Top 10 News: ସଂକ୍ଷେପରେ ପଢ଼ନ୍ତୁ ଶୁକ୍ରବାର ସକାଳର ୧୦ଟି ବଡ଼ ଖବର
Advertisement

Top 10 News: ସଂକ୍ଷେପରେ ପଢ଼ନ୍ତୁ ଶୁକ୍ରବାର ସକାଳର ୧୦ଟି ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ଖବର...

 

Top 10 News Headlines
Top 10 News Headlines | Morning | 02 Feb: 1. ଶୁକ୍ରବାର ଦିନ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟରେ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ଭାରତ ଦେଖିଛି। ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆୟବୃଦ୍ଧି ସହ ଲକ୍ଷପତି ଦିଦି’ଙ୍କ ସଂଖ୍ୟା ୩ କୋଟି ପାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟି ଲୋକଙ୍କୁ ଘର, ଭିତ୍ତିଭୂମି ବାବଦରେ ୧୧ ଲକ୍ଷ କୋଟି ଖର୍ଚ୍ଚ, ଷ୍ଟାର୍ଟଅପ ପାଇଁ ଟିକସ ରିଆତି ସମୟ ବୃଦ୍ଧି ସହ ଆୟୁଷ୍ମାନ ଯୋଜନାରେ ଆଶା, ଅଙ୍ଗନବାଡ଼ି ଏବଂ ସହାୟକା ମାନଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି। 
 
2. କେନ୍ଦ୍ର ସରକାରଙ୍କ ବଜେଟ୍‍ ଉପସ୍ଥାପନ ପରେ ରାଜ୍ୟ ସରକାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗଳବାଡ଼ି କର୍ମୀ ଓ ଏସ୍‍ଏଚ୍‍ଜି ସଦସ୍ୟଙ୍କୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍‍ କରିବେ। ଏଥିଲାଗି ସେମାନଙ୍କୁ ଏବେ ଚାଲିଥିବା ବିଏସକେଓ୍ୱାଇ-ନବୀନ କାର୍ଡ ଆବେଦନ କରିବାକୁ ସୁଯୋଗ ମିଳିବ। ଏପରିକି ରାଜ୍ୟ ସରକାର ପୁଣିଥରେ ବିଏସ୍‍କେଓ୍ୱାଇ- ନବୀନ କାର୍ଡ ଲାଗି ଆବେଦନ କରିବାକୁ ଆବେଦନ ସୀମାନକୁ ବଢ଼ାଇବେ ବୋଲି ସୂଚନା ଦେଇଛନ୍ତି।
 
3. ଓଡ଼ିଶାରେ ରେଳ ଯାତାୟାତର ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟରେ ଏହି ଟଙ୍କା ଆବଣ୍ଟନ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଏହି ବଜେଟରେ ଓଡ଼ିଶା ପାଇଁ ନୂଆ ରେଳଟ୍ରାକ୍‍ ନିର୍ବାଣ, ହାତୀଙ୍କ ଗତିବିଧି ଜାଣିବାକୁ ସ୍ୱତନ୍ତ୍ର ଟେକ୍ନୋଲେଜି ବ୍ୟବସ୍ଥା ଏବଂ ଷ୍ଟେସନ୍‍ ଓ ଡବାର ଉନ୍ନତୀକରଣ ସାମିଲ୍‍ ରହିଛି। 
 
4. ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ସମ୍ବେଧନ ସମ୍ପର୍କିତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଶ୍ନୋତ୍ତର କାଳ ପରେ ବିଭିନ୍ନ ମନ୍ତ୍ରଣାଳୟର ଆବଶ୍ୟକ ନଥିକୁ ଆଜି ଗୃହରେ ଉପସ୍ଥାପନ କରାଯିବ। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ, ଶ୍ରୀପଦ ନାୟକ, ଅଜୟଭଟ, ଡ. ମୁଞ୍ଜପଡ଼ା ମହେନ୍ଦ୍ରଭାଇ ପ୍ରମୁଖ ସେମାନଙ୍କ ମନ୍ତ୍ରଣାଳୟର ନଥିକୁ ଉପସ୍ଥାପନ କରିବେ। ଏହାପରେ ମହାସଚିବ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିବା ଗୃହ ପାରିତ ୧୯ଟି ବିଲ୍‍ ସମ୍ପର୍କରେ ସୂଚନା ରଖିବେ। ଏହା ସହ ଗୃହକାର୍ଯ୍ୟବିଧି ସମ୍ପର୍କରେ ସରକାରଙ୍କ ସଂଶୋଧନକୁ ମଧ୍‍ୟ ଗୃହରେ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। 
 
5. ରାଜ୍ୟ ସରକାରଙ୍କ ପାଖରେ କାମ କରୁଥିବା ୪ ଜଣ ବବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଆଇଏଏସ୍‍ ପାହ୍ୟା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ସେମାନଙ୍କ କାର୍ଯ୍ୟ ଓ ନିଷ୍ଠାକୁ ଅନୁଶୀଳନ କରି ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଏହାକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦୋନ୍ନତି ଦେଇଛନ୍ତି। ଏହି ୪ ଅଧିକାରୀ ହେଲେ: ସ୍ମିତା ରାଉତ, ମଧୁସ୍ମିତା ସାମଲ, ସଞ୍ଜୟ କୁମାର ବିଶ୍ୱାଳ ଏବଂ ସାଗରିକା ହୋତା। ଏହି ସମସ୍ତ ୪ ଅଧିକାରୀଙ୍କ ଓଡ଼ିଶା କ୍ୟାଡର ପ୍ରଦାନ କରାଯାଇଛି। 
 
6. ବରିଷ୍ଠ ଆଇନଜୀବୀ ତଥା  ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତା ଜଗନ୍ନାଥ ରଥଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି  ଦିଆଯାଇଛି।। ଏ ନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀ ରଥଙ୍କ ନିଯୁକ୍ତି ପରେ ରାଜ୍ୟ ସୂଚନା କମିଶନରେ ଆୟୁକ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଏବେ ବାଳକୃଷ୍ଣ ମହାପାତ୍ର ଏବଂ ସୁଶାନ୍ତ କୁମାର ମହାନ୍ତି କମିଶନର ଭାବେ କାର୍ଯ୍ୟ କରୁଥିବାବେଳେ ଜଳଦ କୁମାର ତ୍ରିପାଠୀ ମୁଖ୍ୟସୂଚନା କମିଶନର ଭାବେ କାର୍ଯ୍ୟରତ।  
 
7. ଭାରତକୁ  ୩୧ଟି MQ-9B ଡ୍ରୋନ ବିକ୍ରି କରିବ ଯୁକ୍ତରାଷ୍ଟ୍ର ଆମେରିକା। ଏଥିନେଇ କଂଗ୍ରେସ ଅନୁମୋଦନ କରିଥିବା ଆମେରିକାର ପ୍ରତିରକ୍ଷା ବିଭାଗ କହିଛି। ପୂର୍ବରୁ କାନାଡ଼ାରେ ଉଗ୍ରବାଦୀ ପନ୍ନୁଙ୍କ ହତ୍ୟାକୁ ନେଇ ଡ୍ରୋନ ବିକ୍ରିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ରଣନୀତିକ ଦୃଷ୍ଟିକୋଣ ଏବଂ ଆନ୍ତର୍ଜାତିକ ଜଳମାର୍ଗର ସୁରକ୍ଷା ଦୃଷ୍ଟିକୋଣକୁ ଆଖିରେ ରଖି ଡ୍ରୋନ୍‍ ବିକ୍ରି ପ୍ରସ୍ତାବରେ ରାଜି ହୋଇଛି ଆମେରିକାର ସଂସଦ। 
 
8. ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ ଚମ୍ପଇ ସୋରେନ୍‍ଙ୍କୁ ରାଜ୍ୟପାଳ ଶପଥ ଗ୍ରହଣ କରାଇବା କାର୍ଯ୍ୟକ୍ରମ ରହିଛି। ଏହାପରେ ତାଙ୍କୁ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ୧୦ ଦିନ ସମୟ ମିଳିବ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ ପରେ ରାଜ୍ୟରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଛି। 
 
9. ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିର ସଂଲଗ୍ନ ଗ୍ୟାନବାପୀ ମସ୍‍ଜିଦରେ ହିନ୍ଦୁ ପୂଜା ରୀତିନୀତି ଆରମ୍ଭ ହୋଇଛି।  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପୂଜା ହୋଇଛି। ମୁସ୍‍ଲିମ୍‍ ଗୋଷ୍ଠୀ ଏହା ବିରୁଦ୍ଧରେ ସୁପ୍ରିମ କୋ୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କୁ ହାଇକୋର୍ଟ ଯାଇ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 
 
10. ସାଧାରଣ ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ନେତୃତ୍ୱରେ ଗଢ଼ାଯାଇଥିବା ଇଣ୍ଡିଆ ମେଣ୍ଟକୁ ଗୋଟିକ ପରେ ଗୋଟିଏ ଧକ୍କା ଲାଗିବାରେ ଲାଗିଛି। ଏବେ ପଶ୍ଚିମବଙ୍ଗ ସହାୟକ ତୃଣମୂଳ କଂଗ୍ରେସ ମଧ୍ୟ ମେଣ୍ଟ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ସିପିଏମ୍‍ ସଦସ୍ୟମାନେ ରାହୁଲ ଗାନ୍ଧିକୁ ଭେଟି ସୂଚିତ କରିଥିବା ମଧ୍ୟ ଆଲୋଚନା ହେଉଛି।