Top 10 news Headlines: ନବୀନଙ୍କ ଚିଠିର ଜବାବ ଦେଲେ ମୋହନ, ଆଶିଷ ସିଂହଙ୍କ ବଦଳି ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2331939

Top 10 news Headlines: ନବୀନଙ୍କ ଚିଠିର ଜବାବ ଦେଲେ ମୋହନ, ଆଶିଷ ସିଂହଙ୍କ ବଦଳି ଏବଂ ଅନ୍ୟ ଅପଡେଟ

ଚୁଟକୀରେ ପଢି ନିଅନ୍ତୁ ଦିନ ତମାମର ୧୦ ବଡ଼ ଖବର

Top 10 news Headlines: ନବୀନଙ୍କ ଚିଠିର ଜବାବ ଦେଲେ ମୋହନ, ଆଶିଷ ସିଂହଙ୍କ ବଦଳି ଏବଂ ଅନ୍ୟ ଅପଡେଟ

H1. ନବୀନ ଲେଖିଥିଲେ ଚିଠି, ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ
ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡିବେଳେ ଅଘଟଣକୁ ନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ପୂର୍ବାହ୍ନରେ ନବୀନ ଲେଖିଥିବା ଚିଠିର ଉତ୍ତର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଛନ୍ତି । ଆଉ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଓ ଶ୍ରୀଗୁଣ୍ଡିଚା ଯାତ୍ରା ସଠିକ୍ ଭାବେ ସମ୍ପନ୍ନ କରିବା ତଥା ଆପଣଙ୍କ ପରାମର୍ଶ ମୋ’ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

H2. ସୁପ୍ରିମକୋର୍ଟ ଦୁଇ ବିଚାରପତିଙ୍କ ନାଁ ସୁପାରିଶ
ଅବସର ଗ୍ରହଣ ପରେ ସୁପ୍ରିମକୋର୍ଟରେ ସୃଷ୍ଟି ହୋଇଥିବା ଦୁଇଟି ପଦବୀ ପାଇଁ କଲେଜିୟମ ଦୁଇଜଣ ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି। ଜୁଲାଇ ୧୧,୨୦୨୪ରେ ନିଆଯାଇଥିବା ଏହି ନିଷ୍ପତ୍ତି, କୋର୍ଟର ବିବିଧତା ଏବଂ ପ୍ରତିନିଧିତ୍ୱ ଆବଶ୍ୟକତା ପୂରଣ କରିବା ସହିତ ନ୍ୟାୟିକ ଉତ୍କର୍ଷର ଉଚ୍ଚ ମାନ ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖିଛି। ତେବେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ନେତୃତ୍ୱାଧିନ କଲେଜିୟମ ସୁପାରିଶ କରିଥିବା ଦୁଇ ବିଚାରପତି ହେଉଛନ୍ତି ଜଷ୍ଟିସ ନୋଙ୍ଗମେକପମ କୋଟିଶ୍ୱର ସିଂହ ଓ ଜଷ୍ଟିସ ଆର ମହାଦେବନ। 

H3. NEET-UG ପ୍ରଶ୍ନପତ୍ର ଲିକ୍ ମାମଲା; ପାଟନାରୁ କିଙ୍ଗପିନଙ୍କୁ ବାନ୍ଧିଲା CBI
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାର କିଙ୍ଗପିନ୍ ଗିରଫ। ଆଜି ସିବିଆଇ ବିହାରର ବିଭିନ୍ନ ସ୍ଥାନରେ ଛାପା ମାରି ପାଟନାରୁ ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ ଓରଫ୍ ରକିକୁ ଗିରଫ କରିଛି।  ଗିରଫ ପରେ ପାଟନା ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ତଦନ୍ତ କରିଥିଲା ସିବିଆଇ। ଏହି ସମୟରେ ସିବିଆଇ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଲାଗିଛି। ରକିକୁ ଗିରଫ ପରେ ସିବିଆଇ ଆଜି କୋର୍ଟରେ ହାଜର କରିଥିଲା। ବିହାରରେ ହୋଇଥିବା ପେପର୍ ଲିକରେ ରକିର ହାତ ଥିବା ସିବିଆଇ କହିଛି। ଅଧିକ ତଦନ୍ତ ପାଇଁ ସିବିଆଇ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେଇଛି। 

H4. ଆଶିଷ ସିଂହଙ୍କ ବଦଳି
ବରିଷ୍ଠ ପୁଲିସ ଅଧିକାରୀ ତଥା ଆଇଜି ପୁଲିସ ଆଶୀଷ କୁମାର ସିଂହଙ୍କୁ ବଦଳି କରାଯାଇଛି।ତାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୪  ବ୍ୟାଚର ଏହି ଆଇପିଏସ୍‍ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଭାବେ ନିୟୋଜିତ ଥିଲେ। ଗତ ନିର୍ବାଚନରେ ଶ୍ରୀ ସିଂହଙ୍କ ପକ୍ଷପାତିତାକୁ ନେଇ ଆଲୋଚନା ହୋଇଥିଲା। ବିଜେଡିକୁ ସହାୟତା ଦେବା ପାଇଁ ସେ ଚାକରିରୁ ଛୁଟି ନେଇଥିବା ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ହୋଇଥିଲା। ତେବେ ସେ ଅସୁସ୍ଥ ଥିବା ଦରତଶାଇଥିବାରୁ ତାଙ୍କ ଡାକ୍ତରୀ ଯାଞ୍ଚ ମଧ୍ୟ କରାଯାଇଥିଲା। ହେଲେ ଏହି ରିପୋର୍ଟରେ ସେ ସୁସ୍ଥ ଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଥିଲେ। 

H5. ଅଗ୍ନିବୀରଙ୍କ ପାଇଁ ୧୦% ମିଳିବ ସଂରକ୍ଷଣ
ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ବିଏସ୍ଏଫ୍, ସିଆଇଏସ୍ଏଫ ଓ ଆରପିଏଫରେ କନେଷ୍ଟବଳ ପୋଷ୍ଟ ଲାଗି ପୂର୍ବତନ ଅଗ୍ନିବୀରଙ୍କ ପାଇଁ ରହିବ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ। ବୟସସୀମା ଓ ଶାରୀରିକ ପରୀକ୍ଷା କ୍ଷେତ୍ରରେ ପୂର୍ବତନ ଅଗ୍ନବୀର ଯବାନଙ୍କ ପାଇଁ କୋହଳ ବ୍ୟବସ୍ଥା ରହିବ। କେନ୍ଦ୍ର ସରକାରଙ୍କ ଏ ଘୋଷଣା ପରେ ବିଏସଏଫ, ସିଆଇଏସଏଫ୍ ଏବଂ ଆରପିଏଫ ପକ୍ଷରୁ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

H6. ୨୫ରେ ଆସିବ ରାଜ୍ୟ ବଜେଟ୍‌
ରାଜ୍ୟରେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ତା’ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବଜେଟ୍ ସଂପର୍କରେ ଆଲୋଚନା କରାଯାଇଥିଲା ।

H7. ଆଇଏଏସ ପୂଜା ଖେଡକର ମାମଲାର ତଦନ୍ତ ପାଇଁ କମିଟି ଗଠନ
ସିଭିଲ ସର୍ଭିସ ପରୀକ୍ଷା-୨୦୨୨ରେ ଉତ୍ତୀର୍ଣ୍ଣ ହୋଇଥିବା ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଦାବି ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ ପାଇଁ କେନ୍ଦ୍ର ସରକାର ଭାରତ ସରକାରଙ୍କ ଅତିରିକ୍ତ ସଚିବ ସ୍ତରର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ। ୨୦୨୩ରେ ପ୍ରଶିକ୍ଷଣ ନେଉଥିବାବେଳେ ସେ ନିଜ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେ ତାଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ଅଡି ସେଡାନରେ ରେଡ୍ ଲାଇଟ୍, ଭିଆଇପି ନମ୍ବର ପ୍ଲେଟ୍ ଏବଂ ‘ମହାରାଷ୍ଟ୍ର ସରକାର’ ଷ୍ଟିକର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଛି।

H8. ୧୪ରେ ଖୋଲିବ ରତ୍ନଭଣ୍ଡାର
ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲାଯିବ। ନଯୁ୍କ୍ତ ହୋଇଥିବା କମିଶନଙ୍କ ସୁପାରିସ ଅନୁସାରେ ସରକାର ଆବଶ୍ୟକ ଅନୁମୋଦନ କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଏହିଦିନ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେଉଥିବା ବେଳେ ନିର୍ଦ୍ଧାରିତ ବିଶେଷଜ୍ଞ, ସେବକ, ପୁଲିସ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ପୂର୍ବରୁ ଜଷ୍ଟିସ ବିଶ୍ୱନାଥ ରଥଙ୍କ କମିଶନ ମତ ପ୍ରକାଶ କରିଥିଲେ।।
 
H9. ୧୮ରେ ନିଟ ୟୁଜି ମାମଲାର ଶୁଣାଣୀ
ନିଟ୍‍- ୟୁଜି ପ୍ରଶ୍ନ ପତ୍ର ଲିକ୍‍ ମାମଲରେ ସୁପ୍ରିମ କୋର୍ଟ ଶୁଣାଣି ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିଛନ୍ତି।  ଅର୍ଥାତ୍‍ ଆଜି ହେବାକୁ ଥିବା ଶୁଣାଣି ଜୁଲାଇ ୧୮ ତାରିଖକୁ ହେବ।  ଜାତୀୟ ପରୀକ୍ଷା ଏଜେନ୍ସୀ ଏନ୍‍ଟିଏ ଦ୍ୱାରା କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ସମସ୍ତ ଆବେଦନକର୍ତ୍ତାଙ୍କ ନିକଟରେ ପହଞ୍ଚି ପାରି ନଥିବାରୁ ଏହି ନିଷ୍ପତ୍ତିନେଇଛନ୍ତି ସୁପ୍ରିମ କୋର୍ଟ। ଏନ୍‍ଟିଏଲ  ଦାଖଲ କରିଥିବା ସତ୍ୟପାଠରେ ସୋଶାଲ ମିଡିଆରେ ଘୁରି ବୁଲୁଥିବା ନିଟ୍‍ ପ୍ରଶ୍ନ ପତ୍ରକୁ ଜାଲ ପ୍ରଶ୍ନ ପତ୍ର ବୋଲି ଅଭିହିତ କରିଛନ୍ତି। 

H10. ବିଜେପିରେ ମିଶିବ ବିଆରଏସ
ତେଲେଙ୍ଗନାରେ ଭାରତ ରାଷ୍ଟ୍ରସମିତି ( ବିଆର୍‍ଏସ୍‍) ବିଜେପି ସହ  ମେଣ୍ଟ କରିପାରେ। କେହି କେହି ବିଜେପି ନେତା ଏହି ପାର୍ଟିଠାରୁ ଦୂରେଇ ରହିବାକୁ ଯୁକ୍ତି ବାଢ଼ୁଥିବା ବେଳେ ଆଉ କେହି ମେଣ୍ଟ ବା ମିଶ୍ରଣଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। ତେଲେଙ୍ଗାନାରେ ଅନେକ ବର୍ଷ କ୍ଷମତାରେ ରହିଥିବା କେସିଆର୍‍ଙ୍କ ଏହି ଦଳ ଏବେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବାହାରେ ରହିଛି। ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ଏବଂ ଲୋକସଭା ନିର୍ବାଚନରେ ଭୋଟର ବିଜେପିକୁ ଭୋଟ ଦେବା ବିଆର୍‍ଏସ୍‍ର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଲଗାଇଛି।