ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ କିଲୋମିଟର ପର୍ଯ୍ୟନ୍ତ ମରାମତି ଚାଲିଛି।
Trending Photos
କଳାହାଣ୍ଡି: ବିଳମ୍ବିତ ମୌସୁମୀ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି। ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ ଜଳ ସେଚନ ବାଧା ପ୍ରାପ୍ତ ହୋଇଛି। ୨୯ ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ପ୍ରଭାବିତ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିକଳ୍ପ ଜଳ ସେଚନ ବ୍ୟବସ୍ଥା କରା ନ ଯିବା ଦ୍ୱାରା ଚାଷୀ ମୁଣ୍ଡରେ ଚଡକ ପଡିଛି। ସେତିକି ନୁହେଁ ଏହି କେନାଲରେ କାମ ଯୋଗୁଁ ଆଗକୁ ଆହୁରି ପାଖାପାଖି ୫ ବର୍ଷ ଜଳ ସେଚନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
କଳାହାଣ୍ଡି ଜିଲ୍ଲା ରାଜ୍ୟର ଦ୍ୱିତୀୟ ଭାତ ହାଣ୍ଡି ହୋଇଥିବା ବେଳେ ଦୂରଦୃଷ୍ଟି ଅଭାବରୁ ବିକଳ୍ପ ବ୍ୟବସ୍ଥା ନ କରି କେନାଲ କାର୍ଯ୍ୟ ପାଇଁ ଜଳଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ କିଲୋମିଟର ପର୍ଯ୍ୟନ୍ତ ମରାମତି ଚାଲିଛି। ସରକାରୀ ଭାବେ ଏହି କାର୍ଯ୍ୟର ସମୟସୀମା ୨ ବର୍ଷ ରହିଥିବା ବେଳେ ୮୪ କିଲୋମିଟର ପର୍ଯ୍ୟନ୍ତ କେନାଲ ମରାମତି ପାଇଁ ଟେଣ୍ଡର ଚୂଡାନ୍ତ ହୋଇନାହିଁ। ଧାନ ଚାଷୀଙ୍କ ମୁଖ୍ୟ ଜୀବିକା ପାଲଟିଥିବା ବେଳେ ବର୍ତ୍ତମାନ କେନାଲ ଲାଇନିଙ୍ଗ ନାମରେ ଚାଷୀଙ୍କୁ ଶକ୍ତ ଧକ୍କା ମିଳିଛି। ବର୍ଷ ବର୍ଷ ଧରି ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ମରାମତି ପାଇଁ ଟେଣ୍ଡର ପରେ ଟେଣ୍ଡର ହୋଇ ଚୂଡାନ୍ତ ହୋଇ ପାରୁନଥିଲା।
ପରେ ଡାହାଣ ମୁଖ୍ୟ କେନାଲର ୪୧ କିଲୋମିଟର ଲାଇଲିଙ୍ଗ କାମ ପାଇଁ ୧୪୯ କୋଟିର ବ୍ୟୟ ଅଟକଳ ହୋଇଛି। କେବଳ କମ୍ପାନୀ ଏହି ଲାଇଲିଙ୍ଗ କାମ ନେଇଥିବା ବେଳେ ଆସନ୍ତା ୨୦୧୪ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବା ପାଇଁ ଟେଣ୍ଡର ରେ ଉଲ୍ଲେଖ ରହିଛି। ସେହିଭଳି ୪୧ କିଲୋମିଟରରୁ ୮୪ କିଲୋମିଟର ପର୍ଯ୍ୟନ୍ତ ୨୨୨ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ଡାହାଣ ମୁଖ୍ୟ କେନାଲର ୦ କିମିରୁ ୮୬ କିମି ପର୍ଯ୍ୟନ୍ତ ଜଳସେଚନ ବାଧାପ୍ରାପ୍ତ ହୋଇଛି। କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଡାହାଣ ମୁଖ୍ୟ କେନାଲର ୨୯ ହଜାର ହେକ୍ଟର ଚାଷ ଜମିରେ ରବି ଚାଷ ହୋଇନଥିବା ବେଳେ ଖରିଫ୍ ଋତୁରେ ଧାନ ଚାଷ କିଭଳି ହେବ ସେ ନେଇ ଏବେ ଚିନ୍ତାରେ ଚାଷୀ। ବିଶେଷ କରି ଜିଲ୍ଲାର କଲମପୁର, ଜୁନାଗଡ଼, ଧର୍ମଗଡ଼ ଅଞ୍ଚଳ ଚାଷୀ କେନାଲ ଲାଇନିଙ୍ଗ କାମ ଦ୍ୱାରା ପ୍ରଭାବିତ ହେବେ।