Prathamastami: ଆଜି ପ୍ରଥମାଷ୍ଟମୀ, ପୋଢ଼ୁଆଁ ହେଉଛନ୍ତି ଘରର ଜ୍ୟେଷ୍ଠ ସନ୍ତାନ, ଏଣ୍ଡୁରୀ ପିଠା ବାସ୍ନାରେ ଫାଟୁଛି ପୁରପଲ୍ଲୀ
Advertisement
Article Detail0/zeeodisha/odisha1443455

Prathamastami: ଆଜି ପ୍ରଥମାଷ୍ଟମୀ, ପୋଢ଼ୁଆଁ ହେଉଛନ୍ତି ଘରର ଜ୍ୟେଷ୍ଠ ସନ୍ତାନ, ଏଣ୍ଡୁରୀ ପିଠା ବାସ୍ନାରେ ଫାଟୁଛି ପୁରପଲ୍ଲୀ

Prathamastami: ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ । ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ  । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ ।

ସୌଜନ୍ୟ : ସୋସିଆଲ ମିଡିଆ

Prathamastami: ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ । ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ  । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ପ୍ରଥମାଷ୍ଟମୀ ଦିନ ଘରର ବଡ ଅର୍ଥାତ ବଂଶର ବଡ଼ ପୁଅ କିମ୍ବା ଝିଅ ମାନେ ପୋଢ଼ୁଆଁ ହୋଇଥାନ୍ତି । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବାର ପରମ୍ପରା ରହି ଆସିଛି । ମାମୁଁଙ୍କ ତରଫରୁ ମିଳିଥିବା ନୂଆ ପୋଷାକ ପରିଧାନ କରି ବନ୍ଦାପନା ହୋଇଥାନ୍ତି ଭଣଜା ଭାଣିଜୀମାନେ । ଜେ୍ୟଷ୍ଠ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରିବା ସହ ଦୀର୍ଘଜୀବନ କାମନା କରିବା ପାଇଁ ପୂଜାବିଧି ପାଳନ ହୋଇଥାଏ  । ନୂଆବସ୍ତ୍ର ପରିଧାନ କରିସାରିବା ପରେ ଏକ ଭକ୍ତିମୟ ପରିବେଶରେ ଈଶ୍ୱରଙ୍କ ଆଶିଷ କାମନା କରି ବନ୍ଦାପନା କରାଯାଇଥାଏ । ଘରର ମାଆମାନେ ଏହି ପୂଜାବିଧି କରିଥାନ୍ତି ।

ଏହି ଦିନ ପ୍ରତ୍ୟକଙ୍କ ଘରେ ଏଣ୍ଡୁରି ପିଠା ପ୍ରସ୍ତୁତ ହୋଇଥାଏ । ହଳଦି ପତ୍ରରେ ପ୍ରସ୍ତୁତ ଏହି ଏଣ୍ଡୁରୀ ପିଠା ଭୋଗ ହୋଇଥାଏ । ଏବଂ ଏହାକୁ ଘରର ଜ୍ୟଷ୍ଠମାନେ ପ୍ରଥମେ ଖାଇଥାନ୍ତି । ଏହି ଦିନ କେବଳ ପ୍ରତ୍ୟକ ଘରେ ଏଣ୍ଡୁରି ପିଠା ହୋଇଥାଏ । ଏଣ୍ଡୁରୀ ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ହୋଇଥାଏ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୋଇଥାଏ ।

ଏହାବି ପଢନ୍ତୁ : Prathamastami: ଆଜି ପ୍ରଥମାଷ୍ଟମୀ, ପଢ଼ୁଆଁ ହେବେ ବଡ଼ଠାକୁର, ମହାପ୍ରଭୁଙ୍କ ପାଇଁ ମାମୁଁଘରୁ ଆସିଛି ଭାର

ସେପଟେ ଏହି ଦିନ ମଧ୍ୟ ଶ୍ରୀମନ୍ଦିରରେ ବଡ ଠାକୁର ପଢୁଁଆ ହୋଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ପ୍ରଥମାଷ୍ଟମୀର ନୀତି ବଢ଼ିଥାଏ । ବଡ଼ ଠାକୁରଙ୍କୁ ମାମୁଁ ଘରୁ ଆସିଥିବା ନୁଆ ଲୁଗା ପିନ୍ଧା ଯାଇ ବେଶ କରାଯାଇଥାଏ । ପରେ ବନ୍ଦାପନା ନୀତି ଅନୁଷ୍ଠିତ ମଧ୍ୟ ହୋଇଥାଏ । ନିଆଳି ସ୍ଥିତ ମାମୁଁ ଘର ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀକ୍ଷେତ୍ର ପ୍ରତ୍ୟକ ବର୍ଷ  ପଢ଼ୁଆଁ ଭାର ଆସିଥାଏ । ସେହିପରି, ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ପଢୁଆଁ ହେବା ପାଇଁ ଯାଆନ୍ତି  । ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।