ଗଞ୍ଜେଇ ମାଫିଆଙ୍କ ପାଇଁ ସୁରକ୍ଷିତ କରିଡର ପାଲଟିଛି କଳାହାଣ୍ଡି
Advertisement
Article Detail0/zeeodisha/odisha1196560

ଗଞ୍ଜେଇ ମାଫିଆଙ୍କ ପାଇଁ ସୁରକ୍ଷିତ କରିଡର ପାଲଟିଛି କଳାହାଣ୍ଡି

ଚେକପୋଷ୍ଟ ଠାରେ ଯାଞ୍ଚ ଅଭାବରୁ ଏପରି ମାଫିଆ ଖସି ଯାଉଥିବାର ମଧ୍ୟ ନଜିର ରହିଛି।

ଗଞ୍ଜେଇ ମାଫିଆଙ୍କ ପାଇଁ ସୁରକ୍ଷିତ କରିଡର ପାଲଟିଛି କଳାହାଣ୍ଡି

କଳାହାଣ୍ଡି: କେତେ ବେଳେ ଜଙ୍ଗଲୀ ରାସ୍ତା ଆଉ କେତେବେଳେ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ସୁରକ୍ଷିତ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ। ଅନେକ ସମୟରେ ହଜାର ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି। ହେଲେ ନୂଆଁ ନୂଆଁ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ଏଭଳି ଏକ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଛି କଳାହାଣ୍ଡି ପୋଲିସ। 

ଏନେଇ ମିଳିଥିବା ଖବର ଅନୁସାରେ  ବିଶାଖାପାଟଣା ଠାରୁ ବିଳାସପୁର ପର୍ଯ୍ୟନ୍ତ କେସିଙ୍ଗା ଦେଇ ଏକ ବୋଲେରୋ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କଳାହାଣ୍ଡି ଏସପି। ପରେ ତାଙ୍କ ନିର୍ଦେଶ କ୍ରମେ କେସିଙ୍ଗା ପୋଲିସ ଏକ ସ୍ୱତନ୍ତ୍ର  ଟିମ ପ୍ରସ୍ତୁତ କରି  ଗାଡି ଚେକିଂ ବାହାନାରେ ଛକି ବସିଥିଲା। ଏହି ସମୟରେ ଗଞ୍ଜେଇ ଭର୍ତ୍ତି ବୋଲେରୋ କେସିଙ୍ଗା ସହର ଦେଇ ଯାଉଥିବା ସମୟରେ ଏହି ଗାଡି କାବୁ କରିଥିଲା କେସିଙ୍ଗା ପୋଲିସ। 

ଏହି ବୋଲେରୋ ଯାଞ୍ଚ କରିବା ପରେ ବେଶ ଅଭିନବ ଉପାୟରେ ଗାଡିର ସିଲିଙ୍ଗ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ବାହାର କରିଥିଲା ପୋଲିସ। ପରେ ଗଞ୍ଜେଇ ଚାଲାଣ ହେଉଥିବା ଏହି ଗାଡିକୁ ଜବତ କରିବା ସହ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା କେସିଙ୍ଗା ପୋଲିସ। ଗିରଫ ୨ ଗଞ୍ଜେଇ ମାଫିଆ ହେଉଛନ୍ତି ଉତ୍ତର ପ୍ରଦେଶର ଅତୁଲ କୁମାର ସୋନି ଏବଂ ସତ୍ୟମ ଦ୍ୱିବେଦୀ ବୋଲି ପୋଲିସ ଜାଣିବାକୁ ପାଇଛି। 

ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଚେକପୋଷ୍ଟ ଠାରେ ଯାଞ୍ଚ ଅଭାବରୁ ଏପରି ମାଫିଆ ଖସି ଯାଉଥିବାର ମଧ୍ୟ ନଜିର ରହିଛି। ଯାହା ଫଳରେ କଳାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଏବେ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ଏବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।