Political Party fund: ଚାନ୍ଦା ଉପରେ ଲାଗିବ ଲଗାମ, ଅଙ୍କୁଶ ପାଇଁ ଚିଠି ଲେଖିଲେ କମିଶନର
Advertisement

Political Party fund: ଚାନ୍ଦା ଉପରେ ଲାଗିବ ଲଗାମ, ଅଙ୍କୁଶ ପାଇଁ ଚିଠି ଲେଖିଲେ କମିଶନର

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ପାଇଁ ବଡ଼ ଝଟକା। ନଗଦ ଚାନ୍ଦା ରାଶିକୁ କମାଇ ବାକୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ କମିଶନର।

ପ୍ରତିକାତ୍ମକ ଫଟୋ

Political Party Fund: ଭୁବନେଶ୍ୱର (ରାଜେଶ ସାମନ୍ତରାୟ) : ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ। ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ହୋଇଛି।  ବିଜେଡି କଂଗ୍ରେସ ବିଜେପିକୁ ଆଙ୍ଗୁଠି ଦେଖାଇ ଥିବା ବେଳେ ବିଜେପି କହିଛି ଏହା ଦୁର୍ନୀତି ମୁକ୍ତ ରାଜନୀତି ଆଣିବ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ପାଇଁ ବଡ଼ ଝଟକା। ନଗଦ ଚାନ୍ଦା ରାଶିକୁ କମାଇ ବାକୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ କମିଶନର। ଏଣିକି ୨୦ ହଜାର ନୁହେଁ ମାତ୍ର ୨ ହଜାର ସର୍ବାଧିକ ନଗଦ ଟଙ୍କା ଗ୍ରହଣ କରିପାରିବେ ରାଜନୈତିକ ଦଳ,  ଯାହାର ହିସାବ ନିର୍ବାଚନ କମିଶନଙ୍କୁ ଦେବାକୁ ପଡ଼ିବ ନାହିଁ। ସେହିପରି ସର୍ବାଧିକ ମୋଟ୍ କ୍ୟାସ୍ ଡୋନେସନ ବା ନଗଦ ଚାନ୍ଦା ୨୦ କୋଟିରେ ସିମୀତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନୂଆ ପ୍ରସ୍ତାବ ଅନୁସାରେ ଯଦି କୌଣସି ରାଜନୈତିକ ଦଳକୁ, ବେନାମୀ ଚାନ୍ଦା ଆକାରରେ ୨ ହଜାରରୁ କମ ଟଙ୍କା ମିଳେ ତେବେ ଏହି ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଆବଶ୍ୟକତା ନାହିଁ।  

ଏବେ ଏହି ଚାନ୍ଦାର ଆକାର ୨୦ ହଜାର ଟଙ୍କା ରହିଛି। ତେବେ ଏହାକୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି ନିର୍ବାଚନ କମିଶନ। ଏହାସହ ଗୋଟିଏ ଦଳକୁ ସର୍ବାଧିକ ମୋଟ୍ କ୍ୟାସ୍ ଡୋନେସନ ୨୦ କୋଟିରେ ସିମୀତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଟଙ୍କା ଉପରେ ସ୍ୱଚ୍ଛତା ଆଣିବାକୁ ଏହି ପ୍ରସ୍ତାବ ଦିଆଯାଇଛି।  ବର୍ତ୍ତମାନ ଥିବା ଆଇନ୍ ଅନୁଯାୟୀ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ। ଏହି ପ୍ରସ୍ତାବ ପରେ ବିଜେଡି ଓ କଂଗ୍ରେସ କହିଛି ଆମେ ମୂଳରୁ ଏହା ଦାବି କରି ଆସୁଛୁ। ଏତେ ବିଳମ୍ବରେ କଣ ପାଇଁ ଚିନ୍ତା କରାଗଲା। ବିଜେଡ଼ି ଦୁଇ ପାଦ ଆଗକୁ ଯାଇ କହିଛି ପ୍ରଶାନ୍ତ ମୁଦୁଲି ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି, ଏହି ନ୍ୟାୟରେ   ଚାଲିଛି। ଚାନ୍ଦା ଦେବା ଏକ ଅଲଗା ପ୍ରକ୍ରିୟା। ଏ ସମ୍ପୂର୍ଣ୍ଣ ପ୍ରକ୍ରିୟା ଯଦି ବନ୍ଦ ହୋଇ ପାରିବ, ତାହେଲେ ଭଲ କଥା।

ବିଜେପି କହିଚି ଏହି ନିୟମ ଆସିବା ଦ୍ଵାରା ନିର୍ବାଚନରେ ସ୍ଵଚ୍ଛତା ରହିବ। କିଏ କେତେ ଟଙ୍କା ପାଉଛି ଜଣା ପଡିଯିବ।  ରାଜନୈତିକ ଦଳ ବେଆଇନ ଭାବେ ଟଙ୍କା ଗ୍ରହଣ କରୁଛି ତାହାର ହିସାବ ନିର୍ବାଚନ କମିସନଙ୍କ ପାଖରେ ରହିବ।

ଅନେକ ରାଜନୈତିକ ଦଳ ଡୋନେସନ ମିଳୁ ନଥିବା ଦର୍ଶାଉଥିବା ବେଳେ ଅଡିଟ୍ ବେଳେ କିନ୍ତୁ ବ୍ୟାପକ ନଗଦ ଟଙ୍କା ଡୋନେସନ୍‌ରେ ମିଳିଥିବା ଜଣାପଡୁଛି। ଏହାସହ ନିର୍ବାଚନରେ ଜଣେ ପ୍ରତିଦ୍ୱନ୍ଦ୍ୱିଙ୍କୁ ଦଳ ୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଦେଲେ ଡିଜିଟାଲ କିମ୍ବା ଆକାଉଣ୍ଟ ପେୟୀ ଚେକ୍ ଆକାରରେ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ନିର୍ବାଚନ କମିଶନଙ୍କ ପ୍ରସ୍ତାବକୁ ଗ୍ରହଣ କରି ଆଇନରେ ପରିବର୍ତ୍ତନ କରାଯାଏ ତେବେ ନିର୍ବାଚନ ଲଢ଼ିବାକୁ ଟଙ୍କା ଗ୍ରହଣ ପାଇଁ ଜଣେ ପ୍ରତିଦ୍ୱନ୍ଦ୍ୱିଙ୍କୁ ଅଲଗା ଆକାଉଣ୍ଟ କରିବାକୁ ପଡ଼ିବ। ଏହାସହ ସମସ୍ତ ଖର୍ଚ୍ଚ ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବାକୁ ବାଧ୍ୟତା ମୂଳକ ହେବ।