Gosani Puja: ଜାଣନ୍ତୁ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ପରମ୍ପରା । ଯେଉଁଠି ବାମାୟନ ପଦ୍ଧତିରେ ହୋଇଥାଏ ଗୋଷାଣୀ ମା'ଙ୍କର ପୂଜାର୍ଚ୍ଚନା । ଶ୍ରୀମନ୍ଦିର ଅଗ୍ନିକୋଣରେ ମା' ବିମଳାଙ୍କ ସ୍ୱରୂପ ମା' କାକୁଡିଖାଇଙ୍କୁ ଦର୍ଶନ କରିଥାନ୍ତି ଭକ୍ତ । ପୌରାଣିକ କଥା ଅନୁସାରେ ମହିଷାସୁର ବଦ୍ଧ ପରେ ମା' ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଗୋଷାଣୀ ରୂପରେ ଅବସ୍ଥାନ କରିଥିଲେ ।
Trending Photos
ପୀଠରୁ ମଣ୍ଡପ, ସବୁଠି ମା'ଙ୍କ ଆରାଧନା । କିନ୍ତୁ ଶ୍ରୀମନ୍ଦିରରେ କାହିଁ କେଉଁ କାଳରୁ ଶାରଦୀୟ ଦୁର୍ଗାପୂଜାରେ ତ୍ରିଦିନାତ୍ମକ ଗୋଷାଣୀ ପୂଜା ପରମ୍ପରା ରହି ଆସିଛି । ମା ବିମଳାଙ୍କ ସ୍ୱରୂପ ମା' କାକୁଡିଖାଇଙ୍କୁ ଦର୍ଶନ କରିବା ସହ ମହାନବମୀ ପୂଜାରେ ସାମିଲ ହେଉଛନ୍ତି ଭକ୍ତ ।
ଶ୍ରୀଜଗନ୍ନାଥଙ୍କ ଓଲାଗି ପାଟ୍ଟ ଓ ପ୍ରସାଦ ଆସିବା ପରେ ପୀଠରେ ଗତକାଲି ମହାଅଷ୍ଟମୀ ପୂଜା ହୋଇଥିଲା । ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ପୀଠରେ ଷୋଳ ପୂଜା ଜାରି ରହିଛି । ପୁରାତନ ପରମ୍ପରା ଆଧାରରେ ଶ୍ରୀମନ୍ଦିରରେ ମା' ବିମଳାଙ୍କ ସ୍ୱରୁପ ଭାବେ ଶ୍ରୀମନ୍ଦିର ଅଗ୍ନିକୋଣରେ ମା' କାକୁଡିଖାଇଙ୍କ ପୂଜାର୍ଚ୍ଚନା କରାଯାଉଛି।
ଗୋଷାଣୀ ସଂସ୍କୃତି ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଦଶହରା ପାର୍ବଣକୁ ପୁରୀରେ ଗୋଶାଣି ଯାତ୍ରା ଭାବେ ପାଳନ କରାଯାଏ । ପୌରାଣିକ କଥା ଅନୁସାରେ ମହିଷାସୁର ବଦ୍ଧ ପରେ ମା' ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଗୋଷାଣୀ ରୂପରେ ଅବସ୍ଥାନ କରିଥିଲେ । ଏବେବି ଶ୍ରୀକ୍ଷେତ୍ରରେ କାକୁଡ଼ିଖାଇ, ବାରବାଟି, ଜହ୍ନିଖାଇ, ଶୂନ୍ୟଗୋଷାଣୀ, ବଜ୍ରକୋଟ, ପଣାପ୍ରିୟା, ବେଲବାଇ ଆଦି ନାମରେ ଗୋଷାଣୀ ପୂଜା ପାଉଛନ୍ତି । ତେବେ ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ବହୁ କାବ୍ୟ କବିତାରେ ଗୋସ୍ଵାମୀନୀ, ଗୋଷାମଣୀ ଶବ୍ଦ ବ୍ୟବହୃତ ହୋଇଥିବା ଦେଖାଯାଇଥାଏ । ପରେ ଏହି ଶବ୍ଦ ଅପଭ୍ରଂଶ ହୋଇ ଗୋଷାଣୀ ଶବ୍ଦ ସୃଷ୍ଟି ହୋଇଥିବା ଗବେଷକ ମତ ଦିଅନ୍ତି।
ପୁରୀରେ ବିଭିନ୍ନ ଦେବୀ ମନ୍ଦିରରେ ଶକ୍ତିପୀଠରେ ଠାକୁରାଣୀମାନଙ୍କୁ ଆରାଧନା କରାଯାଇଥାଏ । ଏହି ଦେବୀମାନଙ୍କର ବର୍ଷର ୧୨ ମାସରେ ବିଭିନ୍ନ ପୂଜା ପାର୍ବଣ ଓ ଯାନିଯାତ୍ରା ମଧ୍ୟ ହୋଇଥାଏ । ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସର ମୂଳାଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ତିଥି ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଶାରଦୀୟ ପାର୍ବଣ କାଳରେ ସ୍ୱତନ୍ତ୍ର ପୂଜା ଉତ୍ସବ ହୋଇଥାଏ ।
ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଓଲାଗି ପାଟ୍ଟ ଓ ପ୍ରସାଦ ଆସିବା ପରେ ପୀଠରେ ଦେବୀପୂଜା ଆରମ୍ଭ ହୋଇଥାଏ । ସପ୍ତମୀରେ ଖଡ୍ଗ ପୂଜା ଓ ଅଷ୍ଟମୀରେ ଉଗ୍ରବଳୀ ପୂଜାରେ କାକୁଡି ଓ କୁଷ୍ମାଣ୍ଡ ବଳି ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ ମା' ବିମଳାଙ୍କ ଶୋଳପୂଜା ସମୟରେ ନାରାୟଣୀ, ହରଚଣ୍ଡୀ, ବନଦୁର୍ଗା , ବଗଳା, ଭୁବନେଶ୍ୱରୀ, ଉଗ୍ରତାରା, ସିଂହବାହିନୀ ଓ ଦଶଭୁଜା ପ୍ରଭୃତି ବେଶ କରାଯାଇଥାଏ । ସପ୍ତମୀ ତିଥିରୁ ଶ୍ରୀମନ୍ଦିରରେ ମା' ବିମଳାଙ୍କ ଗୁପ୍ତ ପୂଜା ପରମ୍ପରା ରହିଥିବାରୁ ମା'ଙ୍କର ସ୍ୱରୂପ ଭାବେ ଶ୍ରୀମନ୍ଦିର ବାହାରେ ଥିବା ମା' କାକୁଡିଖାଇଙ୍କୁ ଭକ୍ତମାନେ ଦର୍ଶନ କରିଥାନ୍ତି ।
ବାମାୟନ ପଦ୍ଧତିରେ ଗୋଷାଣୀ ମା'ଙ୍କର ପୂଜାର୍ଚ୍ଚନା ପରମ୍ପରା ରହିଛି । ଅନ୍ୟ ସମସ୍ତ ପୀଠରେ ଦକ୍ଷିଣାୟନ ପଦ୍ଧତିରେ ପୂଜାର୍ଚ୍ଚନା ହେଉଥିବାବେଳେ ଏଠାରେ ବିପରୀତ ପୂଜା ହୋଇଥାଏ । ଏହାସହିତ ପୀଠ ଅନୁସାରେ ଗୋଷାଣୀଙ୍କ ଉଚ୍ଚତା ଭିନ୍ନ ଭିନ୍ନ ହୋଇଥାଏ । ବାରବାଟୀରେ ୧୧ ହାତର ମୂର୍ତ୍ତି ପୂଜା ପାଉଥିବାବେଳେ, ଜହ୍ନିଖାଇଙ୍କ ଉଚ୍ଚତା ୧୦ ହାତରୁ ଅଧିକ ରହିଥାଏ । ସେହିପରି ବେଲବାଇ ଭଳି ଅନ୍ୟ ପୀଠରେ ୧୦ ହାତର ଗୋଷାଣୀ ମୂର୍ତ୍ତି ପୂଜା ପରମ୍ପରା ରହିଆସିଛି । ଏହାସହିତ ପୀଠରେ ନାଗା ମୂର୍ତ୍ତି ମଧ୍ୟ ପୂଜା ପାଇଥାନ୍ତି ।
ଦ୍ୱାଦଶ ଶତାଦ୍ଦୀରେ ଗଙ୍ଗ ରାଜା ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିର୍ମାଣ କରିବା ସମୟରେ ଦେଉଳ ସୁରକ୍ଷା ପାଇଁ ଚତୁଃପାର୍ଶ୍ୱରେ ସାତସାହି ଆଖଡା, ଜାଗା, କୋଟ, ଗଡ ଓ ଗୁରୁଜ ଆଦି ପ୍ରତିଷ୍ଠା କରିଥିଲେ । ଏହି ସ୍ଥାନରେ ହିଁ ଶାରଦୀୟ ଗୋଷାଣୀ ଯାତ୍ରା ପାଳିତ ହେଉଛି । ଶ୍ରୀକ୍ଷେତ୍ରର ଏହି ମୃଣ୍ମୟୀ ମୂର୍ତ୍ତିଙ୍କୁ ଗୋଷାଣୀ ରୂପେ ପୂଜା କରାଯାଏ ।
ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାପ୍ରଭୁଙ୍କର ଏକାଦଶୀ କାଳୀନ ମହାଦୀପ ଉଠିବା ପରେ ଦେବୀ ଗୋଷାଣୀ, ନାଗା ଓ ଅନ୍ୟାନ୍ୟ ମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆ ଯାଇ ମୂଷା ନଦୀର ଦେବୀ ଘାଟରେ ବିସର୍ଜନ କରାଯିବା ପରମ୍ପରା ରହିଛି ।