Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜିଠୁ ଖୋଲିବ ଧାନମଣ୍ଡି
ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ଆଜିଠାରୁ ଖରିଫ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଜିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବାବେଳେ ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଯେ, ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ।
ଆଜି ମହାରାଷ୍ଟ୍ରରେ ନିର୍ବାଚନ
ଆଜି ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ଆଜି ବୁଧବାର ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି। ଶରଦ ପାୱାର, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ତାଙ୍କ ପୂର୍ବ ଉଦ୍ଧବ ଠାକରେ, ଡେପୁଟି ସିଏମ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ପରି ରାଜ୍ୟର ବହୁ ଭେଟେରାନ ନେତାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି ଏହି ନିର୍ବାଚନ।
ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଆଜି ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର। ସକାଳ ୭ଟାରୁ ଆରମ୍ଭ ହୋଇଛି ଏହି ମତଦାନ। ମୋଟ ୧.୨୩ କୋଟି ଭୋଟର ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କର ମତ ସାବ୍ୟସ୍ତ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୫୨୮ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ନିର୍ବାଚନର ଫଳାଫଳ ଆସନ୍ତା ୨୩ ତାରିଖରେ ସାମ୍ନାକୁ ଆସିବ। ପ୍ରଥମ ପର୍ଯ୍ୟାୟର ମତଦାନ ଆସନ୍ତା ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୪୨ ପ୍ରତିଶତ ମତ ସାବ୍ୟସ୍ତ କରାଯାଇଥିଲା।
୪ଟି ରାଜ୍ୟରେ ୧୫ଟି ଆସନରେ ଉପନିର୍ବାଚନ
ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମେତ ୪ଟି ରାଜ୍ୟର ୧୫ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ମଧ୍ୟରେ ଉତ୍ତରପ୍ରଦେଶରେ କେବଳ ୯ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ କରହଲ(ମୈନୀପୁରୀ), ସିସାମଉ, କଟହରୀ, କୁନ୍ଦରକୀ, ମୀରପୁର, ଗାଜିଆବାଦ, ଫୁଲପୁର, ଖୈର, ମଞ୍ଝାୱା ଆସନରେ ମତ ସଂଗ୍ରହ କରାଯାଉଛି। ସେହିପରି ପଞ୍ଜାବର ଗିଦ୍ଦଡବାହ, ଡେରାବାବା ନାନକ, ଚବ୍ବେୱାଲ ଓ ବରନାଲ ୪ଟି ଆସନରେ ମତ ସଂଗ୍ରହ କରାଯାଉଛି। କେରଳ ଓ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନରେ ଏହି ମତ ସଂଗ୍ରହ କରାଯାଉଛି।
ବଢିଲା ଯୁକ୍ତ ୨ ଫର୍ମ ପୂରଣର ଅବଧି
ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିନାହାନ୍ତି, ସେମାନେ ୬ ଶହ ଟଙ୍କା ଜରିମାନା ସହ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ୨୬ ତାରିଖରେ ମଧ୍ୟରେ ଫର୍ମପୂରଣ ଫି ଦାଖଲ କରିପାରିବେ। ଏଥି ସହିତ ୨୮ ତାରିଖ ସୁଦ୍ଧା ନିଜ ଡକ୍ୟୁମେଣ୍ଟ ଦାଖଲ କରିବେ। ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଏହା କାର୍ଯ୍ୟକାରୀ ହେବ। ଏହା ଶେଷ ସୁଯୋଗ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।
କମିଲା ବାରବାଟୀ ଟିକେଟ ଦର
କମିଲା ବାରବାଟୀ ଟିକେଟ ଦର। ପୂର୍ବ ନିର୍ଦ୍ଧାରିତ ଟିକେଟ ଦରକୁ ନେଇ ରାଜ୍ୟବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ। ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର ହ୍ରାସ ପାଇଛି। ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓଡ଼ିଶା କ୍ରିକେଟ ସଂଘ।
ଗୋଟିଏ ଦିନ କଟକ ବାଲିଯାତ୍ରା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା ଅବଧି । ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ଆଉ ଗୋଟେ ଦିନ ବଢ଼ିଲା ବାଲିଯାତ୍ରା । ଆଉ ଗୋଟେ ଦିନ ବାଲିଯାତ୍ରା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ନଭେମ୍ୱର ୧୫ରୁ ଆୟୋଜିତ ମହୋତ୍ସବ ନବମ ଦିବସରେ ଉଦଯାପିତ ହେବ । ଜମୁଛି କଟକ ବାଲିଯାତ୍ରା । ବାଲିଯାତ୍ରା ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ଼ । ବହୁ ଦୂରଦୂରାନ୍ତରୁ ଲୋକ କଟକ ମହାନଦୀ ପଠାରେ ଏକାଠି ହେଉଛନ୍ତି ଆଉ ବାଲିଯାତ୍ରାର ମଜା ନେଉଛନ୍ତି । ତେବେ ଏହାରି ଭିତରେ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ଆସି ପହଞ୍ଚୁଛି । ଆଉ ଗୋଟେ ଦିନ ବୃଦ୍ଧି ହୋଇଛି କଟକ ବାଲିଯାତ୍ରା।
ଆସୁଛି ଆଉ ଏକ ଲଘୁଚାପ
ଆସୁଛି ଆଉ ଏକ ଲଘୁଚାପ। ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଅଧିକ ଘନୀଭୂତ ହୋଇ ୨୩ରେ ଲଘୁଚାପର ନେବ ରୂପ। ତେବେ ଏବେ ତଳମୁହାଁ ରାତି ତାପମାତ୍ରା। ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି। ଆଗାମୀ ୫ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ନାହିଁ।ପାଗ ମୁଖ୍ୟତ ଶୁଖିଲା ରହିବ। ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ି ପାରେ । କୁହୁଡି କିଛି କିଛି ସ୍ଥାନରେ ଦେଖା ଯିବାର ଅଛି ଯେମିତି କି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ କୁହୁଡି ଦେଖାଯିବ। ଡିସେମ୍ବର ଓ ଜାନୁୟାରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି ।
ଦିଲ୍ଲୀରେ ହେବ କୃତ୍ରିମ ବର୍ଷା
ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମ୍ପର୍କରେ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କୃତ୍ରିମ ବର୍ଷା ବିଷୟରେ ଏହି ଚିଠି ଲେଖାଯାଇଛି। ପୂର୍ବରୁ ଅନେକ ଥର ଏନେଇ ଚିଠି ଲେଖାଯାଇଥିଲେ ମଧ୍ୟ କେନ୍ଦ୍ରରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି ।
ପାକିସ୍ତାନରେ ବାୟୁ ପ୍ରଦୂଷଣ ଚରମସୀମାରେ
ପଡୋଶୀ ଦେଶ ପାକିସ୍ତାନରେ ବାୟୁ ପ୍ରଦୂଷଣ ଗୁରୁତର ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ପାକିସ୍ତାନର ପେଶୱାର, ମୁଲତାନ, ଖାଇବର ପାଖ୍ଟନଖୱା ଅଞ୍ଚଳରେ ୨ ହଜାର ବିପଜ୍ଜନକ ସ୍ତର ଅତିକ୍ରମ କରିଛି। ପାକିସ୍ତାନରେ ବାୟୁ ପ୍ରଦୂଷଣ ଏତେ ବିପଜ୍ଜନକ ଯେ, ଗତ ମାସରୁ ଏ ପର୍ଯ୍ୟନ୍ତ ୧୯.୧ ଲକ୍ଷରୁ ଅଧିକ ଲୋକ ଶ୍ୱାସ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।