Indian Railway: ଜୋତା ପାଇଁ ନାକେଦମ ରେଳବାଇ!
Advertisement
Article Detail0/zeeodisha/odisha1575505

Indian Railway: ଜୋତା ପାଇଁ ନାକେଦମ ରେଳବାଇ!

Indian Railway: ଦୀର୍ଘ ଗୋଟିଏ ମାସର କସରତ ପରେ ମିଳିଛି ଦଶ ହଜାର ଟଙ୍କାର ଜୋତା। GRP, IRCTC ଓ RPF ବିଭାଗର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁରରୁ ଉତ୍ତରପ୍ରଦେଶର ବରେଲୀ ପର୍ଯ୍ୟନ୍ତ ଚାଳାଇଥିଲେ ଘନ ଘନ ଛାନଭିନ। ଗୋଟିଏ ମାସର ପରିଶ୍ରମ ପରେ ଏବେ ସେହି ଦଶ ହଜାର ଟଙ୍କାର ଜୋତା ମାନବୀଙ୍କ ହସ୍ତଗତ ହୋଇଛି। ତେବେ କିଏ ସେ ଯୁବତୀ ଯାହାର ଜୋତା ପାଇଁ ନାକେଦମ ହୋଇଥିଲା ରେଳବାଇ ।

ସୌ(ସୋସିଆଲ ମିଡିଆ)

Indian Railway: ମିଳିଲା ମାନବୀଙ୍କ ୧୦ ହଜାର ଟଙ୍କାର ଜୋତା। ମାନବୀ ହେଉଛନ୍ତି ପୂର୍ବତଟ ରେଳ ମଣ୍ଡଳର ମହା ପ୍ରବନ୍ଧକ (DRM) ବିନୀତ ସିଂଙ୍କ ଝିଅ। ଦୀର୍ଘ ଗୋଟିଏ ମାସର କସରତ ପରେ ମିଳିଛି ଦଶ ହଜାର ଟଙ୍କାର ଜୋତା। ହଜି ଯାଇଥିବା ଦଶ ହଜାର ଟଙ୍କିଆ ଜୋତା ଖୋଜିବା ପାଇଁ ମାସ ତମାମ ରେଳୱେର ତିନି ତିନୋଟି ବିଭାଗର କର୍ମୀ ଜୋର ଲଗାଇ ଦେଇଥିଲେ। GRP, IRCTC ଓ RPF ବିଭାଗର କର୍ମଚାରୀଙ୍କ ପକ୍ଷରୁ ସମ୍ବଲପୁରରୁ ଉତ୍ତରପ୍ରଦେଶର ବରେଲୀ ପର୍ଯ୍ୟନ୍ତ ଚାଳାଇଥିଲେ ଘନ ଘନ ଛାନଭିନ। ଗୋଟିଏ ମାସର ପରିଶ୍ରମ ପରେ ଏବେ ସେହି ଦଶ ହଜାର ଟଙ୍କାର ଜୋତା ମାନବୀଙ୍କ ହସ୍ତଗତ ହୋଇଛି। ଯାହାକି ଜାତୀୟ ସ୍ତରର ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା।

ପ୍ରକୃତରେ ଘଟଣାଟି ହେଉଛି, ଜାନୁଆରୀ ୩ ତାରିଖରେ ଲକ୍ଷ୍ନୌ ମେଲର ଫାର୍ଷ୍ଟ କ୍ଲାସ AC ବଗିରେ ସମ୍ବଲପୁର DRM ବିନୀତ ସିଂଙ୍କର ୨୦ ବର୍ଷୀୟ ଝିଅ ମାନବୀ ଦିଲ୍ଲୀ ଯାତ୍ରା କରୁଥିଲେ। ରାତି ସମୟରେ ସେ ଟ୍ରେନରେ ଶୋଇପଡ଼ିଥିଲେ। ସକାଳେ ଉତ୍ତରପ୍ରଦେଶ ବରେଲୀରେ ଟ୍ରେନ ପହଁଞ୍ଚବା ପରେ ତାଙ୍କ ନିଦ ଭାଙ୍ଗିଥିଲା । ଏହାପରେ ସେ ଦେଖିଲେ ଯେ ତାଙ୍କର ୧୦ ହଜାର ଟଙ୍କାର ଜୋତା ନାହିଁ। ଏପଟ ସେପଟ ଖୋଜା ଖୋଜି କରିଥିଲେ। କିନ୍ତୁ ଯେତେବେଳେ ସେ ନିଶ୍ଚିତ ହେଲେ ଯେ ପ୍ରକୃତରେ ତାଙ୍କର ଜୋତା ଚୋରି ହୋଇଯାଇଛି। ସେ ତାଙ୍କ ବାପାଙ୍କୁ ଏ ବାବଦରେ ଜଣାଇଥିଲେ। ମାନବୀଙ୍କର ବାପା ବିନୀତ ସିଂ ତାଙ୍କ ସହ କଥା ହେଲା ପରେ ତୁରନ୍ତ ସମ୍ବଲପୁର GRP ଥାନାରେ ଜାନୁଆରୀ ୫ ତାରିଖ ଦିନ ଜୋତା ହଜି ଯାଇଥିବା ବାବଦରେ ଏକ ମାମଲା ରୁଜୁ କରିଥିଲେ।  ଏହାପରେ ତୁରନ୍ତ ଆକ୍ସନକୁ ଆସିଥିଲେ GRP ଥାନା ଅଧିକାରୀ। ଘଟଣାକୁ ଗୁରୁତ୍ୱର ସହ ନେଇ ଚୋରି ହୋଇଥିବା ସ୍ଥାନ ବରେଲୀ ରେଳ ବିଭାଗ GRP ହାତକୁ ମାମଲାକୁ ହସ୍ତାନ୍ତର କରିଥିଲେ । ବରେଲୀ GRP ସହ ସମ୍ବଲପୁରରୁ ଧରି ବରେଲୀ ପର୍ଯ୍ୟନ୍ତ IRCTC, GRP ପୋଲିସ ଅଧିକାରୀମାନେ ଜୋତା ଖୋଜିବାରେ ଲାଗି ପଡି଼ଥିଲେ। ଜେରା ସମୟରେ ମାନବୀଙ୍କୁ ପଚରାଉଚରା କରାଯାଇଥିଲା । ମାନବୀ ତାଙ୍କ ପାଖ ସିଟରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ। ବିଭାଗୀୟ ଅଧିକାରୀମାନେ ସମସ୍ତ ଯାତ୍ରୀଙ୍କ ସହ ଯୋଗାଯୋଗ ପରେ ବରେଲୀରେ ଓହ୍ଲାଇଥିବା ମହିଳାଙ୍କୁ ଜେରା କରିଥିଲେ।

ଏହାପରେ ସେ ଭୁଲବଶତଃ ଜୋତା ନେଇ ଆସିଥିବା ସ୍ୱୀକାର କରିବା ସହ ଦାମିକିଆ ଜୋତାଟିକୁ GRP ଅଧିକାରୀଙ୍କୁ ଫେରାଇ ଦେଇଥିଲେ। ଜୋତା ନେଇଥିବା ମହିଳା ଜଣଙ୍କ ବରେଲୀର ଜଣେ ଡାକ୍ତର ବୋଲି ମଧ୍ୟ ସୂଚନା ମିଳିଛି। ଦୀର୍ଘ ଗୋଟିଏ ମାସର କସରତ ପରେ ଜୋତାଟିକୁ ନିଜ ମାଲିକାଣୀଙ୍କର ପାଖରେ ପହଞ୍ଚାଇ ଦିଆଯାଇଛି। ଏଭଳି ଏକ ରୋଚକ ଖବରକୁ ନେଇ ରାଜ୍ୟଠାରୁ ଦେଶର ବିଭିନ୍ନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି। DRMଙ୍କ ଝିଅର ଯଦି ଗୋଟିଏ ୧୦ ହଜାର ଟଙ୍କାର ଜୋତା ପାଇଁ ସମ୍ବଲପୁର ଠାରୁ ବରେଲୀ ପର୍ଯ୍ୟନ୍ତ ରେଳ ବିଭାଗ ଉଠୁଛି ପଡୁଛି । ତେବେ ଏହି ଘଟଣା ପରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କୁ ମାରୁଛି,  ଯଦି ଜଣେ ସାଧାରଣ ଯାତ୍ରୀଙ୍କର କିଛି ସାମଗ୍ରୀ ହଜିଯାଏ ତାହାଲେ ରେଳୱେ ବିଭାଗର କର୍ମଚାରୀ ଏତେ ତତ୍ପରତା ଦେଖାଇବେ ତ?