ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
Advertisement
Article Detail0/zeeodisha/odisha1175116

ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଆସନ୍ନ ବାତ୍ୟା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି। 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ବାତ୍ୟା ପାଇଁ ଘନ ଘନ ବୈଠକ। ଏନେଇ ଜିଲ୍ଲାପାଳଙ୍କୁ ସତର୍କ କରାଯିବା ସହ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ସେପଟେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଛି ସମୀକ୍ଷା।  ବଜାରରେ ବ୍ୟାପକ ଖାଦ୍ୟ ସାମଗ୍ରୀ ମହଜୁଦ ରହିଥିବା ବେଳେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି।

ଆସନ୍ନ ବାତ୍ୟା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି। ବାତ୍ୟା ସମ୍ଭାବନାକୁ ନଜରରେ ରଖି ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ଓଡି଼ଶା ସରକାର। ରାଜ୍ୟ ସରକାର ବାତ୍ୟା ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି। ଜିଲାପାଳଙ୍କୁ ତୃଣମୂଳସ୍ତରରେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ପାଣିପାଗ ବିଭାଗ ଯେତେବେଳେ ଲ୍ୟାଣ୍ଡଫଲ, ବର୍ଷା, ପବନ ବାବଦରେ ସଠିକ ତଥ୍ୟ ଦେବ ସେତେବେଳେ ବାତ୍ୟା ମୁକାବିଲା ଜନିତ ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।

ସେପଟେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ କରାଯାଛି। ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ବିଶେଷ କରି ଏହି ସମୟରେ କଳାବଜାରୀ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ବିଭିନ୍ନ ସାମଗ୍ରୀ ଗଚ୍ଛିତ କରି ରଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। ଆବଶ୍ୟକ ପଡ଼ିଲେ ଦିଆଯିବ। ଭୟଭୀତ ନ ହେବା ପାଇଁ ସମସ୍ତଙ୍କୁ ହାତ ଯୋଡି ନିବେଦନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ବୋଲି କହିଛନ୍ତି ମନ୍ତ୍ରୀ।

ସମ୍ଭାବ୍ୟ ବାତ୍ୟାର ସ୍ଥିତି ରୂପରେଖ ଗତି ନେଇ ସ୍ପଷ୍ଟତା ଆସି ନ ଥିବାବେଳେ ସରକାରୀ ପ୍ରସ୍ତୁତି ଜୋରଦାର ହୋଇଛି। ଅନ୍ୟପଟେ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି କିପରି ରହିଛି ସେ ନେଇ ଜଣାଇଛନ୍ତି ଏସଆରସି ପ୍ରଦୀପ ଜେନା।

  • ଆସନ୍ତାକାଲି ସନ୍ଧ୍ୟା ପରେ ସ୍ପଷ୍ଟ ହେବ ବାତ୍ୟାର ସ୍ଥିତି
  • ଭୟଭୀତ ନ ହେବାକୁ ଲୋକଙ୍କୁ ଅନୁରୋଧ  
  • ରାଜ୍ୟ ସରକାର ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ
  • ୧୮ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି
  • ଗୁରୁବାର ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି
  • NDRF, ODRF ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ସରିଛି
  • ଆମ ପାଖରେ ୧୭ NDRF ଟିମ ଅଛି
  • ୨୦ ଓଡ୍ରାଫ ୟୁନିଟ୍ ଉପଲବ୍ଧ ଅଛି
  • ୧୭୫ ଫାୟାର ଟିମ ମହଜୁଦ ଅଛି
  • ଭୟଭୀତ ହେବାର ଆବଶ୍ୟକତା ନାହିଁ କହିଲେ ଏସଆରସି
  • ବାତ୍ୟା ହେବ ନା ନାହିଁ ତାହାର ସ୍ପଷ୍ଟ ସୂଚନା ନାହିଁ-ଏସଆରସି
  • ଅଯଥାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣନ୍ତୁ ନାହିଁ
  • ବଜାରରେ ଯଥେଷ୍ଟ ସାମଗ୍ରୀ ମହଜୁଦ ଅଛି
  • ଦର ବୃଦ୍ଧି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି
  • ଗ୍ରୀଷ୍ମକାଳୀନ ବାତ୍ୟା ହୋଇଥିବାରୁ ବନ୍ୟା ପରିସ୍ଥିତି ଉପୁଜି ନପାରେ