Bhitarkanika National Park: ଓଡିଶାରେ ୨୫୮.୫୯ ବର୍ଗ କିଲୋମିଟିର ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି ।
Trending Photos
Hental Forest of Bhitarkanika: ପୂର୍ବ ଉପକୂଳ ଓଡିଶାର ଅନନ୍ୟ ସୁରକ୍ଷା କବଚ ହେନ୍ତାଳ ବଣ। ୮୮ ପ୍ରଜାତିର ହେନ୍ତାଳ ବା ଲୁଣାଜଙ୍ଗଲ ପ୍ରକୃତିର ଅନନ୍ୟ ଅବଦାନ। ଭିତରକନିକାର ଲୁଣା ଜଙ୍ଗଲ ବୃଦ୍ଧି ଓ ପର୍ଯ୍ୟଟକ ଏବଂ ଗବେଷକଙ୍କୁ ଏହା ସଂପର୍କରେ ଅବଗତ କରାଇବା ପାଇଁ ଭିତରକନିକାରେ ନିର୍ମାଣ କରାଯାଇଛି ସ୍ଥାୟୀ ମ୍ୟାନଗ୍ରୁଭ ନର୍ସରୀ ଯାହା ଭାରତରେ ପ୍ରଥମ। ଜୈବବିବିଧତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଥିବା ଅପରାଜେୟ ଶକ୍ତି କାରଣରୁ ଲୁଣାଜଙ୍ଗଲ ପରିସରବୃଦ୍ଧି ପାଇଁ କେବଳ ଭାରତ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱାରୋପ କରାଯାଉଛି।
ଓଡିଶାରେ ୨୫୮.୫୯ ବର୍ଗ କିଲୋମିଟିର ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି । ଓଡିଶାର କେନ୍ଦ୍ରାପଡାକୁ ବାଦ ଦେଲେ ବାଲେଶ୍ୱର, ଭଦ୍ରକ, ଜଗସିଂହପୁର ଓ ପୁରୀ ରେ ଲୁଣା ଜଙ୍ଗଲ ରହିଛି । ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ୨୦୨୧ ଫରେଷ୍ଟସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରେ ସାରା ଦେଶରେମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥି ମଧ୍ୟରୁ କେବଳ ଓଡିଶାରେ ୮.୩୪ ବର୍ଗକିମିଲୁଣାଜଙ୍ଗଲବୃଦ୍ଧି ପାଇଛି । ଏହିସଂଖ୍ୟା ମଧ୍ୟରୁ କେବଳ ଭିତରକନିକାରେ ୭.୭୬ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଛି ।
ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ଅବବାହିକାରେ ବିସ୍ତୃତ ହୋଇଥିବା ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା । ଭିତରକନିକାର ଲୁଣାଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟ ବିଶେଷକରି ବାତ୍ୟା ସମୟରେ ଉପକୂଳକୁ ସୁରକ୍ଷା ଯୋଗାଇ ଆସିଛି । ଲୁଣା ଜଙ୍ଗଲର ପରିସରବୃଦ୍ଧି ପାଇ ପ୍ରତି ବର୍ଷ ରାଜନଗର ବନବିଭାଗ ପକ୍ଷରୁ ମ୍ୟାନଗ୍ରୁଭ ପ୍ଲାଂଟେସନ କରାଯାଉଛି । ଭିତରକନିକାରେ ଲୁଣାଜଙ୍ଗଲ ପରିସରବୃଦ୍ଧି ପାଇଁ ଗତ କିଛିବର୍ଷ ହେଲା ବ୍ୟାପକ ମ୍ୟାନଗ୍ରୁଭ ପ୍ଲାଂଟେସନ କରାଯାଉଛି । ମ୍ୟାନଗ୍ରୁଭ ପ୍ଲାଂଟେସନ ପାଇଁ ଆଜି ଯାଏଁ ଯେଉଁସ୍ଥାନରେ ପ୍ଲାଂଟେସନ କରାଯାଇଥାଏ, ତା’ ପୂର୍ବରୁ ସେହି ସ୍ଥାନରେ ଚାରା ପ୍ରସ୍ତୁତ କରାଯ୍ଧବ ଥାଏ ।ଚାରା ପ୍ରସ୍ତୁତ ହେବା ପରେ ପ୍ଲାଂଟେସନ କରାଯାଇଥାଏ । ଭିତରକନିକା ଲୁଣାଜଙ୍ଗଲ ପାଇଁ ପ୍ରସିଦ୍ଧିଲାଭ କରିଥିଲେ ମଧ୍ୟ ଆଜି ଯାଏଁ ସ୍ଥାୟୀ ଲୁଣାଗଛର ନର୍ସରୀ ନଥିଲା ।
ସବୁସ୍ତରରେ ଲୁଣାଜଙ୍ଗଲ ପରିସରବୃଦ୍ଧି ପାଇଁ ଗୁରୁତ୍ୱାରୋପ କରାଯାଉଥିବା ରୁ ରାଜନଗର ବନବିଭାଗ ପକ୍ଷରୁ ପ୍ରଥମଥର ସ୍ଥାୟୀ ମ୍ୟାନଗ୍ରୁଭ ନର୍ସରୀ ନିର୍ମାଣ କରାଯାଇଛି । ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳ ଓ ସାତଭାୟା ଠାରେ ଏହି ନର୍ସରୀ ନିର୍ମାଣକରାଯାଇଛି ।ଲୁଣା ଗଛ ନିମନ୍ତେ ଲୁଣି ପାଣିର ଆବଶ୍ୟକତା ଥିବାରୁ ନର୍ସରୀର ପ୍ରତ୍ୟେକ ବେଡ ନିକଟକୁ ଯେପରି ଲୁଣି ପାଣି ଜୁଆର ସମୟରେ ଆସିବ ଏବଂ ନଦୀର ଛାଡ ସମୟରେ ଛାଡିଯିବ ସେଥି ପାଇଁ ସ୍ଲୁଇସ ନିର୍ମାଣ କରାଯାଇଛି । ଗୋଟିଏ ଏକର ଜମିରେ ଏହି ନର୍ସରୀ ନିର୍ମାଣ କରାଯାଇଛି । ନର୍ସରୀ ମଧ୍ୟ ଲୁଣିପାଣି ଆସିବା ନିମନ୍ତେ ଭିତରକନିକା ନଦୀକୁ ସଂଯୋଗକରିଥିବା ନାଳରେ ୩ଟି ବଡସ୍ଲୁଇସ ନିର୍ମାଣକରାଯାଇଛି ।ଏହି ୩ଟି ସ୍ଲୁଇସ ମାଧ୍ୟମରେ ଲୁଣି ପାଣି ନାଳ ମଧ୍ୟକୁ ଆସିବା ପରେ ସେହି ନାଳରୁ ୬୭ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତ କରାଯାଉଥିବା ବେଡ ପାଖକୁ ଲୁଣି ପାଣି ଆସିବା ପାଇଁ ୩୨ଟି ଛୋଟ ସ୍ଲୁଇସ ନିର୍ମାଣ କରାଯାଇଛି ।
ପାଖାପାଖି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ଏହି ୨ଟି ନର୍ସରୀ କାର୍ଯ୍ୟଶେଷ ହୋଇଛି। ସାରାବିଶ୍ୱରେ ୯୨ ପ୍ରଜାତିର ହେନ୍ତାଳ ବୃକ୍ଷ ଦେଖା ଯାଉଥିବା ବେଳେ ଭାରତରେ ୮୮ ପ୍ରଜାତିର ହେନ୍ତାଳ ବୃକ୍ଷ ଦେଖାଯାଏ । ସେଥିମଧ୍ୟରୁ ଭିତରକନିକାରେ ୮୮ ପ୍ରଜାତିର ମ୍ୟାନଗ୍ରୁଭ ବା ହେନ୍ତାଳ ବୃକ୍ଷ ଦେଖାଯାଏ । ଭିତରକନିକାରେ ଥିବା ସମସ୍ତ ୮୮ ପ୍ରଜାତିର ମ୍ୟାନଗ୍ରୁଭ ବା ଲୁଣାଗଛର ଚାରା ଗୋଟିଏ ସ୍ଥାନରେ ପ୍ରସ୍ତୁତି କରାଯିବା ପାଇଁ ନୂତନ ନର୍ସରୀ ନିର୍ମାଣକରାଯାଇଛି । ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ପାଇଁ ମ୍ୟାନଗ୍ରୁଭ ପ୍ଲାଂଟେସନ ନିମନ୍ତେ ଏହି ନର୍ସରୀରୁ ଚାରା ଯିବ । ଏହା ବାଦେ ଏହି ନର୍ସରୀ ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କୁ ନୂଆବାର୍ତା ଦେବ ।
ଗବେଷକ ଓ ଛାତ୍ରଛାତ୍ରୀମାନେ ଭିତରକନିକାକୁ ବୁଲିବାକୁ ଆସି ଭିତରକନିକାରେ ଥିବା ସମସ୍ତ ୮୮ ପ୍ରଜାତିର ଲୁଣା ଜାତୀୟ ଗଛ ସଂପର୍କରେ ଜ୍ଞାନ ଆହୋରଣ କରିପାରିବେ । ସେଥିପାଇଁ ପ୍ରତ୍ୟେକ ବେଡ ନିକଟରେ ମ୍ୟାନଗ୍ରୁଭ ଗଛର ନାଁ ଓ ଏହାର ବିଶେଷତ୍ୱ ସଂପର୍କରେ ଫଳକ ଲଗା ଯାଇଛି । ଭିତରକନିକା ୧୯୯୮ରେ ଜାତୀୟ ଉଦ୍ୟାନର ମ୍ୟାନତା ପାଇଥିଲେ ମଧ୍ୟ ଆଜି ଯାଏଁ ଭିତରକନିକାରେ ମ୍ୟାନଗ୍ରୁଭର ସ୍ଥାୟୀ ନର୍ସରୀ ନଥିଲା । ଏହି ନର୍ସରୀ ପ୍ରସ୍ତୁତ ହେବା ପରେ ଭିତରକନିକା ସମେତ ଓଡିଶା ର ବିଭିନ୍ନ ସ୍ଥାନରେ ହେନ୍ତାଳ ଜଙ୍ଗଲ ବ୍ୟାପକ ବୃଦ୍ଧି ନେଇ ଆଶା ରଖିଛନ୍ତି ପରିବେଶବିତ୍ । ଆର୍ଦଭୂମି ଅଂଚଳକୁ ସୁରକ୍ଷା ଦେଇ ହେନ୍ତାଳଜଙ୍ଗଲ ବୃଦ୍ଧି ପାଇଁ ବନବିଭାଗର ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।