ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଚିନ୍ତା, ବଦଳାଇବେ ଘର ଠିକଣା
Advertisement
Article Detail0/zeeodisha/odisha2437597

ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଚିନ୍ତା, ବଦଳାଇବେ ଘର ଠିକଣା

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧି ମାର୍ଗରୁ ନିଜ ସରକାରୀ ଆବାସର ଠିକଣାକୁ ରାଜପଥକୁ ପରିବର୍ତ୍ତନ କରିବେ। ଏଥିନେଇ ସାଧାରଣ ପ୍ରଶାସନ ପକ୍ଷରୁ ଏକ ସରକାରୀ ଘରକୁ ଚକାଚକ୍‍ କରିବାକୁ ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ମଧ୍ୟ ହୋଇଛି।

ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଚିନ୍ତା, ବଦଳାଇବେ ଘର ଠିକଣା

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିବାକୁ ଘୋଷଣା କରିଥିବା ୧୦୦ ଦିନର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଏବେ ଘାରିଛି ସୁରକ୍ଷା ଚିନ୍ତା। ତାହା ପୁଣି କୌଣସି ଆତତାୟୀଙ୍କର ନୁହେଁ, ବରଂ ଲୋକଙ୍କ ଆନ୍ଦୋଳନର। ମହାତ୍ମା ଗାନ୍ଧି ମାର୍ଗରେ ବାରମ୍ବାର ଆନ୍ଦୋଳନ, ବିକ୍ଷୋଭ ହେଉଥିବାରୁ ପୁଲିସ ତାଙ୍କୁ ସୁରକ୍ଷା ଯୋଗାଇବା କଷ୍ଟକର ହେଉଛି ବୋଲି କହିବା ପରେ ଏବେ ସେ ନିଜର ଠିକଣା ବଦଳାଇବାକୁ ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା ସୂଚନା ମିଳିଛି। ଏହି ସୂଚନା ଅନୁସାରେ ସେ ମହାତ୍ମା ଗାନ୍ଧି ମାର୍ଗରୁ ନିଜ ସରକାରୀ ଆବାସର ଠିକଣାକୁ ରାଜପଥକୁ ପରିବର୍ତ୍ତନ କରିବେ। ଏଥିନେଇ ସାଧାରଣ ପ୍ରଶାସନ ପକ୍ଷରୁ ଏକ ସରକାରୀ ଘରକୁ ଚକାଚକ୍‍ କରିବାକୁ ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ମଧ୍ୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଯେଉଁ ଯୋଜନାକୁ ପ୍ରଶାସନ ବା ପୁଲିସ ପକ୍ଷରୁ କାର୍ଯ୍ୟକାରୀ କରାଯିବାକୁ ଯୋଜନା କରାଯାଇଛି ତାହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭଳି ମୋହନଙ୍କୁ ଲୋକଙ୍କଠୁ ଦୂରେଇବାର ଅନ୍ୟ ଏକ ପ୍ରସ୍ତାବ। ଏହି ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ପଡ଼ିଶା ଭାବେ ମୁଖ୍ୟମନ୍ତ୍ରୀଙ୍କ ଆବାସ ତିଆରି ହେବ। ଏହି ଅଞ୍ଚଳକୁ ଉଚ୍ଚ ସୁରକ୍ଷା ସମ୍ପନ୍ନ ଜୋନ ଭାବେ ପରିଚାଳନା କରାଯିବ। ଅର୍ଥାତ୍‍ ଯେଉଁଭଳି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଭେଟିବା ଅସମ୍ଭବ ଥିଲା ଏବେ ବି ସେଇଆ ହେବାକୁ ଯାଉଛି। ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କେତେବେଳେ କେମିତି ବସୁଥିବାରୁ ଶ୍ରୀ ମାଝି ଆଉ ଲୋକଙ୍କ ମୁଖ୍ୟମନ୍ତ୍ରୀ ରହିବେ କି ନା ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। 
ଏବେ ଶ୍ରୀ ମାଝି ମହାତ୍ମା ଗାନ୍ଧି ମାର୍ଗର ବି-୧  ସରକାରୀ ଗୃହରେ ରହୁଛନ୍ତି। ଏହି ଅଞ୍ଚଳରେ ଅନେକ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି  ବି ରହୁଛନ୍ତି। ହେଲେ ଏହି ଅଞ୍ଚଳରେ ଅନେକ ସମୟରେ ଧାରଣା ଓ ବିକ୍ଷୋଭ ଚାଲୁଛି। ସାଧାରଣ ଲୋକ, ବିଭିନ୍ନ ଜନ ସଂଗଠନ ନିଜର ଦାବି ନେଇ ଏଠାକୁ ଆସୁଛନ୍ତି। ପୁଲିସ ଏଠାରେ ଶୃଙ୍ଖଳିତ ଭାବେ ଆନ୍ଦୋଳନ କରିବାକୁ ଅନେକ ବ୍ୟବସ୍ଥା ବି କରିଛି। ଯଦିଓ ସମୟ ସମୟରେ ଏହି ଅଞ୍ଚଳ ଜନାରଣ୍ୟରେ ପରିଣତ ହେଉଛି କିନ୍ତୁ ଲୋକଙ୍କ ଅଭିଯୋଗ, ଦାବିକୁ ପହଞ୍ଚାଇବା ଲାଗି ଏହା ଏକ ବିଶେଷ ମହତ୍ତ୍ୱ ରକ୍ଷା କରି ଆସୁଛି। ଏବେ ମୁଖ୍ୟମନ୍ତ୍ରୀଙ୍କର ଏଠାରେ ରହିବା ଦ୍ୱାରା ଆନ୍ଦୋଳନକାରୀଙ୍କ ଦାବି ଖୁବ ଶୀଘ୍ର ତାଙ୍କର ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ପରିବର୍ତ୍ତନ କରିବା ଦ୍ୱାରା ତାହା ସମ୍ଭବ ହୋଇପାରିବ ନାହିଁ। ଅର୍ଥାତ୍‍ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭଳି ଏଥରର ମୁଖ୍ୟମନ୍ତ୍ରୀ ବି ଲୋକଙ୍କଠୁ ଦୂରେଇବା ନିଶ୍ଚିତ।

ପ୍ରୋଟୋକଲ ନାଁରେ ଏମିତି ଏକ ବ୍ୟବସ୍ଥାକୁ ପ୍ରଶାସନ କାର୍ଯ୍ୟକାରୀ କରିବାକୁ ଯାଉଛି। ସେଥିଲାଗି ରାଜପଥର ଭିଆଇଆଇଏମ୍‍ଆର୍‍-୩ କ୍ୱାର୍ଟରକୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ଭାବେ ସଜ୍ଜାଯିବ। ପ୍ରଶ୍ନ ଉଠୁଛି ଯଦି ସୁରକ୍ଷା ଚିନ୍ତା ରହିଥିଲା ତେବେ ଅତିଥି ଭବନରୁ ଯେତେବଳେ ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର ଦେବାର ବ୍ୟବସ୍ଥା ହୋଇଥିଲା, ସେ ସମୟରେ କାହିଁକି ଏହାକୁ ଗ୍ରହଣ କରାଯାଇ ନଥିଲା? ଏବେ ଏପରି ପରିବର୍ତ୍ତନ ମୁଖ୍ୟମନ୍ତ୍ରୀଙକ୍ ପ୍ରତିଛବି ଉପରେ ପ୍ରଶ୍ନ ଚିହ୍ନ ଲଗାଇବନି କି?

Also Read- Jammu and Kashmir: ବିଶ୍ୱର କୌଣସି ଶକ୍ତି ଧାରା ୩୭୦କୁ ଫେରାଇ ଆଣିପାରିବ ନାହିଁ- ପ୍ରଧାନମନ୍ତ୍ରୀ