Ama Bank Odisha: ରାଜ୍ୟର ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’
Advertisement
Article Detail0/zeeodisha/odisha2134924

Ama Bank Odisha: ରାଜ୍ୟର ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’

Ama Bank Inauguration Today: ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’। ୫ଟି ଉପକ୍ରମ ଅଧିନରେ ଖୋଲାଯାଉଥିବା ‘ଆମ ବ୍ୟାଙ୍କ’ ସଂଖ୍ୟା ୨୭୫୦ ହୋଇଛି।

 Ama Bank Odisha: ରାଜ୍ୟର ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’

Ama Bank reached at 2750 in Odisha: ଫେବୃଆରୀ ୨୯ ତାରିଖ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ  ‘ଆମ ବ୍ୟାଙ୍କ’ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ୪୩୭୩ ପଞ୍ଚାୟତରେ ବ୍ୟାଙ୍କ ଶାଖା ନ ଥିଲା। ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦  ‘ଆମ ବ୍ୟାଙ୍କ’ ଖୋଲିଥିଲା। ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ମିଳିବ।  

‘ଆମ ବ୍ୟାଙ୍କ’ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ବ୍ୟାଙ୍କ ଜନସେବାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି। ସମସ୍ତ ସରକାରୀ ସୁବିଧା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି। ସେଥିପାଇଁ ମୋ ରାଜ୍ୟର ସବୁ ହିତାଧିକାରୀ ସୁବିଧାରେ ଏବଂ ଠିକ୍‌ ସମୟରେ ତାଙ୍କ ପ୍ରାପ୍ୟ ଗ୍ରହଣ କରନ୍ତୁ। କେହି ଜଣେ ହିତାଧିକାରୀ ସରକାରୀ ସହାୟତା ପାଇବାରେ ଯେପରି ହଇରାଣ ନ ହେବେ ତାକୁ ଦୃଷ୍ଟିରେ ରଖି ‘ଆମ ବ୍ୟାଙ୍କ’ ଖୋଲାଗଲା। ଏ ଦିଗରେ ବ୍ୟାଙ୍କ ଭଲ ଭାବେ କାମ କରିବ। ‘ଆମ ବ୍ୟାଙ୍କ’ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ। ସାରା ଦେଶରେ ଏକ ମଡେଲ। ବ୍ୟାଙ୍କ ହିତାଧିକାରୀଙ୍କୁ ୧୫ ପ୍ରକାର ସେବା ଯୋଗାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
 
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଗାଁ ଗଣ୍ଡାରେ ଡିଜିଟାଲ ଭିତ୍ତିଭୂମିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ଅନ୍ତର୍ଭୂକ୍ତିକରଣ ସମସ୍ତଙ୍କ ଏକ ମୌଳିକ ଅଧିକାର। ଏକ କଲ୍ୟାଣକାରୀ ରାଜ୍ୟ ଭାବରେ ସମସ୍ତ ନାଗରିକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବା ଆମର ମୁଖ୍ୟ ଦାୟିତ୍ୱ। ଓଡିଶା ଆଜି ଯେଉଁ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଯୋଗାଇ ଦେଉଛି, ତାହା ଜାତୀୟ ସ୍ତରରେ ଉଦାହରଣ।

 
ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ବୁଣାକାର ତଥା କଳାକାରଙ୍କ ପେନସନ ସହ ସହାୟତା ନିକଟରେ ବୃଦ୍ଧି କରାଯାଇଛି। ସେମାନଙ୍କ ସହିତ ମିଶନ ଶକ୍ତି ମାଆ ମଧ୍ୟ ‘ଆମ ବ୍ୟାଙ୍କ’ ମାଧ୍ୟମରେ ସୁବିଧା ପାଇପାରିବେ। ‘ଆମ ବ୍ୟାଙ୍କ’ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଘର ପାଖରେ ବ୍ୟାଙ୍କ ସେବା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶେଷରେ ରାଜ୍ୟ ସରକାରଙ୍କ ‘ଆମ ବ୍ୟାଙ୍କ’ ଖୋଲିବାରେ ସହାୟତା କରିଥିବା ୬ ପବ୍ଲିକ ସେକ୍ଟର ବ୍ୟାଙ୍କ ଉଦ୍ଦେଶ୍ୟକୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ସହିତ ସମାଜର ସବୁଠାରୁ ତଳସ୍ତରରେ ରହୁଥିବା ଲୋକ ଯେମତି ସୁବିଧାରେ ବ୍ୟାଙ୍କ ସେବା ପାଇ ପାରିବେ ସେଥିପାଇଁ ସେମାନଙ୍କର ଉଦ୍ୟମ ଅବ୍ୟାହତ ରଖିବା ପାଇଁ ଅନୁରୋଧ କରିଥିଲେ। ଏକ ସଶକ୍ତ ଓଡିଶା ଗଠନ କରିବା ଦିଗରେ ଆମେ ସମସ୍ତେ ସମ୍ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ରାଜ୍ୟର ସମସ୍ତ କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି। ପୂର୍ବରୁ ରାଜ୍ୟରେ ବ୍ୟାଙ୍କ ଗୁଡିକ ସଂଖ୍ୟା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଆର୍ଥିକ ଅନ୍ତର୍ଭୂକ୍ତିକରଣ ପାଇଁ ବ୍ୟାଙ୍କିଂ ଏକ ଜରୁରୀ ସେବା ହୋଇଥିବାରୁ ରାଜ୍ୟର ସମସ୍ତ ଅଞ୍ଚଳର ନାଗରିକଙ୍କୁ ଏହି ମୌଳିକ ସେବା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ‘ଆମ ବ୍ୟାଙ୍କ’ ଯୋଜନା ପରିକଳ୍ପନା କରିଛନ୍ତି। 

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସି.ଜି.ଏମ୍ ଉପସ୍ଥିତ ରହିଥିଲେ। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ସ୍ୱାଗତ ଭାଷଣ ଦେଇଥିଲେ। Director, Institutional Finance ଧନ୍ୟବାଦ ଅର୍ପଣ କରିଥିଲେ। 

(ବିଦ୍ର: ଏହି ଆର୍ଟିକିଲରେ ଲିଖିତ ଥିବା ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଛି। ଏଥିରେ ଜୀ ଓଡି଼ଶା ନ୍ୟୁଜର ନିଜସ୍ୱ ତଥ୍ୟ ନୁହେଁ।)