Election Result 2024: ଜିତିଲେ ଆପଣଙ୍କ ପ୍ରିୟ ଯୋଡି, ଦିଗପହଣ୍ଡିରୁ ସିଦ୍ଧାନ୍ତ, ହୁଗୁଳିରୁ ରଚନା
Advertisement
Article Detail0/zeeodisha/odisha2279686

Election Result 2024: ଜିତିଲେ ଆପଣଙ୍କ ପ୍ରିୟ ଯୋଡି, ଦିଗପହଣ୍ଡିରୁ ସିଦ୍ଧାନ୍ତ, ହୁଗୁଳିରୁ ରଚନା

ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ଯୋଡିକୁ ଦୀର୍ଘ ବର୍ଷ ଧରି ଓଡ଼ିଶାବାସୀ ସିନେ ପରଦାରେ ଭଲ ପାଇବା ଦେଇଛନ୍ତି । ଏହି ଯୋଡିଙ୍କ ପ୍ରତିଟି ସିନେମା ଦର୍ଶକଙ୍କର ପ୍ରିୟ ହେବା ସହ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ଉଭୟେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଦଳରୁ ପ୍ରାର୍ଥୀ ଭାବେ ବିଜୟ ଲାଭ କରିବା ପରେ ଦର୍ଶକଙ୍କ ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । 

Election Result 2024: ଜିତିଲେ ଆପଣଙ୍କ ପ୍ରିୟ ଯୋଡି, ଦିଗପହଣ୍ଡିରୁ ସିଦ୍ଧାନ୍ତ, ହୁଗୁଳିରୁ ରଚନା

Election Result 2024: ଚଳିତ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ଓଲିଉଡର ଅନେକ କଳାକାର ଏଥର ନିର୍ବାଚନରେ ପ୍ରାର୍ଥୀ ଭାବେ ଦଳୀୟ ଟିକଟରୁ ନିର୍ବାଚନ ଲଢି ଜିତିବାରେ ସଫଳ ହୋଇଥିବା ସମୟରେ କିଛି ପ୍ରାର୍ଥୀଙ୍କୁ ନିରାଶ ହେବାକୁ ପଡିଛି । ତେବେ ସିନେ ପରଦାର ଆପଣଙ୍କ ପ୍ରିୟ ଯୋଡି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଭିନ୍ନ ସ୍ଥାନରୁ ଭିନ୍ନ ଆସନରୁ ନିର୍ବାଚନରେ ଜିତିବାରେ ସଫଳ ହୋଇଛନ୍ତି ।

ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ତେବେ ସେ ଦଳର ବିଶ୍ୱାସ ଜିତିବାରେ ସଫଳ ହୋଇଛନ୍ତି । ଦିବଂଗତ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ବିଜେଡି ଟିକଟରେ ନିର୍ବାଚନ ଲଢି ସିଦ୍ଧାନ୍ତଙ୍କୁ ଟକ୍କର ଦେବାରେ ସଫଳ ହୋଇପାରିନାହାନ୍ତି । ୧୬ ହଜାରରୁ ଅଧିକ ଭୋଟରେ ବଡ଼ ବିଜୟ ଲାଭ କରିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ନିର୍ବାଚନ ପୂର୍ବରୁ ଦିଗପହଣ୍ଡିରେ ଜୋରଦାର ପ୍ରଚାର କରିଥିଲେ ସିଦ୍ଧାନ୍ତ । ପତ୍ନୀ ମାମା ମିଶ୍ର ମଧ୍ୟ ସ୍ୱାମୀଙ୍କ ବିଜୟଲାଭ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା । ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ ସିଦ୍ଧାନ୍ତ ଫଳରେ ଜନସାଧାରଣ ସିଦ୍ଧାନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଟିକେଟରେ ହୁଗୁଳିରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ଅଭିନେତ୍ରୀ ରଚନା ବାନାର୍ଜୀ । ସେ ସଫଳତାର ସହ ୭୫ ହଜାରରୁ ଅଧିକ ଭୋଟର ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଛନ୍ତି । ବିଜେପି ପ୍ରାର୍ଥୀନୀ ଲକେଟ୍ ଚାଟାର୍ଜୀଙ୍କୁ ହରାଇ ବାଜି ମାରିନେଇଛନ୍ତି ରଚନା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱାସ ଭାଜନ ହେବା ସହ ଜନସାଧାରଣମାନେ ରଚନାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ନିର୍ବାଚନ ପୂର୍ବରୁ ରଚନା ମୈଦାନରେ ଖୁବ ଦମଦାର ପ୍ରଚାର ପ୍ରସାର କରିଥିବା ଦେଖିବାକୁ ମିଳିଥିଲା । କେବଳ ଅଭିନୟରେ ନୁହେଁ ସମାଜସେବାରେ ମଧ୍ୟ ରଚନା ଲୋକଙ୍କ ଅତି ନିକଟତର ହୋଇପାରିଥିବା ସ୍ପଷ୍ଟ ଜଣାପଡୁଛି ।

ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ଯୋଡିକୁ ଦୀର୍ଘ ବର୍ଷ ଧରି ଓଡ଼ିଶାବାସୀ ସିନେ ପରଦାରେ ଭଲ ପାଇବା ଦେଇଛନ୍ତି । ଏହି ଯୋଡିଙ୍କ ପ୍ରତିଟି ସିନେମା ଦର୍ଶକଙ୍କର ପ୍ରିୟ ହେବା ସହ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ଉଭୟେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଦଳରୁ ପ୍ରାର୍ଥୀ ଭାବେ ବିଜୟ ଲାଭ କରିବା ପରେ ଦର୍ଶକଙ୍କ ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଉଭୟେ ସିନେମାରେ ଯେମିତି ହିଟ୍ ରାଜନୀତି ମୈଦାନରେ ଠିକ୍ ସେପରି ଫିଟ୍ ବୋଲି ମତ ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ବିଜୟ ଲାଭ ପରେ ଉଭୟଙ୍କର ଦାୟିତ୍ୱ କଣ ରହୁଛି ଏବଂ ସେମାନେ ନିଜ କର୍ତ୍ତବ୍ୟକୁ କେତେ ସଠିକ ଭାବେ ତ୍ୱରାନ୍ୱିତ କରୁଛନ୍ତି ସେନେଇ ଲୋକଙ୍କ ମନରେ ଅନେକ ଆଶା ରହିଛି ।

Also Read- Election Result 2024: ଭୋଟରଙ୍କ ମାଡରେ ପରିବାର ସଫା, ହାରିଲେ ମାଆ, ପୁଅ, ଜ୍ୱାଇଁ