Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1877741

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 18th September | ଦିନଯାକର ୧୦ ପ୍ରମୁଖ ଖବର

ସୌ: ସୋସିଆଲ ମିଡିଆ
Top 10 News Headlines Of 18 September 2023 | 1. ଅପରାହ୍ଣ ଯାଏ ଗୃହ ମୁଲତବୀ ( Both Houses Adjourned till Tomorrow’s Afternoon): ସଂସଦର ଉଭୟ କକ୍ଷ ଆସନ୍ତା କାଲି ଅପରାହ୍ଣ ଯାଏ ମୁଲତବୀ କରାଯାଇଛି। ‘ସମ୍ବିଧାନ ସଭାରୁ ଆଜିଯାଏ ସଂସଦୀୟ ଗଣତନ୍ତ୍ରର ୭୫ ବର୍ଷ ଯାତ୍ରା- ସଫଳତା, ଅଭିଜ୍ଞତା, ସ୍ମୃତି ଓ ଶିକ୍ଷା’ ଶୀର୍ଷକ ବିଷୟ ଉପରେ ସାରଗର୍ଭକ ଆଲୋଚନା ପରେ ଲୋକସଭାକୁ ଅପରାହ୍ଣ ୧ଟା ୧୫ ଏବଂ ରାଜ୍ୟସଭାକୁ ଅପରାହ୍ଣ ୨.୧୫ ଯାଏ ମୁଲତବୀ କରାଯାଇଛି। ଏହି ସମୟରେ ଉଭୟ ଗୃହ ନୂତନ ସଂସଦୀୟ କୋଠାରେ ବସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ନୂଆ ସଂସଦଭବନକୁ ସାଂସଦମାନଙ୍କୁ ସ୍ୱାଗତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ମୃତି ଫଳକ ଓ କଏନ୍‍ ଦିଆଯିବାର ବ୍ୟବସ୍ଥା ରହିଛି। ଏହାସହ ଆସନ୍ତା କାଲି ଫଟୋ ଉଠାଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଜି ସ୍ୱଭାବିକ ଭାବେ କାର୍ଯ୍ୟ ଚାଲିବା ପରେ ଅପରାହ୍ଣରେ  ଉଭୟଗୃହକୁ ମୁଲତବୀ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଥିଲା। 
 
2. ମନମୋହନ ସିଂହ, ଶିବୁ ସୋରେନ, ମାନେକା ଗାନ୍ଧିଙ୍କୁ ନିମନ୍ତ୍ରଣ ( Manmohan singh, Sibu Soren, Maneka Gandhi to address special session): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,  ଅତୀତରେ ଉଭୟ ଗୃହର ସଦସ୍ୟ ରହିଥିବା ଶିବୁ ସୋରେନ୍‍ ଏବଂ ପୂର୍ବତନ ସାଂସଦ ମାନେକା ଗାନ୍ଧିଙ୍କୁ ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ନିମନ୍ତ୍ରଣ କରାଯାଇଛି। ସେମାନେ ‘ସମ୍ବିଧାନ ସଭାରୁ ଆଜିଯାଏ ସଂସଦୀୟ ଗଣତନ୍ତ୍ରର ୭୫ ବର୍ଷ ଯାତ୍ରା- ସଫଳତା, ଅଭିଜ୍ଞତା, ସ୍ମୃତି ଓ ଶିକ୍ଷା’ ଶୀର୍ଷକ ବିଷୟ ଉପରେ ନିଜର ବକ୍ତବ୍ୟ ରଖିବେ। ସେମାନେ ନୂତନ ସଂସଦ ଭବନର ସେଣ୍ଟ୍ରାଲ୍‍ ହଲରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରିବେ। 
 
3. ହେମନ୍ତ ସୋରେନ୍‍ଙ୍କୁ ସୁପ୍ରିମ୍‍ କୋର୍ଟ ଝଟକା (SC refused to hear Hemant Soren): ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା। ଇଡି ସମନ ବିରୁଦ୍ଧରେ ଶୁଣାଣି ପାଇଁ ସୁପ୍ରିମ୍‍କୋର୍ଟ ନୁହେଁ ହାଇକୋର୍ଟକୁ ଯାଆନ୍ତୁ ବୋଲି ସୁପ୍ରିମ୍‍କୋର୍ଟ କହିଛନ୍ତି। ଏହାଦ୍ୱାରା ହେମନ୍ତଙ୍କ ଆବେଦନ ଖାରଜ ହୋଇଛି। ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନ୍‌ଙ୍କୁ ପଚରାଉଚରା ପାଇଁ ଇଡିର ରାଞ୍ଚି କାର୍ଯ୍ୟାଳୟ ସମନ ଜାରି କରିଥିଲା। ସୋରେନ୍‌ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 
 
4. ଶିକ୍ଷକ ଆନ୍ଦୋଳନ ସ୍ଥଗିତ ( Primary teachers agitation postponed) : ଦୀର୍ଘ ୧୦ ଦିନ ଧରି ଚାଲିଥିବା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ଆଜି ସାମୟିକ ସ୍ଥଗିତ ଘୋଷଣା କରାଯାଇଛି।  ଏ ସମ୍ପର୍କରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଏହାଦ୍ୱାରା ୮ ତାରିଖରୁ ବନ୍ଦ ଥିବା ସ୍କୁଲ୍‍ ଖୋଲିବାର ସମ୍ଭାବନା ଦେଖାଦାଇଛି। ଶିକ୍ଷକମାନେ ଗଣେଶପୂଜାରୁ ସ୍କୁଲ୍‍କୁ ଫେରିବେ ବୋଲି ସୂଚନା ମିଳିଛି।   ଗ୍ରେଡ୍‌ ପେ’ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ସହ ୨୦୨୦ ମାର୍ଚ୍ଚ ୧ ତାରିଖରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ଓଆରଏସ୍‌ପି-୨୦୧୭ର ବକେୟା ୫୦% ପ୍ରଦାନ ଆଦି ଦାବି ନେଇ ସେମାନେ ଆନ୍ଦୋଳନ କରିଥିଲେ।  ସେମାନଙ୍କ ଦାବିକୁ ପୂରଣ କରିବା ଲାଗି ସରକାର ପ୍ରତିଶୃତି ଦେଇଛନ୍ତି। 
 
 
5. ଗୁଜରାଟରେ ପ୍ରବଳ ବର୍ଷା, ୧୨ ହଜାର ଲୋକ ସ୍ଥାନାନ୍ତର ( Rain in Gujarat, 12 thousand rescued): ବର୍ଷା ବିତ୍ପାତ ଗୁଜରାଟରେ ଜାରି ରହିଛି। ତଳି ଅଞ୍ଚଳର ଲୋକଙ୍କ ଜୀବନ ସୁରକ୍ଷିତ କରିବା ଲାଗି ସରକାର ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାର୍ଯ୍ୟ ଜାରି ରଖିଛନ୍ତି। ସକାଳୁ ଏହି ଅପରେସନ୍‍ ଆରମ୍ଭ ହୋଇଥିଲା। ଏ ଭିତରେ ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‍ ସୂଚନା ଦେଇଛନ୍ତି। ବଡ଼ଦରା, ଭାରୁଚ, ନର୍ମଦା, ଦାହୋଦ ପଞ୍ଚ ମହଲ, ଆନନ୍ଦ ଏବଂ ଜଗାନ୍ଧିନଗର ଜିଲ୍ଲାରେ ଏହି ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। 
 
6. ଆଦିତ୍ୟ ପଠାଇଲା ତଥ୍ୟ (Aditya L1 sends Data): ଭାରତର ପ୍ରଥମ ସୌର ଯାନ ଆଦିତ୍ୟ ଏଲ୍‍-୧ ସଫଳତାର ସହ ଇସ୍ରୋ ଷ୍ଟେସନ୍‍କୁ ବୈଜ୍ଞାନିକ ତଥ୍ୟ ପଠାଇବା ଆରମ୍ଭ କରିଛି। ଏହି ଯାନରେ ଖଞ୍ଜା ଯାଇଥିବା ଗୋଟିଏ ଉପକରଣରୁ ତଥ୍ୟ ପଠାଯାଉଛି। ପୃଥିବୀ ଚାରିପଟେ ଥିବା ଉପାଦାନସବୁ କିପରି କାର୍ଯ୍ୟ କରୁଛନ୍ତି ତାହାକୁ ଅନୁଧ୍ୟାନ କରିବାରେ ଏହି ତଥ୍ୟ ସହାୟକ ହେବ ବୋଲି ଇସ୍ରୋ କହିଛି। ପ୍ରାୟ ୫୦ ହଜାର କିଲୋମିଟର ଦୂରରେ ଏହି ଆଦିତ୍ୟ ଏଲ୍‍-୧ ଅବସ୍ଥାନ କରି ଇସ୍ରୋ ଡେଟା ସେଣ୍ଟର ସହ ସଂଯୋଗରେ ରହିଛି। 
 
7. ଦଳ ଯାହା କହୁଛି ଆମେ କହୁଛୁ ( Bhartruhari in Parliament) :  ଆଜି ଭାରତରେ ସାଂସଦଙ୍କୁ ସ୍ୱାଧୀନ ମତ ଦେବାର ଅଧିକାର ନାହିଁ। ‘ଦଳ’ ର ମତକୁ ସେ ଅଭିବ୍ୟକ୍ତ କରିବା ପାଇଁ ବାଧ୍ୟ ବୋଲି କହିଛନ୍ତି ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ମହତାବ। ‘ଅମୃତକାଳରେ ଭାରତର ସାମ୍ବିଧାନିକ ଯାତ୍ରା’ ବିଷୟରେ ନିଜର ମନ୍ତବ୍ୟ ଉପସ୍ଥାପନ କରି ଶ୍ରୀ ମହତାବ କହିଛନ୍ତି, ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ  ହୋଇଥିବା ସମ୍ବିଧାନ ସଂଶୋଧନ ହେତୁ ଏପରି ଅବସ୍ଥା ସୃଷ୍ଟି ହୋଇଚି ବୋଲି ସେ କହିଛନ୍ତି।  ଏହି ସଂଶୋଧନରେ ସମ୍ବିଧାନରେ ‘ରାଜନୈତିକ ଦଳ’ ଯୋଡ଼ା ଯାଇଥିଲା। ଅର୍ଥାତ୍‍ ରାଜେନୈତିକ ଦଳକୁ ସାମ୍ବିଧାନିକ ମର୍ଯ୍ୟାଦା ମିଳିଥିଲା। ଏହା ପୂର୍ବରୁ ସଂସଦର ପ୍ରତିଟି ସଦସ୍ୟ କେବଳ ସାଂସଦ ଭାବେ ପରିଚିତ ହେଉଥିଲେ। ସେମାନଙ୍କ ପାଖରେ ନିଜର ମନ୍ତବ୍ୟ ବ୍ୟକ୍ତ କରିବାର ଅଧିକାର ଥିଲା ବୋଲି ଶ୍ରୀ ମହତାବ କହିଛନ୍ତି। ସେ କହିଛନ୍ତି ‘ ଦଶମ ଅନୁଚ୍ଛେଦ ସଂଯୋଗ ହେଲାପରା ଆମେ ସ୍ୱାଧୀନତା ହରାଇଲୁ।  
 
8. ‘ସମ୍ବାଦ’ କାର୍ଯ୍ୟାଳୟରେ  କ୍ରାଇମ୍‍ ବ୍ରାଞ୍ଚ: ( EoW raids Sambad) ଋଣ ଜାଲିଆତି ମାମଲାରେ ଖବରକାଗଜ ସଂସ୍ଥା ‘ସମ୍ବାଦ’ରେ କ୍ରାଇମ୍‍ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଅପରାହ୍ଣ ୧ଟା ବେଳେ କ୍ରାଇମ୍‍ ବ୍ରାଞ୍ଚର ୧୦ ଜଣିଆ ଟିମ୍‍ ରସୁଲଗଡ଼ ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ୬ ଜଣ ଇନ୍ସପେକ୍ଟର ଏବଂ ୪ ଜଣ ଡିଏସ୍‍ପି ପାହ୍ୟା ଅଧିକାରୀ ରହିଛନ୍ତି। ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନେତିକ ଶାଖା ଏହି ତଦନ୍ତ କରୁଛି। ଗତକାଲି ସମ୍ବାଦର ସିଓଓଙ୍କୁ କ୍ରାଇମ୍‍ବ୍ରାଞ୍ଚ ୩ ଘଣ୍ଟା ଜେରା କରିଥିଲା। 
 
9. ଛାତ୍ରସଂସଦ ନିର୍ବାଚନ ନେଇ ମାମଲା ( Plea over abandoning Student Union Elections): ହାଇକୋର୍ଟରେ ଛାତ୍ର ସଂସଦ ନିର୍ବାଚନ ମାମଲା ପହଞ୍ଚିଛି। ଲଗାତାର ୬ ବର୍ଷ ବିଭିନ୍ନ କଲେଜ୍‍ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ରଦ୍ଦ କରାଯିବା ବିରୁଦ୍ଧରେ ଏହି ମାମଲା କରାଯାଇଛି। ଛାତ୍ର ସଂସଦ ନିର୍ବାଚନ କାହିଁକି ଆବଶ୍ୟକ ତାହାକୁ ଏହି ମାମଲାରେ ଦର୍ଶାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ଲାଗି ସମୟ ରଖାଯାଇନାହିଁ। 
 
10. 21 ତାରିଖ ଛୁଟି ( 21st September declared Local Holiday): ଆସନ୍ତା ୨୧ ତାରିଖ ଗୁରୁବାରକୁ ସରକାର ଛୁଟି ଘୋଷଣା କରିଛନ୍ତି। ଏହା ନୂଆ ଖାଇ ପରଦିନ। ପଶ୍ଚିମାଞ୍ଚଳରେ ଏହା ଏକ ବଡ଼ ପର୍ବ ହୋଇଥିବାରୁ ସରକାର ଦୁଇଦିନ ଛୁଟି ମଞ୍ଜୁର କରିଛନ୍ତି। ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ହିଁ ଏହି ଅତିରିକ୍ତ ଛୁଟିଦିନ କାର୍ଟ୍ୟକାରୀ ହେବ। ପୂର୍ବରୁ କେବଳ ୨୦ ତାରିଖ ସରକାରୀ ଛୁଟି ରହିଥିଲା।