୍ଜର ପରଭେଜର ଭାଇ ହେଉଛି ଅତହର ପରଭେଜ। ଯିଏ ୨୦୧୩ ନଭେମ୍ବରରେ ପାଟନା ଗାନ୍ଧୀ ମୈଦାନ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିରେ ହୋଇଥିବା ସିରିଏଲ ବିସ୍ଫୋରଣ ଘଟଣାରେ ଜଡିତ ରହିଥିଲା। ଝାଡଖଣ୍ଡରେ ପୋଲିସ ବାହିନୀରେ ସବ ଇନସପେକ୍ଟର ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ଜଲାଲୁଦ୍ଦିନଙ୍କ ଘରେ ଆଶ୍ରୟ ନେଉଥିଲା।

ଏହି ଘଟଣାରେ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ମହମ୍ମଦ ଜଲାଲୁଦ୍ଦିନ ୨୦୧୮, ୨୦ ନଭେମ୍ବରରୁ ୨୦୨୧, ୨୭ ଜାନୁୟାରୀ ପର୍ଯ୍ୟନ୍ତ ଝାଡଖଣ୍ଡ ଗିରିଡୀହ ଜିଲ୍ଲାର ଭେଲୱାଘାଟୀ ପୋଲିସ ଥାନାରେ କାର୍ଯ୍ୟରତ ଥିଲା। ସେ ପୋଲିସ ବେଶରେ ଜଣେ କଟ୍ଟରପନ୍ଥୀ ମୁସଲିମ ରହିଥିଲା। ଯିଏ ଆଇନଗତ ପ୍ରସଙ୍ଗରେ ମୁସଲମାନଙ୍କୁ ସମର୍ଥନ କରୁଥିଲେ। ସେ ଗୃହ ନିର୍ମାଣ, ବିବାହ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟିକ କାର୍ଯ୍ୟରେ ମୁସଲମାନଙ୍କୁ ସାହାଯ୍ୟ କରୁଥିଲେ। ଝାଡଖଣ୍ଡର ଗିରିଡୀହ ଜିଲ୍ଲାରେ ବସବାସ କରୁଥିବା ବହୁ ମୁସଲିମ ଯୁବକଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା କୁହାଯାଉଛି। ଗିରଫ ପୂର୍ବରୁ ସେ ଅନେକ ଯୁବକଙ୍କ ସହ ଯୋଗାଯୋଗରେ ଥିଲେ। ତଦନ୍ତରକାରୀ ସଂସ୍ଥା ବର୍ତ୍ତମାନ ତାଙ୍କ ନେଟୱାର୍କ ବାବଦରେ ଯାଞ୍ଚ କରୁଛି।

ପ୍ରାଥମିକ ତଦନ୍ତରୁ ବିହାର ପୋଲିସ ଜାଣିବାକୁ ପାଇଛି ଅତହର ପରଭେଜ ଏବଂ ମହମ୍ମଦ ଜଲାଲୁଦ୍ଦିନ ନାମରେ ତିନୋଟି ବ୍ୟାଙ୍କ ଆକାଉଣ୍ଟ ରହିଛି। ଯେଉଁଥିରେ ୧୪ ଲକ୍ଷ, ୩୦ ଲକ୍ଷ ଏବଂ ୪୦ ଲକ୍ଷ ଟଙ୍କା ମୂଲ୍ୟର କାରବାର କରାଯାଇଛି। ସେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ପିଏଫ୍ଆଇ ଏବଂ ଏହାର ରାଜନୈତିକ ଶାଖା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (Social Democratic Party of India) ଏସଡ଼ିପିଆଇ (SDPI) ପକ୍ଷରୁ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେଉଥିଲା। ଏହି ସମୟରେ ଦେଶ ବିରୋଧି ଷଡଯନ୍ତ୍ର କରାଯାଇଥିଲା। ତାଙ୍କ ବୟାନ ଆଧାରରେ ପୋଲିସ ଅନ୍ୟ ୨୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ପିଏଫ୍ଆଇ ବିହାର-ବେଙ୍ଗଲ ଆଞ୍ଚଳିକ କମିଟି ସଚିବ ମହମ୍ମଦ ରସଲାନ୍, ପିଏଫଆଇ ରାଷ୍ଟ୍ରୀୟ ନେତା ମହମ୍ମଦ ରିୟାଜ, ବିହାର ମିଥିଳାଞ୍ଚଳ ପିଏଫ୍ଆଇ ନିର୍ଦ୍ଦେଶକ ମହମ୍ମଦ ଅନସରୁଲ୍ ହକ, ମହମ୍ମଦ ଅମିନ ଆଲାମ ସମେତ ଅନ୍ୟ କେତେକ ଲୋକଙ୍କ ନାଁ ସାମିଲ ରହିଛି। ଏହା ସହିତ ବିହାର ପୋଲିସ ଏଟିଏସ (Bihar Police ATS) ତୃତୀୟ ଅଭିଯୁକ୍ତ ଅରମାନ ମଲିକଙ୍କୁ ମଧ୍ୟ ଗିରଫ କରିଛି।

ପୋଲିସ ଗିରଫ ପିଏଫଆଇ ସଦସ୍ୟଙ୍କ ପାଖରୁ ସମ୍ବେଦନଶୀଳ ଦସ୍ତାବିଜ ଜବତ କରିଛି। ଯେଉଁଥିରେ ଲେଖାଯାଇଛି ଯେ ଆସନ୍ତା ୨୦୪୭ ବର୍ଷ ପର୍ଯ୍ୟନ୍ତ ଭାରତ ବର୍ଷକୁ ଏକ ଇସଲାମୀୟ ରାଷ୍ଟ୍ର କରାଯିବ। ସେମାନେ ଶାରୀରିକ ତାଲିମ ନାମରେ ସେ ଦେଶର ବିଭିନ୍ନ ସ୍ଥାନରୁ ମୁସଲିମ ଯୁବକଙ୍କୁ ବ୍ରେନ ୱାଶ କରି ସେମାନଙ୍କୁ ବିହାର ଡାକି ଦେଶର ସଂଖ୍ୟାବହୁଳ ସମ୍ପ୍ରଦାୟ ବିରୋଧରେ ହିଂସାକାଣ୍ଡ ଭିଆଇବାକୁ ଉସକାଉଥିଲେ।

ବିହାର ପୋଲିସ ଡିଜି ଏସ.କେ ସିଂଘଲ କହିଛନ୍ତି ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି। ଏପରି ଆତଙ୍କବାଦୀ କାର୍ଯ୍ୟକଳାପକୁ ହଟାଇବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରୁଛୁ। କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍ସି ପ୍ରତ୍ୟେକ ଦିଗରୁ ଏହାର ତଦନ୍ତ କରୁଛନ୍ତି। ବିହାରରେ ସନ୍ଦିଗ୍ଧ ଆତଙ୍କବାଦୀ ମଡ୍ୟୁଲ ଚିହ୍ନଟ ହେବା ପରେ ଅନେକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ସାମିଲ ହୋଇଯାଇଛନ୍ତି। ଇଡି ଟିମ୍ ଏହି ମାମଲାରେ ମନି ଲଣ୍ଡରିଂ ଦିଗ ଏବଂ ବିଦେଶୀ ପାଣ୍ଠି ବାବଦରେ ଯାଞ୍ଚ କରୁଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ସମାନ୍ତରାଳ ତଦନ୍ତ ଆରମ୍ଭ କରିଛି। ଯଦିଓ ଏନଆଇଏ ଏହି ଘଟଣା ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହିଁ ତେବେ ଆଗାମୀ ଦିନରେ ଏହି ମାମଲା ଅନୁସନ୍ଧାନକାରୀ ସଂସ୍ଥାକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି। ଏକ ଆଇନଗତ ମାମଲାରେ ଜଡିତ ରହିଥିବା ଦେଖି ପିଏଫଆଇ ପକ୍ଷରୁ ଦାବି କରାଯାଇଛି ସଙ୍ଗଠନ ପକ୍ଷରୁ କୌଣସି ବିବାଦୀୟ ଦସ୍ତାବିଜ ପ୍ରକାଶ କରା ଯାଇନାହିଁ।

Also Read: PFI: ୨୦୪୭ ସୁଦ୍ଧା ଦେଶକୁ କରିଥାନ୍ତା ଇସଲାମୀୟ ରାଷ୍ଟ୍ର, ଯୁବକଙ୍କୁ ଦେଉଥିଲେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ

Also Read: ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ଷଡଯନ୍ତ୍ର କରୁଥିଲା ପିଏଫଆଇ; ୩ ଜଣଙ୍କୁ ଗିରଫ କଲା ପୋଲିସ