UAE President India Tour: ଭାରତ ଗସ୍ତରେ ଆସି ଗୁଜୁରାଟରେ ପହଞ୍ଚିଲେ ୟୁଏଇ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha2051810

UAE President India Tour: ଭାରତ ଗସ୍ତରେ ଆସି ଗୁଜୁରାଟରେ ପହଞ୍ଚିଲେ ୟୁଏଇ ରାଷ୍ଟ୍ରପତି

UAE President Mohammed bin Zayed Al Nahyan: ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ଦଶମ ସଂସ୍କରଣ ଯୋଗଦେବା ପାଇଁ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନ୍ ମଙ୍ଗଳବାର ଭାରତ ଗସ୍ତରେ ଆସି ଗୁଜୁରାଟ ରାଜଧାନୀ ଗାନ୍ଧୀନଗର ଠାରେ ପହଞ୍ଚିଛନ୍ତି। 

UAE President India Tour: ଭାରତ ଗସ୍ତରେ ଆସି ଗୁଜୁରାଟରେ ପହଞ୍ଚିଲେ ୟୁଏଇ ରାଷ୍ଟ୍ରପତି

Vibrant Gujrat Global Summit: ବିଶ୍ୱର ପ୍ରମୁଖ ଶକ୍ତିଶାଳୀ ଦେଶ ଏବେ ଭାରତ ସହ ସମ୍ପର୍କ ମଜବୁତ କରିବାରେ ଲାଗିଛନ୍ତି। ଦେଶର ଅଗ୍ରଗତି ପ୍ରମାଣିତ କରିଛି ଯେ ଭାରତ ବର୍ତ୍ତମାନ ପଛକୁ ଚାହିଁବ ନାହିଁ। ଗୁଜୁରାଟ ଠାରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଚଳିତ ବର୍ଷ ଆୟୋଜିତ ହେଉଥିବା ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ଦଶମ ସଂସ୍କରଣ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ସଂଯୁକ୍ତ ଆରବ ଅମିରାତ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନ୍ ମଙ୍ଗଳବାର ଭାରତ ଗସ୍ତରେ ଆସିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ୟୁଏଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଭାରତ-ୟୁଏଇ ବନ୍ଧୁତା ବର୍ତ୍ତମାନ ପାକିସ୍ତାନ ଲାଗି ଚିନ୍ତା ବଢାଇ ଦେଇଛି। କାରଣ ୟୁଏଇ ପାଖରୁ ମିଳୁଥିବା ସହାୟତା ମଧ୍ୟ ବନ୍ଦ ହୋଇଯାଇପାରେ।

ଗୁଜୁରାଟ ଗାନ୍ଧିନଗର ଠାରେ ଆସନ୍ତା ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ "ଗେଟୱେ ଟୁ ଫ୍ୟୁଚର" ଥିମ୍ ସହ ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ ଆୟୋଜିତ ହେଉଛି। ଯେଉଁଥିରେ ୩୪ ଭାଗୀଦାରୀ ଦେଶ ଏବଂ ୧୬ ସହଭାଗୀ ସଙ୍ଗଠନ ସାମିଲ ହୋଇଛନ୍ତି। ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହ୍ୟାନଙ୍କ ସହ ଏକ ରୋଡ୍ ସୋ କରିଥିଲେ। ଏହି ରୋଡ୍ ସୋ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଅନ୍ୟ ଏକ ଘଟଣା ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରାଧ୍ୟକ୍ଷ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ଗତ ୨୦୧୪ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାସୀନ ହେବା ପରେ ଭାରତ-ୟୁଏଇ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଉନ୍ନତ ହୋଇଛି। ଏହି ସମନ୍ୱୟ ହେତୁ ନିକଟ ଅତୀତରେ ଉଭୟ ଦେଶ ବହୁ ଉପକୃତ ହୋଇଛନ୍ତି। ଗତ ବର୍ଷ ୟୁଏଇ ରାଜଧାନୀ ଆବୁଧାବି ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା। ୟୁଏଇ ସର୍ବୋଚ୍ଚ ନାଗରିକ ପୁରସ୍କାର "ଅର୍ଡର ଅଫ୍ ଜାୟଦ୍" ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁରସ୍କୃତ କରାଯାଇଥିଲା। ଗତ ୨୦୧୪ ବର୍ଷରେ କ୍ଷମତାସୀନ ହେବା ପର ଠାରୁ ପ୍ରଧାନମନ୍ତ୍ରୀ ମୋଦି ୫ ଥର ସଂଯୁକ୍ତ ଆରବ ଅମିରାତ ଗସ୍ତ କରିଛନ୍ତି।

ଭାରତ-ୟୁଏଇ ମଧ୍ୟରେ ସମ୍ପର୍କ ମଜବୁତ ହେବା ପରେ ପାକିସ୍ତାନ ଲାଗି ସମସ୍ୟା ବଢିଯାଇଛି। ପାକିସ୍ତାନ ସରକାରଙ୍କ ପ୍ରତି ଦେଶର ନାଗରିକଙ୍କ କ୍ରୋଧ ବଢୁଥିବାର ସ୍ପଷ୍ଟ ଭାବରେ ଦେଖାଯାଉଛି। ଗତ ୨୦୧୯ ବର୍ଷରେ ପାକିସ୍ତାନ ଅଭିଯୋଗକୁ ଅଣଦେଖା କରି ୟୁଏଇ ଭାରତକୁ ଇସଲାମିକ ସହଯୋଗ ସଙ୍ଗଠନ ବୈଠକରେ ସମ୍ମାନିତ ଅତିଥି ଭାବରେ ନିମନ୍ତ୍ରଣ କରିଥିଲା। ହେଲେ ପାକିସ୍ତାନ ଏହି ବୈଠକକୁ ବହିଷ୍କାର କରିଥିଲା। ଯାହା ପରେ ୟୁଏଇ ସ୍ପଷ୍ଟ କରିଦେଇଥିଲା ଯେ ଏହା ଭାରତ ସହିତ ଏହାର ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ମାନ କରେ।

ଅର୍ଥନୀତି, ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ୟୁଏଇ ମଧ୍ୟରେ ରହିଥିବା ବନ୍ଧୁତା ମଧ୍ୟ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି। ଉଭୟ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ଏହି ନୂତନ ଅଧ୍ୟାୟକୁ "ବିସ୍ତୃତ ରଣନୀତିକ ଭାଗିଦାରୀ" କୁହାଯାଉଛି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବା ସହ ଐତିହାସିକ ସ୍ତରରେ ପହଞ୍ଚିଛି। ଗତ ୨୦୨୧-୨୨ ବର୍ଷରେ ବାଣିଜ୍ୟ ୭୨.୯ ବିଲିୟନ ଡ଼ଲାର ଠାରୁ ବଢି ୨୦୨୨-୨୩ ଆର୍ଥିକ ବର୍ଷରେ  ୮୪.୫ ବିଲିୟନ ଡ଼ଲାର ହୋଇଛି। ଯେଉଁଥିରେ ବାର୍ଷିକ ୧୬ ପ୍ରତିଶତ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳୁଛି।