ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏବେ ଅନେକ ଦେଶରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହାକୁ ମହାମାରୀ ଭଳି ବିପଦପୂର୍ଣ୍ଣ ବିବେଚନା କରାଯାଉଛି ।
Trending Photos
ଆମେ ଏପର୍ଯ୍ୟନ୍ତ COVID-19 ମହାମାରୀ ଓ ଏହାର ମ୍ୟୁଟାଣ୍ଟ ଭାଇରସ କବଳରୁ ମୁକ୍ତ ହୋଇପାରିନାହାଁନ୍ତି । ଏପରି ସମୟରେ ମଙ୍କିପକ୍ସର ବିପଦ ସଙ୍ଗୀନ ରୂପ ଧାରଣ କରୁଛି । ଏପରି ସମୟରେ ଯଦି ଆପଣ ନିଜ ପରିବାର ସହିତ ବିଦେଶ ଭ୍ରମଣ କରିବାକୁ ଚିନ୍ତା କରୁଛନ୍ତି, ତେବେ WHO ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶଗୁଡ଼ିକୁ ଜାଣିବା ଜରୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏବେ ଅନେକ ଦେଶରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହାକୁ ମହାମାରୀ ଭଳି ବିପଦପୂର୍ଣ୍ଣ ବିବେଚନା କରାଯାଉଛି । ଏବେ ଆସନ୍ତୁ ଜାଣିନେବା ମଙ୍କିପକ୍ସକୁ ସର୍ବଶେଷ ତଥ୍ୟ ।
ଡରାଉଛି ମଙ୍କିପକ୍ସ
ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଉଛି ମଙ୍କିପକ୍ସ । ବର୍ତ୍ତମାନ ସୁଦ୍ଧା ଏହା ବିଶ୍ୱର ୨୯ଟି ଦେଶକୁ ବ୍ୟାପି ସାରିଥିବା ନେଇ WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନୋମ୍ ଗେବ୍ରେଏସ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୨୯ଟି ଦେଶରେ ୧୦୦୦ରୁ ଅଧିକ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି । ଯଦିଓ ଏପର୍ଯ୍ୟନ୍ତ ମଙ୍କିପକ୍ସ ସଂକ୍ରମିତଙ୍କ ମୃତ୍ୟୁ ଖବର ଆସିନାହିଁ । WHO ପକ୍ଷରୁ ପ୍ରଭାବିତ ଦେଶମାନଙ୍କୁ ମାମଲା ଚିହ୍ନଟ ସହିତ ଅନ୍ୟ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ମଙ୍କିପକ୍ସ ରୋଗର ବିସ୍ତାରକୁ ରୋକିବା ଏବଂ ପ୍ରଭାବିତ ଲୋକଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଏହି ରୋଗ ପାଇଁ ଆଣ୍ଟିଭାଇରାଲ ଓ ଟିକା ମଧ୍ୟ ପ୍ରଭାବଶାଳୀ ହେବା ସମ୍ଭାବନା ରହିଛି । ଏହାସହିତ ଜନସ୍ୱାସ୍ଥ୍ୟ ଆବଶ୍ୟକତା ଆଧାରରେ ମଙ୍କିପକ୍ସ ପ୍ରତିରୋଧକ ପ୍ରସ୍ତୁତି ପାଇଁ ଗବେଷଣା ଜାରି ରହିଥିବା WHO ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
WHO ଅନୁଯାୟୀ ମଙ୍କିପକ୍ସ ରୋକିବାରୁ ବ୍ୟାପକ ଟିକାକରଣର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ଏହି ରୋଗ ୨୯ଟି ଦେଶରେ ବ୍ୟାପି ସାରିଲାଣି । କୋରୋନା ଭାଇରସ ପରି ମଙ୍କିପକ୍ସ ଲକ୍ଷଣ ଥିବା ବ୍ୟକ୍ତିମାନେ ଘରେ ରହିବା ଉଚିତ ଏବଂ ଯଦି ଆପଣ ସଂକ୍ରମିତ ଲୋକଙ୍କ ସହିତ ଗୋଟିଏ ଘରେ ଥାଆନ୍ତି ତେବେ ସେମାନଙ୍କ ନିକଟତର ହେବା ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମଙ୍କିପକ୍ସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୟୁରୋପ । ୧୫ ଦିନରେ, ୧୫ଟି ଦେଶରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୧୫ଟି ଦେଶ ତାଲିକାରେ ଆମେରିକା, ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ସ୍ୱିଡେନ, ସ୍ପେନ୍, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ, ଜର୍ମାନୀ, ଇସ୍ରାଏଲ, କାନାଡା, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ ଏବଂ ସ୍ୱିଜରଲ୍ୟାଣ୍ଡ ଅନ୍ତର୍ଭୁକ୍ତ ରହିଛି । ଯଦି କୌଣସି କାରଣରୁ ଆପଣ ଏହି ଦେଶଗୁଡିକୁ ଭ୍ରମଣ କରିବାକୁ ଯାଉଛନ୍ତି, ତେବେ ଆପଣ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।
କାହିଁକି ବ୍ୟାପୁଛି ମଙ୍କିପକ୍ସ?
ମଙ୍କିପକ୍ସ ଭାଇରସ ବହୁତ ଛୋଟ ଜୀବନ୍ତ ପାର୍ଟିକଲ ଅଟେ । ସଂକ୍ରମିତ ପ୍ରାଣୀ ଏବଂ ମଣିଷମାନଙ୍କ ସହିତ ଯୋଗାଯୋଗ ମାଧ୍ୟମରେ ମଙ୍କିପକ୍ସ ବିସ୍ତାର କରିଥାଏ । ଏହାର ଟ୍ରାନ୍ସମିସନ ରେଟ ୩.୩ ପ୍ରତିଶତରୁ ୩୦ ପ୍ରତିଶତ ହୋଇପାରେ। କିନ୍ତୁ, ନିକଟରେ କଙ୍ଗୋରେ ଏହି ହାର ୭୩ ପ୍ରତିଶତ ରହିଥିଲା । ଏହି ଭାଇରସ ଚର୍ମ, ଶ୍ୱାସନଳୀ, ଆଖି, ନାକ କିମ୍ବା ପାଟି ଦ୍ୱାରା ଶରୀରରେ ପ୍ରବେଶ କରିପାରେ ।
ମଙ୍କିପକ୍ସ ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ଏକ ବହୁରାଷ୍ଟ୍ରୀୟ ଅନୁମୋଦିତ ଟିକା ହେଉଛି JYNNEOSTM, ଯାହା ଇମଭାଇମୁନ୍ କିମ୍ବା ଇମଭାନେକ୍ସ ନାମରେ ମଧ୍ୟ ପରିଚିତ । ଏହି ଟିକା ଡାନିଶ୍ ଫାର୍ମାସ୍ୟୁଟିକାଲ୍ କମ୍ପାନି ବାଭରିଆନ୍ ନାର୍ଡିକ୍ ଦ୍ୱାରା ପ୍ରସ୍ତୁତ ହୋଇଛି। ଆଫ୍ରିକାରେ ଏହାର ବ୍ୟବହାର ବିଷୟରେ ପୂର୍ବ ତଥ୍ୟ ଅନୁସାରେ ଏହା ମଙ୍କିପକ୍ସ ରୋକିବାରେ ୮୫% ପ୍ରଭାବଶାଳୀ ଅଟେ।