ଶୀତଳଷଷ୍ଠୀ ଯାତ୍ରା ପାଇଁ ଏବେ ଉତ୍ସଵ ମୁଖର ହୋଇଉଠିଛି ସମ୍ବଲପୁର।
Trending Photos
ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରାର ଆଉ ଗୋଟିଏ ପର୍ବ ପତ୍ରପେଣ୍ଡି ହୋଇଛି ଶେଷ। ଗତକାଲି ରାତିରେ ସମସ୍ତ ପଡାର ପତ୍ରପେଣ୍ଡି ଉତ୍ସଵ ହୋଇଛି ସମାପନ। ପୂର୍ବରୁ ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ଉତ୍ସଵ ଶେଷ ହୋଇଥିବା ବେଳେ ଗତକାଲି ରାତିରେ ଝାଡ଼ୁଆ ପଡା ଆରଣ୍ୟକ ଶୀତଳଷଷ୍ଠୀର ଲୋକନାଥ ବାବା ଏବଂ ମୋଦୀପଡାର ଜାଗେଶ୍ୱର ବାବାଙ୍କ ପତ୍ରପେଣ୍ଡି ଉତ୍ସଵ ଶେଷ ହୋଇଛି। ଏବେ ୪ ତାରିଖରେ ହେବାକୁ ଥିବା ବିବାହ ପାଇଁ ସମସ୍ତଙ୍କ ଅପେକ୍ଷା।
ଗତକାଲି ଝାଡୁଆପଡାର ଲୋକନାଥ ବାବାଙ୍କ ପତ୍ରପେଣ୍ଡି ପର୍ବ ଅନୁଷ୍ଠିତ ହୋଇଯାଇଛି। ଝାଡ଼ୁଆପଡାର ବାବା ଶ୍ରୀ ଲୋକନାଥ ମନ୍ଦିରରେ ବାବାଙ୍କ ପୂଜାର୍ଚ୍ଚନା ପରେ ସପ୍ତଋଷି କନ୍ୟା ଅନ୍ୱେଷଣରେ ବାହାରିଥିଲେ। ବଜା ଗଜା ସହ ମହାଆଡମ୍ବରରେ ଏକ ଶୋଭାଯାତ୍ରାରେ ସପ୍ତଋଷି ସହ ବର ପିତା, ପୂଜକ, ଅନେକ ସ୍ଥାନୀୟ ଅଧିବାସୀଙ୍କ ଗହଣରେ ଏକ ବିରାଟ ପଟୁଆର ନଗର ପରିକ୍ରମା କରିଥିଲା। ସେମାନେ କନ୍ୟା ଅନ୍ୱେଷଣରେ ବାହାରିଥିଲେ। ନଗର ପରିକ୍ରମା ସମୟରେ ସେମାନେ ଜାଣିଲେ ଯେ କ୍ଷେତରାଜପୁର ନିକଟ ପୋଦ୍ଦାର କଲୋନୀ ଅଞ୍ଚଳରେ ସୁନୀଲ ଅଗ୍ରୱାଲଙ୍କ ଘରେ ଏକ ସୁଲକ୍ଷଣ ସର୍ବଗୁଣା ସମ୍ପର୍ଣ୍ଣା କନ୍ୟା ରହିଛି। ତୁରନ୍ତ ସେମାନେ ତାଙ୍କ ଘରକୁ ଯାଇ ବାବା ଲୋକନାଥଙ୍କ ବିବାହ ପାଇଁ ଏହି ସୁଲକ୍ଷଣି କନ୍ୟାକୁ ଦେବା ପାଇଁ କହିଥିଲେ।
ପ୍ରଥମେ କନ୍ୟା ପିତା ଅରାଜି ହେଉଥିଲେ କାରଣ ବାବାଙ୍କ ବାସସ୍ଥାନ କୈଳାଶ ପର୍ବତ ଆଉ ସେ ମଶାଣିରେ ମଧ୍ୟ ରୁହନ୍ତି। ସବୁବେଳେ ଗଞ୍ଜେଇ ଟାଣନ୍ତି। ଏଭଳି ଜଣଙ୍କୁ କିଭଳି ଭାବରେ ତାଙ୍କ କନ୍ୟାକୁ ଅର୍ପଣ କରିବେ ବୋଲି କୁହନ୍ତି। ହେଲେ ବ୍ରାହ୍ମଣ ଓ ସପ୍ତଋଷି ତାଙ୍କୁ ଭଗବାନ ଶିବଙ୍କ ବାବଦରେ କୁହନ୍ତି ଯେ ସେ କେତେ ବଳଶାଳୀ। ସମଗ୍ର ଜଗତର ସଂହାରକର୍ତ୍ତା ଏବଂ ତ୍ରଣକର୍ତା। ଏତେ ସୁନାମ ବାବାଙ୍କ ବାବଦରେ ଶୁଣିଲା ପରେ ତାଙ୍କୁ କନ୍ୟା ଦେବା ପାଇଁ ରାଜି ହୁଅନ୍ତି। ଏହା ପରେ ଶାଳ ପତ୍ରରେ ହଳଦୀ ଗୁଆ, ମିଠେଇ ତାଙ୍କୁ ଧରାନ୍ତି। ଦେବ ବିବାହ ଧାର୍ଯ୍ୟ ହୁଏ। ଏହାକୁ ପତ୍ରପେଣ୍ଡି ବୋଲି କୁହାଯାଏ। ଅଗ୍ରୱାଲ ପରିବାର ଲୋକେ ଖୁସି ଆଉ ଉଲ୍ଲାସର ସହ ବାବାଙ୍କ ପତ୍ରପେଣ୍ଡି ଉତ୍ସଵକୁ ସମାପନ କରିଥିଲେ। ତାଙ୍କର ଅନେକ ବନ୍ଧୁ ତଥା ପରିବାର ଲୋକ ଏହି ଉତ୍ସବରେ ସାମିଲ ହୋଇଥିଲେ। ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଥିଲା ପତ୍ରପେଣ୍ଡି ଉତ୍ସବ।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ତଥା ରେଙ୍ଗାଲୀ ବିଧାୟକ ନାଉରି ନାୟକ ମଧ୍ୟ ଯୋଗ ଦେଇଥିଲେ। ଏନେଇ ସେ କହିଥିଲେ ଯେ ବର୍ତ୍ତମାନ ଶୀତଳଷଷ୍ଠୀ ଯାତ୍ରାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କିଛି ପାଣ୍ଠି ଯୋଗାଇ ଦିଆଯାଉଛି। ହେଲେ ଏପରି ଏକ ମହାନ ପର୍ବ ପାଇଁ ସରକାରୀ ଉଦାସୀନତା ବାବଦରେ କହିଥିଲେ ଯେ ରାଜ୍ୟ ସରକାର ଯେଭଳି ଭାବରେ ଆର୍ଥିକ ସାହାଯ୍ୟ କରୁଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ। ଆହୁରି ଆର୍ଥିକ ସାହାଯ୍ୟ ଦେବା ପାଇଁ ସେ ଦାବି କରିଥିଲେ। ଏହା ସହିତ ସରକାର ଶୀତଳଷଷ୍ଠୀ ପାଇଁ ରାଜ୍ୟ ପର୍ଯ୍ୟଟନ କ୍ୟାଲେଣ୍ଡର ରେ ଛୁଟି ଘୋଷଣାକୁ ଦାବି ମଧ୍ୟ କରାଯାଇଥିଲା।
ଶୀତଳଷଷ୍ଠୀ ପାଇଁ ଏବେ ଉତ୍ସଵ ମୁଖର ସମ୍ବଲପୁର। ଗ୍ରୀଷ୍ମପ୍ରବାହ ଏବଂ ଜନସମାଗମକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।