ଯୋଗ ଦିବସ ପୂର୍ବରୁ 'ଯୋଗୋତ୍ସବ' ପାଳିତ, ସାମିଲ ହେଲେ ୧୨୦୦ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha2188106

ଯୋଗ ଦିବସ ପୂର୍ବରୁ 'ଯୋଗୋତ୍ସବ' ପାଳିତ, ସାମିଲ ହେଲେ ୧୨୦୦ ଛାତ୍ରଛାତ୍ରୀ

କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ଅନ୍ତର୍ଗତ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ କଟକ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ‘ଯୋଗୋତ୍ସବ-୨୦୨୪’ ନାମରେ ଏକ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ଅମରକଣ୍ଟକସ୍ଥିତ ଇନ୍ଦିରାଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭର୍ସିଟିର ଯୋଗାଚାର୍ଯ୍ୟ ତଥା

ଯୋଗ ଦିବସ ପୂର୍ବରୁ 'ଯୋଗୋତ୍ସବ' ପାଳିତ, ସାମିଲ ହେଲେ ୧୨୦୦ ଛାତ୍ରଛାତ୍ରୀ

କଟକ : କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ଅନ୍ତର୍ଗତ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ କଟକ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ‘ଯୋଗୋତ୍ସବ-୨୦୨୪’ ନାମରେ ଏକ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ଅମରକଣ୍ଟକସ୍ଥିତ ଇନ୍ଦିରାଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭର୍ସିଟିର ଯୋଗାଚାର୍ଯ୍ୟ ତଥା ୟୁନିଭର୍ସିଟି ସ୍ପୋର୍ଟ୍ସ ବୋର୍ଡର ସାଧାରଣ ସମ୍ପାଦକ ଡଃ. ହରେରାମ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଡଃ. ପାଣ୍ଡେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟସ୍ଥିତ ‘ଆନ୍ତଃ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ’ର  ପ୍ରକଳ୍ପ ପରାମର୍ଶଦାତା ମଧ୍ୟ ରହିଛନ୍ତି । ଅଦ୍ୟାବଧି ତାଙ୍କର ଆଠଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ୩୭ଟି ଗବେଷଣାତ୍ମକ ସନ୍ଦର୍ଭ ମଧ୍ୟ ପ୍ରକାଶ ପାଇଛି।

ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ଡଃ. ପାଣ୍ଡେ ଯୋଗାଭ୍ୟାସର ଗୁଣଗାନ କରିବାକୁ ଯାଇ କହିଥିଲେ, ୪୮ ବର୍ଷ ବୟସରେ ଯେତେବେଳେ ମୁଁ ନେଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି, ସେତେବେଳେ ପ୍ରାଣାୟାମ, ଯୋଗନିଦ୍ରା ଏବଂ ସୁପର ବ୍ରେନ୍ ଯୋଗ କରିବା ଦ୍ୱାରା ଉକ୍ତ ପରୀକ୍ଷାରେ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିଥିଲି। ଫଳରେ ମାତ୍ର ୩୫ ଦିନର ପ୍ରସ୍ତୁତିରେ ମୁଁ ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲି। ଭାରତୀୟ ଜ୍ଞାନ ପରମ୍ପରାରେ ଯୋଗ ଏପରି ଏକ ବିଷୟ, ଯାହା ଆପଣଙ୍କ ଜୀବନ ଓ କ୍ୟାରିଅରକୁ ପରିବର୍ତ୍ତନ କରିବାରେ ସହାୟକ ହେବ ବୋଲି ସେ କହିଥିଲେ। 

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଯୋଗ ଦିବସର ୧୦୦ ଦିନ ପୂର୍ବରୁ ଏହାର ଅବଗଣନା ଜରିଆରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା ଓ ଉତ୍ସାହ ସୃଷ୍ଟି କରାଯାଉଛି। ଏଥିପାଇଁ ନୂଆଦିଲ୍ଲୀସ୍ଥିତ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ 100 ଦିନରେ 100ଟି ସହରର 100ଟି ଅନୁଷ୍ଠାନକୁ  ଯୋଡ଼ିବାକୁ ଆରମ୍ଭ ହୋଇଥିବା ପ୍ରୟାସରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ୟତମ ମୁଖ୍ୟ ପୁରୋଧା ସାଜିଛି । ତେବେ ଏହି ଅବଗଣନାର 79ତମ ଦିବସରେ ତଥା 2024 ଅନ୍ତର୍ଜାତୀୟ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଏହାକୁ ଦିବ୍ୟ ଓ ଭବ୍ୟ ରୂପେ ପାଳନ କରିବାକୁ ବିଶ୍ୱବିଦ୍ୟାଳୟ ଏହି ଯୋଗୋତ୍ସବ ଆୟୋଜନ କରିଥିଲା । ‘ଫାକଲ୍ଟି ଅଫ୍ ହେଲଥ ଆଣ୍ଡ୍ ୱେଲନେସ୍’ ପକ୍ଷରୁ ସହଯୋଗୀ ପ୍ରାଧ୍ୟାପିକା ଡଃ. ପ୍ରତିଭାଶ୍ରୀ ଏବଂ ଡଃ. ଜ୍ୟୋତି ଶର୍ମା ଶିବିର ପରିଚାଳନା କରିଥିଲେ ।

ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡଃ. ରଜିତା କୁଲକର୍ଣ୍ଣୀ କହିଥିଲେ, ନିୟମିତ ଭାବରେ କଠିନ ପରିଶ୍ରମ କରିବା ଏକାନ୍ତ ଆବଶ୍ୟକ। ଶାରୀରିକ ଭାବରେ ସୁସ୍ଥ ଓ ନିରୋଗ ରହିବା ମନୁଷ୍ୟ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଆଉ ଏଥିପାଇଁ ଯାହା ଆବଶ୍ୟକ, ତାହା ହେଉଛି ଯୋଗ।

ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ. ବି. ଆର୍. ଶର୍ମା ଯୋଗଦେଇ କହିଥିଲେ, ସୁସ୍ଥ ଶରୀରରେ ହିଁ ଏକ ସୁସ୍ଥ ମନ ରହିବା ସମ୍ଭବପର। ନଚେତ୍ ଖୁସିରେ ରହିବାକୁ ଆମ ପନ୍ଥା ଥରେ ଭୁଲ୍ ହୋଇଗଲେ ଆମେ ସାରା ଜୀବନ ଏକ ଭୁଲ୍ ଜୀବନଶୈଳୀ ବଞ୍ଚିବାକୁ ବାଧ୍ୟ ହେଉ। ଆମ ବ୍ୟକ୍ତିତ୍ୱର ବିକାଶରେ ଖାଦ୍ୟର ବହୁତ ବଡ଼ ଯୋଗଦାନ ରହିଛି। ମଣିଷ ଜରାଗ୍ରସ୍ତ କିମ୍ୱା ନିରୋଗ ରହିବ ଏହା ତା’ର ଆହାର ହିଁ ନିର୍ଦ୍ଧାରଣ କରେ।

କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ କହିଥିଲେ, ବେଳେବେଳେ ପରିଶ୍ରମ କରି ଥକିଯିବା ଆବଶ୍ୟକ। ଶାରୀରିକ ଭାବରେ ଥକିଯିବା ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବୋଲି ସେ କହିଥିଲେ। ସେହିପରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳସଚିବ ଡଃ. ଦୀପା ବିନୟ ଯୋଗାଭ୍ୟାସକୁ ଜୀବନର ଏକ ଅଭିନ୍ନ ଅଙ୍ଗରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ଏହି ଯୋଗ ଉତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୧୨୦୦ଜଣ ଅତିଥି ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏଥିସହ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ ଯୋଗୋତ୍ସବରେ ଯୋଗଦେବା ସହ ସ୍ୱେଚ୍ଛାସେବୀ ଦାୟିତ୍ୱ ତୁଲାଇଥିଲେ । ଯୋଗାଭ୍ୟାସ ମାଧ୍ୟମରେ ଶାନ୍ତି, ସଦ୍ଭାବ ଓ ଏକତା ବଜାୟ ରଖିବାକୁ ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଏହା ଲୋକମାନଙ୍କ ପାଇଁ ଏକ ବାର୍ତ୍ତା ବୋଲି ମତପ୍ରକାଶ ପାଇଥିଲା । ପରିଶେଷରେ ଫାକଲ୍ଟି ଅଫ୍ ହେଲଥ୍ ଆଣ୍ଡ୍ ୱେଲନେସ୍ ଡିନ୍ ପ୍ରାଧ୍ୟାପକ ତୀର୍ଥଙ୍କର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।