Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1941940

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 02 November 2023 | ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

 

Top 10 News Headlines 02 November 2023
Top 10 News Headlines Today in Odia | 2 November 2023 | Evening। 1. ମହୂଆଙ୍କ ବ୍ୟବହାରରେ କମିଟି ଖପ୍ପା: ସଂସଦର ସଦାଚାର କମିଟି ମୁଖ୍ୟଙ୍କୁ ତୃଣମୂଳ ସାଂସଦ  ମହୂଆ ମୈତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅସାମ୍ବିଧାନିକ ଭାଷା ବ୍ୟବହାର ସହ ସଦାଚାର କମିଟି ବିରୁଦ୍ଧରେ ମନ୍ତବ୍ୟ ଦେଇଥିବା କହିଛନ୍ତି ସଦାଚାର କମିଟି ଅଧ୍ୟକ୍ଷ ବିନୋଦ ସୋଙ୍କର।   ଏପରିକି ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ କରୁଥିବା କମିଟି ବୈଠକକୁ ଅଧାରୁ ଉଠି ଚାଲିଯାଇଥିବା ମଧ୍ୟ ଶ୍ରୀ ସୋଙ୍କର କହିଛନ୍ତି ।
 
2. ଭାରତର ବିଶାଳ ବିଜୟ: ଶ୍ରୀଲଙ୍କା ବିପକ୍ଷରେ ଭାରତ ଆଜି ଏକ ବିଶାଳ ବିଜୟ ଅର୍ଜନ କରିଛି। ୩୦୨ ରନ୍‍ରେ ବିଜୟ ଲାଭ କରି ଏକ ନୂତନ ଇତିହାସ ସୃଷ୍ଟି କରିଛି। ଆଜି ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚ୍‍ ରେ ଶ୍ରୀଲଙ୍କା ଟସ୍‍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଦେଇଥିଲା। ଏହାପରେ ଭାରତୀୟ ଟିମ୍‍ ୩୫୭ ରନ୍‍ ସଂଗ୍ରହ କରିଥିଲେ। ଜବାବରେ ଶ୍ରୀଲଙ୍କାର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଗୋଟିକ ପରେ ଗୋଟିଏ ଓ୍ୱିକେଟ୍‍ ହରାଇ ଚାଲିବାରୁ ଶ୍ରୀଲଙ୍କା ମାତ୍ର ୫୫ ରନ୍‍ରେ ଅଲ୍‍ଆଉଟ୍‍ ହୋଇ ପରାଜୟ ସ୍ୱୀକାର କରିଛି। 
 
3. ଶରତ ମିଶ୍ରଙ୍କ ଦେହାନ୍ତ:  ବର୍ଷିୟାନ ସାମ୍ବାଦିକ ତଥା ସମାଜର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ଆଜି ସନ୍ଧ୍ୟା ୬ଟାରେ ପରଲୋକ ହୋଇଛି।  ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ।  
 
4. ବାସନ୍ଦ ହଟିବ:  ଓଡ଼ିଆ ସିନେମା ଅଭିନେତା ମନୋଜ ମିଶ୍ରଙ୍କ ଉପରେ ପ୍ରେଯାଜକ ସଂଘ ଲଗାଇଥିବା ୨ ବର୍ଷିଆ ବାସନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବ।  ଓଡ଼ିଶା ଫିଲ୍‍ମ ଉନ୍ନୟନ ନିଗମ( ଓଏଫ୍‍ଡିସି) ପକ୍ଷରୁ ଅନୁଷ୍ଠିତ ଏକ ବବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।  ବେୈଠକରେ ଅଭିନେତା ଓ ସିନେମା ସହ ସଂଶ୍ଳିଷ୍ଟ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରତିବନ୍ଧକ ଲଗାଇଥିବା ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ଉପସ୍ଥିତ ଥିଲେ।  
 
5. ପ୍ରତାପ ଓ ସଞ୍ଜୟଙ୍କ ପର୍ଯ୍ୟବେକ୍ଷକ ଦାୟିତ୍ୱ:  ମାହାଙ୍ଗା ଡବଲ୍‍ ମର୍ଡର ଘଟଣାରେ ଅନ୍ୟତମ ଆରୋପୀ ଥିବା ପ୍ରତାପ ଜେନାଙ୍କୁ ନ୍ୟାୟିକ ଆଶ୍ୱସ୍ତି ପରେ ମିଳିଛି ଦୀୟ ଦମ୍ଭ। ସାଲେପୁର ଜେଏମ୍‍ଏଫ୍‍ସି କୋର୍ଟ ଶ୍ରୀ ଜେନାଙ୍କ ବିରୁଦ୍ଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ରଚିବା ଆଦି ମାମଲାରେ ବିଚାର ପାଇଁ ପ୍ରସ୍ତୁତି ହେଉଥିବାବେଳେ ବିଜୁ ଜନତା ଦଳ କିନ୍ତୁ ତାଙ୍କ ଉପରେ ଅଧିକ ଭରସା କରିବାରେ ଲାଗିଛି। ବିଜେଡି ପକ୍ଷରୁ ଆଜି ଶ୍ରୀ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି। ସେହିପରି ଦୀର୍ଘଦିନ ହେଲା ରାଜନୀତିକ ଚର୍ଚ୍ଚାରୁ ଦୂରରେ ଥିବା ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ବିଜେଡି ପକ୍ଷରୁ ଆଜି ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। 
 
6. ମହେଶ୍ୱର ମହାନ୍ତି ଅସୁସ୍ଥ: ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ର ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଆସିୟୁରେ ରଖାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। 
 
7. ପିଆଜ କିଲୋ ୮୦: ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ବଢ଼ିଚାଲିଛି। ଆଜି ଖାଲା ବଜାରରେ ପିଆଜ କିଲୋପ୍ରତି ଦର ୮୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱରରେ ନାଫେଡ୍‍ ପକ୍ଷରୁ ବିଭିନ୍ନ ସ୍ଥାନରେ କିଲୋପ୍ରତି ପିଆଜ ୨୫ ଟଙ୍କାରେ ଯୋଗାଉଛନ୍ତି ସରକାର।  
 
8. କେନ୍ଦ୍ରାପଡ଼ା ଗଣବଳାତ୍କାର ଘଟଣାକୁ ଅନୁଧ୍ୟାନ କରିବ କଂଗ୍ରେସ:  କେନ୍ଦ୍ରାପଡ଼ା ଜିଲ୍‍ଳା ଗରଦପୁରସ୍ଥିତ ଏଲ୍‍ଏନ୍‍ କଲେଜର ଜଣେ ଛାତ୍ରୀଙ୍କୁ ନିଶା ଦେଇ ଗଣବଳାତ୍କାର କରିବା ଘଟଣା ବିଷୟରେ ଅନୁଧ୍ୟାନ କରିବ ରାଜ୍ୟ କଂଗ୍ରେସ। ଏଥିଲାଗି ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରାଯାଇଛି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏହାର ଅଧ୍ୟକ୍ଷ ରହିଥିବାବେଳେ କଂଗ୍ରେସ ନେତା ଗଣେଶ୍ୱର ପାତ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି, ରତିକାନ୍ତ କାନୁନଗୋ, ଜୟଶ୍ରୀ ପାତ୍ର, ଗିତାଞ୍ଜଳୀ ମହାନ୍ତି ପ୍ରମୁଖ ଏଥିରେ ସଦସ୍ୟ ରହିଛନ୍ତି। 
 
9. ହାଜର ହେଲେନି କେଜ୍ରିଓ୍ୱାଲ୍‍: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱଲ୍‍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ନାହାନ୍ତି। ଏକ ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ସେ ନିଜକୁ ନିୟୋଜିତ କରିଛନ୍ତି। ଇଡିର ନୋଟିସ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି କେଜ୍ରିଓ୍ୱାଲ୍‍। ଆଜି ଦିନ ୧୧ଟାରେ ବିବୃତ୍ତି ରେକର୍ଡ କରିବାକୁ ସମନ୍‍ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 
 
10. ମଣିପୁରରେ କର୍ଫ୍ୟୁ ଫେରିଲା: ମଣିପୁରକୁ ପୁଣି କର୍ଫ୍ୟୁ ଫେରିଛି। ମାଇତି ଓ କୁକି ସମ୍ପ୍ରଦାୟ ଭିତରେ ହିଂସା ପ୍ରଦର୍ଶନକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଗଲା କିଛିଦିନ ହେଲା ଇମ୍ଫାଲରେ ମାଇତି ସମ୍ପ୍ରଦାୟଙ୍କୁ ଟାର୍ଗଟ କରାଯିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆକ୍ରମଣ କରାଯିବାଦ୍ୱାରା ପରିସ୍ଥିତି ପୁଣିଥରେ ବିଗିଡ଼ି ଥିଲା। ଯାହାକୁ ଆଖିରେ ରଖି ଏହି କର୍ଫ୍ୟୁ ଲଗାଯାଇଛି ।