ରେକର୍ଡ ଅପେକ୍ଷାରେ ଶିବ'ରାଜ', ଝୁଲାଇ ରଖିଛନ୍ତି 'ବିଭୀଷଣ'
Advertisement
Article Detail0/zeeodisha/odisha658285

ରେକର୍ଡ ଅପେକ୍ଷାରେ ଶିବ'ରାଜ', ଝୁଲାଇ ରଖିଛନ୍ତି 'ବିଭୀଷଣ'

ଦିନେ ମୋଦିଙ୍କ ରେକର୍ଡ ଭାଙ୍ଗିଥିଲେ, ଏବେ ରଚିବେ ବଡ଼ ରେକର୍ଡ...

ଫାଇଲ ଫଟୋ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଶିବ'ରାଜ' । ଆଜି ଆସ୍ଥା ଭୋଟ ଜିତିବା ପରେ ଏକଥା ସ୍ପଷ୍ଟ ହୋଇଛି । ମ୍ୟାଜିକ ନମ୍ବରଠାରୁ ୮ ଖଣ୍ଡ ଅଧିକ ଭୋଟ ପାଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ୧୩ ବର୍ଷ ୧୭ ଦିନର ଅଭିଜ୍ଞତା ସହ ଦଳକୁ ଆସିଥିବା ନବାଗତ 'ବିଭୀଷଣ ସେନା'କୁ ନେଇ ଆଗକୁ ବଢ଼ିବେ ଶିବରାଜ । ଯଦିଓ ଜନାଦେଶ ନମିଳିଲେ ମଧ୍ୟ ସରକାର ଗଢ଼ିବା କୌଣସି ନୂଆ ଘଟଣା ନୁହେଁ, ତେବେ ଏହି ସେନା ସହାୟତାରେ ସରକାର କେତେ ବାଟ ଯାଇପାରୁଛି, ତାହା ସମୟ ଉପରେ ଛାଡ଼ିଦେବା ଠିକ୍ ହେବ । ତେବେ କେବଳ ଆସ୍ଥା ଭୋଟରେ ଜିତିଲେ ହେବନାହିଁ, ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । କାହିଁକିନା ବିଦ୍ରୋଦୀ ବିଧାୟକଙ୍କ ଇସ୍ତଫା ପରେ ଆଗକୁ ଉପନିର୍ବାଚନ ରହିଛି । ପୂର୍ବରୁ ୨ ଆସନ ଖାଲି ଥିବା ବେଳେ ନିକଟରେ କଂଗ୍ରେସର ୨୨ ଏବଂ ବିଜେପିର ଜଣେ ବିଧାୟକ ଇସ୍ତଫା ଦେଇଥିଲେ ।  ଅବଶ୍ୟ 'ବିଭୀଷଣ ସେନା' ଜନସେବା ପାଇଁ ଗେରୁଆ ଦଳକୁ ଚୟନ କରିଥିବାରୁ ସମସ୍ୟା ହୋଇନପାରେ । 

fallback

ମଧ୍ୟପ୍ରଦେଶରେ ଗୋଟିଏ ପରେ ଗୋଟିଏ ରେକର୍ଡ ରଚୁଥିବା ଶିବରାଜ ଏବେ ନୂଆ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଶିବରାଜଙ୍କ ନାଁରେ ପ୍ରଥମ ରେକର୍ଡ ସେବେ ସୃଷ୍ଟି ହୋଇଥିଲା, ଯେବେ ସେ ୧୪ ଡିସେମ୍ବର ୨୦୧୩ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମଧ୍ୟପ୍ରଦେଶରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଶିବରାଜଙ୍କ ନାଁରେ ତିଆରି ହେଲା । ଆଉ ଏହାର କିଛି ଦିନ ପରେ ଅନ୍ୟ ଏକ ରେକର୍ଡ ରଚିଥିଲେ ଶିବରାଜ । ପୂର୍ବରୁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କଂଗ୍ରେସର ଦିଗବିଜୟ ସିଂହଙ୍କ ନାଁରେ ଥିବା ବେଳେ ଏହି ଟର୍ମରେ ଏହାକୁ କାଟିଥିଲେ ଶିବରାଜ ସିଂହ ଚୌହାନ । ଏବେ ଶିବରାଜଙ୍କ ନାଁରେ ରେକର୍ଡ ହେଉଛି ଯେ, ରାଜ୍ୟରେ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ଚତୁର୍ଥ ଥର ପାଇଁ ସେ ଶପଥ ନେଇଛନ୍ତି । ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ଦୁଇ ନେତା ଶ୍ୟାମ ଚରଣ ଶୁକ୍ଳା ଏବଂ ଅର୍ଜୁନ ସିଂହ ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଶିବରାଜ କେବଳ ମଧ୍ୟପ୍ରଦେଶରେ ନୁହେଁ, ଦେଶର ଗେରୁଆ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ନୂଆ ରେକର୍ଡ ରଚିପାରନ୍ତି । ଏବେ ବିଜେପି ପକ୍ଷରୁ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନାଁରେ ରହିଛି । ଗେରୁଆ ଦଳର ଏକମାତ୍ର ନେତା ହିସାବରେ ସେ ୧୫ବର୍ଷ ୪ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ୧୩ ବର୍ଷ ୧୭ ଦିନ ସହ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଶିବରାଜ ସିଂହ ଚୌହାନଙ୍କ ଚତୁର୍ଥ ପାଳି ଆରମ୍ଭ ହୋଇଯାଇଛି । 

fallback

ତ୍ରୟାଦଶ ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ କେବଳ ନିଜ ରାଜ୍ୟରେ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ରେକର୍ଡ(ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ) ଭାଙ୍ଗି ନ ଥିଲେ, ସର୍ବଭାରତୀୟ ସ୍ତରରେ ଗେରୁଆ ଦଳର ନେତା ହିସାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟ ରେକର୍ଡ ଭାଙ୍ଗିଥିଲେ । କାହିଁକିନା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେହି ସମୟରେ ଗେରୁଆ ଦଳର ନେତା ଭାବେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମୋଦିଙ୍କ ନାଁରେ ଥିଲା । ବିଜେପିର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ୧୨ ବର୍ଷ ୨୬୬ ଦିନ ପର୍ଯ୍ୟନ୍ତ ଶାସନ କରିଥିଲେ ମୋଦି । ହେଲେ ଏହି ରେକର୍ଡକୁ ପ୍ରଥମେ ତତ୍କାଳିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଦ୍ୱିତୀୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭାଙ୍ଗିଥିଲେ । 

fallback

ଏବେବି ଗେରୁଆ ଦଳର ନେତା ଭାବେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନାଁରେ ଅଛି । ମାତ୍ର ୨୦୧୮ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଉଭୟ ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଜନାଦେଶ ପାଇନଥିଲା ବିଜେପି । ହେଲେ ଏବେ 'ବିଭୀଷଣ ସେନା' ସହାୟତାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବରାଜ । ତେଣୁ ଯଦି ସରକାର ନଭାଙ୍ଗେ, ତେବେ ୨୦୨୨ ମସିହାରେ ରମଣ ସିଂହଙ୍କ ରେକର୍ଡ ମଧ୍ୟ ଭାଙ୍ଗି ନୂଆ ରେକର୍ଡର ଅଧିକାରୀ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । କାହିଁକିନା ମଧ୍ୟପ୍ରଦେଶରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ୨୦୨୩ ଶେଷ ବେଳକୁ ଯାଇ ହେବ । ତେଣୁ ସର୍ବଭାରତୀୟ ସ୍ତରରେ ବିଜେପିର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ନିଜ ନାଁରେ କରିବାକୁ ଶିବରାଜଙ୍କ ପାଇଁ ରହିଛି ବଡ଼ ସୁଯୋଗ । ଅବଶ୍ୟ ଶିବରାଜ ଏ ରେକର୍ଡ ରଚିବେ ନା ନାହିଁ, 'ବିଭୀଷଣ'ଙ୍କୁ ଜଣାଥିବ !