Odisha News: ଡ଼େଙ୍ଗୁ ପରେ ରାଜ୍ୟରେ ଆଖିଧରା ସଂକ୍ରମଣ ଆତଙ୍କ, ହଟସ୍ପଟ୍ ପାଲଟିଛି ଏହି ସ୍ଥାନ
Advertisement
Article Detail0/zeeodisha/odisha1770452

Odisha News: ଡ଼େଙ୍ଗୁ ପରେ ରାଜ୍ୟରେ ଆଖିଧରା ସଂକ୍ରମଣ ଆତଙ୍କ, ହଟସ୍ପଟ୍ ପାଲଟିଛି ଏହି ସ୍ଥାନ

Odisha News: ଫଳରେ ବହୁ ପିଲାଙ୍କ ଆଖି ଫୁଲି ଯାଇଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କ ଆଖି ଲାଲ ପଡ଼ିଯାଇଥିଲା । ତେବେ ଏକା ସଙ୍ଗରେ ଏତେ ପିଲାଙ୍କୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଚିନ୍ତାରେ ପଡ଼ିଯାଇଛନ୍ତି ଅଭିଭାବକ ଓ କର୍ତ୍ତୃପକ୍ଷ ।

ସୌ(ସୋସିଆଲ ମିଡିଆ)

Odisha News: ଡ଼େଙ୍ଗୁ ପରେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି ଆଖିଧରା ସଂକ୍ରମଣ (Conjunctivitis) । ସାରା ରାଜ୍ୟରେ ଦ୍ରୁତ ଗତିରେ ମାଡ଼ିବାରେ ଲାଗି ଏହି ଆଖିଧରା ରୋଗ । ଏଥିରେ ବିଶେଷ କରି ହଟସ୍ପଟ୍ ପାଲଟିଛି ବିଦ୍ୟାଳୟ । ନିକଟରେ ଗଜପତି ଜିଲ୍ଲା ମୋହନା ସରକାରୀ ସ୍କୁଲରୁ ପ୍ରାୟ ୫୩ ଜଣ ଛାତ୍ରଛାତ୍ରୀ ଆଖିଧରା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ । ଫଳରେ ବହୁ ପିଲାଙ୍କ ଆଖି ଫୁଲି ଯାଇଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କ ଆଖି ଲାଲ ପଡ଼ିଯାଇଥିଲା । ତେବେ ଏକା ସଙ୍ଗରେ ଏତେ ପିଲାଙ୍କୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଚିନ୍ତାରେ ପଡ଼ିଯାଇଛନ୍ତି ଅଭିଭାବକ ଓ କର୍ତ୍ତୃପକ୍ଷ ।

ସୂଚନା ଥାଉ କି, ବର୍ଷା  ଦିନ ଆରମ୍ଭରୁ ଡ଼େଙ୍ଗୁ ଆତଙ୍କରେ ଆତଙ୍କିତ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି ଆଖିଧରା ସଂକ୍ରମଣ । ଦିନକୁ ଦିନ ଏହାର ସଂଖ୍ୟା ବଢିବାରେ ଲାଗିଛି । ଖାସ୍ କରି ଆଖିଧରା ସଂକ୍ରମଣ ଲାଗି ହଟସ୍ପଟ୍ ପାଲଟିଛି ରାଜ୍ୟର ଅନେକ ବିଦ୍ୟାଳୟ । ଆଖିଧରା ସଂକ୍ରମଣ ଲାଗି ସ୍କୁଲରେ ଉପସ୍ଥାନ ମଧ୍ଯ କମୁଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଲୋକଙ୍କୁ ସଚେତନ କରାଇବା ଲାଗି ସ୍ବାସ୍ଥ୍ୟ ବିଭାଗ (Health department) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା..

  • ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ କିମ୍ବା ତକିଆ ବ୍ୟବହାର କରନ୍ତୁ ନାହିଁ ।
  • ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରୁଥିବା ଆଇ-ଡ୍ରପ୍ କୁ ମଧ୍ଯ ବ୍ୟବହାର କରନ୍ତୁ ନାହିଁ ।
  • ନିଜର ଚଷମାକୁ ନିୟମିତ ସଫା ଭାବେ କରନ୍ତୁ ।
  • ସୁଇମିଂ ପୁଲ ଓ ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ ।
  • ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ ।
  • ଆଖି ଧରିଲେ ପରିଷ୍କାର କପଡ଼ାକୁ ଉଷୁମ ପାଣିର ପକାଇ ଆଖିକୁ ଭଲ ଭାବରେ ପୋଛନ୍ତୁ ।
  • ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇ ଏହାକୁ ନଷ୍ଟ କରିଦିଅନ୍ତୁ ।
  • ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ ।

ଏହାର ଲକ୍ଷଣ

ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ (conjunctivitis) ବା ପିଙ୍କ ଆଇ ବୋଲି କୁହାଯାଏ । ଏହି ରୋଗ ବା ସଂକ୍ରମଣ ହେଲେ ଆଖି ଲାଲ୍ ପଡିବା ସହ ଫୁଲିବା ଓ ଖୁଞ୍ଚି ହେବା ପରି ଲକ୍ଷଣ ଦେଖାଦେଇଥାଏ ।  ଏମିତିକି ଆଖିରୁ ପାଣି ବାହାରିବା ସହ ଲେଞ୍ଜରା ବାହାରିଥାଏ । ଏହା ଉଭୟ ଭୂତାଣୁ ଓ ଜୀବାଣୁ ଜନିତ ରୋଗ ଅଟେ । ତେବେ ଜାଣି ରଖନ୍ତୁ ଯେ, ଭୂତାଣୁ ଜନିତ ଆଖି ଧରାରେ ଆଖି ଲାଲ ପଡ଼ିବା ସହ ଲୁହ ବାହାରିଥାଏ । ସେହିପରି ଜୀବାଣୁ ଜନିତ ଆଖିଧରାରେ ଆଖିରୁ ଅଧିକ ପରିମାଣର ଲେଞ୍ଜରା ବାହାରିଥାଏ ।

ପ୍ରକାଶ ଥାଉ କି, ଛୋଟ ପିଲା ବା ମୁଖ୍ୟତଃ ଛାତ୍ରଛାତ୍ରୀଙ୍କୁ ଆଖିଧରା ସଂକ୍ରମଣ ନେଇ ଅଧିକ ବିପଦ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ଆଖି୍ଧରା ଲାଗି ରାଜ୍ୟ ସରକାର ସମୂର୍ଣ୍ଣ ସଜାଗ ରହିଥିବା ବେଳେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କହାଯାଇଛି । ତେବେ ସଚେତନତା ଅଭାବରୁ ଛୋଟ ପିଲା ଏଥିରେ ଅଧିକ ସଂକ୍ରମଣ ହେବା ଆଶଙ୍କା ରହିଛି । ଆଖି୍ଧରାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଲୁହ ଓ ଲେଞ୍ଜରାରୁ ଏହି ରୋଗ ସଂକ୍ରମିତ ହୋଇଥାଏ ବା ବ୍ୟାପିଥାଏ ।  ତେବେ ଏଥିରୁ ନିଜକୁ ସଂକ୍ରମଣ ମୁକ୍ତ ରଖିବା ଲାଗି ହାତକୁ ଆଖିଠାରୁ ଦୂରେଇ ରଖିବା ସହ ବାରମ୍ବାର ହାତ ସଫା କରନ୍ତୁ । ତେବେ ରୋଗୀର ଆଖିକୁ ଦେଖିବା ଦ୍ବାରା ଏହି ରୋଗ ବ୍ୟାପି ନଥାଏ ବୋଲି ଚକ୍ଷୁ ବିଶେଷଜ୍ଞ ମତ ଦେଇଛନ୍ତି ।