ଶ୍ରୀହୀନ ଶ୍ରୀଜୀଉଙ୍କ ବନପ୍ରକଳ୍ପ; ସନ୍ଦେହରେ ବନପାଳଙ୍କ କାର୍ଯ୍ୟଶୈଳୀ
Advertisement
Article Detail0/zeeodisha/odisha928846

ଶ୍ରୀହୀନ ଶ୍ରୀଜୀଉଙ୍କ ବନପ୍ରକଳ୍ପ; ସନ୍ଦେହରେ ବନପାଳଙ୍କ କାର୍ଯ୍ୟଶୈଳୀ

ପୁରୁଣାକଟକ ରେଞ୍ଜ ଏବଂ ବୌଦ୍ଧ ରେଞ୍ଜ ଅଧିନରେ ଥିବା ଜଗନ୍ନାଥ ବନପ୍ରକଳ୍ପର ରକ୍ଷଣାବେକ୍ଷଣ ସଠିକ ହୋଇଥିବାରୁ ତାହା ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅନ୍ୟପଟେ ଧଳା ରଙ୍ଗରେ କଳା ଛିଟା ଯେମିତି ଫୁଟି ବାହାରି ଦେଖାଯାଏ, ସେହିପରି ବୌଦ୍ଧ ଜିଲ୍ଲା କଂଟାମାଳ ରେଞ୍ଜ ଅନ୍ତର୍ଗତ ଜୁନାନି ଜଗନ୍ନାଥ ବନପ୍ରକଳ୍ପ ଶ୍ରୀହୀନ ହେବା ଘଟଣା ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଡିଜାଇନ ଫଟୋ

ବୌଦ୍ଧ: ଶ୍ରୀକ୍ଷେତ୍ରର ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ପ୍ରତିବର୍ଷ କାଠର ଆବଶ୍ୟକ ପଡିଥାଏ। ଏହାକୁ ଆଖି ଆଗରେ ରଖି ଜଗନ୍ନାଥ ବନପ୍ରକଳ୍ପ ଯୋଜନାରେ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଛି। ଜିଲ୍ଲାର ପୁରୁଣାକଟକ ରେଞ୍ଜ ଏବଂ ବୌଦ୍ଧ ରେଞ୍ଜ ଅଧିନରେ ଥିବା ଜଗନ୍ନାଥ ବନପ୍ରକଳ୍ପର ରକ୍ଷଣାବେକ୍ଷଣ ସଠିକ ହୋଇଥିବାରୁ ତାହା ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅନ୍ୟପଟେ ଧଳା ରଙ୍ଗରେ କଳା ଛିଟା ଯେମିତି ଫୁଟି ବାହାରି ଦେଖାଯାଏ, ସେହିପରି ବୌଦ୍ଧ ଜିଲ୍ଲା କଂଟାମାଳ ରେଞ୍ଜ ଅନ୍ତର୍ଗତ ଜୁନାନି ଜଗନ୍ନାଥ ବନପ୍ରକଳ୍ପ ଶ୍ରୀହୀନ ହେବା ଘଟଣା ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବୌଦ୍ଧ ବନଖଣ୍ଡ କଂଟାମାଳ ରେଞ୍ଜ (Kantamal range) ଅନ୍ତର୍ଗତ ଜୁନାନୀ ଠାରେ ୨୦୧୫-୧୬ ଆର୍ଥିକ ବର୍ଷରେ ୧୦ ହେକ୍ଟର ପରିସୀମା ଭିତରେ ଫାଶୀ, ଅର୍ଜୁନ, ଗମ୍ଭାରୀ ଭଳି ବିଭିନ୍ନ ପ୍ରଜାତିର ୧୬ ହଜାର ବୃକ୍ଷ ରୋପଣ କରାଯାଇଥିଲା। ଲକ୍ଷ୍ୟ ଥିଲା ଆଗାମୀ ଦିନରେ ତିନି ଦିଅଁଙ୍କ ରଥ ପାଇଁ କାଠ ବାହାରିବ। ଏଥିପାଇଁ ବନବିଭାଗ ସହିତ ଗ୍ରାମ୍ୟ କମିଟି ଦ୍ୱାରା ସୁରକ୍ଷା କରାଯାଇ ଜଙ୍ଗଲ ସୃଷ୍ଟି କରାଯିବ। ଜଗନ୍ନାଥ ବନପ୍ରକଳ୍ପକୁ ଦେଖିଲେ ତିନି ଦିଅଁ ଭାବୁଥବେ ଜୁନାନୀ ଗ୍ରାମର ଜଗନ୍ନାଥ ବନପ୍ରକଳ୍ପରୁ ଆଉ ରଥକାଠ ଆସିବନି। କାରଣ ବାସ୍ତବତା ହିଁ ସେୟା। ଜଗନ୍ନାଥ ବନପ୍ରକଳ୍ପରେ ଲାଗିଥିବା ୧୬ ହଜାର ଗଛ ମଧ୍ୟରୁ ବର୍ତମାନ ୧୦୦ଟି ମଧ୍ୟ ଗଛ ନାହିଁ। କେଉଁଠି ଉଇ ଲାଗି ନଷ୍ଟ ହୋଇଛି ତ କେଉଁଠେ ପତ୍ରପୋଡି ନଷ୍ଟ ହୋଇଛି ଗଛ। ଖରାଦିନେ ଜଗନ୍ନାଥ ବନପ୍ରକଳ୍ପରେ ନିଆଁ ଲାଗିବା ଏବଂ ଜଙ୍ଗଲରୁ ଦୁର୍ବୃତ୍ତ କାଠ ଚୋରି କରିନେବା ସହିତ ରକ୍ଷାଣାବେକ୍ଷଣ ଅଭାବ ହିଁ ଜୁନାନୀ ଜଗନ୍ନାଥ ବନପ୍ରକଳ୍ପ ଶ୍ରୀହିନ ହେବାର ମୁଖ୍ୟ କାରଣ।

Also Read: ଫୁଲବାଣୀରୁ ସମ୍ବଲପୁର ଭାୟା ଅନୁଗୁଳ; ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଅନ୍ୟପଟେ ଗତ ଦେଢ ବର୍ଷ ହେଲା ଜୁନାନୀ ଜଗନ୍ନାଥ ବନପ୍ରକଳ୍ପ (Jagannath Bana Prakalpa) ଦାୟିତ୍ୱରେ ଥିଲେ ବନପାଳ ପ୍ରକାଶ ସେଠୀ। ପୂର୍ବାପେକ୍ଷା ଜୁନାନୀ ବନପ୍ରକଳ୍ପ ସବୁଜ ହେବା ବଦଳରେ ବନପାଳଙ୍କ ଦାୟିତ୍ୱହିନତା ଓ ଦୁର୍ନିତିଖୋର ମନୋଭାବ କାରଣରୁ ତାହା ଶ୍ରୀହୀନ ହେବାକୁ ଲାଗିଥିବା ଜଣାପଡିଛି। ସେହିଭଳି ଓଡିଶାକୁ ସବୁଜ ସୁନ୍ଦର ରଖିବା ସହିତ ଜଳବାୟୁ ପରିବର୍ତ୍ତନ, ଜଳସଙ୍କଟକୁ ଦୂର କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ମହାନଦୀ ମିଶନ (Green Mahanadi Mission) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କଂଟାମାଳ ରେଞ୍ଜ ତେଲନଦୀ କୂଳ ଗମ୍ଭାରୀପଦର ଠାରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରାଯାଇଥିଲା। ଯାହାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ବନପାଳ ପ୍ରକାଶ ସେଠୀ। ୩ ବର୍ଷ ଧରି କଂଟାମାଳରେ ବନପାଳ ଭାବେ ସେ ଦାୟିତ୍ୱରେ ରହିଥିଲେ। ହେଲେ ତାଙ୍କର ଦାୟିତ୍ୱହିନତା ପାଇଁ  ହାତଗଣତି କିଛି ଗଛକୁ ଛାଡିଦେଲେ ଆଜି ବି ଉଧେଇ ପାରୁନି ଗମ୍ଭାରୀପଦର ସବୁଜ ମହାନଦୀ ମିଶନ। 

ଅନ୍ୟପଟେ ଗତ କିଛି ଦିନ ତଳେ କଂଟାମାଳ ରେଞ୍ଜ ଅଧିନସ୍ଥ ଦୁଇଟି ସ୍ଥାନରେ ବୌଦ୍ଧ ଡି.ଏଫ.ଓ ଯଶୋବନ୍ତ ସେଠୀଙ୍କ ନେତୃତ୍ୱରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବେଆଇନ ଫର୍ଣ୍ଣିଚର ସାମାନ, କାଠପଟା ଭଳି ବହୁ ଜିନିଷ ଜବତ କରାଯାଇଥିଲା। ତେବେ ଏହି କାରବାର ବର୍ଷବର୍ଷ ଧରି ଚାଲିଆସୁଥିବାବେଳେ,ଦାୟିତ୍ୱରେ ଥିବା ବନପାଳ ପ୍ରକାଶ ସେଠୀ କିଭଳି ଜାଣି ପାରୁନଥିଲେ, ତାକୁ ନେଇ କେବଳ ଅଚଂଳବାସୀ ନୁହଁ ଖୋଦ ବୌଦ୍ଧ ଜିଲ୍ଲା ମୁଖ୍ୟ ବନଖଣ୍ଡ ଅଧିକାରୀ ମଧ୍ୟ ପ୍ରଶ୍ନ ପଚାରିଛନ୍ତି। ବନପାଳ ପ୍ରକାଶ ସେଠୀଙ୍କ ଗୋଟିଏ ପରେ ଗୋଟିଏ କାର୍ଯ୍ୟଶୈଳୀ ଏବେ କଂଟାମାଳ ଅଚଂଳବାସୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଥିବାବେଳେ ଏ ସମ୍ପର୍କରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେଖାଣିଆ କାର୍ଯ୍ୟନୁଷ୍ଠାନ ନେଇଛନ୍ତି। 

Also Read: ସରକାରୀ ଯୋଜନା ହଡପ କରି ହରଡ଼ଘଣାରେ GRS

କାର୍ଯ୍ୟାନୁଷ୍ଠାନ ନାମରୋ ବନପାଳ ପ୍ରକାଶ ସେଠୀଙ୍କୁ କଂଟାମାଳ ରେଞ୍ଜରୁ ମାଧପୁର ରେଞ୍ଜ ଅଫିସକୁ ବଦଳି କରାଯାଇଛି। ତାଙ୍କୁ କୌଣସି ଫରେଷ୍ଟ ଏରିଆ ଚାର୍ଜ ଦିଆଯାଇନାହିଁ ଏବଂ ତାଙ୍କର କାର୍ଯ୍ୟଶୈଳୀକୁ ନେଇ କୈଫତ ମଗାଯିବା ସହିତ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିଲେ ତାଙ୍କ ଠାରୁ ରିକଭରି କରାଯିବ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି। ଅନ୍ୟପଟେ ସମ୍ପୃକ୍ତ ବନପାଳଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରି ଥିବାବେଳେ କେବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାର କଥା।