Ramadan 2023: ରମଜାନ ବେଳେ ଜାଳି ଦେଲେ କୁରାନ, ତାତି ଉଠିଲେ ମୁସଲିମ ଦେଶ
Advertisement

Ramadan 2023: ରମଜାନ ବେଳେ ଜାଳି ଦେଲେ କୁରାନ, ତାତି ଉଠିଲେ ମୁସଲିମ ଦେଶ

Denmark Quran Burning: ୟୁରୋପୀୟ ଦେଶ ଡେନମାର୍କର ରାଜଧାନୀ କୋପେନହେଗନ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। କୋପେନହେଗନ ଠାରେ ଅବସ୍ଥିତ ତୁର୍କୀ ଦୂତାବାସ ସାମ୍ନାରେ ରମଜାନ ମାସରେ କୁରାନ ଜଳାଇ ଦିଆଯାଇଛି।

Ramadan 2023: ରମଜାନ ବେଳେ ଜାଳି ଦେଲେ କୁରାନ, ତାତି ଉଠିଲେ ମୁସଲିମ ଦେଶ

Quran Burning In Copenhagen: ରମଜାନ ବେଳେ ଜାଳି ଦିଆଯାଇଛି କୁରାନ। ୟୁରୋପୀୟ ଦେଶ ଡେନମାର୍କର ରାଜଧାନୀ କୋପେନହେଗନ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। କୋପେନହେଗନ ଠାରେ ଅବସ୍ଥିତ ତୁର୍କୀ ଦୂତାବାସ ସାମ୍ନାରେ ରମଜାନ ମାସରେ କୁରାନ ଜାଳିଦେବା ଘଟଣାକୁ ସମାଲୋଚନା କରିଛନ୍ତି ସାଉଦି ଆରବ ରାଜା ସଲମାନ ବିନ୍ ଅବଦୁଲ ଅଜୀଜ୍। କଟ୍ଟର ଦକ୍ଷିଣପନ୍ଥୀ ନେତା ରସମୁସ୍ ପଲୁଦାନଙ୍କ ଦ୍ୱାରା କୁରାନ ଜଳାଇବା କାର୍ଯ୍ୟକୁ ନିନ୍ଦା କରି ସାଉଦି ଆରବ ରାଜା ପାରସ୍ପରିକ ଆଲୋଚନା, ସହନଶୀଳତା ଏବଂ ସମ୍ମାନର ମୂଲ୍ୟବୋଧକୁ ମଜବୁତ କରି ଘୃଣା ଏବଂ ଉଗ୍ରବାଦ ବିସ୍ତାର କରୁଥିବା ସମସ୍ତ ବିଷୟକୁ ପ୍ରତ୍ୟାଖ୍ୟାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ସାଉଦି ଆରବ ପ୍ରେସ ଏଜେନ୍ସି, ସାଉଦି ପ୍ରେସ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ରାଜା ସଲମାନ ବିନ୍ ଅବଦୁଲ ଅଜୀଜ୍  ମଙ୍ଗଳବାର ଜେଦ୍ଦାସ୍ଥିତ  ଅଲ-ସଲାମ ପ୍ୟାଲେସ ଠାରେ କ୍ୟାବିନେଟ ଅଧିବେଶନରେ ଇସଲାମ ଧର୍ମଗ୍ରନ୍ଥ ପବିତ୍ର ପୁସ୍ତକ କୁରାନ ଜାଳିବା ବିଷୟରେ ଆଲୋଚନା କରିଛନ୍ତି।

ଇସଲାମ ବିରୋଧୀ ନେତା ରସମୁସ୍ ପଲୁଦାନ ନିକଟରେ କୋପେନହେଗନ ସ୍ଥିତ ତୁର୍କୀ ଦୂତାବାସ ସାମ୍ନାରେ କୋରାନ କପି ଜାଳି ଦେଇଥିଲେ। ଏହି କଟ୍ଟର ଦକ୍ଷିଣପନ୍ଥୀ ନେତା ଜଣଙ୍କ ଏକ ମସଜିଦ ସାମ୍ନାରେ ଏକ କୁରାନ କପି ଜାଳି ଦେଇଥିଲେ। ଏନେଇ ରସମୁସ୍ ପଲୁଦାନ କହିଛନ୍ତି ଯେ ସ୍ୱୀଡେନ ନାଟୋ ମେଣ୍ଟରେ ଅନ୍ତର୍ଭୁକ୍ତ ନହେବା ପର୍ଯ୍ୟନ୍ତ ସେ ପ୍ରତି ଶୁକ୍ରବାର ଏକ କୁରାନ କପି ଜାଳିବେ। ନାଟୋ ମେଣ୍ଟରେ ସ୍ୱୀଡେନ ଯୋଗ ଦେବାକୁ ଚାହିୁଁଛି। ହେଲେ ତୁର୍କୀ ଏହି ସାମରିକ ସଙ୍ଗଠନରେ ସ୍ୱୀଡେନ ଭଳି ଦେଶ ସାମିଲ ହେବାକୁ ନେଇ ବାଧା ସୃଷ୍ଟି କରୁଛି। ଯେଉଁଥି ପାଇଁ ରସମୁସ୍ ପଲୁଦାନ ତୁର୍କୀ ଦୂତାବାସ ସାମ୍ନାରେ କୁରାନ ଜାଳି ଦେଇଛନ୍ତି।

ଗତ ଜାନୁଆରୀରେ କଟ୍ଟର ଦକ୍ଷିଣପନ୍ଥୀ ନେତା ରସମୁସ୍ ପଲୁଦାନ ଇସଲାମୀୟ ଧର୍ମଗ୍ରନ୍ଥକୁ ଅପମାନିତ କରିଥିଲେ। ରସମୁସ୍ ପଲୁଦାନ ସ୍ୱୀଡେନ ଠାରେ ଏକ କୁରାନ କପି ଉପରେ ଛିଡ଼ା ହୋଇ ଏହାର ଅନ୍ୟ ଏକ ନକଲକୁ ଚିରି ଫାଡ଼ି ଦେଇଥିଲେ। ଏହି କାର୍ଯ୍ୟକୁ ନିନ୍ଦା କରି ସାଉଦି ଆରବ ବୈଦେଶିକ ମନ୍ତ୍ରଣାଳୟ  ପାରସ୍ପରିକ ଆଲୋଚନା, ସହନଶୀଳତା ଏବଂ ସମ୍ମାନର ମୂଲ୍ୟବୋଧକୁ ମଜବୁତ କରିବା ସହ ଉଗ୍ରବାଦକୁ ପ୍ରୋତ୍ସାହିତ କରୁଥିବା ସମସ୍ତ ଜିନିଷକୁ ପ୍ରତ୍ୟାଖ୍ୟାନ କରିବା ଉପରେ ଗୁରୁତ୍ୱାରୋପ କରିଛି।

ସମସ୍ତ ଆରବ ମୁସଲିମ ଦେଶ କୁରାନ ଜଳିବା ଘଟଣାକୁ ନିରନ୍ତର ନିନ୍ଦା କରିଛନ୍ତି। ଇସଲାମିକ୍ ସହଯୋଗ ସଙ୍ଗଠନ ଅଭିବ୍ୟକ୍ତିର ସ୍ୱାଧୀନତା ବାହାନାରେ ଉଗ୍ରବାଦୀ ଦକ୍ଷିଣପନ୍ଥୀ ଗୋଷ୍ଠୀ ପକ୍ଷରୁ ବାରମ୍ବାର ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟକୁ ସମାଲୋଚନା କରିଛି। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ମୁସଲମାନ ଏବଂ ଇସଲାମ ପ୍ରତି ଘୃଣାକୁ ପ୍ରୋତ୍ସାହିତ କରିଥାଏ। ଏହା ସହିତ ମୁସଲିମ ୱାର୍ଲ୍ଡ ଲିଗ୍ କୁରାନ ଜଳିବାକୁ ନିନ୍ଦା କରିବା ସହ କହିଛି ଯେ ଏଭଳି କାର୍ଯ୍ୟ କରି ମୁସଲମାନଙ୍କୁ ଉତ୍ତେଜିତ କରାଯାଉଛି।

ମୁସଲିମ ୱାର୍ଲ୍ଡ ଲିଗ୍ ମହାସଚିବ ଡକ୍ଟର ମହମ୍ମଦ ଅଲ-ଇସା କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ବାହାନାରେ ଉଗ୍ରବାଦୀଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟ ପ୍ରକୃତରେ ସ୍ୱାଧୀନତା ଏବଂ ଏହାର ମାନବିକ ମୂଲ୍ୟବୋଧକୁ କ୍ଷତି ପହଞ୍ଚାଇଥାଏ।  ମହାସଚିବ ଡକ୍ଟର ମହମ୍ମଦ ଅଲ-ଇସା ଚେତାବନୀ ଦେଇଛନ୍ତି ଯେ ଏଭଳି କାର୍ଯ୍ୟ ଦ୍ୱାରା କେବଳ ଘୃଣା ମନୋଭାବ ବ୍ୟାପିଥାଏ ତାହା ନୁହେଁ ବରଂ ଏହା ଦ୍ୱାରା ଧାର୍ମିକ ଭାବନାକୁ କ୍ଷତି ପହଞ୍ଚା ଯାଇଥାଏ। ଏଭଳି କାର୍ଯ୍ୟ କରି ଉଗ୍ରବାଦୀ ଏଜେଣ୍ଡା ପୂରଣ କରାଯାଇଥାଏ। ଯାହାର ଫଳ ସ୍ୱରୂପ ବିଭିନ୍ନ ଧର୍ମ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ କରାଯାଉଥିବା କଥାବାର୍ତ୍ତା ଏବଂ ସମନ୍ୱୟ ରକ୍ଷା ଲାଗି ହେଉଥିବା ପ୍ରୟାସ ବିଫଳ ହୋଇଥାଏ।

ସେହିପରି କୁରାନ ଜାଳିବା ଘଟଣାକୁ ସମାଲୋଚନା କରିଛି ସଂଯୁକ୍ତ ଆରବ ଅମିରାତ। ଏନେଇ କୁହାଯାଇଛି ଏଭଳି କାର୍ଯ୍ୟ ସମାଜକୁ ଅସ୍ଥିର କରିଥାଏ। ଏପରି କାର୍ଯ୍ୟ ମାନବିକ ତଥା ନୈତିକ ନୀତିର ଉଲ୍ଲଂଘନ କରିଥାଏ। ଅନ୍ୟତମ ମୁସଲିମ ଦେଶ ଓମାନ କୁରାନ ଜାଳିଦେବା ଘଟଣାକୁ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ସମୁଦାୟକୁ ଉଗ୍ରବାଦୀ ମତକୁ ଉତ୍ସାହିତ କରୁଥିବା ତଥା ଧର୍ମକୁ କ୍ଷତି ପହଞ୍ଚାଉଥିବା ସମସ୍ତ କାର୍ଯ୍ୟକୁ ଅପରାଧୀକରଣ କରିବାକୁ ଅନୁରୋଧ କରିଛି। ଅନ୍ୟତମ ମୁସଲିମ ଦେଶ କତାର ମଧ୍ୟ କହିଛି ଯେ ରମଜାନ ମାସରେ ଏପରି କାର୍ଯ୍ୟ କରିବା ଦ୍ୱାରା ବିଶ୍ୱର କୋଟି କୋଟି ମୁସଲମାନଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଯିବା ସହ ସେମାନଙ୍କୁ ଉତ୍ତେଜିତ କରାଯାଉଛି।