President Draupadi Murmu: ଓଡ଼ିଆରେ ପଢା ହେବ ଇଞ୍ଜିନିୟରିଂ: ରାଷ୍ଟ୍ରପତି
Advertisement

President Draupadi Murmu: ଓଡ଼ିଆରେ ପଢା ହେବ ଇଞ୍ଜିନିୟରିଂ: ରାଷ୍ଟ୍ରପତି

President Draupadi Murmu: ଦୁଇ ଦିନିଆ ଗସ୍ତରେ ଆସି ଓଡ଼ିଶା ଫେରିଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ସ୍କୁଲ ବୁଲିଥିଲେ। ସେ ପଢୁଥିବା ସ୍କୁଲ ଯାଇ ପିଲାଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ। 

President Draupadi Murmu: ଓଡ଼ିଆରେ ପଢା ହେବ ଇଞ୍ଜିନିୟରିଂ: ରାଷ୍ଟ୍ରପତି

President Draupadi Murmu: ଭୁବନେଶ୍ୱର: ଦୁଇ ଦୁନିଆ ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu)। ଆଉ ଛାଡ଼ି ଯାଇଛନ୍ତି ନିଜ ପ୍ରଥମ ଗସ୍ତର ଅଭୁଲା ମିଠା ସ୍ମରଣୀୟ ସ୍ମୃତି। ଆଜି ସକାଳୁ ସେ ପ୍ରଥମେ ତପୋବନ (Tapovan High School) ହାଇସ୍କୁଲ, ପରେ ୟୁନିଟ୍ ୨ ସରକାରୀ ବାଳିକା ହାଇ ସ୍କୁଲ୍ ଓ ଶେଷରେ ଜୟଦେବ ଭବନ (Jaydev Bhawan) ଯାଇ ସେଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି ମହୋଦୟା। ଆଉ ଅପରାହ୍ନ ଗୋଟାଏ ୧୫ ମିନିଟରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। 

ଏଣିକି ଓଡ଼ିଶାରେ ଓଡ଼ିଆରେ ପଢ଼ା ହେବ ଇଂଜିନିୟରିଂ ପାଠ। ଏଥିପାଇଁ ଆବଶ୍ୟକ ଓଡ଼ିଆ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବ ତଥା ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗଦାନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି। ନିଜ ଗସ୍ତର ଦ୍ୱିତୀୟ ଦିନରେ ଆଜି ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚିତ କରିଛନ୍ତି। 

ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ସ୍ଥାନୀୟ ଓ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି। ଅତିକମ୍‌ରେ ୫ମ ଗ୍ରେଡ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ ଦିଆଯିବା ଉଚିତ ବୋଲି ଉଲ୍ଲେଖ କରାଯାଇଛି। କେନ୍ଦ୍ର ଶିକ୍ଷା ବିଭାଗର ଏହା ଏକ ପ୍ରେରଣାଦାୟୀ ପଦକ୍ଷେପ। ଏହାଦ୍ୱାରା ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିପାରିବ। ଏହି ଅବସରରେ ସେ କହିଛନ୍ତି, ଇଂରାଜୀ ଭାଷାରେ ଦିଆଯାଉଥିବା ଶିକ୍ଷାକୁ ବହୁ ଛାତ୍ରଛାତ୍ରୀ ବୁଝି ପାରୁ ନାହାନ୍ତି। ତେଣୁ ମାତୃଭାଷାରେ ବୈଷୟିକ ଶିକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ୫୦ ହଜାର ବୈଷୟିକ ଶବ୍ଦର ଓଡ଼ିଆ ଭାଷାନ୍ତର ହୋଇଛି। ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା ପଢ଼ିଲେ ସେମାନଙ୍କ ବୌଦ୍ଧିକ ବିକାଶରେ ଏହା ସହାୟକ ହୋଇପାରିବ। ଏହା ସେମାନଙ୍କ ପାଠପଢ଼ାକୁ ସୁଗମ କରିବ। ସେଥିନିମନ୍ତେ ଇ-କୁମ୍ଭ ଭାରତୀୟ ଭାଷା ପାଇଁ ଜ୍ଞାନର ଦ୍ୱାର ଉନ୍ମୁକ୍ତ କରିବ।

ମାତୃଭାଷାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଗଭୀର ଚିନ୍ତନ ଓ ବିଶ୍ଳେଷଣାତ୍ମକ ଦକ୍ଷତା ବୃଦ୍ଧି ପାଇବ। ଏହାଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନ ଦକ୍ଷତା ବୃଦ୍ଧି ପାଇବ। ତୃଣମୂଳ ସ୍ତରରେ ମେଧାକୁ ବିକଶିତ କରିବାକୁ ଭାରତ ସରକାର ଖୁବ୍‌ ଗୁରୁତ୍ୱ ଦେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍ୱାଭାବିକ ଭାବେ ବିକଶିତ ହେବା ପାଇଁ ସୁଯୋଗ ଦେବା ତଥା ରାଷ୍ଟ୍ର ଗଠନରେ ଅବଦାନ ଦେବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ଶିକ୍ଷା ନୀତି-୨୦୨୦ରେ ଭାରତୀୟ ଆଚାର ବିଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରାଯାଇଛି। ଭାରତ ବର୍ଷର ରୂପାନ୍ତରଣରେ ଏହି ଶିକ୍ଷା ନୀତି ଖୁବ୍‌ ଗୁରୁତ୍ୱ ବହନ କରୁଛି। 

ଏଥିସହ ସେ କହିଛନ୍ତି, ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ। ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟାରତ। ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ। ଏଥିସହ ଓଡ଼ିଆରେ ବୈଷୟିକ ଶିକ୍ଷାଦାନରେ କୌଣସି ଅସୁବିଧା ହେବନି ବୋଲି ଦୃଢ ବିଶ୍ୱାସ ଥିବା କହିଛନ୍ତି ରାଷ୍ଟ୍ରପତି। ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଓଡ଼ିଆ ସମେତ ଅନ୍ୟ ଆଂଚଳିକ ଓ ପ୍ରାଦେଶିକ ଭାଷାରେ ବି ଏହି ଇଞ୍ଜିନିୟରିଂ ପୁସ୍ତକ ସଂକଳନ ଚାଲିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଆଜି ଥିଲା ଦ୍ୱିତୀୟ ଦିନ। ପ୍ରଥମେ ସକାଳ 9 ତା ସମୟରେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଗସ୍ତ କରିଥିଲେ। ସେଠାରେ ପ୍ରାୟ ୪୫ ମିନିଟ୍ ସମୟ ଅତିବାହିତ କରିଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ପ୍ରତିକୂଳ ପରିସ୍ଥିତିରେ କେମିତି ଆଗକୁ ଯିବାକୁ ହେବ ତାହାର ପରାମର୍ଶ ଦେଇଥିଲେ। 
ଏହାପରେ ସେ ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଥିଲେ।  ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଯାଇ ସ୍ମୃତି ରୋମନ୍ଥନ କରିଥିଲେ।  ୧୯୭୦ରୁ ୭୪ ଯାଏ ଏଇଠି ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତ ବେଳେ ନିଜର ୧୩ ଜଣ ସହପାଠିନୀଙ୍କୁ  ମଧ୍ୟ ଭେଟିଥିଲେ ରାଷ୍ଟ୍ରପତି। ଏହାସହ ରାଷ୍ଟ୍ରପତି କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ ଯାଇ ନିଜ ହଷ୍ଟେଲ୍ ଜୀବନୀ ମନେ ପକାଇଥିଲେ।

ସମସ୍ତ ଗସ୍ତ ସାରି ମ୍ୟାଡମ୍ ରାଷ୍ଟ୍ରପତି ଦିଲ୍ଲୀ ଫେରି ଯାଇଛନ୍ତି।  ବିମାନବନ୍ଦରରେ ପହଁଞ୍ଚିବା ପରେ ସେଠାରେ ଅପେକ୍ଷା କରିଥିବା, ରାଜ୍ୟପାଳ,  ମୁଖ୍ୟମନ୍ତ୍ରୀ,  କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି,  ପୋଲିସ କମିଶନର ତାଙ୍କୁ ବିଦାୟ ଜଣାଇ ଥିଲେ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ଥିଲା।