Top 10 News Headlines: ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement

Top 10 News Headlines: ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ପବିତ୍ର ରାମନବମୀ
ଆଜି ପବିତ୍ର ରାମନବମୀ। ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ। ରାମ ନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ। ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ। ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ।

H2. ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
କଂଗ୍ରେସର ଷ୍ଟାର ପ୍ରଚାରକ ତଥା କେରଳର ଓ୍ୱାଇନାଡ଼ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ହୋଇଥିବା ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ମଧୁବାବୁଙ୍କ ଜୟନ୍ତୀ ତଥା ଆସନ୍ତା ୨୮ ତାରିଖରେ ତାଙ୍କ ଗସ୍ତ ସ୍ଥିର କରାଯାଇଛି। ସେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମଭୂମି ସତ୍ୟଭାମାପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେବେ। ଏଆଇସିସି ପକ୍ଷରୁ ଏହା ସ୍ଥିର କରାଯାଇଥିବା ପିସିସି ପକ୍ଷରୁ ସୂଚନା ଦିଆଯାଇଛି।  ଏ ଭିତରେ ରାଜ୍ୟ କଂଗ୍ରେସ ନିଜର ପୟଚାର ଆରମ୍ଭ କରିବାକୁ ଯାଉଛି। ପୁରୀରୁ ଏହି ପ୍ରଚାର ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଜାତୀୟ କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ବୁଥସ୍ତରରେ ପହଞ୍ଚାଇବା ଏବଂ କଂଗ୍ରେସ ଭୋଟକୁ ପୁଣିଥରେ ସକ୍ରିୟ କରିବା ଲାଗି ରାଜ୍ୟ କଂଗ୍ରେସ ଜୋରଦାର ପ୍ରଚାର କରିବ ବୋଲି କୁହାଯାଇଛି। ବିଶେଷ କରି ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଏବଂ ରାଜ୍ୟ କଂଗ୍ରେସ ଦେଇଥିବା ୯ ଗ୍ୟାରେଣ୍ଟିକୁ ଏହି ପ୍ରଚାର ସମାବେଶରେ ସାମଲ କରାଯାଇଛି।

H3. ଆହୁରି ୫ ଦିନ କଲବଲ କରିବ ତାତି
୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢ଼ିଛି। ଗତକାଲି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ଆଜି ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ବାରିପଦାରେ ସବୁଠି ଅଧିକ ଖରା ହୋଇଛି। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟରେ ଆଗକୁ ମଧ୍ୟ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ-ଆଦ୍ର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତେବେ ଆଶ୍ୱସ୍ତିର ଖବର ଏହା ଯେ ୨୦ ତାରିଖ ବେଳକୁ ପାଗରେ ସାମନ୍ୟ ପରିବର୍ତ୍ତନ ଆସିପାରେ। ସେହିଦିନ ରାଜ୍ୟର କିଛି ଅଞ୍ଚଳରେ ହାଲ୍‌କା ବର୍ଷା ହୋଇପାରେ। ସେହିପରି ୨୧ ଓ ୨୨ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ।

H4. ଜୁଲାଇ ୭ରେ ରଥଯାତ୍ରା
ଆସନ୍ତା ଜୁଲାଇ ୭ ତାରିଖରେ ପାଳିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ବର ସହ ନିଆଯାଇ କାର୍ଯ୍ୟ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଅନେକ କମିଟି ଗଠନ କରାଯାଇଛି। ଆଇନ ଶୃଙ୍ଖଳା, ପାର୍କିଂ, ଯାତ୍ରୀବାହୀ ବସ ଭଡା, ଟ୍ରାଫିକ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଆଲୋଚନା କରାଯାଇଛି।

H5. କଂଗ୍ରେସ ସାଂସଦଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ
ବିଜେପି ସାଂସଦ ପ୍ରାର୍ଥୀ ତଥା ବରିଷ୍ଠ ଅଭିନେତ୍ରୀ ହେମା ମାଲିନୀଙ୍କ ବିରୁଦ୍ଧରେ ଅସାମ୍ବିଧାନିକ ଭାଷାରେ ଟିପ୍ପଣୀ ଦେବା ଅଭିଯୋଗରେ କଂଗ୍ରେସ ସାଂସଦ ରଣଦୀପ ସିଂହ ସୂର୍ଜେଓ୍ୱାଲାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ। ୨୦୨୪ ନିର୍ବାଚନ ସମୟରେ କୌଣସି ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଏହା ହେଉଛି ପ୍ରଥମ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସେ ପ୍ରଚାର କାର୍ଯ୍ୟ କରିପାରିବେ ନାହିଁ। 

H6. ଭୟଙ୍କର ବନ୍ୟା ଯୋଗୁଁ ଗଲା ୪୯ ଜଣଙ୍କର ଜୀବନ
ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି। ବଜ୍ରପାତ, ବର୍ଷା ଓ ବନ୍ୟା ଯୋଗୁ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶର ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ପରେ ଦକ୍ଷିଣ ପଶ୍ଚିମ ଭାଗରେ ଜରୁରୀକାଳୀନ ସ୍ଥିତି ଜାରି ହୋଇଛି । କେବଳ ପାକିସ୍ତାନ ନୁହଁ ଆଫଗାନିସ୍ଥାନରେ ମଧ୍ୟ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ତିନି ଦିନ ଧରି ଲାଗି ରହିଛି ଏଭଳି ସ୍ଥିତି। ବଜ୍ରପାତ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରବଳ ବର୍ଷାରେ ପାକିସ୍ତାନର ପଞ୍ଜାପ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେବଳ ପଞ୍ଜାବ ପ୍ରଦେଶରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସପ୍ତାହରେ ଆହୁରି ବର୍ଷା ନେଇ ପାକିସ୍ତାନ ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ଷାରେ ପାକିସ୍ତାନର ରାଜଧାନୀ ଇସଲାମାବାଦ ବି ପ୍ରଭାବିତ ହୋଇଛି। ୨ ବର୍ଷ ତଳେ ପାକିସ୍ତାନରେ ଭୟଙ୍କର ବନ୍ୟାରେ ୧୭୩୯ ଜଣଙ୍କ ମୃତ୍ୟୁ ହୋଇଥିଲା।

H7. ପେପର ବାଲାଟ ଉପରେ ମତ ଦେଲେ ସୁପ୍ରିମକୋର୍ଟ
ନିର୍ବାଚନରେ ​​ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମତ ରଖିଛନ୍ତି ସୁପ୍ରିମ କୋର୍ଟ। ମଙ୍ଗଳବାର (ଅପ୍ରେଲ ୧୬) ଏ ସମ୍ପର୍କରେ ମତ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନରେ ବାଲାଟ ପେପର ବ୍ୟବହାର କରିବା ଦ୍ୱାରା ଅନେକ ଅସୁବିଧା ହୋଇପାରେ। ଇଭିଏମ-ଭିଭିପାଟ ସମ୍ପର୍କିତ ମାମଲାର ଶୁଣାଣି କରିବା ବେଳେ ଏକଥା କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଇଭିଏମ୍ ଉପରେ ଶୁଣାଣି ଅପ୍ରେଲ୍ ୧୮ ତାରିଖରେ ପୁନର୍ବାର ହେବ। 

H8. ୨୯ ନକ୍ସଲ ସଫା
ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ଧରରଣ ନକ୍ସଲ ଅପରେସନ। କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଛନ୍ତି ୨୯ ନକ୍ସଲ। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ସଂଗଠନର ଟପ କମାଣ୍ଡର ଶଙ୍କର ରାଓ। ତା’ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ମାଓବାଦୀଙ୍କ ମୃତଦେହଗୁଡ଼ିକ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହା ମଧ୍ୟରେ ଏକାଧିକ ଏକେ ୪୭ ଓ ଇନସାସ ରାଇଫଲ୍‌ ରହିଛି। ନକ୍ସଲ ବିରୋଧୀ ଅପରେସନରେ ୩ ଜଣ ଯବାନ ଆହତ ହୋଇଛନ୍ତି।

H9. ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ
ପ୍ରକାଶ ପାଇଛି ୨୦୨୪ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ। ଏହି ପରୀକ୍ଷାରେ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ପୁ୍ଅ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ଚତୁର୍ଥ ଏବଂ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଏଥର ୫ ଜଣ ଝିଅ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୟୁପିଏସସି ପରୀକ୍ଷାରେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲା ତାଳଚେରର ଭାଲୁଗାଡିଆ ଗ୍ରାମର ପୁଅ ଅନିମେଷ ପ୍ରଧାନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। 

H10. ରାଜସ୍ଥାନର ବିଜୟ ଧାରା ଜାରି
କୋଲକାତା ଇଡେନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଜି ମାରିନେଇଛି ରାଜସ୍ଥାନ ରୟାଲ୍ସ। ମଙ୍ଗଳବାର ଖେଳାଯାଇଥିବା ୩୧ ତମ ମ୍ୟାଚ୍ ରେ ରାଜସ୍ଥାନ ଟିମ୍ ୨ ୱିକେଟରେ କୋଲକାତା ନାଇଟ ରାଇଡର୍ସ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୨୨୩ ରନ୍ ସଂଗ୍ରହ କରିଛି। ୨୨୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୨୪ ରନ୍ ସଂଗ୍ରହ କରିଥିଲା।