Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1948235

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର...

ସୌ(ସୋସିଆଲ ମିଡିଆ)

Top 10 News Headlines: 1.ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ: ପୂର୍ବତନ ମନ୍ତ୍ରୀ, ବାଚସ୍ପତି ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଜଣେ ଆଇନଜୀବୀ ଭାବେ ପରିଚୟ ହାସଲ କରିଥିବା ମହେଶ୍ୱର ପୁରୀ ପୌରପାଳ ଭାବେ ରାଜନୀତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୮୫ ଓ ୧୯୯୦ ମସିହାରେ ସେ ପୌରପାଳ ଥିଲେ। ୧୯୯୫ରୁ ୨୦୧୪ ଯାଏଁ ପ୍ରତିଟି ବିଧାନସଭା ନିର୍ବାଚନକୁ ସେ ଜିତୁଥିଲେ। ପୁରୀରେ ଅଣ କଂଗ୍ରେସ ନେତା ଭାବେ ସେ ପରିଚିତି ଥିଲା। ୨୦୧୯ ମସିହା ନିର୍ବାଚନରେ ସେ ପରାସ୍ତ ହୋଇଥିଲେ।

2.ଆଜି ଛତିଶଗଡ଼ ଭୋଟଗ୍ରହଣ: ଛତିଶଗଡ଼ ଓ ମିଜୋରାମ ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‍ ଗ୍ରହଣରେ ଛତିଶଗଡ଼ର ୯୦ ଆାସନରୁ ୨୦ଟିରେ ମତ ସଂଗ୍ରହ କରାଯିବ। ସେହିପରି ମିଜୋରାମରେ ଆଜି ଭୋଟଗ୍ରହଣ ଶେଷ ହେବ। ୧୭ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ   ଭୋଟଗ୍ରହଣ ହେବ।

3.‘ରାଜ୍ୟପାଳ ସରକାର ଆତ୍ମଚିନ୍ତନ କରନ୍ତୁ: ପଞ୍ଜାବ, ତାମିଲନାଡୁ, କେରଳ ପ୍ରଭୃତି ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟପାଳ ଓ ସରକାରଙ୍କ ଭିତରେ ଲାଗି ରହିଥିବା ଟଣାଓଟରାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉଭୟ ପକ୍ଷ ଏହି ପ୍ରସଙ୍ଗକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ ବୋଲି କହିବା ସହ ଉଭୟଙ୍କୁ ଆତ୍ମଚିନ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ବଜେଟ୍‍ ଅଧିବେଶନ ଆରମ୍ଭ ପାଇଁ କାହିଁକି ସୁପ୍ରିମ୍‍ କୋର୍ଟ ଆସିବା ଦରକାର ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟ ବିଚାରପତି? ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଆମେ ଅଛୁ, କିନ୍ତୁ ସରକାର ଓ ରାଜ୍ୟପାଳ ଏଭଳି ପ୍ରସଙ୍ଗର ଉତ୍ତର ଖୋଜି ସମାଧାନ କରିବା ଆବଶ୍ୟକ ବୋଲି କୋର୍ଟ କହିଛି।

4.ଆଜିଠୁ ଶୀତ: ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ହାରାହାରି ସର୍ବନିମ୍ନ ତାପମାତ୍ରାଠାରୁ ୪ ଡିଗ୍ରୀ କମିବ। ଉତ୍ତର-ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ତାପମାତ୍ରା ହ୍ରାସ ପାଇବା ସହ କୋହଲା ପାଗ ଅନୁଭୂତ ହେବାର ସମ୍ଭାବନା ରହିଛି।

5.୩୯ଙ୍କୁ ଇଓଡବ୍ଲୁ ନୋଟିସ: ଦୁଇ ହଜାର ଟଙ୍କିଆ ନୋଟ ବଦଳ ମାମଲାରେ ୩୯ ଜଣଙ୍କୁ କ୍ରାଇମ୍‍ ବ୍ରାଞ୍ଚ ଅର୍ଥନୀତିକ ଶାଖା ନୋଟିସ କରିଛନ୍ତି। ଏହି ମାମଲାରେ ପଶ୍ଚିମବଙ୍ଗ ସମ୍ପର୍କ ଥିବା ଇଓଡବ୍ଲୁ ଆଶଙ୍କା କରିଛି। ଯେଉଁମାନେ ବାରମ୍ବାର ନୋଟ ବଦଳାଉଛନ୍ତି ଓ ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ତାହାକୁ ଆଧାର କରି ଏହି ନୋଟିସ ଜାରି କରାଯାଇଛି। ସେମାନଙ୍କୁ ଜେରା ପରେ ଏତେ ସଂଖ୍ୟାର ନୋଟ କେଉଁଠୁ ଆସିଲା ଓ ଦିନ ମଜୁରିଆଙ୍କୁ ବ୍ୟବହାର କରି କିଏ ଟଙ୍କା ବଦଳ କରୁଥିଲା ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଇଛି।

6. ବର୍ଷ ହେଲା ନାଟ ମଣ୍ଡପ ମରାମତି ହୋଇନି: ହାଇକୋର୍ଟଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ସତ୍ତ୍ୱେ ପୁରୀ ଶ୍ରୀମନ୍ଦିରର ନାଟ ମଣ୍ଡପ ମରାମତି କାର୍ଯ୍ୟ ହୋଇପାରୁ ନାହିଁ। ଏ ଭିତରେ ହାଇକୋର୍ଟଙ୍କ ଆଦେଶକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏଭଳି ଅବସ୍ଥା ଦେଖି ହାଇକୋର୍ଟ ଉଦ୍‍ବେଗ ପ୍ରକାଶ କରିଛନ୍ତି। ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦ୍‍ଘାଟନ କରିବା ଲାଗି ଉତ୍ସାହିତ ଥିବାବେଳେ ହାଇକୋର୍ଟଙ୍କ ଏପରି ଉଦବେଗ ଶ୍ରୀମନ୍ଦିର ଭିତର ବିକାଶ ନେଇ ସରକାରୀ ଅବହେଳାକୁ ସ୍ପଷ୍ଟ କରୁଛି।

7.କ୍ରିକେଟ ଇତିହାସରେ ପ୍ରଥମ: ଆନ୍ତର୍ଜାତିକ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସ୍‍ ବିନା ଖେଳରେ ଆଉଟ୍‍ ହୋଇଛନ୍ତି। କ୍ରିଜ୍‍ ପହଞ୍ଚିବାରେ ବିଳମ୍ବ କାରଣରୁ ତାଙ୍କୁ ଅମ୍ପାୟାର ‘ଟାଇମ୍ଡ୍‍ ଆଉଟ୍‍’ ଘୋଷଣା କରିଛନ୍ତି। ତାଙ୍କ ହେଲମେଟ୍‍ରେ କିଛି ସମସ୍ୟା ଥିବା କାରଣରୁ ସେ ପଡ଼ିଆକୁ ଆସିବା ଲାଗି ୫ ମିନିଟ୍‍ରୁ ଅଧିକ ସମୟ ନେଇଥିଲେ।

8.ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା: ସାମ୍ବାଦିକାଙ୍କୁ ଅସଦାଚରଣ ମାମଲାରେ ଶନିବାର ଗିରଫ ହୋଇଥିବା ଓଡ଼ିଆ ସିନେମା ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଛି। ୮ ତାରିଖରେ ଏହି ଶୁଣାଣି ହେବ। ଅଭିଯୋଗର ଭିଡିଓ କ୍ଲିପ, ଟୁଟୁଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ୮ ତାରିଖ ସୁଦ୍ଧା କୋର୍ଟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ପୁଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

9.ଶ୍ରୀଲଙ୍କା ବାଦ୍: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୩୮ ତମ ମ୍ୟାଚରେ ୩ ଉଇକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ବାଂଲାଦେଶ ଆଗରେ ୨୭୯ ରନ୍‌ ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି ବାଂଲାଦେଶ ୭ ଉଇକେଟ୍‌ ହରାଇ ୨୮୨ ରନ୍‌ କରି ବିଜୟୀ ହୋଇଥିଲା। ଏହି ପରାଜୟ ପରେ ସେମିଫାଇନାଲ୍‍ ରେସ୍‍ରୁ ବାଦ୍‍ ପଡ଼ିଛି ଶ୍ରୀଲଙ୍କା ।

10.ଭାରତ ଅଟା: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଠାରୁ ରିହାତି ଦରରେ ଅଟା ବିକିବା ଆରମ୍ଭ ହୋଇଛି। କିଲୋପିଛା ପିଛା ୨୭ ଟଙ୍କା ୫୦ ପଇସା ଦରରେ ଏହି ଅଟା ବିକ୍ରି ହୋଇଛି। କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟେଲଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାର ନାଁ ରହିଛି ‘ଭାରତ ଅଟା’। ନାଫେଡ଼ ଏବଂ ଏନସିସିଏଫ, ମଦର ଡାଏରୀର ଆଉଟଲେଟ, କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟାନ୍ୟ ସହଯୋଗୀ ଏଜେନ୍ସି ମାନଙ୍କ ଦ୍ୱାରା ବିକ୍ରି କରାଯିବ। ଅଟା ସହ ଅନ୍ୟ ଖାଦ୍ୟ ଦ୍ରବ୍ୟ ବିକ୍ରି ବି ସୁଲଭ ଦରରେ ‘ଭାରତ’ ବ୍ରାଣ୍ଡରେ ବିକ୍ରି କରିବେ ସରକାର।