Odisha floods: ରାଜ୍ୟରେ ବଢିପାରେ ବନ୍ୟା ସଙ୍କଟ; ଆଉ ଏକ ଲଘୁଚାପ ନେଇ IMD ଡିଜି କଲେ ଆଲର୍ଟ
Advertisement
Article Detail0/zeeodisha/odisha1308440

Odisha floods: ରାଜ୍ୟରେ ବଢିପାରେ ବନ୍ୟା ସଙ୍କଟ; ଆଉ ଏକ ଲଘୁଚାପ ନେଇ IMD ଡିଜି କଲେ ଆଲର୍ଟ

Odisha floods: ଉତ୍ତର-ପୂର୍ବ ଓ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି । କାଲି ସକାଳେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଆକାଶ ମାର୍ଗରୁ ବନ୍ୟା ପ୍ରପିଡୀତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି । 

ସୌ: ସୋସିଆଲ ମିଡିଆ

Odisha floods: ରାଜ୍ୟରେ ଆଉ ଏକ ଲଘୁଚାପକୁ (low pressure) ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର (Mrutyunjay Mohapatra) ସୂଚନା ଦେଇଛନ୍ତି । ଉତ୍ତର-ପୂର୍ବ ଓ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି । କାଲି ସକାଳେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ହେବ। ଏଥିପାଇଁ ୨ଟି ଜିଲ୍ଲାକୁ ରେଡ୍, ୧୪ ଜିଲ୍ଲାକୁ ଅରେଞ୍ଜ ଓ ୭ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁର, ବାଲେଶ୍ବର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଏହି ସମୟରେ ୭୦ ରୁ ୨୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ଭୂସ୍କଳନ ହେବା ସହ କଚ୍ଚା ଘର ଓ କଚ୍ଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ୨ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ୨୦ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଆସନ୍ତାକାଲି ସକାଳେ ଏହା ଅବପାତରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ  ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଥିଲେ ।

ଏହା ସହ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଞ୍ଚଳରୁ ପରିଦର୍ଶନ କରି ଫେରିବା ପରେ  ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା ମଧ୍ୟ କରିଛନ୍ତି ।

ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଯେଉଁ ଗାଁ ମାନଙ୍କରେ ପାଣି ପଶିଛି ସେଠାରେ ଅସୁବିଧାରେ ଥିବା ଲୋକ ମାନଙ୍କୁ ୧୫ ଦିନର ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲାର ପାଣି ପଶିଥିବା ଗାଁରେ ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହାଛଡା ପାଣି ଛାଡିବାର ସାତ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବା ଓ ଏହାର ୧୫ ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ୧୦ ଟି ସନ୍ତାନ ଜନ୍ମକଲେ ମିଳିବ ୧୩ ଲକ୍ଷ ଟଙ୍କା, ଏହି ଦେଶ ନିଜ ଜନତାକୁ ଦେଲା ବଡ ଅଫର