Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2348454

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ଆଜି ଆସିବ କେନ୍ଦ୍ର ବଜେଟ୍‍, ଓଡ଼ିଶାରେ ରାଜ୍ୟପାଳଙ୍କ ପୁଅକୁ କେନ୍ଦ୍ର କରି ରାଜନୀତିକ ହଟ୍ଟଗୋଳ 

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟାକାଳର ପ୍ରଥମ ବଜେଟ୍‍କୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦିନ ୧୧ଟା ବେଳେ ଏହି ବଜେଟ୍‍ ଉପସ୍ଥାପନ ହେବ। ଦେଶର ଶାସକ, ବ୍ୟବସାୟୀଠାରୁ ଆରମ୍ଭ କରି ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି। ବିଶେଷ କରି ସରକାରଙ୍କ ଆଗାମୀ ଦିନର ଲକ୍ଷ୍ୟ ଏବଂ ଯୋଜନାସବୁ ଏହି ବଜେଟରୁ ପ୍ରତିଫଳିତ ହୋଇଥାଏ। ଆହୁରି ମଧ୍ୟ ଆୟକର ସ୍ଲାବରେ ପରିବର୍ତ୍ତନ, ଅଧିକ ରିହାତି ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ଘୋଷଣା କରିପାରନ୍ତି। 

2.ଭାରତୀୟ ଅର୍ଥନୀତିର ଅବିବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ଭିତରେ ରହିବ। ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ହେଲେ ଏହା ବିଶ୍ୱରାଜନୀତିକ, ଭୌଗୋଳିକ ଏବଂ ଜଳବାୟୁ ସ୍ଥିତି ଉପରେ ନିର୍ଭର କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪.୫ ଏବଂ ଆସନ୍ତା ବର୍ଷକୁ ଏହା ୪.୧ ପ୍ରତିଶତ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। 

3.ଆଜି ଅଷ୍ଟାଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନ। ଗତକାଲିର ତାତି ଆଜି ବି ଗୃହ ମଧ୍ୟରେ ଦେଖାଯାଇପାରେ। ଆଜି କାର୍ଯ୍ୟସୂଚୀ ଅନୁସାରେ ଗୃହ ମଧ୍ୟରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ପରମ୍ପରା ଅନୁସାରେ ପ୍ରତି ସଦସ୍ୟ ଏ ବାବଦରେ ନିଜ ମତ ରଖିବା କଥା। ରାଜ୍ୟପାଳ ଯେଉଁ ବିନ୍ଦୁ ଗୁଡ଼ିକରେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି ବା ଯେଉଁ ଆଶା ପ୍ରକାଶ କରିଛନ୍ତି ତାହା ଉପରେ ମନ୍ତବ୍ୟ ରଖି ସରକାରଙ୍କୁ ସମାଲୋଚନା କରିଥାନ୍ତି ବିରୋଧି। 

4.ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧି ବିଜେଡି ଓ କଂଗ୍ରେସ ବର୍ଜନ କରିଥିଲେ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ସେ ନେଇ ପ୍ରଶ୍ନ ପଚାରିଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପଳ ଅଭିଭାଷଣ ଆରମ୍ଭ କରିବା ସମୟରେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ନବୀନ। କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ଏହାପରେ ସେମାନେ କକ୍ଷତ୍ୟାଗ କରିଥିଲେ। 

5.ରଥଯାତ୍ରା ସନ୍ଧ୍ୟାରେ ଅର୍ଥାତ୍‍ ଜୁଲାଇ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ପୁରୀ ରାଜଭବନଠାରେ ନିୟୋଜିତ ଏଏସ୍‍‍ଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହେଲେ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ବିରୋଧୀ ଦଳ ପକ୍ଷରୁ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ଯାଇଥିବା ଅଭିଯୋଗ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଆଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। 

6.ରାଜ୍ୟପାଳଙ୍କ ଅଭିଭାଷଣେ ଆସନ୍ତା ୫ ବର୍ଷରେ ଓଡ଼ିଶା ସରକାରଙ୍କ ଦୂର ଦୃଷ୍ଟି ସାମ୍ନାକୁ ଆସିଛି। ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ସହ ଆସନ୍ତା ୨ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ। ୨୦୨୯ ବେଳକୁ ରାଜ୍ୟରେ ସାଢ଼େ ତିନି ଲକ୍ଷ ନୂଆ ସରକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବ ବୋଲି ସେ ତାଙ୍କ ଅଭିଭାଷଣରେ ରହିଛନ୍ତି। ରାଜ୍ୟରେ ଏକ ସ୍ୱତନ୍ତ୍ର ଶିକ୍ଷା ନୀତି ପ୍ରସ୍ତୁତି ହୋଇ ପ୍ରଣୟନ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ।

7.ଶାସକ ଦଳ ପକ୍ଷରୁ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ମୁଖ୍ୟ ସଚେତକ ଭାବେନିଯୁକ୍ତ କରାଯାଇଛି। ସେହିପରି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ହେବେ ଉପମୁଖ୍ୟ ସଚେତକ। ମୁଖ୍ୟମନ୍ତ୍ରୀଙ୍କ ଅଅନୁମୋଦନ କ୍ରମେ ଏହି ନିଯୁକ୍ତି ହୋଇଥିବା କୁହାଯାଇଛି। 

8.ଆସନ୍ତାକାଲି ବିଧାନସଭାରେ ହେବ ଉପ ବାଚସ୍ପତି ନିର୍ବାଚନ। ବାଚସ୍ପତି ସୁରମା ପାଢ଼ୀ ଏନେଇ ଘୋଷଣା କରିଛନ୍ତି। ଏଥିଲାଗି ୨୪ ଘଣ୍ଟା ପୂର୍ବରୁ ଆଶାୟୀ ସଚିବଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ। ଯଦି ଜଣେ ପ୍ରାର୍ଥୀ ରହିବେ ତେବେ ନିର୍ବାଚନ ହେବ ନାହିଁ। 

9.ଗତ ୫ ବର୍ଷ ଭିତରେ ରାଜ୍ୟରେ ୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ପ୍ରକାଶ କରିଛନ୍ତି। ପ୍ରଦାନ କରିଥିବା ତାଲିକାରେ କୁହାଯାଇଛି, ସାରା ଦେଶରେ ଏହି ସମୟରେ ୬୦ଟି ସ୍କୁଲ୍‍ ଖୋଲାଯାଇଛି। ଓଡ଼ିଶାରେ ଖୋଲିଥିବା ସ୍କୁଲ୍‍ଗୁଡ଼ିକ ଭିତରୁ ତିନୋଟି ସ୍କୁଲ୍‍ ସାମରିକ ବା ବେସାମରିକ ସ୍ଥଳରେ ଖୋଲିଥିବା ବେଳେ ଅନ୍ୟ ତିନୋଟି ସ୍କୁଲ୍‍ ଉଚ୍ଚଶିକ୍ଷାନୁଷ୍ଠାନରେ ଖୋଲାଯାଇଛି। 

10.ସକ୍ରିୟ ମୌସୁମୀ କାରଣରୁ ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିବ। ବିଭିନ୍ନ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା କରିଛି ପାଣିପାଗ ବିଭାଗ। ଆଜି ବରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁରରେ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୀତ ସତର୍କତା ଜାରି କରାଯାଇଛି।