World AIDS day 2022: ଏବେ ବି ରାଜ୍ୟରେ ସ୍ଥିତି ସାଙ୍ଘାତିକ, ଚିନ୍ତା ବଢାଇଲା ପଜିଟିଭ୍ ହାର
Advertisement

World AIDS day 2022: ଏବେ ବି ରାଜ୍ୟରେ ସ୍ଥିତି ସାଙ୍ଘାତିକ, ଚିନ୍ତା ବଢାଇଲା ପଜିଟିଭ୍ ହାର

World AIDS day 2022: ଆଜି ବିଶ୍ୱ ଏଡସ୍ ଦିବସ। ଓଡିଶାରେ ଏଡସର ସ୍ଥିତି ସାଙ୍ଘାତିକ ରହିଛି। କେବଳ ଗୋଟିଏ ଜିଲ୍ଲାରେ ଏକ ତୃତୀୟାଂଶ ଏଚଆଇଭି ସଂକ୍ରମିତ ଅଛନ୍ତି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ପ୍ରତିକାତ୍ମକ ଫଟୋ

World AIDS day 2022, ଭୁବନେଶ୍ୱର: ଆଜି ବିଶ୍ୱ ଏଡସ୍ ଦିବସ। ଚଳିତ ବର୍ଷର ଥିମ ରହିଛି Equalize ବା ସମାନତା। କେଉଁ କାଳରୁ ବିଶ୍ୱରେ ଏଚଆଇଭି ଭୂତାଣୁ ରହିଛି ତାହା କାହାକୁ ମଧ୍ୟ ଜଣା ନାହିଁ। କିନ୍ତୁ ଅଶି ଦଶକରେ ପ୍ରଥମ ଥର ମଣିଷ ଦେହରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିଲା। ଏଚଆଇଭି ଏକ ଭୂତାଣୁ ହୋଇଥିବାବେଳେ ଏଡସ୍ ଏକାଧିକ ଅତ୍ୟନ୍ତ ମାରାତ୍ମକ ରୋଗର ସମୁହ। ଏହା ବିଶେଷ କରି ସଂକ୍ରମିତ ରକ୍ତ ଦ୍ୱାରା ବ୍ୟାପୀଥାଏ। ଏଡସ୍ ମୁକ୍ତ ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ଲୋକ ସଚେତନ ହେଉଛନ୍ତି ତଥାପି ସଂକ୍ରମଣ ହାର ଆଶାନୁରୁପକ ହ୍ରାସ ହେଉନାହିଁ। ଓଡିଶାରେ ଏଡସର ସ୍ଥିତି ସାଙ୍ଘାତିକ ରହିଛି। କେବଳ ଗୋଟିଏ ଜିଲ୍ଲାରେ ଏକ ତୃତୀୟାଂଶ ଏଚଆଇଭି ସଂକ୍ରମିତ ଅଛନ୍ତି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଇତିହାସ

ଆଧିକାରୀକ ଭାବେ ୧୯୮୧ ମସିହାରେ ପ୍ରଥମ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଥିଲେ। ୧୯୮୮ ମସିହା ବେଳକୁ ଏହି ସଂଖ୍ୟା ୯୦୦୦୦ରୁ ୧୫୦୦୦୦କୁ ବୃଦ୍ଧି ପାଇଥିଲା। ଯାହାପରେ ବିଭିନ୍ନ ଅନୁଷ୍ଠାନ ଓ ସରକାରଙ୍କ ସହାୟତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ୱ ଏଡସ ଦିବସ ନାମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଗତ ୨୦ ବର୍ଷ ମଧ୍ୟରେ ୩୩ ମିଲିୟନ (୩୦ ବର୍ଷରେ ୩୮ ମିଲିୟନ) ଲୋକ ଏଚଆଇଭି ସଂକ୍ରମିତ ହୋଇଛନ୍ତି। ୧୯୮୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ମିଲିୟନ ଲୋକ ଏଡସରେ ପ୍ରାଣ ହରାଇଛନ୍ତି। ୧୯୯୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରତିବର୍ଷ ଏଡସ ଦିବସରେ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏକ ଥିମ୍ ରଖାଯାଉଛି।

Also Read: World AIDS Day 2022: ପ୍ରତିବର୍ଷ କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ଏଡସ ଦିବସ, ଜାଣନ୍ତୁ ଏହାର କାରଣ

ରାଜ୍ୟର ସ୍ଥିତି

ସେପଟେ ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୫୭୩୫୯ ଜଣ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୭୭ ପ୍ରତିଶତ ଯୁବପିଢି (୨୫-୪୯ ବର୍ଷ) ରହିଛନ୍ତି। ମାଆ ଠାରୁ ଶିଶୁକୁ ବ୍ୟାପୁଥିବା ଏଚଆଇଭି ହାର ୦.୦୩୧ ରହିଛି। ରାଜ୍ୟରେ ସଂକ୍ରମଣ ହାର ୧.୬ ରହିଛି, ଅର୍ଥାତ ପ୍ରତି ୧୦୦୦୦ ନମୂନାରେ ୧୬ଟି ପଜିଟିଭ୍ ବାହାରୁଛି। ଏହା ସହ ପ୍ରତିବର୍ଷ ରାଜ୍ୟରେ ୨୦୦ରୁ ୩୦୦ ଜଣ ଏଡସରେ ପୀଡିତ ହୋଇ ପ୍ରାଣ ହରାଉଥିବା ସୂଚନା ମିଳିଛି। ତେବେ ଆସନ୍ତା ୮ ବର୍ଷରେ ନୂତନ ଏଚଆଇଭି ସଂକ୍ରମଣ ହାର ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଓ ୯୫ ପ୍ରତିଶତ ଆକ୍ରାନ୍ତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଗଞ୍ଜାମରେ ସର୍ବାଧିକ ସଂକ୍ରମଣ

ଏଚଆଇଭି ସଂକ୍ରମଣରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ ରହିଛି। ଏହି ଜିଲ୍ଲାରେ ରାଜ୍ୟର ଏକତୃତୀୟାଂଶ ଆକ୍ରାନ୍ତ ଅଛନ୍ତି। ପୂର୍ବରୁ ଗଞ୍ଜାମରୁ ୩୫ ପ୍ରତିଶତ ଏଚଆଇଭି ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏବେ ଏହି ସଂଖ୍ୟା ୩୦ ପ୍ରତିଶତକୁ ଖସି ଆସିଛି। ବିଗତ ୨୨ ବର୍ଷରେ ଗଞ୍ଜାମରେ ୧୭ ହଜାର ୪୪୮ ଜଣ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୯୯୬ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଆସିକା, ବେଗୁନିଆ, ପୋଲସରା ଓ ପୁରୁଷତ୍ତୋମପୁରରେ ହାଜାରେରୁ ଅଧିକ ଏଚଆଇଭି ସଂକ୍ରମିତ ଅଛନ୍ତି। ସେହିପରି ବ୍ରହ୍ମପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ, କବିସୁର୍ଯ୍ୟନଗର ଭଳି ୧୭ଟି ବ୍ଲକରେ ମାମଲା ୫୦୦ ଉପରେ ଥିବା ଜଣାପଡିଛି। ବିଶେଷ କରି ଦାଦନ ପାଇଁ ଗଞ୍ଜାମ ଜିଲ୍ଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।