ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥିବା ତତ୍କାଳୀନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀଙ୍କୁ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ମଗାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ଦେଠୀ ଗତ ନଭେମ୍ବର ମାସ ୧୧ ତାରିଖରେ ମହାବିଦ୍ୟାଳୟ ଚିଠି ସଂଖ୍ୟା ୨୨୨ ଅନୁଯାୟୀ ୮ ଜଣଙ୍କୁ ତାଲିକା ଭୁକ୍ତ କରିଥିଲେ।
Trending Photos
କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ବିବାଦ ଘନେଇବାରେ ଲାଗିଛି। ଅଭିଯୋଗ ହୋଇଛି ଯେ, ପୂର୍ବରୁ ଅବସ୍ଥାପିତ ଥିବା ଅଧ୍ୟକ୍ଷଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଜଣେ ବିବାଦୀୟ ଅଧ୍ୟାପକଙ୍କୁ ନିଯୁକ୍ତିକୁ ନେଇ ବିବାଦ ତେଜିବାରେ ଲାଗିଛି। ସେପଟେ ବରିଷ୍ଠତାକୁ ପାଥେୟ କରି ମହାବିଦ୍ୟାଳୟ ପକ୍ଷରୁ ହୋଇଥିବା ଚିଠିକୁ ମଧ୍ୟ ପ୍ରଶାସନ ଅଣଦେଖା କରିଥିବା ନେଇ ମଧ୍ୟ ଶିକ୍ଷାବିତଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
ଘଟଣାକୁ ଦେଖିଲେ ଜଣାଯାଏ ଯେ, ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଥିବା ତତ୍କାଳୀନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀଙ୍କୁ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ମଗାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ଦେଠୀ ଗତ ନଭେମ୍ବର ମାସ ୧୧ ତାରିଖରେ ମହାବିଦ୍ୟାଳୟ ଚିଠି ସଂଖ୍ୟା ୨୨୨ ଅନୁଯାୟୀ ୮ ଜଣଙ୍କୁ ତାଲିକା ଭୁକ୍ତ କରିଥିଲେ। ଚିଠିରେ ବରିଷ୍ଠତା ଅନୁଯାୟୀ ଦର୍ଶା ଯାଇଥିବା ନାଁ ଅନୁସାରେ ଏକ ନମ୍ବରରେ ଶ୍ରୀ ଦେଠୀ ନିଜକୁ ସ୍ଥାନିତ କରିଥିଲେ। ୨ ନମ୍ବରରେ ଇଂରାଜୀ ବିଭାଗର ନିବେଦିତା ବିଶ୍ୱାଳ, ୩ ନମ୍ବରରେ ରାଜନୀତି ବିଜ୍ଞାନ ବିଭାଗର ଶୁଭଶ୍ରୀ ପ୍ରିୟଦର୍ଶିନୀ ତରାଇ, ୪ ନମ୍ବରରେ ଗୀତାଞ୍ଜଳି କର, ୫ ନମ୍ବରରେ ଶ୍ରୀଧର ବେହେରା, ୬ ନମ୍ବରରେ ବନ୍ଦନାରାଣୀ ପଣ୍ଡା ଓ ଶେଷ ଦୁଇଟି ସ୍ଥାନ ୭ ଓ ୮ରେ ଯଥାକ୍ରମେ ସରିତାରାଣୀ ଦାସ ଓ ଜ୍ୟୋତିର୍ମୟୀ ଦାଶଙ୍କ ନାଁ ରହିଥିଲା। ଏହି ଚିଠିକୁ ଶ୍ରୀ ଦେଠୀ ଗତ ନଭେମ୍ବର ମାସ ୧୧ ତାରିଖରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ପଠାଇଥିଲେ। ଏହି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ ତତ୍କାଳୀନ ଓଡ଼ିଆ ବିଭାଗର ଅଧ୍ୟାପକ ତଥା ବର୍ତ୍ତମାନ ଅଧ୍ୟକ୍ଷ ଶ୍ରୀଧର ବେହେରାଙ୍କୁ ୨୦୧୪ ମସିହାରେ ୮ ମାସ ପାଇଁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।
ପୂର୍ବତନ ଅଧ୍ୟକ୍ଷଙ୍କ ଦ୍ୱାରା ହୋଇଥିବା ଚିଠିକୁ ଅଣଦେଖା କରାଯାଇ ପୁନର୍ବାର ଚିଠି କରିବାକୁ ଅତିରିକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପୁନର୍ବାର କୁହାଯାଇଥିଲା। ନୂତନ ଚିଠିରେ କିଛିଟା ପରିବର୍ତ୍ତନ ପାଇଁ ହୋଇଥିବା ନିର୍ଦ୍ଦେଶ ଅନୁସାରେ ଦ୍ୱିତୀୟ ଚିଠିରେ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶ କ୍ରମେ ଅଧ୍ୟକ୍ଷ ଥିବା ଶ୍ରୀ ଦେଠୀ ଗତ ଡିସେମ୍ବର ମାସ ୨୩ ତାରିଖରେ ମହାବିଦ୍ୟାଳୟ ଚିଠି ସଂଖ୍ୟା ୨୫୧ରେ ଆଉ ଏକ ଚିଠି ଅତିରିକ୍ତ ଜିଲ୍ଲାପାଳଙ୍କୁ ଲେଖିଥିଲେ। ଏହି ଚିଠିରେ ପୂର୍ବଭଳି ଶ୍ରୀ ଦେଠୀ ନିଜକୁ ଏକ ନମ୍ବରରେ ରଖିଥିବା ବେଳେ ପ୍ରଥମ ଚିଠିରେ ପଞ୍ଚମ ସ୍ଥାନରେ ଥିବା ଶ୍ରୀଧରଙ୍କୁ ଦ୍ୱିତୀୟ ଚିଠିରେ ଦ୍ୱିତୀୟ ସ୍ଥାନରେ ରଖିଥିଲେ। ପରେ ଅନ୍ୟ ମାନଙ୍କୁ ସ୍ଥାନ ଦେଇଥିଲେ। ପ୍ରଥମ ଚିଠିରେ ପଞ୍ଚମ ସ୍ଥାନରେ ଥିବା ଶ୍ରୀଧର ବେହେରାଙ୍କୁ କାହିଁକି କେଉଁ କାରଣରେ ଦ୍ୱିତୀୟ ଚିଠିରେ ଦ୍ୱିତୀୟ ସ୍ଥାନରେ ରଖାଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ରଖାଯାଇନଥିଲା।
ବର୍ତ୍ତମାନ ପ୍ରଥମ ଚିଠିକୁ କାହିଁକି ଅଣଦେଖା କଲେ। ଦ୍ୱିତୀୟ ଚିଠିରେ ଶ୍ରୀଧରଙ୍କ ସ୍ଥାନ କାହିଁକି ପରିବର୍ତ୍ତନ କଲେ ଓ ଶ୍ରୀ ଦେଠୀଙ୍କ ସ୍ଥାନରେ ଶ୍ରୀଧରଙ୍କୁ କାହିଁକି ଅଧ୍ୟକ୍ଷ କରାଗଲା ତାହାକୁ ନେଇ ଶିକ୍ଷାବିତ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଏହି ସମ୍ପୂର୍ଣ୍ଣ ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ପ୍ରଥମ ଚିଠି ପାଇବାର ଦେଢ ମାସ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ଦ୍ୱିତୀୟ ଚିଠି ମିଳିବାର କେଇ ଘଣ୍ଟା ମଧ୍ୟ ତରବରିଆ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମସ୍ତ ଘଟଣା ଉଚ୍ଚଶିକ୍ଷା ବିଭାଗକୁ ଅନ୍ଧାରରେ ରଖି କାର୍ଯ୍ୟ କରାଯାଉଥିବା ନେଇ ମଧ୍ୟ ଜିଲ୍ଲାର ଶିକ୍ଷାବିତମାନେ ମଧ୍ୟ ଅଭିଯୋଗ ଆଣିଛନ୍ତି।
ସେପଟେ ଶ୍ରୀଧରଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ପୂର୍ବରୁ ଅନେକ ବାର ପ୍ରଶ୍ନ ଉଠିଛି। ପୂର୍ବରୁ ମହାବିଦ୍ୟାଳୟର ଛାତ୍ରୀ ତଥା ଅଧ୍ୟାପିକାମାନେ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ଏପରିକି ଚାକିରି କରାଇଦେବା ଆଳରେ ମଧ୍ୟ ଟଙ୍କା ଲୁଟିଥିବା ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ନିୟମ ଅନୁଯାୟୀ ବିବାଦୀୟ ତଥା ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଅଧ୍ୟକ୍ଷ କରାନଯିବା ନିୟମ ରହିଥିବା ବେଳେ ଶ୍ରୀଧରଙ୍କୁ କିପରି ଅଧ୍ୟକ୍ଷ କରାଗଲା ଏପ୍ରସଂଗରେ ପ୍ରଶାସନ କାହିଁକି ନିରବ ରହିଛି ଦେଉଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ହୋଇଛି। ସେପଟେ ଏହି ମାମଲା ପୂର୍ବତନ ଅଧ୍ୟକ୍ଷଙ୍କ ମତାମତ ଲୋଡାଯାଇଥିଲେ ମଧ୍ୟ କୌଣସି ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।