Top 10 News Today: ଆସୁଛି ବଡ଼ ବାତ୍ୟା, ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2478834

Top 10 News Today: ଆସୁଛି ବଡ଼ ବାତ୍ୟା, ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:  ଆସୁଛି ବଡ଼ ବାତ୍ୟା, ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମୁଖ୍ୟ ଖବର

H1. ଆସୁଛି ବଡ଼ ବାତ୍ୟା!
ଆସୁଛି ବଡ଼ ବାତ୍ୟା।  ବାଲେଶ୍ବର ପାଖରେ ଘସି ହୋଇ ଯିବ।  ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ପଳାଇବ ବାତ୍ୟା।  ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡିବନି। କିନ୍ତୁ ଓଡ଼ିଶାରେ ସିଧା ସଳଖ ମାଡ଼ ହେବନି।  ଏଭଳି ତାଜା ଆକଳନ କରିଛି ଜିଏଫଏସ୍ ମଡେଲ୍।  ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ,  ୨୨ ତାରିଖ ବେଳକୁ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ।  ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ। ୨୪ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ। ତେବେ, ଜିଏଫଏସ୍  ମଡେଲ୍ ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହୋଇ ସମୁଦ୍ର ମଧ୍ୟରେ ଥିବା। ୨୪ ତାରିଖ ବେଳକୁ ଏହା ଓଡି଼ଶା ଉପକୂଳ ପାଖକୁ ଆସିବ। 

H2. ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁମ୍ବାଇରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, JSW ମୁଖ୍ୟ ସଜ୍ଜନ ଜିନ୍ଦଲ, ଗୋଦରେଜ୍ ଗ୍ରୁପ୍ ଚେୟାରମ୍ୟାନ୍ ନାଦୀର ଗୋଦରେଜ୍, ୱେଲସ୍ପୁନର ବିଜୟ ଗୋଏଙ୍କା ଏବଂ ବାଲକ୍ରିଷ୍ଣ ଗୋଏଙ୍କାଙ୍କ ସମେତ ଅନ୍ୟ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବେଦାନ୍ତ ପ୍ରକଳ୍ପ ସଂପ୍ରସାରଣ ନେଇ ଅନୀଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। 

H3. ହବିଷ୍ୟାଳିଙ୍କୁ ମିଳିବ ସବୁ ସୁବିଧା
ହବିଷ୍ୟାଳିଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ। ବିଭିନ୍ନ ଗଣମାଧ୍ୟମରେ କିଛି ହବିଷ୍ୟାଳି ମା' ମାନଙ୍କ ଅସୁବିଧା ବିଷୟରେ ଅବଗତ ହେବା ପରେ ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ସେ ସୋସିଆଲ୍ ମଡିଆରେ ଲେଖିଛନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ବାହାର ଜିଲ୍ଲାରୁ ଆସି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳି ମା'ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଭୁ ଜଗନ୍ନାଥ ଆପଣ ସମସ୍ତଙ୍କ ବ୍ରତ ସଫଳ କରନ୍ତୁ।

H4. ବିଜେଡିରୁ ଇସ୍ତଫା ଦେଲେ ଭୁବନେଶ୍ୱର ଜିଲ୍ଲା ମହିଳା ସଭାନେତ୍ରୀ
ନିର୍ବାଚନୀ ବିପର୍ଯ୍ୟୟ ଓ ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ବିଜେଡି ନେତାମାନେ ଜଣକ ପରେ ଜଣେ ଦଳ ଛାଡ଼ିବାରେ ଲାଗିଛନ୍ତି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଦଳ ପକ୍ଷରୁ ଜାରି କାରଣଦର୍ଶାଅ ନୋଟିସକୁ ସେ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିବା ସହ ବିଜେଡିରେ ଭିକେ ପାଣ୍ଡିଆନ ଓ ମାନସ ମଙ୍ଗରାଜ ଓ ଅନ୍ୟମାନଙ୍କ ଦ୍ୱାରା ତାଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

H5. ୩ଟି ନୂଆ ବାଟାଲିୟନ ଗଠନକୁ ମଞ୍ଜୁରୀ
ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ ଅବସରପ୍ରାପ୍ତ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଯବାନମାନଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦୦୯ଜଣ ସେନା ଯବାନ ଓ ଅଫିସରଙ୍କୁ ନେଇ ୩ଟି ସ୍ୱତନ୍ତ୍ର ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବାଟାଲିୟନର ନାଁ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ(ଓଏସଏସଏଫ) ରଖାଯାଇଛି । ପ୍ରତ୍ୟେକ ବାଟାଲିୟନରେ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ୧୦୦୩ଜଣ ଯବାନ ଓ ଅଫିସର ରହିବେ । ଏହି ବାଟାଲିୟନ ସମ୍ପୂର୍ଣ୍ଣ ଭାବେ ଅବସରପ୍ରାପ୍ତ ସେନା ଓ କେନ୍ଦ୍ରୀୟ ପୁଲିସ କର୍ମୀଙ୍କ ଦ୍ୱାରା ପରିଚାଳିତ ହେବ।

H6. କଟକରେ ଭୁଶୁଡ଼ିଲା ତୋରଣ
କଟକ ଖାନ ନଗରରେ ଭୁଶୁଡ଼ି ପଡ଼ିଛି ଦୁର୍ଗା ପୂଜା ପାଇଁ ନିର୍ମିତ ହୋଇଥିବା ତୋରଣ। ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି  ସୁଉଚ୍ଚ ତୋରଣଟି ଭୁଶୁଡ଼ି ପଡ଼ିଛି। ତୋରଣ ତଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ରହିଛି। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ଘଟି ନାହିଁ। ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ତୋରଣଟି କିପରି ଭୁଶୁଡ଼ିଲା ତାର କାରଣ ଜଣାପଡ଼ିନାହିଁ। ତୋରଣରେ ନିର୍ମାଣ ବେଳେ କିଛି ତ୍ରୁଟି ଥିଲା କି ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। 

H7. ଶ୍ରୀଜଗନ୍ନାଥଙ୍କୁ ୫ କୋଟି ଦାନ କଲେ ଭକ୍ତ
ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ନେଇ ଆଜି ଜଣେ ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରରେ ୫ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି ବାବଦରେ ବ୍ୟକ୍ତି ଜଣଙ୍କ ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିରର ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦାନ କରିଥିବା ଅର୍ଥରାଶି ମିଳିଥାଏ । ହେଲେ ଆଜି ପ୍ରଥମ ଥର ପାଇଁ ଏକାଥରକେ ଏତେ ପରିମାଣର ନଗଦ ଅର୍ଥରାଶି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

H8. ଭରତପୁର ଥାନା ଘଟଣା: ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା
ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ସବ୍‌ଇନ୍‌ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ ଓ ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢ଼ିଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନଗୁଡ଼ିକର ଏକତ୍ର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କ ପକ୍ଷରୁ  ସମୟ‌ ଲୋଡ଼ାଯାଇଥିଲା। ଅନ୍ୟପକ୍ଷରେ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ଆବେଦନକାରୀ ନିବେଦନ କରିଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ହାଇକୋର୍ଟ ଆଜି ମନା କରିଛନ୍ତି।

H9. ୪୩୦ କେଜି ନକଲି ଖୁଆ ଜବତ
ଆଗକୁ ଦୀପାବଳି ଆସୁଛି ତେଣୁ ବଜାରରେ ମିଠାର ଚାହିଦା ରହିଛି । ତେବେ ମିଠା ବିକ୍ରିକୁ ନେଇ ଖାଦ୍ୟ ସୁରକ୍ଷା ବିଭାଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକାରୀମାନେ ଶୁକ୍ରବାର ଦିନ ମୋରି ଫାଟକରେ ଥିବା ଖୁଆ ମଣ୍ଡିରେ ଚଢାଉ କରିଥିଲେ । ମଣ୍ଡିରୁ ୪୩୦ କେଜିର ଅପମିଶ୍ରିତ ଖୁଆ ଜବତ କରାଯାଇଛି । ପରୀକ୍ଷା ପାଇଁ କେତେକ ସ୍ଥାନରୁ ନମୁନା ମଧ୍ୟ ପଠାଯାଇଛି । ଅଧିକାରୀ କହିଛନ୍ତି ଯେ, ଆଗାମୀ ଦିନରେ ଏହିପରି ଅଧିକ ଚଢାଉ କରାଯିବ ଯାହା ଦ୍ୱାରା ସାଧାରଣ ଲୋକମାନେ ଅପମିଶ୍ରିତ ମିଠା ଖାଇବାରୁ ରକ୍ଷା ପାଇପାରିବେ।

H10. ବିଜେଡିକୁ ନେଇ ଜୟନାରାୟଣ ମିଶ୍ରଙ୍କର ଭୟଙ୍କର ବୟାନ
ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ବିଜେଡିର ଆୟୁଷ କମ ଦିନ, ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ । ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ,  ନେତାଙ୍କୁ ଚାକର ଭଳି ରଖିଥିଲେ, ଏବେ ରିଭେଂଜ ମୁଡ୍‌କୁ ଆସିଯାଇଛନ୍ତି। ନେତାମାନେ ଦରି ପକାଇବା, ଟେଣ୍ଟ ଗାତ ଖୋଳିବା, ଚେୟାର ବୋହିବା ପରି କାମ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି ।