Odisha Politics And Media: ବିଜେଡିକୁ ଅଡ଼ୁଆରେ ପକାଇଥିବା ଏହି ‘ସମ୍ପାଦକ-ମାଲିକ-ନେତା’ମାନେ
Advertisement
Article Detail0/zeeodisha/odisha1866646

Odisha Politics And Media: ବିଜେଡିକୁ ଅଡ଼ୁଆରେ ପକାଇଥିବା ଏହି ‘ସମ୍ପାଦକ-ମାଲିକ-ନେତା’ମାନେ

Odisha Politics And Media: ନିଜ ଦଳରେ ଥିବା କିଛି ସମ୍ପାଦକ ବା ମାଲିକ ସରକାରଙ୍କୁ ହରଡ଼ ଘଣାରେ ପକାଉଛନ୍ତି। ଅତୀତରେ ଏମିତି ଅନେକ ଖବରକାଗଜ ଓ ଟିଭି ଚ୍ୟାନେଲ୍‍ ସମ୍ପାଦକଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ନିଲମ୍ବନ ବା ବହିଷ୍କାର କରାଯାଇଛି; ତଥାପି ଶାସକ ଦଳ ଯେ ସୁରକ୍ଷିତ ତା ନୁହେଁ। ଆସନ୍ତୁ ଏମିତି କିଛି ସମ୍ପାଦକଙ୍କ ଉପରେ ନଜର ପକାଇବା ଯେଉଁମାନେ ଅତୀତରେ ବା ଏବେ ସରକାରଙ୍କ କଟୁ ସମାଲୋଚକ ହୋଇ ଦଳବିରୋଧୀ ଆଖ୍ୟା ପାଇଛନ୍ତି। 

Odisha Politics And Media: ବିଜେଡିକୁ ଅଡ଼ୁଆରେ ପକାଇଥିବା ଏହି ‘ସମ୍ପାଦକ-ମାଲିକ-ନେତା’ମାନେ

Odisha Politics And Media: କୁହାଯାଏ ରାଜନୀତି ଓ ସାମ୍ବାଦିକତା  ଭିତରେ ଫରକ ଅତ୍ୟନ୍ତ ନଗଣ୍ୟ ।  ଅର୍ଥାତ୍‍ ସାମ୍ବାଦିକଟିଏ ଲୋକଙ୍କ କଥା କହୁକହୁ କେବେ ନେତା ହୋଇଯାଏ ବା ନେତାଟିଏ ସାମ୍ବାଦିକ ହୋଇଯାଏ ତାହା ଜଣାପଡ଼ ନାହିଁ। ଏଣୁ ଏ ଦୁଇ ପେସା ଭିତରେ ଥିବା ଲକ୍ଷ୍ମଣ ରେଖାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଠ ନେତା ତଥା ସାମ୍ବାଦିକମାନେ ଅନେକଥର କହିଛନ୍ତି। 

ଓଡ଼ିଶାର ପ୍ରତିଷ୍ଠିତ ମିଡିଆ ସଂସ୍ଥାଗୁଡ଼ିକୁ ଦେଖିଲେ କିନ୍ତୁ ଏହି ଲକ୍ଷ୍ମଣ ରେଖାଟି ଯେ, ଅନେକ ସ୍ଥାନରେ ଅଦୃଶ୍ୟ ହୋଇଯାଇଛି ତାହା ସ୍ପଷ୍ଟ। ଏଠାରେ ପୁରୁଣା ସଂସ୍ଥା ସବୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ରାଜନୀତି ସହ ଯୋଡ଼ା। ଅର୍ଥାତ୍‍ ଏହାର ସମ୍ପାଦକ ଅଥବା ମାଲିକମାନେ ରାଜନୀତି ସହ ସମ୍ପୃକ୍ତ ରହିଥିଲେ ବା ରହିଛନ୍ତି। ଅପରପକ୍ଷେ ଶାସନକୁ ବାରମ୍ବାର ଆସିବା ପରେ ମଧ୍ୟ ଏଠାର ଶାସକ ଦଳ ବି ନିଜର ଟିଭି ଚ୍ୟାନେଲ୍‍ ଓ ଖବରକାଗଜ ତଥା ବର୍ତ୍ତମାନ ସମୟରେ ଅନେକ ନ୍ୟୁ ମିଡିଆ ଆଉଟ୍‍ଲେଟ ବା ଫ୍ରିଲାନ୍ସ ୟୁଟ୍ୟୁବ୍‍ ଏବଂ ଓ୍ବେବ୍‍ ପ୍ଲାଟ୍‍ଫର୍ମକୁ ପ୍ରୋତ୍ସାହିତ କରି ନିଜ ଆଡ଼କୁ ଜନମତ ରଖିବାର ଚାତୁରୀ କଳାକୁ ଆପଣାଇଛନ୍ତି। 

ଏତେ ପରେ ମଧ୍ୟ ନିଜ ଦଳରେ ଥିବା କିଛି ସମ୍ପାଦକ ବା ମାଲିକ ସରକାରଙ୍କୁ ହରଡ଼ ଘଣାରେ ପକାଉଛନ୍ତି। ଅତୀତରେ ଏମିତି ଅନେକ ଖବରକାଗଜ ଓ ଟିଭି ଚ୍ୟାନେଲ୍‍ ସମ୍ପାଦକଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ନିଲମ୍ବନ ବା ବହିଷ୍କାର କରାଯାଇଛି; ତଥାପି ଶାସକ ଦଳ ଯେ ସୁରକ୍ଷିତ ତା ନୁହେଁ। 
ଆସନ୍ତୁ ଏମିତି କିଛି ସମ୍ପାଦକଙ୍କ ଉପରେ ନଜର ପକାଇବା ଯେଉଁମାନେ ଅତୀତରେ ବା ଏବେ ସରକାରଙ୍କ କଟୁ ସମାଲୋଚକ ହୋଇ ଦଳବିରୋଧୀ ଆଖ୍ୟା ପାଇଛନ୍ତି। 

ବିଜେଡିରେ ସକ୍ରିୟ ସଦସ୍ୟ ରହି ନିଜର ପକ୍ଷଭୁକ୍ତ ମତ ଦେବା ଅଭିଯୋଗରେ ଦଳୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ନେତାଙ୍କ ଭିତରେ ପ୍ରଥମେ ଯେଉଁ ନାଁ ଆସିବ ସେଥିରେ ଅଛନ୍ତି ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଓଟିଭିର ସମ୍ପାଦକ ବା ସିଧାସଳଖ ମାଲିକ ନହେଲେ ବି ତାଙ୍କ ପରିବାର ମାଲିକାନାରେ ଏ ସଂସ୍ଥା ରହିଛି। ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାର ଏହାର ମାଲିକ। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଭିତରେ ଯେଉଁ ପରିଚାଳନାଗତ ପରିବର୍ତ୍ତନ ଆସିଥିଲା ସେଥିରେ ନିଜକୁ ଖାପ ଖୁଆଇ ପାରି ନଥିଲେ ବୈଜୟନ୍ତ। ତାଙ୍କ ଟିଭି ଚ୍ୟାନେଲ୍‍ ବର୍ତ୍ତମାନର ୫-ଟି ସଚିବ ଭିକେ ପାଣ୍ଡିଆନ (5t secretary vk pandian)ଙ୍କୁ ସମାଲୋଚନା କରିଥିଲା। ସେ ମଧ୍ୟ ତାଙ୍କ ବିରୁଦ୍ଧରେ ମତ ଦେଇଥିଲେ। ସେତେବେଳେ ପାଣ୍ଡିଆନ୍‍ଙ୍କ ଫଟୋଟିଏ ମଧ୍ୟ ମିଳିବା କଷ୍ଟକର ଥିଲା। ହେଲେ ପଣ୍ଡାଙ୍କ ଏହି ବିରୋଧ ତାଙ୍କୁ ଦଳ ବିରୋଧୀ ବା ସ୍ୱାର୍ଥବାଦୀ ବୋଲି ଆଖ୍ୟା ଦେଲା। ଯେଉଁ ଲୋକେ ପାଣ୍ଡିଆନ୍‍ଙ୍କୁ ଚିହ୍ନି ନଥିଲେ ସେମାନେ ଜାଣିଗଲେ।  ଆଉ ନିଜକୁ ପ୍ରତିଷ୍ଠାତା ସଦସ୍ୟ କହୁଥିବା ଶ୍ରୀ ପଣ୍ଡାଙ୍କୁ ମିଳିଥିଲା ଦଳ ବାହାରକୁ ଯିବାର ରାସ୍ତା। ଏମତି ପରିସ୍ଥିତି ଉପୁଜିଥିଲା ଯେ, ଏକଦା ନବୀନଙ୍କ ସହ ପାରିବାରିକ ସମ୍ପର୍କ ରକ୍ଷା କରିଥିବା ବୈଜୟନ୍ତଙ୍କ ପିତା ବଂଶୀଧରଙ୍କୁ ଶେଷ ଦର୍ଶନ କରିବାକୁ ମଧ୍ୟ ଯାଇ ନଥିଲେ ନବୀନ। ତାଙ୍କ ଟିଭି ଚ୍ୟାନେଲ୍‍କୁ ସରକାରୀ ବିଜ୍ଞାପନ (Government advertisement) ବନ୍ଦ କରିଦିଆଗଲା। ଶେଷରେ ଶ୍ରୀ ପଣ୍ଡା ଦଳ ଛାଡ଼ି ବିଜେପିରେ ମିଶିଲେ। ଟିଭି ଚ୍ୟାନେଲରେ ଭିଜିଲାନ୍ସ ଚଢ଼ଉ କରାଗଲା। ଏଭିତରେ ଯଦିଓ ଅନେକ ବର୍ଷ ବିତିଛି, ରାଜ୍ୟ ଆଉ ଏକ ସାଧାରଣ ନିର୍ବାଚନକୁ ଯାଉଛି କିନ୍ତୁ ରାଜନୀତି ଓଲଟା ମୋଡ଼ ନେଇ ନାହିଁ। ଆଜି ଯାଏ  ଏହି ଟିଭି ଚ୍ୟାନେଲ୍‍ ସରକାରୀ ବିଜ୍ଞାପନରୁ ଦୂରରେ ରହିଛି। 

ସେତେବେଳେ ନବୀନଙ୍କ ଏହି ନୀତି ଅନେକ ଛୋଟବଡ଼ ମିଡିଆ ସଂସ୍ଥାକୁ ଭୟଭୀତ କରିଥିଲା। ଅନେକ ସରକାରୀ ନିୟମକୁ ମାନି ନିଜ ମୁହଁ ଚୁପ୍‍ ରଖିଲେ। କିନ୍ତୁ ମଝିରେ ମଝିରେ କଟକ ସାଂସଦ ନିଜର ତୁଣ୍ଡକୁ ସମ୍ଭାଳି ନପାରି ନିଜ ଦ୍ୱାରା ପରିଚାଳିତ ଓ ସମ୍ପାଦିତ ଖବରକାଗଜ ‘ପ୍ରଜାତନ୍ତ୍ର’ରେ ମନ୍ତବ୍ୟ ଦେବା ଆରମ୍ଭ କଲେ। ଏହା ଓଡ଼ିଶାରେ ରାଜନୀତିକ ହଲ୍‍ଚଲ ସୃଷ୍ଟି କଲା। ଦଳରେ ସେ ଏବେ ପ୍ରାୟ କୋଣଠେସା । କୁହାଯାଉଛି ସେ ଏବେ ଦଳରେ ଥାଇ ବି ନଥିଲାଭଳି। ଏପରିକି କଟକ ଟିକଟ ତାଙ୍କ ପାଇଁ ଆଉ ନାହିଁ ବୋଲି ବି ଚର୍ଚ୍ଚା ହେଉଛି। 

ଏ ଭିତରେ ଆଉ ଜଣେ  ସମ୍ପାଦକ ଯିଏ ନିଜର ରାଜନୈତିକ କ୍ୟାରିୟରରୁ ପ୍ରାୟତଃ ସନ୍ୟାସ ନେଇ ସାରିଛନ୍ତି ସେ ହେଲେ ତଥାଗତ ସତପଥି। ଶ୍ରୀ ସତପଥି ହେଉଛନ୍ତି ଦୈନିକ ‘ଧରିତ୍ରୀ’ର ସମ୍ପାଦକ। ଏ ଖବରକାଗଜ ଦିନେ ଓଡ଼ିଶା ଲୋକଙ୍କ ସ୍ୱର ଥିଲା।  ନବୀନଙ୍କ ପୂର୍ବରୁ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ରାଜନୀତିକ କ୍ୟାରିୟରକୁ  ଧରାଶାୟୀ କରିବାରେ ଏ ଖବରକାଗଜର ଯଥେଷ୍ଟ ଭୂମିକା ଥିଲା। ଓଡ଼ିଶା ରାଜନୀତିରେ ବି ସଂସ୍କାର ତଥା ଅଣ ରାଜନୀତିକ କାରକଙ୍କୁ ଦୂରରେ ରଖିବାକୁ ଚାହିଁଥିଲେ ଏହାର ସମ୍ପାଦକ। ନିଜର ସମ୍ପାଦକୀୟ ମାଧ୍ୟମରେ ଶାଣିତ ମନ୍ତବ୍ୟ ଦେଇ ସେ ବି ହେଲେ ପରିଚାଳନା ଗୋଷ୍ଠୀର ଶିକାର। ଦଳରେ ଅଛନ୍ତି କିନ୍ତୁ ନଥିଲା ଭଳି। ଖବରକାଗଜରେ ଏବେ ଯଦିଓ ପୂର୍ବଭଳି ଆଉ ରାଜନୀତିକ ସମ୍ପାଦକୀୟ ପ୍ରକାଶ ପାଉ ନାହିଁ କିନ୍ତୁ ସେ ଯେ ସରକାରଙ୍କୁ ନିଜର ହାତଗଣତି ଲେଖା ମାଧ୍ୟମରେ ହରଡ଼ଘଣାରେ ପକାଇଥିଲେ ତାହାକୁ କେହି ଭୁଲିପାରିବେ ନାହିଁ। 

ଏବେ ଯେଉଁ ସମ୍ପାଦକଙ୍କୁ ନେଇ ଓଡ଼ିଶାର ରାଜନୀତି କୁଦା ମାରୁଛି ସେ ହେଲେ ‘ସମ୍ବାଦ’ର ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ନିକଟରେ ତାଙ୍କର ଦୁଇଟି ସମ୍ପାଦକୀୟ ରାଜନୀତିକୁ ବେଶ୍‍ ଗରମ କରିଥିଲା।  ଦଳକୁ ନେତା ନୁହେଁ ଜଣେ ଅମଲାତନ୍ତ୍ରୀ ପରିଚାଳନା କରୁଛନ୍ତି କହି ଶ୍ରୀ ପାଣ୍ଡିଆନ୍‍ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହା ସହ ଶ୍ରୀ ପଟ୍ଟନାୟକ ବିଜେଡିର ନେତାଙ୍କୁ ଅସହାୟ ବୋଲି ଚିତ୍ରଣ କରିଥିବାବେଳେ ପ୍ରଶାସକଙ୍କୁ ଆତ୍ମବିଭୋର ପ୍ରଶାସକ ବେଲି କହିଛନ୍ତି। ଏହି ଆଲେଖ୍ୟ ବେଶ ପାଠକୀୟ ଅଦୃତି ଲାଭ କରିଥିଲା। ପରେ ତାଙ୍କୁ ଜଣେ ଅସ୍ଥିର ରାଜନେତା ଭାବେ ଚିତ୍ରଣ କରିଥିଲେ ବିଜେଡି ମୁଖପାତ୍ର। ନିଜର ଲୋଭ ଚରିତାର୍ଥ ନହେଉଥିବାରୁ ସେ ଏପରି ବିକଳ ହେଉଛନ୍ତି ବୋଲି କହିଥିଲେ।  ଏହାପରେ ଏବେ ଅଭିଯୋଗ ଯେ, ତାଙ୍କ ସମ୍ପାଦିତ ଖବରକାଗଜକୁ ବି ସରକାର ବିଜ୍ଞାପନ ବନ୍ଦ କରିଛନ୍ତି। ସରକାରଙ୍କ ପକ୍ଷରୁ ବିଜ୍ଞାପନ ପ୍ରଦାନ ଲାଗି ସ୍ୱତନ୍ତ୍ର ନୀତି ରହିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜନୀତିକ ପଟ୍ଟଭୂମିରେ ଏହି ନୀତିକୁ କାର୍ଯ୍ୟକାରୀ କରିବା ସମ୍ପାଦକଙ୍କୁ ବି ହରଡ଼ ଘଣାରେ ପକାଇଛି। ଅର୍ଥାତ୍‍ ଓଡ଼ିଶାରେ ଉଭୟ ରାଜନୀତି ଓ ମିଡିଆ ପଡ଼ିଛନ୍ତି ଅଠାକାଠିରେ। ଆସନ୍ତା ନିର୍ବାଚନ ଯାଏ ଏ ଅଠାକାଠି କାହାକୁ ଧରୁଛି ଆଉଁ କାହାକୁ ଛାଡ଼ୁଛି ତାହାକୁ ଅପେକ୍ଷା।

Also Read- ବାଛୁରି ଜନ୍ମ ନହୋଇ ୧୨ ବର୍ଷ ହେବ କ୍ଷୀର ଦେଉଛି ନନ୍ଦିନୀ, ଲୋକେ କହୁଛନ୍ତି ଚମତ୍କାର

Also Read- Travel News: ବୈଷ୍ଣୋ ଦେବୀ, ହରିଦ୍ୱାର ଏବଂ ମଥୁରା ଯାଉଛନ୍ତି କି? ଅକ୍ଟୋବରରେ ମିଳୁଛି ବଡ଼ ଉପହାର