Top 10 News Headlines: ରେକର୍ଡ କଲା ରେଳବାଇ, ପଢନ୍ତୁ ସକାଳର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2186644

Top 10 News Headlines: ରେକର୍ଡ କଲା ରେଳବାଇ, ପଢନ୍ତୁ ସକାଳର ୧୦ଟି ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ରେକର୍ଡ କଲା ରେଳବାଇ, ପଢନ୍ତୁ ସକାଳର ୧୦ଟି ବଡ଼ ଖବର

H1. ତାଇୱାନରେ ଶକ୍ତିଶାଳୀ ଭୂକମ୍ପ
ବୁଧବାର ସକାଳେ ତାଇୱାନରେ ପ୍ରବଳ ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁଁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ ସୁନାମିର ପ୍ରଥମ ତରଙ୍ଗ ଏହାର ଦୁଇଟି ଦକ୍ଷିଣ ଦ୍ୱୀପକୁ ଆସିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗରରେ ଥିବା ହୁଆଲିଏନ୍ କାଉଣ୍ଟି ହଲ୍ ଠାରୁ ୨୫ କିଲୋମିଟର ଦକ୍ଷିଣ-ଦକ୍ଷିଣରେ ୧୫.୫ କିଲୋମିଟର ଗଭୀରରେ ଥିଲା। 

H2. ଅବସର ନେବେ ମନମୋହନ
ଆଜି ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଆଉ ୫ ଜଣ ସାଂସଦ ଅବସର ନେବେ। ମୋଟ ୫୪ ସାଂସଦ ରାଜ୍ୟସଭାରୁ ଅବସର ଗ୍ରହଣ କରିବେ। କହିବାକୁ ଗଲେ ମନମୋହନ ସିଂ ରାଜ୍ୟସଭାରେ ୩୩ ବର୍ଷର ଏକ ଲମ୍ବା ଇନିଂସ ଖେଳିଛନ୍ତି। ସେ ୧୯୯୧ରେ ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହୋଇଥିଲେ। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। କିଛି ଅବସରପ୍ରାପ୍ତ ସାଂସଦ ୨୦୨୪ ମସିହାରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଅନେକ ସାଂସଦ ମଧ୍ୟ ରାଜ୍ୟସଭାକୁ ଫେରିବେ ବୋଲି ଜଣାପଡ଼ିଛି।

H3. ୪ ଜିଲ୍ଲାକୁ ହିଟୱେଭ ଆଲର୍ଟ
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ଆଜିଠାରୁ  ରାଜ୍ୟରେ ଭୀଷଣ  ହିଟ୍ଓ୍ବେଭ୍ ସ୍ଥିତି ଉପୁଜିବ। ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ହିଟ୍ ଓ୍ବେଭ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ବୌଦ୍ଧ, ବଲାଙ୍ଗୀର , କଳାହାଣ୍ତି, ସୋମପୁର,କନ୍ଧମାଳ ଓ ନୟାଗଡରେ ଉଷ୍ମ ତାତି ଅନୁଭୂତ ହେବ। ୪ ତାରିଖରେ ୮ ଜିଲ୍ଲା ୫ ଓ  ୬ ତାରିଖରେ ୧୦ ଜିଲ୍ଲାରେ  ହିଟ୍ ଓ୍ବେଭ୍ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।  ପଶ୍ଚିମ ଓଡି଼ଶା ସହ ହିଟ୍ଓ୍ବେଭ୍ ଓ୍ବାର୍ଣ୍ଣିଂ ଥିବା ଜିଲ୍ଲାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହେବ।  ଏହା ସହ ଝାଞ୍ଜି ପବନ ପ୍ରବାହିତ ହେବ।

H4. ଓଲଟିଲା ସ୍କୁଲ ବସ
ଗତକାଲି ଉତ୍ତର ପ୍ରଦେଶ ବାରବାଙ୍କୀ ଅଞ୍ଚଳର ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଚିଡିଆଖାନା ବୁଲିବାକୁ ଲକ୍ଷ୍ମୌ ଯାଇଥିଲେ।  କିନ୍ତୁ ଫେରିବା ବାଟରେ ସାଲାରପୁର ଅଞ୍ଚଳରେ ଏକ ବାଇକ୍ ଚାଳକ ସ୍କୁଲ୍ ବସ୍ ଆଗକୁ ମାଡି଼ ଆସିଥିଲା। ଫଳରେ ବାଇକ୍ ଚାଳକଙ୍କୁ ବଂଚାଇବାକୁ ଯାଇ ବସ୍ ଡ୍ରାଇଭର ଗାଡି଼ଟିକୁ ବ୍ରକ୍ ମାରିବାରୁ ବସ୍ ଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୪ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିବା ସହିତ ବାଇକ୍ ଚାଳକଙ୍କ ମଧ୍ୟ ଜୀବନ ଯାଇଥିଲା। ଏବଂ ଏହି ଦୁର୍ଘଟଣାରେ ୧୦ ଜଣ ସ୍କୁଲ୍ ପିଲା ମଧ୍ୟ ଆହତ ହୋଇଛନ୍ତି।  ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି। ଆହତଙ୍କୁ ମେଡିକାର ପଠାଯାଇଛି । କିନ୍ତୁ ଆହତଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

H5. ୫ ଏସପି ଓ ୨ ଜିଲ୍ଲାପାଳଙ୍କ ଉପରେ ନିର୍ବାଚନ କମିଶନରଙ୍କ କାର୍ଯ୍ୟାନୁଷ୍ଠାନ
ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଆଜି ୨ଜଣ ଆଇଏଏସ୍ ଓ ୬ ଜଣ ଆଇପିଏସଙ୍କୁ ତୁରନ୍ତ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାଂଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପିଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଅଫିସରମାନଙ୍କ ସ୍ଥାନରେ ୩ ଜଣ ଲେଖାଏଁ ଯୋଗ୍ୟ ଅଫିସରଙ୍କ ନାଁ ଆଜି ଅପରାହ୍ନ ୫ଟା ସୁଦ୍ଧା ପଠାଇବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପଠାଇଛ

H6. ବିଜେପିର ପ୍ରାର୍ଥି ତାଲିକା ଘୋଷଣା
ବିଜେପି ପ୍ରାର୍ଥୀ ତାଲିକାରେ ପୁରୁଖାଙ୍କୁ ପ୍ରାଧାନ୍ୟ, ନୂଆ ଚେହେରାଙ୍କୁ ସୁଯୋଗ । ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ। ମଇଦାନରେ ହେଭିୱେଟ୍, ରିପିଟ୍ ହେଲେ ୧୭ ବିଧାୟକଙ୍କ ସହ ମୋଟ ୬୩ ନେତା । ୪୯ ଆସନରେ ବିଜେପି ଦେଲା ନୂଆ ମୁହଁ। ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଲଢ଼ିବେ ଚାନ୍ଦବାଲିରୁ। ପୂର୍ବତନ ସଭାପତି କେ.ଭି ସିଂଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ଦେଇଛି ଦଳ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ୱଲପୁର ଆଉ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କେନ୍ଦୁଝରରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ରିପିଟ୍ ହୋଇଥିବା ହେଭିୱେଟଙ୍କ ଭିତରେ ଅଛନ୍ତି, ଭବାନୀପାଟଣାରୁ ପ୍ରଦୀପ୍ତ ନାୟକ, ଧାମନଗରରୁ ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସୁନ୍ଦରଗଡରୁ କୁସୁମ ଟେଟେ, ତଳସରାରୁ ଭବାନୀ ଭୋଇ, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ନିମାପଡାରୁ ପ୍ରଭାତୀ ପରିଡ଼ା।

H7. ମନୋଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ବିଜେପି ଓ ବିଜେଡି ପରେ ଆଜି ଆସିଛି କଂଗ୍ରେସର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା। କଂଗ୍ରେସ ଆଜି ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍‌। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର। ଆଉ ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା: ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, ଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମିର ଚାନ୍ଦ ନାୟକ ଓ ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ ଓ କୋରାପୁଟରୁ ସପ୍ତଗିରି ଉଲାକା ସାଂସଦ ପ୍ରାର୍ଥୀ ହୋଇଛନ୍ତି।

H8. ରାଜସ୍ୱ ଆଦାୟରେ ରେଳବାଇର ରେକର୍ଡ
ରାଜସ୍ୱ ଆଦାୟରେ ରେକର୍ଡ ଭାଙ୍ଗିଛି ରେଳବାଇ। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ୨.୫୬ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ହାସଲ କରାଯାଇଥିବା ରାଜସ୍ୱ କ୍ଷେତ୍ରରେ ଏକ ନୂଆ ରେକର୍ଡ କରିଛି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇର ରାଜସ୍ୱ ପରିମାଣ ୨.୪୦ ଲକ୍ଷ କୋଟି ଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ ଭାରତୀୟ ରେଳବାଇ ୨୦୨୪ ଆର୍ଥିକ ବର୍ଷରେ ୧୫୯୧ ମେଟ୍ରିକ ଟନ୍ ମାଲ ପରିବହନ କରିଥିଲା। ଗତ ୨୦୨୩ ଆର୍ଥିକ ବର୍ଷରେ ଯାହାର ପରିମାଣ (ମାଲ ପରିବହନ) ୧୫୧୨ ମେଟ୍ରିକ୍ ଟନ୍ ରହିଥିଲା।

H9. ସଞ୍ଜୟଙ୍କୁ ଜାମିନ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି ନେତା ତଥା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତାଙ୍କୁ ସଞ୍ଜୟ ସିଂହଙ୍କୁ ଜମିନ ମିଳିବାକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ଇଡ଼ି ପକ୍ଷରୁ କୁହାଯାଇଛି।

H10. ୪ ମାଓବାଦୀ ନିହତ
ମଙ୍ଗଳବାର ଛତିଶଗଡ଼ରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା। ଯବାନଙ୍କ ଗୁଳିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ସୁକୁମା-ବିଜାପୁର ଜିଲ୍ଲା ସୀମାବର୍ତ୍ତୀ ଗାଙ୍ଗାଲୁର ଜଙ୍ଗଲରେ ସୁରକ୍ଷା ବଳ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବନ୍ଧୁକ ଜବତ ହୋଇଛି।