Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2120409

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1. ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ। ଜାତିସଂଘ ଦ୍ୱାରା ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶେଷକରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମାତୃଭାଷାର ସୁରକ୍ଷା ଏହି ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏହି ଉତ୍ସବ ପାଳନର ଶୀର୍ଷକ ରହିଛି ‘ସମନ୍ୱିତ ଅଧ୍ୟନରେ ବହୁଭାଷୀ ଶିକ୍ଷା ହେଉଛି ମୂଳଖୁଣ୍ଟି’।

2.ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଣିକି ଆୟୁଷ ଚିକିତ୍ସା ସୁବିଧା ମିଳିବ। ଯେମିତି ଆଲୋପାଥିକ ହସ୍‍ପିଟାଲ୍‍ ଚିକିତ୍ସା ଲାଗି ସୁବିଧା ମିଳୁଛି ତାହା ଏଠାରେ ସମ୍ଭବ ହେବ। ଅର୍ଥାତ୍‍ ହୋମିଓପାଥି ଓ ଆୟୁରବେଦିକ ଚିକିତ୍ସା ଲାଗି ଏଣିକି ଆଉ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଥିଲାଗି ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ପ୍ରତି କଲେଜ ନିର୍ଦ୍ଦେଶକଙ୍କୁ ପରାମର୍ଶ ଜାରି କରାଯାଇଛି। 

3.ମୁଖ୍ୟମନ୍ତ୍ରୀ ଆଜି ନିଯୁକ୍ତି ପର୍ବରେ ୨୬୧ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିଲାଗି ସଚିବାଳୟ ସମ୍ମିଳନୀ କକ୍ଷରେ ଏକ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟର ୧୮୩ଜଣ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ଜଣ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ୫୮ଜଣ ଏବଂ କାରଖାନା ଓ ବାଷ୍ପ ନିର୍ଦ୍ଦେଶାଳୟରେ ୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଛି। 

4.ଆସନ୍ତା ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଏଥିଲାଗି ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହେବା ସହ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସ୍ୱିକୃତୀ ମିଳିଥିବା ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସନ୍ଧ୍ୟା ସଢ଼େ ପାଞ୍ଚଟାରେ ଏହି ଉତ୍ସବ ଅନୁଷ୍ଠିତ ହେବ। 

5.ବନକଲାଗି ନୀତି ଯୋଗୁ ଆସନ୍ତା କାଲି ଶ୍ରୀମନ୍ଦିରରେ ୩ ଘଣ୍ଟା ଲାଗି ଦର୍ଶନ ବନ୍ଦ ରହିବ। ମାଘ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ୬ଟାରୁ ୯ଟା ଯାଏ ଏହି ନୀତି ଅନୁସାରେ ବନକ ଲାଗି କରାଯିବାକୁ ଥିବାରୁ  ଏହି ସମୟରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। 

6.ନାଟ ମଣ୍ଡପର ମରାମତି କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ସମୟରେ ଦର୍ଶନ ବନ୍ଦ ହେବ ନାହିଁ। ଏଥିଲାଗି ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସି ନୀତି କାନ୍ତି ସମୟ ନିର୍ଘଣ୍ଟ କରାଯାଇଛି। ରାତି ଦୁଇଟାରୁ ପହଡ଼ ଖୋଲିବା ସହ ୧୧ଟାରେ ପହୁଡ଼ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି। ତେବେ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୭ଟା ଯାଏ ଏଏସ୍‍ଆଇ ପକ୍ଷରୁ ନାଟ ମଣ୍ଡପର ମରାମତି ପାଇଁ କାରିଗର ନିୟୋଜିତ ହେବେ। ୨୩ ତାରିଖରୁ ମରାମତି କାର୍ଯ୍ୟ ଆରମ୍ଭ ହେବ। 

7.ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ତାଙ୍କର ଏହି ଗସ୍ତରେ ପୁରୀ ଏବଂ ଚଣ୍ଡିଖୋଲ କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦୀ ପ୍ରଥମେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଏବଂ ପରେ  ସେଠାରେ ଏକ ରୋଡ ଶୋ’ରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଚଣ୍ଡିଖୋଲ ଯିବେ। ସେଠାରେ ସାଧାରଣ ସଭାରେ ଯୋଗ ଦେଇପାରନ୍ତି। ଏହାଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ୨୨ ତାରିଖରେ ସେ ବ୍ରହ୍ମପୁର ଆସିବେ ବୋଲି ସ୍ଥିର ହୋଇଥିବା  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଏହି ଅବସରରେ ବିଜେଡିରୁ ବହୁଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ୍‍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

8.ପୁରୀରୁ କୋଣାର୍କକୁ ରେଳ ସଂଯୋଗ ହେବ। ଏହାକୁ ଆରାମ ଦାୟକ ଯାତ୍ରାରେ ପରିଣତ କରିବା ଲାଗି ସ୍ୱତନ୍ତ୍ର ଭିସ୍ତଡୋମ୍‍ କୋଚ୍ ଲାଗିବ ବୋଲି ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୩୨ କିଲୋମିଟର ରେଳଲାଇନ ଲାଗି ୪୯୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ସହାୟତାରେ ଏଣିକି ଜମି ଅଧିଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଏହା ସହ ଏହି ରେଳ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି ସେ କହିଛନ୍ତି। 

9.ଶିବରାତ୍ରୀ ପରିଚାଳନା ଲାଗି ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାତି ୧୦ଟାରୁ ରାତି ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବା ଲାଗି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ନିଯୋଗର ସହାୟତାକ୍ରମେ ଏହି ନିର୍ଦ୍ଧାରଣ ପାଳନ ହୋଇପାରିବ ବୋଲି ସେବାୟତମାନେ ଆଶା ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। 

10.ଦିଲ୍ଲୀ ସୀମାରେ ପୁଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆଜି ଦିଲ୍ଲୀ ଭିତରକୁ କୃଷକମାନେ ଶୋଭାଯାତ୍ରାରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିବାରୁ ପୁଲିସ ଏହି ପଦକ୍ଷେକ୍ଷ ନେଇଛି। ୨୩ଟି ଶସ୍ୟକୁ ଏମ୍‍ଏସ୍‍ପି ଗ୍ୟାରେଣ୍ଟି ଦେବା ଲାଗି କୃଷକ ସଂଗଠନ ମାନେ ସରକାରଙ୍କ ଆଗରେ ଦାବି ରଖିଛନ୍ତି। ହେଲେ କେନ୍ଦ୍ର ସରକାର ୫ଟି ଉତ୍ପାଦ ଉପରେ ଦିଆଯାଉଥିବା ଏମ୍‍ଏସ୍‍ପି ଆସନ୍ତା ୫ ବର୍ଷ ଯାଏ ଜାରି ରହିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ଚାଷୀ।