Odisha Election 2024: ଓଡ଼ିଶାର ୫ ପ୍ରମୁଖ ଲୋକସଭା ଆସନରେ ବିଜେଡି ଦେଇଛି ଦୁର୍ବଳ ପ୍ରାର୍ଥୀ
Advertisement

Odisha Election 2024: ଓଡ଼ିଶାର ୫ ପ୍ରମୁଖ ଲୋକସଭା ଆସନରେ ବିଜେଡି ଦେଇଛି ଦୁର୍ବଳ ପ୍ରାର୍ଥୀ

ଦୁଇ ସକରାତ୍ମକ କେନ୍ଦ୍ର ବିଜେପିର ପରିଚିତ ପ୍ରାର୍ଥୀଙ୍କୁ ବି ଚିତ୍‍ପଟାଙ୍ଗ କରିଦେଇଥିବାର ଅନେକ ଉଦାହରଣ ଅତୀତରେ ରହିଛି। ଏଣୁ ଆଗକୁ ଅପେକ୍ଷା ଭୋଟର କାହାକୁ ବିଜୟ ମୁକୁଟ ପିନ୍ଧାଉଛନ୍ତି।

Odisha Election 2024: ଓଡ଼ିଶାର ୫ ପ୍ରମୁଖ ଲୋକସଭା ଆସନରେ ବିଜେଡି ଦେଇଛି ଦୁର୍ବଳ ପ୍ରାର୍ଥୀ

Odisha Election 2024: ଭୁବନେଶ୍ୱର: ରାଜ୍ୟର ୨୧ ଲୋକସଭା ଆସନରୁ ବିଜେପି ୧୮ ଏବଂ ବିଜେଡି ୧୫ଟିରେ ନୂଆ ପ୍ରାର୍ଥୀ ଦେଇଛି। ଏ ପ୍ରାର୍ଥୀଙ୍କ ଭିତରୁ ଅନେକ ପୁରୁଣା ମୁହଁ, ଚିହ୍ନା ଚେହେରା ତଥା ପରିଚିତ ପ୍ରାର୍ଥୀ। ସବୁ ଭୋଟର ଏ ପ୍ରାର୍ଥୀମାନଙ୍କୁ ଭେଟା ଭେଟି ହୋଇ ନଥିଲେ ମଧ୍ୟ ଚର୍ଚ୍ଚା ଓ ଗଣମାଧ୍ୟମରୁ ସେମାନଙ୍କ ବାବଦରେ ଅଳ୍ପ ବହୁତ ସୂଚନା ରଖିଛନ୍ତି। କିନ୍ତୁ ଏମିତି ୫ ଲୋକସଭା ଆସନ ରହିଛି ଯେଉଁଠାରେ ବିଜେଡି ନୂଆ, ତଥା ଦୁର୍ବଳ ପ୍ରାର୍ଥୀ ଦେଇଥିବା ଚର୍ଚ୍ଚା ହେଉଛି। ତଥାପି ଦଳର ମଜବୁତ ସଂଗଠନ ଏସବୁରେ ବିଜୟ ଆଣିପାରେ। ଆସନ୍ତୁ ନଜର ପକାଇବା ଏହି ୫ ଚର୍ଚ୍ଚିତ ଲୋକସଭା ଆସନ ଉପରେ।

ଭୁବନେଶ୍ୱରରେ ‘ମୁର୍‍ଗା’
କୁହାଯାଏ ସବୁ ଅନୁକୁଳ ଘରୁ ହିଁ ଆରମ୍ଭ ହୋଇଥାଏ। ଭୁବନେଶ୍ୱରରେ ଯେଉଁ ପ୍ରାର୍ଥୀଙ୍କୁ  ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତାଙ୍କ ବିରୁଦ୍ଧରେ ବିଜେଡି ଘୋଷଣା କରିଛି ତାହାଙ୍କୁ ନେଇ ଏ ଚର୍ଚ୍ଚା ଜୋର ଧରିଛି। ମାତ୍ର ଦୁଇଘଣ୍ଟା ମଧ୍ୟରେ ଏକ କଂଗ୍ରେସ ପରିବାରର ପୁଅଙ୍କୁ ଆଣି ବିଜେଡିରେ ସାମିଲ କରି ତାଙ୍କୁ ସିଧାସଳଖ ସାଂସଦ ପ୍ରାର୍ଥୀ କରିବା ନିହାତି ଭାବେ ଦଳରେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କ ଅଭାବ ଥିବା ସୂଚାଉଛି। ଏଥର ପ୍ରାର୍ଥୀ ହୋଇଛନ୍ତି ମନ୍ମଥ ରାଉତରାୟ। ସେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ  ପୁତ୍ର। ବାପାଙ୍କ ଆଶୀର୍ବାଦ ନେଇ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ମନ୍ମଥ କହୁଥିଲେ ମଧ୍ୟ ବାପା ପ୍ରତିବାଦ କରି କଂଗ୍ରେସରୁ ସବୁ ପଦବୀରୁ ସନ୍ନ୍ୟାସ ନେଇଛନ୍ତି। ସାନ ଭାଇ ସିଦ୍ଧାର୍ଥ କହିଛନ୍ତି ‘ମୋ ଭାଇଙ୍କୁ ବିଜେଡି ମୁରଗା ବନାଇଛି’। 

ସମ୍ବଲପୁରରେ ‘କଟକିଆ’
ଗତକାଲି ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସମ୍ବଲପୁର ପାଇଁ ଲୋକସଭା ପ୍ରାର୍ଥୀ ଭାବେ ବିଜେଡିର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ଚର୍ଚ୍ଚାକୁ ଜୋରଦାର କରିଛି। ‘ଭାଷାଗତ ସମ୍ବାଦନଶୀଳତା’  ଏବଂ ଆଞ୍ଚଳିକ ବୈଷମ୍ୟ ଅଧିକ ରହିଥିବା ଏହି ନିର୍ବାଚନ ମଣ୍ଡଳୀରେ ଜଣେ ‘କଟକିଆ’ ନେତାଙ୍କୁ ନେଇ ଭୋଟ ମାଗିବା ବିଜେଡିକୁ କେତେ ସଫଳତା ଦେବ ତାହା ସନ୍ଦେହ ସୃଷ୍ଟି କରିଛି। ଅବଶ୍ୟ ୨୦୦୯ ମସିହାରେ କଂଗ୍ରେସ ଏବଂ ୨୦୧୪ ମସିହାରେ ବିଜେଡି ଅନୁଗୁଳ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ସମ୍ବଲପୁରରେ ପ୍ରାର୍ଥୀ କରାଇ ବିଜୟ ଲାଭ କରିଥିଲା, ହେଲେ ଏଥର ଏହା କେତେ ଫଳପ୍ରଦ ହେବ? ପ୍ରଶ୍ନ ହେଉଛି, ଉଭୟ ବିଜେପି ବା ବିଜେଡି କ’ଣ ଏତେ ବର୍ଷର ରାଜନୀତିକ ମାନସମନ୍ଥନରେ ସମ୍ବଲପୁରରୁ କାହାକୁ ଯୋଗ୍ୟ ପ୍ରାର୍ଥୀ ଭାବେ ଚିହ୍ନଟ କରିପାରିଲେ ନାହିଁ?

କେନ୍ଦ୍ରାପଡ଼ାରେ ‘ଅଧାରେ ରହିଲା’
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀଟି ବିଜେଡିର ଗଡ଼ ଭାବେ ପରିଚିତ। ବିଜୁ ବାବୁଙ୍କ ଲୋକପ୍ରିୟତା ଏଯାଏ ସେଠାରେ ରହି ଆସିଛି। ସେଥିଲାଗି ବିଜେଡି ଯାହାଙ୍କୁ ପ୍ରାର୍ଥୀ କରିଛି ଲୋକସଭା ସିଏ ଜିତିଛି। ଏଥର କିନ୍ତୁ ପ୍ରାର୍ଥୀ ନିଜେ ଅସନ୍ତୁଷ୍ଟ ରହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ନଳିନୀ ମହାନ୍ତିଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅଂଶୁମାନଙ୍କୁ ଏଥର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି। ହେଲେ ଅଂଶୁମାନ ଏହାକୁ ନେଇ ଅରାଜି ଥିବା ସୂଚନା ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ପ୍ରାର୍ଥୀ ତାଲିକାରେ ନିଜ ନାଁ ଦେଖି ସମର୍ଥକଙ୍କ ସହ ଆସିବାକୁ ଥିବା ଏକ ଆୟୋଜିତ ଶୋଭାଯାତ୍ରାକୁ ବାତିଲ କରିଛନ୍ତି। ଅର୍ଥାତ୍‍ ଅଧାରେ ରହିଛି ‘ମିଶ୍ରଣ ପର୍ବ’। ସେ ଚାହୁଁଥିଲେ ରାଜନଗରରୁ ବିଧାୟକ ପୟାର୍ଥୀ ହେବେ। ହେଲେ ଦଳ ତାଙ୍କୁ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ପ୍ରାର୍ଥୀ କଲା। ଏଥିରେ ଅଂଶୁମାନଙ୍କ ଆତ୍ମବିଶ୍ୱାସ, ଭରସା ଏବଂ ଆସ୍ଥା ତୁଟିଥିଲା। ଆଉ ଅସନ୍ତୁଷ୍ଟ ତାଲିକାକୁ ତାଙ୍କ ନାଁ ଆସିଗଲା। 

ଢେଙ୍କାନାଳରେ କକା, ପୁତୁରା ବିଜେଡି ପ୍ରାର୍ଥୀ
ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ଅଜବ ପରିସ୍ଥିତି ସାମ୍ନାକୁ ଆସିଛି। ଏତେବଡ଼ ଦଳ ହୋଇଥିଲେ ବି ଦଳ ପାଇଁ ପ୍ରାର୍ଥୀ ନ ମିଳିବା ଏହା ଉଦାହରଣ ସୃଷ୍ଟି କରିଛି। ସେଥିଲାଗି ଦଳ ସୁଧୀର ସାମଲଙ୍କୁ ବିଧାୟକ ଓ ତାଙ୍କ ପୁତୁରା ଡା ଅବିନାଶ ସାମଲଙ୍କ ସାଂସଦ ପ୍ରାର୍ଥୀ କରିଛି। ଅର୍ଥାତ୍‍ ବିଜିତ ସାଂସଦ ମହେଶ ସାହୁଙ୍କ ଟିକଟ କାଟିଛି ବିଜେଡି। ବିଜେପି ପକ୍ଷରୁ ସେଇ ପୁରୁଣା ଚେହେରା ରୁଦ୍ର ପାଣି। ଜଣେ ଉନ୍ନତ ସଂଗଠକ ଭାବେ ପରିଚିତ। ବିଜାପିର ଅନ୍ତର୍ଦ୍ୱନ୍ଦ୍ୱରେ ଫଶି ଅନେକ ପ୍ରଭାବିତ ହୋଇଥିବା ରୁଦ୍ର ଏଥର ଶକ୍ତିଶାଳୀ ଭୂମିକାରେ ରହିଥିବା କୁହାଯାଉଛି। କିନ୍ତୁ ହିସାବକୁ ଦେଖିଲେ ୨୦୦୪ ମସିହା ପରଠାରୁ ଢେଙ୍କାନାଳ ସାଂସଦ ଆସନଟି ନିରନ୍ତର ଭାବେ ଅକ୍ତିଆର କରି ଚାଲିଥିବା ବିଜେଡି ପାଇଁ ଏଥର ଆହ୍ୱାନ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।  

ପୁରୀରେ ‘ହାରୁ’ ପ୍ରାର୍ଥୀ
ପୁରୀ ନିର୍ବାଚନ ମଣ୍ଡଳୀରେ ସାଂସଦ ପାଇଁ ଲଢ଼ୁଛନ୍ତି ଦୁଇଜଣ ହାରୁ ପ୍ରାର୍ଥୀ। ଜଣେ ଭୁବନେଶ୍ୱରରେ ଅପରାଜିତାଙ୍କଠାରୁ ହାରିଥିଲେ ଆଉଜଣେ ଖୋଦ୍‍ ପୁରୀ ସାଂସଦ ପାଇଁ ଲଢ଼ି ପିନାକୀ ମିଶ୍ରଙ୍କଠାରୁ ହାରିଥିଲେ। ଜଣଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ବାହାରେ। ଅର୍ଥାତ୍‍ ପୁରୀ ପାଇଁ ବିଜେପି  ପକ୍ଷରୁ ପ୍ରାର୍ଥୀ ହୋଇଥିବା  ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକଙ୍କ ଭିତରେ ଏଥର ଲଢ଼େଇ କେମିତି ହେବ ତାହା ହିଁ ପ୍ରଶ୍ନ। କିନ୍ତୁ ଏ ଆସନରେ ସର୍ବଦା ଶ୍ରୀ ଜଗନ୍ନାଥ ହିଁ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛନ୍ତି। ଶ୍ରୀମନ୍ଦିର ପ୍ରକଳ୍ପ ଆଉ କଟ୍ଟର ହିନ୍ଦୁ ଜାଗରଣ ଭାବନା ଭିତରେ ଭୋଟ ବିଭାଜନ ହେବ ବୋଲି ପ୍ରତୀତ ହେଉଛି। 

ଗୋଟିଏ ପଟେ ବିଜେଡିର ଏହି ପ୍ରାର୍ଥୀ ଚୟନ ଦଳରେ ‘ଆତ୍ମବିଶ୍ୱାସ’ ଅଭାବକୁ ସୂଚନା ଦେଉଛି। ଅନ୍ୟପଟେ କୁହାଯାଉଛି ଦଳ ବିଜେପିକୁ ସୁହାଇଲା ଭଳି ପ୍ରାର୍ଥୀ ଦେଇ ବିଜେପି କେନ୍ଦ୍ର ନେତୃତ୍ୱଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଛି। ପୁଣି ଦଳ ଏଥର ଯେଉଁ ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛି ସେଥିରେ ଅନେକ ସ୍ଥାନରେ ଏତେ ଅନଭିଜ୍ଞ ଏବଂ ନୂଆ ଚେହେରା ରହିଛନ୍ତି ଯେ ତାହା ବିଜେପିକୁ ସୁହାଇଲା ଭଳି  ମନେ ହେଉଛି। ଏମିତିରେ ତ ମେଣ୍ଟ ଚର୍ଚ୍ଚାକୁ ନେଇ ପାର୍ଟି ଅନେକ ପରିମାଣରେ ରାଜ୍ୟବାସୀଙ୍କ ମନରେ ଭିନ୍ନ ଚିନ୍ତାଧାରାକୁ ଭର୍ତ୍ତି କରିଛି, ପୁଣି ଏହି ପ୍ରାର୍ଥୀ ତାଲିକା ଏହାକୁ ଆହୁରି ସ୍ପଷ୍ଟ କରୁଛି। ଏହି ଭିନ୍ନ ଚିନ୍ତାଧାରାଟି ହେଉଛି ବିଜେପି ସମର୍ଥିତ ବିଜେଡି ପ୍ରାର୍ଥୀ। ଏଭଳି ଚର୍ଚ୍ଚାଭିତେ କିନ୍ତୁ ବିଜେଡିର ମଜବୁତ ଅଙ୍ଗ ହେଉଛି ନିଜର ସଂଗଠନ ଏବଂ ନବୀନଙ୍କ ବ୍ୟକ୍ତିତ୍ୱ। ଏହି ଦୁଇ ସକରାତ୍ମକ କେନ୍ଦ୍ର ବିଜେପିର ପରିଚିତ ପ୍ରାର୍ଥୀଙ୍କୁ ବି ଚିତ୍‍ପଟାଙ୍ଗ କରିଦେଇଥିବାର ଅନେକ ଉଦାହରଣ ଅତୀତରେ ରହିଛି। ଏଣୁ ଆଗକୁ ଅପେକ୍ଷା ଭୋଟର କାହାକୁ ବିଜୟ ମୁକୁଟ ପିନ୍ଧାଉଛନ୍ତି।