Top 10 News: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ..
Advertisement
Article Detail0/zeeodisha/odisha1942229

Top 10 News: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ..

Top 10 News: ପାଟଣା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‍ ଚକ୍ରଧାରୀ ଚରଣ ସିଂହ ହେବେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି। ଶ୍ରୀଲଙ୍କା ବିପକ୍ଷରେ ଭାରତ ଆଜି ଏକ ବିଶାଳ ବିଜୟ ଅର୍ଜନ କରିଛି। ୩୦୨ ରନ୍‍ରେ ବିଜୟ ଲାଭ କରି ଏକ ନୂତନ ଇତିହାସ ସୃଷ୍ଟି କରିଛି। ସଂସଦର ସଦାଚାର କମିଟି ମୁଖ୍ୟଙ୍କୁ ତୃଣମୂଳ ସାଂସଦ  ମହୂଆ ମୈତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପଢ଼ନ୍ତୁ ପୂରା ଖବର...

Top 10 News: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ..

1.ପାଟଣା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‍ ଚକ୍ରଧାରୀ ଚରଣ ସିଂହ ହେବେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି। ଏନେଇ ସୁପ୍ରିମକୋର୍ଟଙ୍କ କଲିଜିୟମ ସୁପାରିସ କରିଛନ୍ତି। ଅକ୍ଟୋବର ୩ ତାରିଖରେ ଜଷ୍ଟିସ୍‍ ସୁଭାଶୀଷ ତାଳପତ୍ରଙ୍କ ଅବସରପରେ ଓଡ଼ିଶା ହାଇକୋର୍ଟରେ ଏହି ପଦବୀ ଖାଲି ପଡ଼ିଥିଲା।   ଜଷ୍ଟିସ୍‍ ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏଣୁ ଏହି ଆବଶ୍ୟକତାକୁ ନଜରରେ ରଖି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ କଲିଜିୟମ୍‍ ଜଷ୍ଟିସ୍‍ ସିଂହଙ୍କ ନାଁ ସୁପାରିସ କରିଛନ୍ତି। ଜଷ୍ଟିସ୍‍ ଚକ୍ରଧାରୀ ୧୯୯୦ ମସିହାରୁ ଜଣେ ଆଇନଜୀବୀ ଭାବେ ନିଜର ପେସା ପାଟଣା ହାଇକୋର୍ଟରେ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍‍ ଜେନେରାଲ୍‍ ହୋଇଥିଲା। ୫ ଏପ୍ରିଲ୍‍ ୨୦୧୨ ମସିହାରେ ତାଙ୍କୁ ପାଟଣା ହାଇକୋର୍ଟଙ୍କ ଜଜ୍‍ ଭାବେ ମେନାନୀତ କରାଯାଇଥିଲା।

2.ଭାରତର ବିଶାଳ ବିଜୟ: ଶ୍ରୀଲଙ୍କା ବିପକ୍ଷରେ ଭାରତ ଆଜି ଏକ ବିଶାଳ ବିଜୟ ଅର୍ଜନ କରିଛି। ୩୦୨ ରନ୍‍ରେ ବିଜୟ ଲାଭ କରି ଏକ ନୂତନ ଇତିହାସ ସୃଷ୍ଟି କରିଛି। ଆଜି ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚ୍‍ ରେ ଶ୍ରୀଲଙ୍କା ଟସ୍‍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଦେଇଥିଲା। ଏହାପରେ ଭାରତୀୟ ଟିମ୍‍ ୩୫୭ ରନ୍‍ ସଂଗ୍ରହ କରିଥିଲେ। ଜବାବରେ ଶ୍ରୀଲଙ୍କାର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଗୋଟିକ ପରେ ଗୋଟିଏ ଓ୍ୱିକେଟ୍‍ ହରାଇ ଚାଲିବାରୁ ଶ୍ରୀଲଙ୍କା ମାତ୍ର ୫୫ ରନ୍‍ରେ ଅଲ୍‍ଆଉଟ୍‍ ହୋଇ ପରାଜୟ ସ୍ୱୀକାର କରିଛି।

3.ସେମିରେ ଭାରତ: ବିଶ୍ୱକପ୍‍ ୨୦୨୩ରେ ଏଯାଏ ଅପରାଜେୟ ରହିଥିବା ଭାରତୀୟ କ୍ରିକେଟ୍‍ ଟିମ୍‍ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ୭ଟିରୁ ୭ଟିଯାକ ମ୍ୟାଚ୍‍ ଜିତି ୧୪ ପଏଣ୍ଟ ହାସଲ କରିଛି ଭାରତ। ଅନ୍ୟ କୌଣସି ଦଳ ଏଯାଏ ଏହି ରେକର୍ଡ ପ୍ରତିଷ୍ଠା କରିନାହାନ୍ତି। ସେହିପରି ବାଂଲାଦେଶ ବିଶ୍ୱକପ୍‍ କ୍ରିକେଟ୍‍ ୨୦୨୩ ଟୁର୍ଣ୍ଣାମେଣ୍ଟ ସେମିରୁ ବାଦ୍‍ ପଡ଼ିଛି।

4.ମହୂଆଙ୍କ ବ୍ୟବହାରରେ କମିଟି ଖପ୍ପା: ସଂସଦର ସଦାଚାର କମିଟି ମୁଖ୍ୟଙ୍କୁ ତୃଣମୂଳ ସାଂସଦ  ମହୂଆ ମୈତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅସାମ୍ବିଧାନିକ ଭାଷା ବ୍ୟବହାର ସହ ସଦାଚାର କମିଟି ବିରୁଦ୍ଧରେ ମନ୍ତବ୍ୟ ଦେଇଥିବା କହିଛନ୍ତି ସଦାଚାର କମିଟି ଅଧ୍ୟକ୍ଷ ବିନୋଦ ସୋଙ୍କର।   ଏପରିକି ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ କରୁଥିବା କମିଟି ବୈଠକକୁ ଅଧାରୁ ଉଠି ଚାଲିଯାଇଥିବା ମଧ୍ୟ ଶ୍ରୀ ସୋଙ୍କର କହିଛନ୍ତି।

5.ଆଜି ମେଘୁଆ ପାଗ ସହ ବର୍ଷା: ପୂର୍ବାଳି ତରଙ୍ଗ ଓ ପଶ୍ଚିମା ଝଡ଼ର ପ୍ରଭାବରେ ଆଜି ଓଡ଼ିଶାର ଆକାଶ ମେଘୁଆ ରହିବା ସାଙ୍ଗକୁ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଭିନ୍ନ ସ୍ଥାନରେ ଆସନ୍ତା ୩ ଦିନ ଯାଏ ତାପମାତ୍ରା ବୃଦ୍ଧି ଆଶଙ୍କା ରହିଛି। ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ଭୁବନେଶ୍ୱରର ହାରାହାରି  ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ରହିବ।

6.ଶ୍ରାବଣୀ ନନ୍ଦଙ୍କୁ ସ୍ୱର୍ଣ୍ଣ: ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଚି। ଗୋଆଠାରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ତାଙ୍କୁ ଏହି ସମ୍ମାନ ମିଳିଛି। ସେ ପୂର୍ବରୁ ୧୦୦ ମିଟର ଦୌଡ଼ରେ ରୌପ୍ୟ ପାଇଥିଲେ।

7.ମହେଶ୍ୱର ମହାନ୍ତି ଅସୁସ୍ଥ: ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ର ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଆଇସିୟୁରେ ରଖାଯାଇଛି।  ସ୍ନାୟବିକ ରୋଗରେ ପୀଡ଼ିତ ଶ୍ରୀ ମହାନ୍ତିଙ୍କ ଯତ୍ନ ଏକ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନେଉଥିବା ହସ୍‍ପିଟାଲ୍‍ ପକ୍ଷରୁ କୁହାଯାଇଛି।

8.ଶରତ ମିଶ୍ରଙ୍କ ଦେହାନ୍ତ:  ବର୍ଷିୟାନ ସାମ୍ବାଦିକ ତଥା ସମାଜର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ଆଜି ସନ୍ଧ୍ୟା ୬ଟାରେ ପରଲୋକ ହୋଇଛି।  ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ, ହେଲେ ସେ ଦୀର୍ଘଦିନ ହେଲା  ଭୁବନେଶ୍ୱରସ୍ଥିତ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଘରେ ରହୁଥିଲେ। ଶ୍ରୀ ମିଶ୍ରଙ୍କ କ୍ୟାରିୟର ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ ହୋଇଥିଲା। ପରେ ସମ୍ବାଦର ବାର୍ତ୍ତା ସମ୍ପାଦକ ରହିଥିଲେ। ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ୧୯୯୬ ମସିହାରେ ବ୍ରହ୍ମପୁରରୁ ପ୍ରକାଶିତ ଅନୁପମ ଭାରତର ପ୍ରତିଷ୍ଠାତା ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଇଂରାଜୀ, ଓଡ଼ିଆ ଓ ବଙ୍ଗଳା ଭାଷାରେ ତାଙ୍କର ଦକ୍ଷତା ରହିଥିଲା।

9.ବାସନ୍ଦ ହଟିବ:  ଓଡ଼ିଆ ସିନେମା ଅଭିନେତା ମନୋଜ ମିଶ୍ରଙ୍କ ଉପରେ ପ୍ରେଯାଜକ ସଂଘ ଲଗାଇଥିବା ୨ ବର୍ଷିଆ ବାସନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବ।  ଓଡ଼ିଶା ଫିଲ୍‍ମ ଉନ୍ନୟନ ନିଗମ( ଓଏଫ୍‍ଡିସି) ପକ୍ଷରୁ ଅନୁଷ୍ଠିତ ଏକ ବବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।  ବେୈଠକରେ ଅଭିନେତା ଓ ସିନେମା ସହ ସଂଶ୍ଳିଷ୍ଟ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରତିବନ୍ଧକ ଲଗାଇଥିବା ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ଉପସ୍ଥିତ ଥିଲେ। 

10.ପ୍ରତାପ ଓ ସଞ୍ଜୟଙ୍କ ପର୍ଯ୍ୟବେକ୍ଷକ ଦାୟିତ୍ୱ:  ମାହାଙ୍ଗା ଡବଲ୍‍ ମର୍ଡର ଘଟଣାରେ ଅନ୍ୟତମ ଆରୋପୀ ଥିବା ପ୍ରତାପ ଜେନାଙ୍କୁ ନ୍ୟାୟିକ ଆଶ୍ୱସ୍ତି ପରେ ମିଳିଛି ଦୀୟ ଦମ୍ଭ। ସାଲେପୁର ଜେଏମ୍‍ଏଫ୍‍ସି କୋର୍ଟ ଶ୍ରୀ ଜେନାଙ୍କ ବିରୁଦ୍ଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ରଚିବା ଆଦି ମାମଲାରେ ବିଚାର ପାଇଁ ପ୍ରସ୍ତୁତି ହେଉଥିବାବେଳେ ବିଜୁ ଜନତା ଦଳ କିନ୍ତୁ ତାଙ୍କ ଉପରେ ଅଧିକ ଭରସା କରିବାରେ ଲାଗିଛି। ବିଜେଡି ପକ୍ଷରୁ ଆଜି ଶ୍ରୀ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି। ସେହିପରି ଦୀର୍ଘଦିନ ହେଲା ରାଜନୀତିକ ଚର୍ଚ୍ଚାରୁ ଦୂରରେ ଥିବା ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ବିଜେଡି ପକ୍ଷରୁ ଆଜି ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।