Ayodhya Ram Mandir: ବିଜ୍ଞାନ କରି ଦେଖାଇଲା ଚମତ୍କାର; ଲୁହା-ସିମେଣ୍ଟ ବିନା ନିର୍ମାଣ ହେଉଛି ରାମ ମନ୍ଦିର
Advertisement
Article Detail0/zeeodisha/odisha2014027

Ayodhya Ram Mandir: ବିଜ୍ଞାନ କରି ଦେଖାଇଲା ଚମତ୍କାର; ଲୁହା-ସିମେଣ୍ଟ ବିନା ନିର୍ମାଣ ହେଉଛି ରାମ ମନ୍ଦିର

Ayodhya Ram Mandir Construction: କିପରି ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ  ତିଷ୍ଠି ରହିପାରିବ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ସେ ନେଇ ପାରମ୍ପିରକ ସହ ବୈଜ୍ଞାନିକ ଜ୍ଞାନକୌଶଳରେ ଜାରି ରହିଛି ନିର୍ମାଣ।

Ayodhya Ram Mandir: ବିଜ୍ଞାନ କରି ଦେଖାଇଲା ଚମତ୍କାର; ଲୁହା-ସିମେଣ୍ଟ ବିନା ନିର୍ମାଣ ହେଉଛି ରାମ ମନ୍ଦିର

Ayodhya Ram Mandir Building Technology: ଦ୍ରୁତ ଗତିରେ ଆଗେଇ ଚାଲିଛି ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏହି ମନ୍ଦିର ନିର୍ମାଣରେ କେବଳ ପାରମ୍ପାରିକ ପ୍ରାଚୀନ ଶୈଳୀ ଏବଂ ସଂସ୍କୃତି ଅନ୍ତର୍ଭୂକ୍ତ ହୋଇନାହିଁ ବରଂ ନୂତନ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରାଯାଉଛି। ପ୍ରତିବର୍ଷ ରାମ ନବମୀ ସମୟରେ ସୂର୍ଯ୍ୟ କିରଣ ଶ୍ରୀରାମଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ହେଉ କିମ୍ବା ମନ୍ଦିରରେ ଥିବା ପଥରକୁ ସଂଯୋଗ କରିବାର ପ୍ରଣାଳୀ ଅଥବା  ଭୂକମ୍ପ ସହ ମୁକାବିଲା କରିବାକୁ ଭିତ୍ତିଭୂମି ବୈଜ୍ଞାନିକ ଜ୍ଞାନକୌଶଳ ଆଧାରରେ ପ୍ରସ୍ତୁତ କରାଯାଉଛି। ରାମ ମନ୍ଦିର ନିର୍ମାଣରେ ବୈଜ୍ଞାନିକ, ବିଶେଷଜ୍ଞ ଏବଂ ଅନେକ ଏଜେନ୍ସି ନିୟୋଜିତ ହୋଇଛନ୍ତି।  

ପ୍ରାୟ ୭୧ ଏକର ଜମିରେ ବ୍ୟାପିରହିଛି ଅଯୋଧ୍ୟ ରାମ ମନ୍ଦିର ପରିସର। ଯେଉଁଠାରେ ରାମ ମନ୍ଦିର କେବଳ ୮ ଏକର ଜମିରେ ନିର୍ମାଣ କରାଯାଉଛି। ଏହି ମନ୍ଦିର ଏପରି ଭାବରେ ନିର୍ମାଣ କରାଯାଉଛି ଯେ ଯାହା ଅତି କମରେ ୧୦୦୦ ବର୍ଷେ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ। ପ୍ରଥମ ଥର ପାଇଁ ଶ୍ରୀରାମ ମନ୍ଦିରର ମୂଳଦୁଆକୁ ଦୃଢ କରିବାକୁ ଏକ ଅସମ୍ଭବ ମନେହେଉଥିବା କାର୍ଯ୍ୟ କରାଯାଇଛି। ମନ୍ଦିର ପାଇଁ ୪୦୦ ଫୁଟ ଲମ୍ବ ଏବଂ ୩୦୦ ଫୁଟ ଚଉଡ଼ା ମୂଳଦୁଆ ତିଆରି କରାଯାଇଥିଲା। ଭୂମିରୁ ପ୍ରାୟ ୧୪ ମିଟର ଗଭୀରତାରେ ଏକ ପଥର ସଦୃଶ୍ୟ ନିର୍ମାଣ କରାଯାଇଛି। ଯାହା ମନ୍ଦିରର ମୂଳଦୁଆ ପାଲଟିଛି। ଏହା ହେଉଛି ଏକ ପ୍ଲାଟଫର୍ମ ଯେଉଁଥିରେ ନିର୍ମିତ ମନ୍ଦିର ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସ୍ଥିର ଏବଂ ନିରାପଦ ରହିପାରିବ।

ରାମ ମନ୍ଦିରର ଭିତ୍ତିଭୂମି କିପରି ହେବ ସେ ନେଇ ବିଭିନ୍ନ ବିଶେଷଜ୍ଞଙ୍କ ଠାରୁ ମତାମତ ନିଆଯାଇଥିଲା। ଏନେଇ ବିଭିନ୍ନ ସ୍ତରରେ ପରୀକ୍ଷଣ କରାଯାଇଥିଲା। ଏପରିକି ରାଡାର ସର୍ଭେ ମଧ୍ୟ କରାଯାଇଥିଲା। ପ୍ରାୟ ୫୦ ଫୁଟ ଗଭୀର ଖୋଳିବା ପରେ କୃତ୍ରିମ ପଥର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଗଲା। ଆଇଆଇଟି ଚେନ୍ନାଇ ବ୍ୟତୀତ, ଆଇଆଇଟି ଦିଲ୍ଲୀ, ଆଇଆଇଟି ଗୌହାଟି, ଆଇଆଇଟି ମୁମ୍ବାଇ, ଆଇଆଇଟି ମାଡ୍ରାସ, ଏନଆଇଟି ସୁରଟ ଏବଂ ଆଇଆଇଟି ଖଡ଼ଗପୁର, କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଏବଂ ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭିତ୍ତିଭୂମି ନିର୍ମାଣରେ ସେମାନଙ୍କ ଯୋଗଦାନ ଦେଇଛନ୍ତି। ନିର୍ମାଣ କମ୍ପାନୀ ଲାର୍ସନ୍ ଆଣ୍ଡ ଟୁବ୍ରୋ ଏବଂ ଟାଟା ବିଶେଷଜ୍ଞ ଇଞ୍ଜିନିୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ରାମ ମନ୍ଦିର ତିଷ୍ଠି ରହିପାରିବ ତାହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ମନ୍ଦିର ନିର୍ମାଣରେ ଭାରତୀୟ ପ୍ରାଚୀନ ଏବଂ ପାରମ୍ପାରିକ ନିର୍ମାଣ କୌଶଳ ଅନୁସରଣ କରାଯାଇଛି। ଭୂକମ୍ପ କିମ୍ବା ଝଡ଼ତୋଫାନ ଅଥବା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଯେପରି ମନ୍ଦିର ପ୍ରଭାବିତ ନ ହେବ ସେ ନେଇ ଧ୍ୟାନ ଦିଆଯାଇଛି। ଲୁହା ଏବଂ ସିମେଣ୍ଟ ବଦଳରେ ମନ୍ଦିର ନିର୍ମାଣରେ କେବଳ ପଥର ବ୍ୟବହାର କରାଯାଉଛି। ମନ୍ଦିରରେ ସ୍ଥାପନ କରାଯାଉଥିବା ପଥର ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି। ପଥର ଯୋଡ଼ିବା ପାଇଁ ତମ୍ବା ବ୍ୟବହାର କରାଯାଇଛି। ଯାହାର ଉଦ୍ଦେଶ୍ୟ ହେଉଛି ମନ୍ଦିର ଆହୁରି ମଜବୁତ ହୋଇଉଠିବ। ମନ୍ଦିର ନିର୍ମାଣ ଜଡ଼ିତ ବ୍ୟକ୍ତି କିମ୍ବା ସଂସ୍ଥାର କଥାକୁ ଯଦି ବିଶ୍ୱାସ କରାଯାଏ, ତାହେଲେ ରାମ ମନ୍ଦିର ୧୦୦୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବ। ଯଦି କୌଣସି ବଡ଼ ଧରଣର ଭୂମିକମ୍ପ କିମ୍ବା ଝଡ଼ ଆସେ ତାହେଲେ ମନ୍ଦିର ତିଷ୍ଠି ରହିବ। ରାମ ମନ୍ଦିରକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ବୈଜ୍ଞାନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ମନ୍ଦିରର ଭିତର ସହିତ ବାହାର ଏବଂ ଗର୍ଭଗୃହ ନିର୍ମାଣ କାର୍ଯ୍ୟ ବୈଜ୍ଞାନିକ ଦିଗକୁ ଧ୍ୟାନରେ ରଖି କରାଯାଉଛି। 

ଆଧୁନିକ ସମୟ ଅନୁଯାୟୀ ରାମ ମନ୍ଦିର ନିର୍ମାଣ କରାଯାଉଛି। ହେଲେ ନିର୍ମାଣରେ ପ୍ରାଚୀନ ସଭ୍ୟତା ଏବଂ ବୈଷୟିକ ଜ୍ଞାନକୌଶଳର ସହାୟତା ନିଆଯାଇଛି। ରାମ ନବମୀ ଦିନ ରାମଲାଲା ଯେଉଁଠାରେ ବସିବେ ସେହି ସ୍ଥାନ ସୂର୍ଯ୍ୟ କିରଣ କିପରି ପହଞ୍ଚିବ ସେ ନେଇ କାର୍ଯ୍ୟ ମଧ୍ୟ କରାଯାଇଛି। ଅନ୍ୟ ଏକ କାରଣ ପାଇଁ ଶ୍ରୀରାମ ମନ୍ଦିରର ଗର୍ଭଗୃହ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅନନ୍ୟ ହେବ। ମନ୍ଦିର ଭିତରେ ରହିଥିବା ଗର୍ଭଗୃହକୁ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ପ୍ରତିବର୍ଷ ରାମ ନବମୀ ଦିନ ମଧ୍ୟାହ୍ନ ୧୨:୦୦ ସମୟରେ ସୂର୍ଯ୍ୟ କିରଣ ପବିତ୍ର ମନ୍ଦିରରେ ଅବସ୍ଥାପିତ ଶ୍ରୀରାମଙ୍କ ପ୍ରତିମା ଉପରେ ପଡ଼ିବ। ଏଥିପାଇଁ ବହୁ ପରିଶ୍ରମ ପରେ ମନ୍ଦିରର ଶିଖରରେ ଏକ ଉପକରଣ ସ୍ଥାପନ କରାଯିବ ଏବଂ ଯାହା ମାଧ୍ୟମରେ ସୂର୍ଯ୍ୟ କିରଣ ପ୍ରତିଫଳିତ ହୋଇ ରାମଲାଲାଙ୍କ କପାଳରେ ପହଞ୍ଚିବ।

ସୂର୍ଯ୍ୟ କିରଣ ପ୍ରତିଫଳନ ପାଇଁ ସିଏସଆଇଆର ରୁରକୀ ଟିମ୍ ଦ୍ୱାରା ଏକ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା। ଇଞ୍ଜିନିୟରିଂ ଏବଂ ବୈଜ୍ଞାନିକ ଜ୍ଞାନକୌଶଳକୁ ଅନ୍ତର୍ଭୂକ୍ତ କରି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଉଛି। ଗବେଷଣା ଏବଂ ସର୍ଭେ ପରେ ଯାହା କିଛି ସାମ୍ନାକୁ ଆସିଲା ସେହି ଅନୁସାରେ ମନ୍ଦିର ନିର୍ମାଣ କରିବାର ପଦ୍ଧତି ମଧ୍ୟ ପରିବର୍ତ୍ତିତ ହୋଇଥିଲା। ମନ୍ଦିର ପାଇଁ ପଥର ଖୋଦନ କାର୍ଯ୍ୟ ୯୦ ଦଶକରୁ ଚାଲିଆସୁଛି। ହେଲେ ଯେତେବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ବୈଜ୍ଞାନିକ ଦିଗ ମଧ୍ୟକୁ ଯୋଡ଼ା ଯାଇଇଥିଲା। ରାମ ମନ୍ଦିରରେ ବ୍ୟବହୃତ ହଜାର ହଜାର ପଥର ମଧ୍ୟ କୌଣସି ଅଦ୍ଭୂତ ଠାରୁ କମ ନୁହେଁ।  ଯାହାର ସମାଧାନ ପାଇଁ, ରାମ ମନ୍ଦିରର ସମ୍ପୂର୍ଣ୍ଣ ମାନଚିତ୍ର କମ୍ପ୍ୟୁଟର ଦ୍ୱାରା ରେକର୍ଡ କରାଯାଇଛି। ଯାହାର ଅର୍ଥ ହେଉଛି ରାମ ମନ୍ଦିରରେ ସ୍ଥାପିତ ସମସ୍ତ ପଥରକୁ ଟ୍ରାକ କରାଯାଇଛି। ବାରକୋଡ୍ ସାହାଯ୍ୟରେ ପଥରର ଅବସ୍ଥାନର ବିବରଣୀ ପ୍ରସ୍ତୁତ କରାଯାଇଛି। କେଉଁ ପଥର ମନ୍ଦିରର କେଉଁ ଅଂଶରେ ରଖାଯିବ ଏବଂ କେଉଁ ସମୟରେ ଲଗାଯିବ  ତାହା କମ୍ପ୍ୟୁଟର ସାହାଯ୍ୟରେ ସ୍ଥିର ହେବ।

ରାମ ମନ୍ଦିର ହେଉଛି ଏହାର ପ୍ରଥମ ନିର୍ମାଣ ଯାହା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଯାହା ବାସ୍ତବ ରୂପ ନେଉଛ। ମନ୍ଦିରର ମଡେଲ ହେଉ କିମ୍ବା ଏହାକୁ ତିଆରି କରିବାର ପଦ୍ଧତି ହେଉ ସବୁକିଛି ପରୀକ୍ଷା ନିରୀକ୍ଷା କରିବା ପରେ ଯାଇ ଆରମ୍ଭ କରାଯାଇଥିଲା। ମନ୍ଦିର ନିର୍ମାଣ ସହ ଜଡ଼ିତ ଅନେକ ନିଷ୍ପତ୍ତି ମଧ୍ୟ ସନାତନ ପଦ୍ଧତିର ଅଂଶବିଶେଷ ରହିଥିଲା। ଅଧିକାଂଶ ଅଟ୍ଟାଳିକା ନିର୍ମାଣରେ ଲୁହା ରଡ ବ୍ୟବହାର କରାଯାଏ। ଯାହାର ଆୟୁଷ ପ୍ରାୟ ୯୪ ବର୍ଷ ବୋଲି ବିବେଚନା କରାଯାଏ। ଯେହେତୁ ରାମ ମନ୍ଦିର ସାଧାରଣ ଘର ଠାରୁ ୧୦ ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ନିର୍ମାଣ କରାଯାଉଛି ସେଥିପାଇଁ ଲୁହା ବ୍ୟବହାର ନକରିବାକୁ ନିଷ୍ପତ୍ତି ନିଆଯାଇଛି। 

ରାମ ମନ୍ଦିର ପାଇଁ ଏପରି ଅନେକ ପ୍ରଯୁକ୍ତିବିଦ୍ୟା ବ୍ୟବହୃତ ହୋଇଛି ଯାହା ଏହାକୁ ଚମତ୍କାର ଏବଂ ଅନନ୍ୟ କରିବ। ଦେଶର ଅନେକ ମନ୍ଦିର ଶତାବ୍ଦୀ ପୁରୁଣା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦୃଢ ଭାବରେ ଠିଆ ହୋଇଛି। ରାମ ମନ୍ଦିର ନିର୍ମାଣରେ ସମାନ ପ୍ରେରଣା ନିଆଯାଇଥିଲା ଏବଂ ସମାନ ଆଧାରରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାର୍ଯ୍ୟ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଶେଷ ହେବ। ଯାହା ପରେ ରାମଲାଲା ଗର୍ଭଗୃହରେ ବିରାଜମାନ କରିବେ। ପ୍ରଥମ ଦିନରୁ ପ୍ରତ୍ୟେକ କାର୍ଯ୍ୟ ବହୁତ ଯତ୍ନ ଏବଂ ଯାଞ୍ଚ ସହିତ କରାଯାଉଛି। 

ସମଗ୍ର ଦେଶରେ ଏପରି ଅନେକ ମନ୍ଦିର ଅଛି ଯାହା ଶହ ଶହ ବର୍ଷ ପୁରୁଣା। ଯାହାକୁ ଦେଖିଲେ ଆପଣ ଅନୁଭବ କରିବେ ଯେ ଏହାର ପ୍ରତ୍ୟେକ ଇଞ୍ଚ ଗଣନା କରି ପ୍ରସ୍ତୁତ ହୋଇଥିବ। ପଥରରେ ନିର୍ମିତ ରାମ ମନ୍ଦିରରେ ସଠିକତା ପାଇଁ ନୂତନ ଜ୍ଞାନକୌଶଳ ବ୍ୟବହୃତ ହୋଇଛି। ଆସନ୍ତା ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ରାମ ମନ୍ଦିରର ଅନ୍ତିମ ନିର୍ମାଣ କାର୍ଯ୍ୟ ଶେଷ ହେବ। ରାମଲାଲାଙ୍କ ଏହି ବିଶାଳ ମନ୍ଦିରରେ ତଳ ମହଲା ସହିତ ମୋଟ ୩ ମହଲା ରହିବ। ପଥର ସହିତ ନିର୍ମିତ ମନ୍ଦିରର ପ୍ରତ୍ୟେକ ମହଲା ଗୋଟିଏ ସ୍ତରରେ ରହିବ। ଅର୍ଥାତ ମାନଚିତ୍ର ଏବଂ ପ୍ରକୃତ ମନ୍ଦିର ମଧ୍ୟରେ ଏକ ମିଲିମିଟର ମଧ୍ୟ ପାର୍ଥକ୍ୟ ରହିବ ନାହିଁ। ଏହାକୁ ସୁନିଶ୍ଚିତ କରିବାକୁ ଯାଇ ମନ୍ଦିରର ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ପରୀକ୍ଷଣ ନିରନ୍ତର ଭାବରେ କରାଯାଉଛି।

ରାମ ମନ୍ଦିର ସମ୍ପୂର୍ଣ୍ଣ ପଥରରେ ନିର୍ମିତ ହୋଇଛି। ଯେଉଁଥିପାଇଁ ପ୍ରତ୍ୟେକ ପଥର ଖୋଦନ ପୂର୍ବରୁ ପରୀକ୍ଷଣ କରାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶରେ କାର୍ଯ୍ୟ କରାଯାଇଥିଲା। ଯାହାର ଫଳାଫଳ ବର୍ତ୍ତମାନ ଏକ ମହାନ ମନ୍ଦିର ଆକାରରେ ଦୃଶ୍ୟମାନ ହେଉଛି। ଶ୍ରୀରାମ ମନ୍ଦିର ପାଇଁ ପଥର ଚୟନ କରିବାରେ ବିଜ୍ଞାନ ମଧ୍ୟ ସାହାଯ୍ୟ କରିଥିଲା। ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନର ବଂଶୀପୁର ପାହାଡରୁ ପଥର ଅଣାଯାଇଥିଲା। ଯାହାକୁ ବାଲୁକା ପଥର କୁହାଯାଏ। ଯାହା ହେଉଛି ସର୍ବୋତ୍ତମ ଗୁଣାତ୍ମକ ପଥର। ବୈଜ୍ଞାନିକ ଏଥିପାଇଁ ଏକ ସୂତ୍ର ମଧ୍ୟ ପ୍ରସ୍ତୁତ କରିଛନ୍ତି। ଯାହା ଭବିଷ୍ୟତରେ ପଥରରୁ ଜଳ ନିଷ୍କାସନ କିମ୍ବା ରଙ୍ଗ ପରିବର୍ତ୍ତନ ସମସ୍ୟା ଦୂର କରିବ। ବିଜ୍ଞାନର ସାହାଯ୍ୟରେ ଏପରି ପଥର ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିବ।

କର୍ମଶାଳାରେ ଏବେ ମଧ୍ୟ ପଥର ଖୋଦିତ ହେଉଛି। ବହୁ ସଂଖ୍ୟକ କାରିଗର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ପଥର ଖୋଦନ ପ୍ରାଚୀନ ଭାରତୀୟ ଖୋଦନ କାର୍ଯ୍ୟର ଝଲକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ଦିରରେ ପଥରକୁ ଯୋଡ଼ିବା ପାଇଁ ପ୍ରାଚୀନ ପଦ୍ଧତି ବ୍ୟବହାର କରାଯାଉଛି। ଯେପର୍ଯ୍ୟନ୍ତ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ସଂଗ୍ରାମ ଚାଲିଥିଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବା ପରେ ମଧ୍ୟ ସମାନ ସଂଖ୍ୟକ ଆହ୍ୱାନ ଆସିଥିଲା। ହେଲେ ପ୍ରତ୍ୟେକ ଆହ୍ୱାନର ସାମ୍ନା କରି ଅଯୋଧ୍ୟା ଠାରେ ଏକ ଐତିହାସିକ ମନ୍ଦିର ପ୍ରସ୍ତୁତ କରାଯାଉଛି।

ଭାରତୀୟ ଇଞ୍ଜିନିୟର୍ସ କ୍ୱଚିତ୍ ଏହା ଠାରୁ ଏକ ବଡ଼ ଆହ୍ୱାନର ସାମ୍ନା କରିଛନ୍ତି। ଗତ ୨୦୨୧ ବର୍ଷରେ ଶ୍ରୀରାମ ମନ୍ଦିରର ଭିତ୍ତିପ୍ରସ୍ତର କାର୍ଯ୍ୟ ଚାଲିଥିଲା। ସେହି ସମୟରେ ମାଟିର ପ୍ରକୃତି ଅନୁଯାୟୀ ମାନଚିତ୍ରରେ ମଧ୍ୟ ପରିବର୍ତ୍ତନ କରାଯାଉଥିଲା। ଗୋଟିଏ ପଟେ ଭିତ୍ତିପ୍ରସ୍ତର ଖନନ ଚାଲିଥିଲା ଅନ୍ୟ ପଟେ ଏହାର ଶକ୍ତି ବଜାୟ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା। ଏହି ସମସ୍ତ କାର୍ଯ୍ୟ ଏକାସାଙ୍ଗରେ ଚାଲିଥିଲା। ଇଞ୍ଜିନିୟର୍ସ ମଧ୍ୟ ଏହି ପରିବର୍ତ୍ତନକୁ ତୁରନ୍ତ କାର୍ଯ୍ୟକାରୀ କରୁଥିଲେ। 

ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟର ନୂତନ ଚିନ୍ତାଧାରା ସହିତ ଶ୍ରୀରାମ ମନ୍ଦିର ନିର୍ମାଣ କରାଯାଉଥିବାବେଳେ ସେହି ପାରମ୍ପାରିକ ପଦ୍ଧତିକୁ ମଧ୍ୟ ବ୍ୟବହାର କରାଯାଉଛି। ଯାହା ଆମର ପୂର୍ବପୁରୁଷଙ୍କ ଐତିହ୍ୟ ହୋଇ ରହିଆସିଛି। ଆଜିର ବିଜ୍ଞାନ ଏବଂ ପ୍ରାଚୀନ ଭାରତୀୟ ସ୍ଥାପତ୍ୟର ଏକ ନିଆରା ମିଳନ ସହିତ ରାମ ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିର ନିର୍ମାଣ ପାଇଁ ରାମ ଭକ୍ତ ଶତାବ୍ଦୀ ଧରି ଯେଉଁ ସଂଘର୍ଷ କରିଥିଲେ, ତାହା ଏବେ ସଫଳତାର ପାହାଚ ଚଢୁଛି। ପାରମ୍ପାରିକ ନାଗର ଶୈଳୀ ଏବଂ ଆଧୁନିକ ଇଞ୍ଜିନିୟରିଂର ମିଳନ ସହିତ ଅଯୋଧ୍ୟା ଠାରେ ଏକ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ କରାଯାଉଛି। ଖୁବ ଶୀଘ୍ର ରାମ ମନ୍ଦିର ଉଦଘାଟନ ହେବ। ଆସନ୍ତା ଜାନୁଆରୀ ମାସରେ ରାମ ଭକ୍ତଙ୍କ ଜୀବନରେ ସବୁଠାରୁ ବଡ ଖୁସି ଖବର ଆଣିବ। ପରେ ରାମଙ୍କ ଭକ୍ତ ସେମାନଙ୍କ ପ୍ରଭୁଙ୍କ ଦର୍ଶନ ମନ୍ଦିରରେ କରିପାରିବେ। ଭଗବାନ ଶ୍ରୀ ରାମ ତାଙ୍କ ଜନ୍ମସ୍ଥାନରେ ବସିବେ। ପ୍ରତ୍ୟେକ ସନାତନ ଧର୍ମାବଲମ୍ବୀ ମହାନ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କୁ ଦେଖିବାର ସୌଭାଗ୍ୟ ପାଇବେ। ଏହି ମନ୍ଦିରର ସୌନ୍ଦର୍ଯ୍ୟ ଅନନ୍ୟ ହେବ। ଏହା କେବଳ ଦେଶରେ ନୁହେଁ, ବିଶ୍ୱରେ ମଧ୍ୟ ତୃତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ହେବ। ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଦେଶର ୧୪୦ କୋଟି ଲୋକ ନିରନ୍ତର ପରିଶ୍ରମ କରିଥିଲେ। ଭାରତୀୟ ସାଧୁ, ଇଞ୍ଜିନିୟର, ସ୍ଥପତି ଏବଂ ବୈଷୟିକ ବିଶେଷଜ୍ଞଙ୍କ ଅବଦାନ କାରଣରୁ ରାମନ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରିରହିଛି।