୩ ଦିନିଆ ଓଡ଼ିଶା ଗସ୍ତରେ ASEAN Heads of Missionର କର୍ମକର୍ତ୍ତା
Advertisement

୩ ଦିନିଆ ଓଡ଼ିଶା ଗସ୍ତରେ ASEAN Heads of Missionର କର୍ମକର୍ତ୍ତା

ଗତ ଅଗଷ୍ଟ ମାସ ୩୧ ତାରିଖରେ ହୋଇଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ବିଭିନ୍ନ ହେଡସ ଅଫ ମିଶନର ବରିଷ୍ଠ ଅଧିକାରୀଙ୍କୁ ଓଡ଼ିଶାକୁ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ।

୩ ଦିନିଆ ଓଡ଼ିଶା ଗସ୍ତରେ ASEAN Heads of Missionର କର୍ମକର୍ତ୍ତା

ASEAN Heads of Mission: ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ASEAN Heads of Missionର ବରିଷ୍ଠ କର୍ମକର୍ତ୍ତା। ଏହି ଦଳ ବାଣିଜ୍ୟିକ ଗସ୍ତରେ ଆସିଥିବା ନେଇ ଜଣା ପଡ଼ିଛି। ଥାଇଲାଣ୍ଡ ରାଷ୍ଟ୍ରଦୂତ ପତ୍ରାଟ ହଂଟଂଙ୍କ ନେତୃତ୍ୱରେ ଏହି ଦଳ ଓଡ଼ିଶା ଆସିଛି। ଏହି ଦଳରେ ବରିଷ୍ଠ କୂଟନୀତିଜ୍ଞ ତଥା ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାଙ୍ଗନିନଗତ୍ୟାସ, ମିଆଁମାର ରାଷ୍ଟ୍ରଦୂତ କିଓ ଓଙ୍ଗ, ଲାଓ ରାଷ୍ଟ୍ରଦୂତ ବୋଲୋମେ ଚୌଉଙ୍ଗହୋମ, ବ୍ରୁନେଇ ହାଇକମିଶନର ଦାତୋ ଆଲାଉଦ୍ଦିନ ମହମ୍ମଦ ତାହ, ମାଲେସିଆ ହାଇକମିଶନର ଆମିଜାଲ ଫାଦଜିଲ ରଜାଲି, ଆଚ୍ରାପନ ୟାଭାପ୍ରାପାସ ପ୍ରମୁଖ ସାମିଲ ରହିଛନ୍ତି। 

ଗତ ଅଗଷ୍ଟ ମାସ ୩୧ ତାରିଖରେ ହୋଇଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ବିଭିନ୍ନ ହେଡସ ଅଫ ମିଶନର ବରିଷ୍ଠ ଅଧିକାରୀଙ୍କୁ ଓଡ଼ିଶାକୁ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ। ଏହି କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତରେ ଅବସ୍ଥାପିତ ବିଭିନ୍ନ ହେଡସ ଅଫ ମିଶନଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବା ସହିତ ରାଜ୍ୟରେ ଶିଳ୍ପ ଗଢିବାକୁ ଆମନ୍ତ୍ରଣ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଆମନ୍ତ୍ରଣକୁ ରକ୍ଷା କରି ତିନି ଦିନିଆ ବାଣିଜ୍ୟିକ ଗସ୍ତରେ ଆସିଛନ୍ତି ଏହି ଉଚ୍ଚସ୍ତରୀୟ ଏସିଆନ ହେଡସ ଅଫ କମିସନର ସଦସ୍ୟ ବୃନ୍ଦ। 

ଆସିଥିବା ପ୍ରତିନିଧିମାନଙ୍କୁ ଗତକାଲି ରାଜ୍ୟର ବରିଷ୍ଠ ଅଧିକାରୀମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି। ସେମାନଙ୍କୁ ଉଚ୍ଚସ୍ତରର ଆତିଥେୟତା ପ୍ରଦାନ କରାଯିବା ସହିତ ରାଜ୍ୟ ଗଢି ଉଠିଥିବା ଶିଳ୍ପ ସବୁକୁ ଦେଖାଇଛନ୍ତି। ଗତକାଲି ଅର୍ଥାତ ୨୬ ତାରିଖରେ ଏହି ଅତିଥିମାନଙ୍କୁ ଡେରାସରେ ଗଢି ଉଠିଥିବା ସି' ଫୁଡ଼ ପାର୍କକୁ ବୁଲାଇ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ଶିଳ୍ପ ବିଭାଗର ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା। ଏହି ସମୟରେ ରାଜ୍ୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିବା ଜଣାପଡ଼ିଛି। 
ଏହା ସହିତ ଆସନ୍ତା ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ବିଷୟରେ ଶ୍ରୀ ଶର୍ମା ପ୍ରତିନିଧୀମାନଙ୍କୁ ଅବଗତ କରାଇବା ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିଲେ। କନକ୍ଲେଭରେ ଥିବା ଆନ୍ତର୍ଜାତୀୟ ପାଭିଲିୟନରେ ଡେସ୍କ ମଧ୍ୟ ସ୍ଥାପନ କରିଥିଲେ। ପ୍ରାଚୀନ କାଳରୁ ଓଡିଶା ଏବଂ ASEAN ଦେଶ ମଧ୍ୟରେ ଥିବା ମଜବୁତ ସମ୍ପର୍କ ବିଷୟରେ ଶ୍ରୀ ତ୍ରିପାଠୀ କହିଥିଲେ। 

ଓଡିଶା ଏବଂ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଏକ ଦୀର୍ଘ ଏବଂ ଐତିହାସିକ ବାଣିଜ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ରହିଛି। ବଙ୍ଗୋପସାଗର ରିଜନରେ ଶତାବ୍ଦୀ ଶତାବ୍ଦୀ ଧରି ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ଏବଂ ବାଣିଜ୍ୟର ଏକ କେନ୍ଦ୍ର ହୋଇଆସିଛି। ଏହି କ୍ଷେତ୍ରରେ ଓଡିଆ ବ୍ୟବସାୟୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଓଡିଶା ଏବଂ ଦକ୍ଷିଣ ପୂର୍ବ ଏସିଆ ଏକ ଶକ୍ତିଶାଳୀ ସାଂସ୍କୃତିକ ସମ୍ପର୍କ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଏହା ପରସ୍ପରର ସଂସ୍କୃତି ଉପରେ ବହୁତ ପ୍ରଭାବ ପକାଇଥିବା ନେଇ କହିଥିଲେ। ASEAN ପ୍ରତିନିଧୀ ଦଳ କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର ଓ ସେଥିରେ ହୋଇଥିବା କାରୁକାର୍ଯ୍ୟକୁ ବୁଲି ଦେଖିଥିଲେ। ଏହା ସହିତ ଭୁବନେଶ୍ୱରରେ ଥିବା ରାଜାରାଣୀ ମନ୍ଦିର ସମେତ ବିଭିନ୍ନ ସାଂସ୍କୃତିକ ସ୍ଥାନ ଗୁଡ଼ିକ ପରିଦର୍ଶନ କରିଥିଲେ। ଏହି ପ୍ରତିନିଧି ଦଳ ଭୁବନେଶ୍ୱରର ଭିଭାନ୍ତା ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେହିପରି ଆସନ୍ତା ୨୮ ତାରିଖରେ ଏହି କମିଟି ଭୁବନେଶ୍ୱରରେ ହେବାକୁ ଥିବା ବାଣିଜ୍ୟିକ ସମିଟରେ ଯୋଗଦେବେ। ଏହି ସମିଟରେ ବ୍ୟବସାୟି ସଂଘ ଓ ଶିଳ୍ପ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ସମିଟର ମୂଳ ଲକ୍ଷ୍ୟ ରହିଛି କି ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଉଭୟ ବ୍ୟବସାୟିକ ଓ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବା। ଆସିଥିବା ଏହି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ବୈଠକ କରିବେ ବୋଲି ସୂଚନା ରହିଛି।