Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1955569

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ଆଜି ଆଲୋକର ପର୍ବ ଦୀପାବଳୀ। ମହାକାଳୀଙ୍କ ଆବାହନର ପର୍ବ। ବ୍ୟବସାୟ ପ୍ରତିଷ୍ଠାନ ଓ ସାର୍ବଜନୀକ ଅନୁଷ୍ଠାନ ତଥା ଦେବୀ ପୀଠରେ ଆଜି ମହାକାଳୀଙ୍କୁ ପୂଜା ଅନୁଷ୍ଠିତ ହୁଏ। ଏହାଛଡ଼ା ପୁରୀରେ ଆଜି ପୟା ଶ୍ରାଦ୍ଧ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମେ। ବିଭିନ୍ନ ଘରେ ବଡ଼ବଡ଼ୁଆ ଡାକ ଓ ଆଲୋକ ସଜ୍ଜା ପରିବେଶକୁ ଆଧ୍ୟାତ୍ମିକ ଦିଗ ଦେଇଥାଏ। ଆସନ୍ତୁ ଜାଣି ନେବା ଏଇ ସମୟର ଟପ୍‍ ଟେନ୍‍ ନ୍ୟୁଜ୍‍ ହେଡ୍‍ଲାଇନ୍ସ ଉପରେ..

ସୌ(ସୋସିଆଲ ମିଡିଆ)

1. କ୍ରିକେଟ୍ ବିଶ୍ୱକପ: ବିଶ୍ୱକପ୍ ୨୦୨୩ର ୪୫ତମ ଲିଗ୍‍ ମ୍ୟାଚ୍ ରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡ ଓ ଭାରତ । ବାଙ୍ଗାଲୋରର ଏମ୍‍ ଚିନ୍ନାମାସ୍ୱାମୀ ଷ୍ଟାଡିୟମ୍‍ରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ। ବିଶ୍ୱକପରେ ବର୍ତ୍ତମାନ ଯାଏଁ ଅପରାଜେୟ ଥିବା ଟିମ୍ ଇଣ୍ତିଆ ୧୬ ଅଙ୍କ ସହ ପଏଣ୍ଟ ଟେବଲରେ ଶୀର୍ଷରେ ରହିଛି । ଅନ୍ୟପଟେ ନେଦରଲ୍ୟାଣ୍ଡ ୧୦ମ ସ୍ଥାନରେ ରହିଛି। ଶନିବାର ଅନୁଷ୍ଠିତ ଦୁଇଟି ମ୍ୟାଚରୁ ଗୋଟିକରେ ଅଷ୍ଟ୍ରେଲିଆ ୮ ଓ୍ୱିକେଟରେ ବାଂଲାଦେଶଠାରୁ ବିଜୟ ହାସଲ କରିଥିବାବେଳେ ଅନ୍ୟ ଏକ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୯୩ ରନ୍‍ରେ ବିଜୟ ହାସଲ କରିଛି।

2.କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କୀୟ କହି ୬୦ ଲକ୍ଷ ଲୁଟ୍, ଜଣେ ଗିରଫ: ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହାୟକ କହି ଲୋକଙ୍କୁ ଠକୁଥିବା ଅଭିଯୋଗରେ ସନ୍ତୋଷ ମହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଚାକିରି ଦେବା ନାଁରେ ସେ ଲୋକଙ୍କୁ ଲୁଟୁଥିଲେ। ଏନେଇ କଟକ ସାଇବର ପୁଲିସରେ ଅଭିଯୋଗ ପରେ ତଦନ୍ତ କରି ସନ୍ତାଷଙ୍କୁ ବାଲେଶ୍ୱରରୁ ଗିରଫ କରାଯାଇଛି। ପୂର୍ବତଟ ରେଳବାଇ ଓ ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ୍‍ରେ ଚାକିରି କରାଇଦେବା କହି ସେ ନିଜର ନେଟ୍‍ଓ୍ୱର୍କ ବିସ୍ତାର କରିଥିଲେ। 

3.ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଇ ଶିକ୍ଷକ ନିଲମ୍ବିତ: ନାବାଳିକା ଛାତ୍ରୀଙ୍କୁ ଗ୍ୟାଙ୍ଗ୍ ରେପ୍‍ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ଆଶ୍ରମ ସ୍କୁଲ୍‍ର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁ ସଚ୍ଚିନ୍ଦ୍ର ନନ୍ଦନ ବିଶ୍ୱାସ ଓ କେଶବ ଚନ୍ଦ୍ର ମାଝି ଅଟେ। ସଚ୍ଚିନ୍ଦ୍ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଗତକାଲି ନବରଙ୍ଗପୁର ପୁଲିସ ଏହି ଦୁଇ ଶିକ୍ଷକଙ୍କୁ ଗିରଫ କରିଥିଲେ।

4.ପ୍ରାଥମିକ ଚିକିତ୍ସାଳୟରେ ହେବ ଇନ୍ଡୋର ଚିକିତ୍ସା: ରାଜ୍ୟରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାକୁ ନେଇ ଅତୀତରେ ସମାଲୋଚିତ ହୋଇଥିବା ରାଜ୍ୟ ସରକାର ଏବେ ଇନ୍‍ଡୋର ଚିକିତ୍ସା କରିବା ଲାଗି ଚିନ୍ତା କରୁଛନ୍ତି। ରାତି ଅଧରେ ଜରୁରୀକାଳୀନ ରୋଗୀଙ୍କୁ ସେବା ଯୋଗାଇବା ଲାଗି ପ୍ରତି ପ୍ରାଥମିକ ଚିକିତ୍ସା କେନ୍ଦ୍ର ବା ପିଏଚ୍‍ସିରେ ଏଣିକି ୬ଟି ଲେଖାଏଁ ଶଯ୍ୟା ରଖିବା ବ୍ୟବସ୍ଥା କରାଯିବ। ଏହା ସହ ଟର୍ସିଆରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୋଝ କମାଇବା ଲାଗି ଜିଲ୍ଲା ଓ କମ୍ୟୁନିଟି ସ୍ତରରେ ମଧ୍ୟ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ସରକାର ଚିନ୍ତା କରୁଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହା ସହ ସାରା ରାଜ୍ୟରେ ସରକାରୀ ଡାକ୍ତରଖାନା ଗୁଡ଼ିକରେ ରୋଗୀ ଶଯ୍ୟା ସଂଖ୍ୟା ୨୮ ହଜାରରୁ ୫୦ ହଜାରକୁ ବଢ଼ାଇବାକୁ ଯୋଜନା କରାଯାଇଛି।

5.ନୂଆ ପୁଲିସ ଡିଜି ପାଇଁ ନାଁ: ରାଜ୍ୟ ସରକାର ବିଧି ଅନୁସାରେ କେନ୍ଦ୍ର ସରକାରଙ୍କୁ ନୂଆ ପୁଲିସ ଡିଜି ନିଯୁକ୍ତି ଲାଗି ୭ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ସୁପାରିଶ କରିଛନ୍ତି। କାର୍ମିକ ମନ୍ତ୍ରଣାଳୟ ଏହି ନାଁକୁ ଯାଞ୍ଚ କରି ବରିଷ୍ଠତା ଭିତ୍ତିରେ ନୂଆ ପୁଲିସ ଡିଜି ଘୋଷଣା କରିପାରନ୍ତି। ଆସନ୍ତା ଡିସେମ୍ବର ୩୧ରେ ବର୍ତ୍ତମାନ ଅବସ୍ଥାପିତ ପୁଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ବର୍ଷରୁ ନୂଆ ଡିଜି ପାଇବ ଓଡ଼ିଶା ପୁଲିସ। ସୁପାରିଶ କରାଯାଇଥିବା ନାଁ ଗୁଡ଼ିକ ମଧ୍ୟରେ ନିକଟରେ କେନ୍ଦ୍ରୀୟ ଡେପୁଟେସନ୍‍ ସାରି ଓଡ଼ିଶା ଫେରିଥିବା ବି ରାଧିକାଙ୍କ ନାଁ ଆଗରେ ରହିଛି। ଏହାଙ୍କ ସହ ଏଏମ୍‍ ପ୍ରସାଦ, ଓ୍ୱାଇବି ଖୁରାନିଆ, ଏସ୍‍ଏମ୍‍ ନରବାଣେ, ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ରହିଛି। ଯଦି ରାଧିକା ପୁଲିସ ଡିଜି ହୁଅନ୍ତି ତେବେ ସେ ରାଜ୍ୟର ପ୍ରଥମ ମହିଳା ଡିଜି ପୁଲିସ ହେବେ। ରାଜ୍ୟ ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଥିବାରୁ ଏହି ନିର୍ବାଚନ ଋତୁରେ ରାଧିକା ହିଁ ଓଡ଼ିଶା ପୁଲିସର ମଙ୍ଗ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

6.ଦର୍ପଣଗଡ଼କୁ ଫେରିଲା ମାକୋଟ୍ରାକ୍ଷୀଙ୍କ ମୂର୍ତ୍ତି: ୨ ବର୍ଷ ୧୦ ମାସର ପରେ ଯାଜପୁର ଜିଲ୍ଲାର ଦର୍ପଣଗଡ଼କୁ ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଫେରିଛି।  ଦିଲ୍ଲୀରେ ମା’ଙ୍କ ମୂର୍ତ୍ତିକୁ ହସ୍ତାନ୍ତର ପରେ ଯାଜପୁର ପୁଲିସ ଓ ଦର୍ପଣ ସରପଞ୍ଚଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ମୂର୍ତ୍ତି ଧରି ବଡ଼ଚଣା ଥାନାକୁ ଆସିଥିଲେ। ଥାନାରେ ପୁଲିସ ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରିଥିଲା। ପରେ ସେଠାରୁ ଏକ ଶୋଭାଯାତ୍ରାରେ ମା’ଙ୍କୁ ଦର୍ପଣ ଗ୍ରାମକୁ ନିଆଯାଇଥିଲା। ଚୋରି ହୋଇଥିବା ଏହି ମୂର୍ତ୍ତିକୁ କଷ୍ଟମ୍ସ ବିଭାଗ ପକ୍ଷରୁ ଜବତ କରାଯାଇଥିଲା।

7.ଶ୍ରୀମନ୍ଦିର ଚାରିପଟେ ନୋ ଭେହିକିଲ୍ଜୋନ୍‍: ଦୀପାବଳୀ ଅବସରରେ ଭିଡ଼ ନିୟନ୍ତ୍ରଣ ଲାଗି ପୁରୀ ପ୍ରଶାସନ ଶ୍ରୀମନ୍ଦିର ଚାରିପଟେ ଗାଡ଼ି ପାର୍କିଂକୁ ବାରଣ କରିଛି। ଏହାକୁ ‘ନୋ-ଭେହିକିଲ୍‍ ଜୋନ୍‍’ ଭାବେ ଘୋଷଣା କରିଛି। ଏହା ସହ ଚାରିପଟେ ନିର୍ଦ୍ଧାରିତ ସ୍ଥାନରେ ବଡ଼ବଡୁଆ ଡାକ କରିବାକୁ କୁହାଯାଇଛି। ପୁରୀ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯିବା ସହ ସ୍ୱତନ୍ତ୍ର ପୁଲିସ ଓ ଅଗ୍ନି ନିର୍ବାପକ ଟିମ୍‍ ମୁତୟନ କରାଯାଇଛି। ସଅଳ ନୀତି ସମାପନ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି।

8.ଟ୍ରେନରେ ଯିବେ ରାଷ୍ଟ୍ରପତି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରକୁ ଟ୍ରେନ୍ ଯୋଗେ ଯାତ୍ରା କରିବେ। ବାଦାମ ପାହାଡ଼ରୁ ପ୍ରାୟ ୨୦ କିଲୋମିଟର ଯାତ୍ରା ସେ ଟ୍ରେନ୍ ଦ୍ୱାରା ସମାପନ କରିବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ହେବା ପରେ ମୁର୍ମୁଙ୍କ ଏହା ପ୍ରଥମ ଟ୍ରେନ୍ ଯାତ୍ରା ହେବ। ଆସନ୍ତା ୨୦ ତାରିଖରୁ ୨୨ ତାରିଖ ଯାଏଁ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ରହିବେ।

9.ମୁଖ୍ୟମନ୍ତ୍ରୀଙ୍କ ଶିଷ୍ୟ ପାଣ୍ଡିଆନ୍‍: ନବୀନ ଓଡ଼ିଶା ଅଧ୍ୟକ୍ଷ ତଥା ପୂର୍ବତନ ଆଇଏଏସ୍‍ ଭି.କେ ପାଣ୍ତିଆନ୍‍ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶିଷ୍ୟ ବୋଲି ଅଭିହିତ କରିଛନ୍ତି ବିଜେଡି଼ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‍ଘାଟନୀ ଉତ୍ସବରେ ସେ ଭାଷଣ ଦେବା ବେଳେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିକୁ ପ୍ରକଳ୍ପ ମାଧ୍ୟମରେ ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କରିବାରେ ସେ ସିଦ୍ଧହସ୍ତ ବୋଲି କହିଛନ୍ତି ପ୍ରଣବ।

10.୮ ଲେନ୍ବିଶିଷ୍ଟ ଅର୍ଥନୀତିକ କରିଡର ଦାବି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍‍ ବିଶିଷ୍ଟ ଅର୍ଥନୀତିକ କରିଡରରେ ପରିଣତ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହି ରାସ୍ତାର ଛତିଗଡ଼ ରାୟଗଡଠାରୁ ଝାରସୁଗୁଡ଼ା, ଦେବଗଡ଼ ଦେଇ ଅନୁଗୁଳ ଯାଏ ପ୍ରାୟ ୩୦୦ କିଲୋମିଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାଗ ହୋଇଥିବାରୁ ଏହାକୁ ୮ ଲେନ୍‍ ବିଶିଷ୍ଟ ରାସ୍ତାରେ ପରିଣତ ପାଇଁ ସେ କହିଛନ୍ତି।