ବୃଦ୍ଧବେଳେ ସାହା ହେଲେନି ଆତ୍ମୀୟ, ଜରାଶ୍ରମରେ ହାସ୍ୟ ଅଭିନେତା
Advertisement

ବୃଦ୍ଧବେଳେ ସାହା ହେଲେନି ଆତ୍ମୀୟ, ଜରାଶ୍ରମରେ ହାସ୍ୟ ଅଭିନେତା

ମୁହଁରେ ପାଉଡର ମାଖି ଲୋକଙ୍କୁ ହସାଉଥିବା ମଣିଷ ଆଜି ନିଜେ ଲୁହ ଦରିଆରେ ଉବୁଟୁବୁ । ସେହି ରସିକିଆ କମେଡ଼ି ମାଷ୍ଟର୍ ,ହାସ୍ୟ ସମ୍ରାଟ୍ ମଣିଭଦ୍ର ବିଶ୍ୱାଳ ଆଜି ଏକା ଆଉ ଅଲୋଡା । ଶେଷ ଠିକଣା ଖୋଜି ଖୋଜି ପହଞ୍ଚିଛନ୍ତି ବନ୍ଦର ନଗରୀ ପାରାଦ୍ୱୀପର ଜରାଶ୍ରମରେ ।  

ବୃଦ୍ଧବେଳେ ସାହା ହେଲେନି ଆତ୍ମୀୟ, ଜରାଶ୍ରମରେ ହାସ୍ୟ ଅଭିନେତା

ପାରାଦ୍ୱୀପ : ଜରାଶ୍ରମ ଭରଷାରେ ଯାତ୍ରା ଜଗତର ବରିଷ୍ଠ ହାସ୍ୟ କଳାକାର ମଣିଭଦ୍ର ବିଶ୍ୱାଳ(Manibhadra Biswal)। ଯିଏ ଦିନେ ଯାତ୍ରା ମଞ୍ଚରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିଲେ, ସେ ଏବେ ନିଜେ କାନ୍ଦୁଛନ୍ତି(drowning in tears) । ଏହି କଳାକାରଙ୍କର ମୁହଁରେ ହସ ବଦଳରେ ଆଖିରେ ଲୁହ ଭରିଯାଇଛି । ରାତି ଅନିଦ୍ରା ହୋଇ ମୁହଁରେ ପାଉଡର ମାରି ଟଙ୍କା ରୋଜଗାର କରୁଥିଲେ ନିଜ ପିଲାମାନଙ୍କୁ ମଣିଷ କରିବାକୁ,ଆଶାଥିଲା ବୃଦ୍ଧ ଅବସ୍ଥାରେ ସହାୟ ହେବେ । ହେଲେ ସମୟଚକ୍ରରେ ସେହି ପିଲାଙ୍କ ପାଇଁ ମଣିଭଦ୍ର ଆଜି ଅଲୋଡା । କଳାକାର ଜଣକ ତାଙ୍କ ପେଣ୍ଡାଲ ଜୀବନ ଓ ବାସ୍ତବ ଜୀବନ ର ଗହନ କଥା ରେ ଛନ୍ଦିହୋଇ ନିଜ ହାତରେ ନିଜ ଠିକଣା ବଦଳାଇ ଦେଇ ପହଞ୍ଚିଛନ୍ତି ଜରାଶ୍ରମରେ ।

ତାଙ୍କ ନା ଶୁଣିଲେ ହସ କଥା ମନେପଡିଯାଏ । ତାଙ୍କ ଚାଲି ତାଙ୍କ କଥା ରେ ଦର୍ଶକ ହସିହସି ବେଦମ ହୁଅନ୍ତି । ଲୋକ ଙ୍କୁ ହସେଇ ହସେଇ ଗଡେଇ ଦେଉଥିବାରୁ ତାଙ୍କୁ କିଏ କହେ  ହସ ରାଜ ତ କିଏ କହେ ତାଙ୍କୁ ରସ ରାଜ । ହସ ଶିରୋମଣୀ ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ଵାଳ । ଯାତ୍ରା ଜଗତରୁ ଅବ୍ୟାହତି ନେବାପରେ ଦୀର୍ଘ ୪ ବର୍ଷ ହେଲା ନିଜ ଗାଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଓଳିଆପାଟଣାରେ ରହୁଥିଲେ । ମାତ୍ର ବଡ଼ପୁଅ,ବୋହୂଙ୍କ ପାଇଁ  ଅଲୋଡ଼ା ହେଇଯାଇଥିବା ମଣିଭଦ୍ରଙ୍କର ନୂଆ ଠିକଣା ପାଲଟିଛି ବନ୍ଦର ନଗରୀ ପାରାଦୀପ ଉପକଣ୍ଠ ଗଡ଼ ନିକଟ ରତ୍ନମାଳୀ ଜରାଶ୍ରମ ।  ସେଠାରେ ଜରାଶ୍ରମର ସମସ୍ତ ଅନ୍ତେବାସୀ ଙ୍କ ସହ ରହୁଛନ୍ତି କମେଡି କିଙ୍ଗ୍ ମଣିଭଦ୍ର ବିଶ୍ୱାଳ । ପାରିବାରିକ କଳହ କାରଣ ରୁ ମଣି ଘର ଛାଡି ଆସିଥିବା ଜରାଶ୍ରମର ସଭାପତି କହୁଥିବା ବେଳେ ପରିଭ୍ରମଣ ରେ ଆସିଥିବା କହୁଛନ୍ତି ମଣିଭଦ୍ର । ସେ ୧୯୭୦ ମସିହା ରୁ ଯାତ୍ରା ଜଗତରେ ପାଦ ଦେଇଥିଲେ । ଶିକ୍ଷକତା ଚାକିରି ଛାଡି କଳା କୁ ଆପଣେଇ ନେଇଥିଲେ ମଣିଭଦ୍ର । ୪୦୦ ରୁ ଉର୍ଦ୍ଧ ନାଟକ ରେ ଅଭିନୟ କରି ଦର୍ଶକ ଙ୍କ ମନ ଜିଣିବାରେ ସଫଳ ଅଭିନେତା ଏବେ ପାରିବାରିକ ଜୀବନ କୁ ତୁଚ୍ଛ କରି ଚାଲି ଆସିଛନ୍ତି ବାଲେଶ୍ୱର ରୁ ବନ୍ଦର ନଗରୀ ପାରାଦୀପ ।

ଆଗରୁ ମଧ୍ୟ ଅନେକ ସମୟରେ ମଣିଭଦ୍ର ନିଜ ବଡ଼ପୁଅ ଓ ବୋହୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ । ପରିଣତ ବୟସରେ ପରିବାର ପାଇଁ ସେ ଅଲୋଡ଼ା ହୋଇଯାଇଥିବାବେଳେ ତାଙ୍କ ବଡପୁଅ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ବଡପୁଅ ପାଖରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ(ପଲଙ୍କ, ଟିଭି ବହିପତ୍ର, ଲୁଗା ଟ୍ରଙ୍କ ଏବଂ ରଖିବା ପାଇଁ ଦେଇଥିବା ସୁନାବୋତାମ) ମାଗିବାରୁ ତାଙ୍କ ବଡପୁଅ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ  ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ଆଣିଥିଲେ ମଣିଭଦ୍ର । ତେବେ ପରବର୍ତ୍ତୀ ସମୟରେ ଖନ୍ତାପଡା ପୁଲିସ ଉପସ୍ଥିତିରେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଫେରି ପାଇଥିଲେ ।

ଚାର୍ଲି ଚାପଲିନ୍ ମାର୍କା ନିଶ ସାଙ୍ଗକୁ ବେପରୱା ଅଙ୍ଗଭଙ୍ଗୀରେ ଶାଣିତ ବ୍ୟଙ୍ଗର ଛିଟା ଦେଖିବାକୁ ମିଳୁଥିଲା ମଣିଭଦ୍ରଙ୍କ ଅଭିନୟରେ । ସେ ପାଟି ଖୋଲିଲେ ଅଜାଡ଼ି ହୋଇ ପଡ଼େ କରତାଳି, ଉଛୁଳି ପଡ଼େ ମୁକ୍ତାକାଶ ରଙ୍ଗମଞ୍ଚ । କିଏ କହେ ରସିକିଆ କମେଡ଼ି ମାଷ୍ଟର୍(comedy master) ତ ଆଉ କାହା ପାଇଁ ସେ ହାସ୍ୟ ସମ୍ରାଟ୍ । ତାଙ୍କ ଡାଏଲଗ୍ ଡେଲିଭରିରେ ହିଁ ଭରି ରହିଥାଏ ହସି ହସି ଗଡ଼ିଯିବାର ଉପାଦାନ। ନିଜ ଯାଦୁକରୀ କଳା ପ୍ରତିଭାରେ ଅସଂଖ୍ୟ ଯାତ୍ରା ବହି ହିଟ୍ କରିଥିବା ଯାତ୍ରା ସୁପରଷ୍ଟାର୍ ହେଉଛନ୍ତି କ୍ରାଉଡ୍ ପୁଲର୍ ମଣିଭଦ୍ର ବିଶ୍ୱାଳ । ତେଲ ଲୁଣ ସଂସାରର ଯାବତୀୟ ଝଡ଼ ଓ ଯନ୍ତ୍ରଣାକୁ ଛାତି ତଳେ ଚାପି ଦେଇ ଅନ୍ୟକୁ ଖିଲି ଖିଲି ହସାଉଥିବା ମଣିଭଦ୍ର ପିଲାବେଳେ ଥିଲେ ମେଧାବୀ ଛାତ୍ର । ପାଠପଢ଼ା ସହ ଅଭିନୟ ପ୍ରତି ଛୋଟ ବେଳୁ ଥିଲା ଅସମ୍ଭବ ଦୁର୍ବଳତା । ମ୍ୟାଟ୍ରିକ ପାସ୍ କରିବା ପରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । କିନ୍ତୁ ଅଭିନୟ ଯେମିତି ତାଙ୍କ ପିଛା ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ବେଶୀ ଦିନ ମଞ୍ଚଠାରୁ ଦୂରେଇ ରହିପାରିଲେ ନାହିଁ ମଣିଭଦ୍ର । ପରିବାର ଲୋକଙ୍କ ସହମତିରେ ଶିକ୍ଷକତା ଛାଡ଼ି ପୁଣି ଫେରିଥିଲେ ମଞ୍ଚକୁ  ମୁହଁରେ ରଙ୍ଗ ବୋଳି ଅନ୍ୟକୁ ହସେଇବା ଲକ୍ଷ୍ୟରେ ।

ଜଗନ୍ନାଥ ଅପେରାରୁ ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ୱାଳ ବିଧିବଦ୍ଧ ଭାବରେ ଯାତ୍ରା ଜଗତରେ ପ୍ରବେଶ କରିଥିଲେ। ପରେ ଅସଂଖ୍ୟ ପୌରାଣିକ ଓ ଐତିହାସିକ ନାଟକରେ ତାଙ୍କ କଳା ଚାତୁରୀ ଦେଖାଇ ପାଲଟି ଯାଇଥିଲେ ଦର୍ଶକୀୟ ମନୋରଞ୍ଜନର ମଉଡ଼ମଣି । ମଣିଭଦ୍ରଙ୍କ ପ୍ରତିଭା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ଡକ୍ଟର ହରେକୃଷ୍ଣ ମହତାବ(Dr. Harakrishna Mahatab)ଙ୍କୁ ବେଶ୍ ପ୍ରଭାବିତ କରିଥିଲା । ମହତାବ ହିଁ ତାଙ୍କୁ ଦେଇଥିଲେ ‘ରସରାଜ’ ଉପାଧି । ପାଞ୍ଚଶହରୁ ଅଧିକ ନାଟକରେ ଅଭିନୟ କରିଥିବା ମଣିଭଦ୍ରଙ୍କ ପାଇଁ ମାଇଲ୍ ଷ୍ଟୋନ୍ ସାଜିଥିଲା ଶିବାନୀ ଗଣନାଟ୍ୟର ନାଟକ ‘ମୋ ପେଁ କାଳି ବଜାଇ ଦେ’। ଏହି ନାଟକଟି ସେତେବେଳେ ଦୂରଦର୍ଶନରେ ପ୍ରସାରିତ ହେବା ପରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଗଲେ ରସରାଜ ମଣିଭଦ୍ର ବିଶ୍ୱାଳ । ଅଭିନୟ କ୍ୟାରିଅର ତମାମ୍ କେବଳ ପ୍ରଶଂସା ଆଉ ପ୍ରଶଂସା ପାଇଥିବା ମଣିଭଦ୍ର ଜୟଦୁର୍ଗା କଳାକୁଞ୍ଜ, ଶ୍ରୀ ମା ଅପେରା, ସାତଶଙ୍ଖ, ସାରୁଅ ଅପେରା, ଓଡ଼ିଶା ଅପେରା, ବିଶ୍ୱଜନନୀ, ଶ୍ରୀକୃଷ୍ଣ, ଗୌରୀ, ଶିବାନୀ, ତୁଳସୀ, ମହିମା ଅପେରା, ଯାତ୍ରା ସଚ୍ଚିଦାନନ୍ଦମ୍, ଇଷ୍ଟର୍ଣ୍ଣ ରେଡ୍‌, ବାଘାଯତୀନ ଗଣନାଟ୍ୟରେ ନିଜ ଷ୍ଟାର୍ ଡମ୍ ଦେଖାଇ ସାରିବା ପରେ ବିଶ୍ୱଦରବାରରୁ ଅବସର ନେଇଥିଲେ । ନିଜ କାନ୍ଧରେ ଅଭିନୟର ଦାୟିତ୍ୱକୁ ବୋହିନେଇ ବହିକୁ ହିଟ୍ କରିଥିବା ମଣିଭଦ୍ରଙ୍କ ବହୁଚର୍ଚ୍ଚିତ ନାଟକ ମଧ୍ୟରେ ରହିଛି ମୋ ପେଁକାଳି ବଜାଇ ଦେ, ଦେଇଦେବି ତୋତେ ବୁଢ଼ା ବରକୁ, ବଉଳଲୋ ମୋ ବର ଆସୁଛି ଓ ରାମଦାସ ହାଜିର ହୋ ଭଳି ଅନେକ ଲୋକପ୍ରିୟ ଯାତ୍ରା । ଯାହାକି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚୟ ଦେଇଛି ।

ନିଜର ଯାଦୁକାରୀ ଡାଏଲଗ ଓ ଅଙ୍ଗଭଙ୍ଗୀରେ ଦର୍ଶକଙ୍କୁ ହସାଇ ହସାଇ ଗଡ଼ୁଥିବା ଏହି ନିର୍ବିବାଦୀୟ ହାସ୍ୟ ଅଭିନେତାଙ୍କ ଅବସର ପରର ଜୀବନ କିନ୍ତୁ ଖୁବ୍ ଯନ୍ତ୍ରଣାସିକ୍ତ । ପାରିବାରିକ ମନୋମାଳିନ୍ୟ, ହତାଦର ଓ ଉପେକ୍ଷାର ଖାଣ୍ଡବ ବନରେ ଏବେ ଦିନ କାଟୁଛନ୍ତି ଏହି ମଞ୍ଚ ଜଗତର ମଉଡ଼ମଣି । ଫଳରେ ବାଧ୍ୟହୋଇ ଧାଇଁ ଆସିଛନ୍ତି ଜରାଶ୍ରମକୁ ନିଜ ଶେଷ ଠିକଣା କରିବାକୁ । ଶେଷରେ ପ୍ରାର୍ଥନା କରିବା,ଦିନେ ସମସ୍ତଙ୍କ ମୁହଁରେ ହସ ଭରୁଥିବା ଏହି ଯାତ୍ରା ସୁପରଷ୍ଟାରଙ୍କ ଆଖିରୁ  ଲୁହ ଗଡ଼ିବା ବନ୍ଦ ହୋଇଯାଉ ।